ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ଲାଇଟ୍‌, କ୍ୟାମେରା, ପୁରସ୍କାର!



୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

ଭାରତୀୟ ସିନେମାରେ ଜୀବନବ୍ୟାପୀ ସାଧନା ପାଇଁ ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ଦାଦା ସାହେବ ଫାଲକେ ପୁରସ୍କାର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ, ସମାଜକୁ ବଦଳାଇବା ପାଇଁ ଚଳଚ୍ଚିତ୍ର ଓ ସାମାଜିକ ଗଣମାଧ୍ୟମ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ

ଖୁବଶୀଘ୍ର ମୁମ୍ବାଇରେ ଭାରତର ପ୍ରଥମ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି ପ୍ରତିଷ୍ଠା କରିବେ ସରକାର

ପ୍ରତିଭାର ବିକାଶ, ଭିତ୍ତିଭୂମି ଏବଂ ଚଳଚ୍ଚିତ୍ର ନିର୍ମାଣ ପ୍ରକ୍ରିୟାର ସରଳୀକରଣ; ଏହି ତିନୋଟି ପ୍ରମୁଖ ସ୍ତମ୍ଭକୁ ନେଇ ଚଳଚ୍ଚିତ୍ର ଉଦ୍ୟୋଗକୁ ବିକଶିତ କରିବା ସରକାରଙ୍କ ଲକ୍ଷ୍ୟ: ଶ୍ରୀ ଅଶ୍ୱିନୀ ବୈଷ୍ଣବ

Posted On: 08 OCT 2024 9:27PM by PIB Bhubaneshwar

 

‘‘ଆପଣ ଶୋଇଥିଲେ ମଧ୍ୟ କେବେ ବି ଆପଣଙ୍କ ସ୍ୱପ୍ନକୁ ଶୋଇବାକୁ ଦିଅନ୍ତୁ ନାହିଁ।’’ ଜାତୀୟ ରାଜଧାନୀରେ ବିଭିନ୍ନ ବର୍ଗରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଯୁବ ପୁରସ୍କାର ବିଜେତାମାନଙ୍କ ପାଇଁ କିମ୍ବଦନ୍ତୀ ଚଳଚ୍ଚିତ୍ର ଅଭିନେତା ମିଥୁନ ଦା’ଙ୍କର ସ୍ୱର୍ଣ୍ଣିମ ନିବେଦନ । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିବା ପରେ ବିଜ୍ଞାନ ଭବନର ସମ୍ପୂର୍ଣ୍ଣ ପ୍ରେକ୍ଷାଳୟରେ ଉପସ୍ଥିତ କଳାକାର ଓ ବିଶିଷ୍ଟ ବ୍ୟକ୍ତିମାନେ ଦଣ୍ଡାୟମାନ ହୋଇ ତାଙ୍କୁ ସମ୍ମାନ ଜଣାଇଥିଲେ। ସଭାକୁ ସମ୍ବୋଧିତ କରି ମିଥୁନ ଦା ଚଳଚ୍ଚିତ୍ର ଦୁନିଆରେ ତାଙ୍କ ସଂଘର୍ଷର ଅନୁଭୂତି ବଖାଣିଥିଲେ। ସେ ତାଙ୍କର ଧୂସର ରଙ୍ଗ ଯୋଗୁଁ ସମ୍ମୁଖୀନ ହୋଇଥିବା ଭେଦଭାବକୁ ମନେ ପକାଇଥିଲେ ଏବଂ ପ୍ରେକ୍ଷାଳୟରେ ଉପସ୍ଥିତ ପୁରସ୍କାର ବିଜେତା ଏବଂ ଦର୍ଶକଙ୍କ ସହିତ ନୃତ୍ୟକୁ ନେଇ ତାଙ୍କ ସଫଳତାର ମନ୍ତ୍ର ବାଣ୍ଟିଥିଲେ । ଆଶାୟୀ ଯୁବ ପ୍ରତିଭାବାନ କଳାକାରମାନଙ୍କୁ ତାଙ୍କର ବାର୍ତ୍ତା ଥିଲା- ସ୍ୱପ୍ନ ପୂରଣ କରିବାକୁ ଯିବା ସମୟରେ ନିଜ ପ୍ରତିଭାକୁ ଠିକ୍‌ ଭାବେ ଚିହ୍ନିବା।

