ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାରାଷ୍ଟ୍ରର ୱାସିମଠାରେ କୃଷି ଓ ପଶୁପାଳନ କ୍ଷେତ୍ରର ପ୍ରଥମ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Posted On: 05 OCT 2024 3:49PM by PIB Bhubaneshwar

 

ସମଗ୍ର ଦେଶରୁ ଆସିଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ- ସମ୍ମାନୀୟ ଭାଇ ଓ ଭଉଣୀମାନେ! ଜୟ ସେବାଲାଲ! ଜୟ ସେବାଲାଲ!

ମହାରାଷ୍ଟ୍ରର ରାଜ୍ୟପାଳ ସି.ପି. ରାଧାକୃଷ୍ଣ ଜୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଶିବରାଜ ସିଂ ଚୌହାନ, ରାଜୀବ ରଞ୍ଜନ ସିଂହ ଏବଂ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍, ଅଜିତ ପାୱାର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦ, ବିଧାୟକ ଏବଂ ଦୂରଦୂରାନ୍ତରୁ ଆସିଥିବା ବଂଜାରା ସମାଜର ମୋ ଭାଇ-ଭଉଣୀମାନେ, ସମଗ୍ର ଦେଶର ଚାଷୀ ଭାଇ-ଭଉଣୀମାନେ, ଅନ୍ୟ ସମସ୍ତ ମହାନୁଭବ ଏବଂ ମହାରାଷ୍ଟ୍ରର ମୋର ଭାଇ-ଭଉଣୀମାନେ ମୁଁ ୱାସିମର ଏହି ପବିତ୍ର ଭୂମିରୁ ପୋହରା ଦେବୀ ମାତାଙ୍କୁ ପ୍ରଣାମ କରୁଛି । ଆଜି ନବରାତ୍ର ଅବସରରେ ମା ଜଗଦମ୍ବାଙ୍କ ମନ୍ଦିରରେ ତାଙ୍କର ଆଶୀର୍ବାଦ ନେବାର ସୌଭାଗ୍ୟ ମୋତେ ମିଳିଛି । ସନ୍ଥ ସେବାଲାଲ ମହାରାଜ ଓ ସନ୍ଥ ରାମ ରାଓ ମହାରାଜଙ୍କ ସମାଧିକୁ ଯାଇ ସେମାନଙ୍କର ଆଶୀର୍ବାଦ ମଧ୍ୟ ନେଇଛି । ମୁଁ ଏହି ମଂଚରୁ ଦୁଇ ମହାନ ସନ୍ଥଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରୁଛି ।

ଆଜି ମହାନ ଯୋଦ୍ଧା ଏବଂ ଗୋଣ୍ଡୱାନା ରାଣୀ ଦୁର୍ଗାବତୀ ଜୀଙ୍କ ଜନ୍ମ ଜୟନ୍ତୀ । ଗତ ବର୍ଷ ଦେଶରେ ତାଙ୍କର ୫୦୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ମୁଁ ରାଣୀ ଦୁର୍ଗାବତୀଙ୍କୁ ମଧ୍ୟ ପ୍ରଣାମ କରୁଛି ।

ବନ୍ଧୁଗଣ,

ଆଜି ହରିଆନାରେ ମଧ୍ୟ ମତଦାନ ହେଉଛି । ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଦେବାକୁ ମୁଁ ହରିଆନାର ଦେଶଭକ୍ତ ଜନସାଧାରଣଙ୍କୁ ଅନୁରୋଧ କରୁଛି । ଆପଣଙ୍କ ଭେଟ ହରିଆନାକୁ ବିକାଶରୁ