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ସମାଜକୁ ବଦଳାଇବା ପାଇଁ ଚଳଚ୍ଚିତ୍ର ଓ ସାମାଜିକ ଗଣମାଧ୍ୟମ ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ଏହି ପୁରସ୍କାର ମାଧ୍ୟମରେ ଉଦୀୟମାନ ପ୍ରତିଭାମାନଙ୍କୁ ଏକ ସମାନ ମଞ୍ଚ ପ୍ରଦାନ କରିଥିବାରୁ ସେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ପ୍ରଶଂସା କରିଥିଲେ। ଏଠାରେ କଳାକାରମାନଙ୍କୁ ଦେଶର ବଡ଼ ବଡ଼ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଏବଂ ପ୍ରଯୋଜନା ସଂସ୍ଥା ସହିତ ଗୋଟିଏ ମଞ୍ଚଳରେ ଆସିବାକୁ ସୁଯୋଗ ମିଳୁଛି ବୋଲି ସେ କହିଥିଲେ ।

ଏହି ପୁରସ୍କାର ସମାରୋହରେ ମନୋଜ ବାଜପେୟୀ, ବିଶାଲ ଭରଦ୍ୱାଜ, ନୀନା ଗୁପ୍ତା, କରଣ ଜୋହର, ଋଷଭ ସେଟ୍ଟୀ ଆଦି ପୁରସ୍କାର ବିଜେତାମାନେ ଅଂଶଗ୍ରହଣ କରିଥିଲେ। ଶର୍ମିଳା ଟାଗୋର, ପ୍ରସୂନ ଯୋଶୀ ପ୍ରମୁଖଙ୍କ ଭଳି ଭାରତୀୟ ସିନେମାର ଅନ୍ୟ ବିଶିଷ୍ଟ ବ୍ୟକ୍ତିତ୍ୱ ମଧ୍ୟ ଉପସ୍ଥିତ ଥିଲେ। ସପ୍ତମ ଥର ପାଇଁ ସମ୍ମାନଜନକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଏଆର୍ ରେହମାନ ଏବଂ ମଣିରତ୍ନମଙ୍କ ଭଳି ସମ୍ମାନିତ ବ୍ୟକ୍ତିତ୍ୱ ମଧ୍ୟ ଏଥିରେ ଯୋଗ ଦେଇଥିଲେ, ଯାହା ଚଳଚ୍ଚିତ୍ର ଜଗତ ଉପରେ ସେମାନଙ୍କର ଦୀର୍ଘସ୍ଥାୟୀ ପ୍ରତିଭା ଏବଂ ପ୍ରଭାବର ପ୍ରମାଣ ଦେଇଥାଏ। ଭାରତୀୟ ସିନେମାର କ୍ରମାଗତ ପରିବର୍ତ୍ତିତ ଦୃଶ୍ୟପଟରେ ସେମାନଙ୍କର ସଫଳତା ଉଭୟ ପ୍ରତିଭାସମ୍ପନ୍ନ ଏବଂ ପ୍ରତିଷ୍ଠିତ କଳାକାରମାନଙ୍କୁ ପ୍ରେରଣା ଦେଉଛି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗନ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ, ରାହୁଲ ରାଓ୍ଵାଇଲ, ନୀଳା ମାଧବ ପଣ୍ଡା ଏବଂ ଶ୍ରୀ ଗଙ୍ଗାଧର ମୁଦଲିୟାର ବିଚାରକ ଭାବେ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ର ନିର୍ମାତା, ଅଭିନେତା, ଟେକ୍ନିସିଆନ୍ ଏବଂ ଚଳଚ୍ଚିତ୍ର କଳା ସହ ଜଡ଼ିତ ସମସ୍ତ ଅଂଶୀଦାରଙ୍କ ପ୍ରତିଭାଙ୍କୁ ନେଇ ଆୟୋଜିତ ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତ ଉପସ୍ଥିତ ବ୍ୟକ୍ତିବିଶେଷ ମାନଙ୍କୁ ସ୍ୱାଗତ କରିଥିଲେ। ସେ କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ, ଯିଏକି ଭାରତୀୟ ଚଳଚ୍ଚିତ୍ର ଏବଂ ସମାଜ ପ୍ରତି ତାଙ୍କର ଅସାଧାରଣ ଅବଦାନ ପାଇଁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ସେ କହିଥିଲେ, ‘‘ମିଥୁନ ଦା, ଆପଣଙ୍କ ଜୀବନ ହେଉଛି ସମାଜକୁ ଆପଣଙ୍କର ବାର୍ତ୍ତା । ପରଦା ଭିତରେ ଓ ବାହାରେ ଆପଣ ଆମ ସମାଜ ପାଇଁ ଜଣେ ଆଦର୍ଶ।’’ ଏଥିସହିତ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ, ମିଥୁନ ଦାଙ୍କ ଜାଜ୍ଜୁଲ୍ୟମାନ ଚଳଚ୍ଚିତ୍ର କ୍ୟାରିୟର ଏବଂ ଜନସେବା ପ୍ରତି ସମ୍ମାନ ବ୍ୟକ୍ତ କରିଥିଲେ।

ଶ୍ରୀ ବୈଷ୍ଣବ ୯ ଜଣ ପଦାର୍ପଣକାରୀ ନିର୍ଦ୍ଦେଶକଙ୍କ ଉଲ୍ଲେଖନୀୟ ସଫଳତା ଉପରେ ଆଲୋକପାତ କରି ସେମାନଙ୍କ ସାହସିକ କାହାଣୀକୁ ପ୍ରଶଂସା କରିଥିଲେ ଏବଂ ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ଆଗକୁ ନେବାରେ ଚଳଚ୍ଚିତ୍ର ଉଦ୍ୟୋଗ ହେଉ କି ଷ୍ଟାର୍ଟଅପ୍, ସବୁଥିରେ ଯୁବ ସ୍ରଷ୍ଟାଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି (ଆଇଆଇସିଟି)

ସୃଜନଶୀଳ ଉଦ୍ୟୋଗର ଅଭିବୃଦ୍ଧିକୁ ଆହୁରି ସମର୍ଥନ କରିବା ପାଇଁ ଶ୍ରୀ ବୈଷ୍ଣବ ଏହି ଅବସରରେ ଏକ ଐତିହାସିକ ପଦକ୍ଷେପ ଘୋଷଣା କରିଥିଲେ। ମୁମ୍ବାଇରେ ପ୍ରଥମ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି (ଆଇଆଇସିଟି) ପ୍ରତିଷ୍ଠା କରାଯିବ ବୋଲି ସେ କହିଥିଲେ । କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ଯେପରି ଭାବେ ଆଇଆଇଟି ଏବଂ ଆଇଆଇଏମ୍ ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ବିଶ୍ୱର କିଛି ଶ୍ରେଷ୍ଠ ବୈଷୟିକ ଏବଂ ପରିଚାଳନା ସହ ଜଡ଼ିତ ପ୍ରତିଭା ସୃଷ୍ଟି କରିଛନ୍ତି (ସେମାନଙ୍କ ମଧ୍ୟରୁ କେତେକ ଗୁଗୁଲ୍, ମାଇକ୍ରୋସଫ୍ଟ ଇତ୍ୟାଦି ବଡ଼ ବଡ଼ କମ୍ପାନୀର ନେତୃତ୍ୱ ନେଉଛନ୍ତି), ଠିକ୍‌ ସେହିପରି ଆଇଆଇସିଟି ସୃଜନଶୀଳ ଦକ୍ଷତା ଏବଂ ଜ୍ଞାନର ବିକାଶ ଉପରେ ଧ୍ୟାନ ଦେବ । ଏହି ନୂତନ ଅନୁଷ୍ଠାନ ଅଭିନବତା, ସୃଜନଶୀଳତା ଏବଂ ପ୍ରତିଭା ବିକାଶ ପାଇଁ ଏକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ, ଯାହା ସୁନିଶ୍ଚିତ କରିବ ଯେ ଭାରତ ବିଶ୍ୱ ସୃଜନଶୀଳ ଅର୍ଥବ୍ୟବସ୍ଥାରେ ଅଗ୍ରଣୀ ସ୍ଥାନରେ ରହିବ ।

ତିନୋଟି ପ୍ରମୁଖ ସ୍ତମ୍ଭ ସହିତ ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ସରକାରଙ୍କ ଦୃଷ୍ଟିକୋଣ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ:

 

୧. ପ୍ରତିଭା ପାଇପ ଲାଇନର ବିକାଶ : ଚଳଚ୍ଚିତ୍ର ନିର୍ମାଣରେ ପ୍ରଯୁକ୍ତିବିଦ୍ୟାର ଭୂମିକା ବୃଦ୍ଧି ଘଟିବାକୁ ସ୍ୱୀକାର କରି ସେ ଏକ ଦୃଢ଼ ପ୍ରତିଭା ପାଇପଲାଇନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଇଟି ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ସଫଳତା ସହିତ ସମାନତା ଦର୍ଶାଇ ସେ ସୃଜନଶୀଳ ଜ୍ଞାନକୌଶଳରେ ପ୍ରତିଭାକୁ ପୋଷଣ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଏବଂ ଆଇଆଇସିଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ ।

୨. ଭିତ୍ତିଭୂମି ବିକାଶ: ଶ୍ରୀ ବୈଷ୍ଣବ ଚଳଚ୍ଚିତ୍ର ଶିଳ୍ପର ପରିବର୍ତ୍ତିତ ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ଜରୁରୀ ହୋଇଥିବା ବିଶ୍ୱସ୍ତରୀୟ ଭିତ୍ତିଭୂମିର ଉପରେ ଗୁରୁତ୍ୱାରୋପ କରିଥିଲେ । ଭାରତୀୟ ସିନେମାକୁ ବିଶ୍ୱସ୍ତରୀୟ ମାନଦଣ୍ଡରେ ପହଞ୍ଚାଇବା ପାଇଁ ଏକ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ସେ ଶିଳ୍ପନେତାମାନଙ୍କୁ ପରାମର୍ଶ ଦେଇଥିଲେ।

୩. ପ୍ରକ୍ରିୟାର ସରଳୀକରଣ: ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ଅନୁମତି ପ୍ରକ୍ରିୟାକୁ ସରଳ କରିବା, ରେଳବାଇ, ଜଙ୍ଗଲ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥଳ ଭଳି ବିଭିନ୍ନ ସ୍ଥାନକୁ ସେମାନଙ୍କ ପ୍ରକଳ୍ପରେ ବ୍ୟବହାର କରିବା ସହଜ କରିବା ଉପରେ ମନ୍ତ୍ରୀ ଆଲୋଚନା କରିଥିଲେ। ଏହି ପ୍ରକ୍ରିୟାଗୁଡ଼ିକୁ ଶୃଙ୍ଖଳିତ କରିବା ଦ୍ୱାରା ସୃଜନଶୀଳତାକୁ ପ୍ରୋତ୍ସାହନ ମିଳିବ ଏବଂ ଅମଲାତାନ୍ତ୍ରିକ ପ୍ରତିବନ୍ଧକ ହ୍ରାସ ପାଇବ।

ଶ୍ରୀ ବୈଷ୍ଣବ ସର୍ବକାଳୀନ ଶ୍ରେଷ୍ଠ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ପୋଷ୍ଟର ଏବଂ ଖବରକାଗଜ କ୍ଲିପିଂ ପର୍ଯ୍ୟନ୍ତ ଭାରତର ସମୃଦ୍ଧ ଚଳଚ୍ଚିତ୍ର ଐତିହ୍ୟକୁ ସଂରକ୍ଷଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଭବିଷ୍ୟତ ପିଢ଼ି ପାଇଁ ଏହି ଅମୂଲ୍ୟ ସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଥିଲେ ।

ଏହି ଅବସରରେ ସମ୍ପାଦକ ଶ୍ରୀ ସଞ୍ଜୟ ଜାଜୁ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ, ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଫିଚର ଫିଲ୍ମ ବର୍ଗରେ ୩୨ଟି ଭିନ୍ନ ଭିନ୍ନ ଭାଷାରେ ୩୦୯ଟି ଚଳଚ୍ଚିତ୍ର ଏବଂ ଅଣ-ଫିଚରଫିଲ୍ମ ବର୍ଗରେ ୧୭ଟି ଭାଷାରେ ୧୨୮ଟି ଚଳଚ୍ଚିତ୍ର ନିମନ୍ତେ ଆବେଦନ ମିଳିଥିଲା, ଯାହା ଆମର ସାଂସ୍କୃତିକ ଦୃଶ୍ୟପଟ୍ଟର ସମୃଦ୍ଧି ଏବଂ ଆମ କାହାଣୀ ବର୍ଣ୍ଣନାର ସମାବେଶୀତାକୁ ସୂଚାଇଥାଏ । ବିଶ୍ୱ ମହାମାରୀର ପୃଷ୍ଠଭୂମିରେ ଚଳଚ୍ଚିତ୍ର ଉଦ୍ୟୋଗର ସ୍ଥିରତାକୁ ସ୍ୱୀକାର କରି ସେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ପ୍ରଶଂସା କରି କହିଥିଲେ ଯେ ସେମାନେ କାହାଣୀ କହିବାର କଳା ମାଧ୍ୟମରେ ଦର୍ଶକଙ୍କୁ ଆକର୍ଷିତ କରିଛନ୍ତି ।

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ମୁଖ୍ୟାଂଶ

ଚଳିତ ବର୍ଷର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଭିନ୍ନ ଚଳଚ୍ଚିତ୍ର ଏବଂ ପ୍ରତିଭା ବର୍ଗରେ ଶ୍ରେଷ୍ଠତାକୁ ସ୍ୱୀକୃତି ଦେବାର ପରମ୍ପରା ଜାରି ରଖିଛି । ୨୦୨୨ ପାଇଁ ଏହି ପୁରସ୍କାରରେ ଅନେକ ଅସାଧାରଣ ବିଜେତା ଅଛନ୍ତି:

ଶ୍ରେଷ୍ଠ ଫିଚର୍‌ ଫିଲ୍ମ: ଆନନ୍ଦ କର୍ଶୀଙ୍କ ନିର୍ଦ୍ଦେଶିତ ମାଲାୟାଲମ୍ ଚଳଚ୍ଚିତ୍ର ‘ଆଟ୍ଟମ୍ (ଦ ପ୍ଲେ)’ ଏହାର କଳାତ୍ମକ ପ୍ରତିଭା ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇଛି।

ଶ୍ରେଷ୍ଠ ଅଣଫିଚର ଫିଲ୍ମ: ସିଦ୍ଧାନ୍ତ ସରିନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆୟିନା(ମିରର)’କୁ ମିଳିଛି ଏହି ସମ୍ମାନ

ମୁଖ୍ୟ ଭୂମିକାରେ ଶ୍ରେଷ୍ଠ ଅଭିନେତା: କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା’ରେ ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି ଋଷବ ସେଟ୍ଟୀ

ଶ୍ରେଷ୍ଠ ଅଭିନେତ୍ରୀ: ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ‘ତିରୁଚିତ୍ରାମ୍ବଲମ୍’ (ତାମିଲ ଚଳଚ୍ଚିତ୍ର) ପାଇଁ ନିତ୍ୟା ମେନନ ଏବଂ ‘କଚ୍ଛ ଏକ୍ସପ୍ରେସ୍’ (ଗୁଜୁରାଟୀ ଚଳଚ୍ଚିତ୍ର) ପାଇଁ ମାନସୀ ପାରେଖଙ୍କୁ ପ୍ରଦାନ କରାଯାଇଛି ।

ଶ୍ରେଷ୍ଠ ନିର୍ଦ୍ଦେଶନା: ହିନ୍ଦୀ ଚଳଚ୍ଚିତ୍ର ‘ଉଞ୍ଚାଇ’ରେ ନିର୍ଦ୍ଦେଶନା ପାଇଁ ଏହି ପୁରସ୍କାର ବିଜୟୀ ହୋଇଛନ୍ତି ନିର୍ଦ୍ଦେଶକ ସୁରଜ ଆର. ବଡ଼ଜାତ୍ୟା।

ଅନ୍ୟାନ୍ୟ ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ଏଭିଜିସିର ଶ୍ରେଷ୍ଠ ଚଳଚ୍ଚିତ୍ର (ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ ଆଣ୍ଡ୍ କମିକ) ବର୍ଗରେ ‘ବ୍ରହ୍ମାସ୍ତ୍ର- ପାର୍ଟ-୧: ଶିବା’, ‘ଉତ୍ତମ ମନୋରଞ୍ଜନ ପ୍ରଦାନ କରୁଥିବା ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପାଇଁ ‘କାନ୍ତାରା’ ଏବଂ ସିନେମା ଉପରେ ଶ୍ରେଷ୍ଠ ପୁସ୍ତକ ପାଇଁ ‘କିଶୋର କୁମାର: ଦ ଅଲ୍ଟିମେଟ୍ ବାୟୋଗ୍ରାଫି’କୁ ପୁରସ୍କୃତ କରାଯାଇଛି।

ପୁରସ୍କାରର ସମ୍ପୂର୍ଣ୍ଣ ତାଲିକା ନିମ୍ନ ଲିଙ୍କରେ ପାଇପାରିବେ:

https://pib.gov.in/PressReleasePage.aspx?PRID=2045960

 

 

***************

P.S.

 

 

 

 



(Release ID: 2063333) Visitor Counter : 11


Read this release in: English , Gujarati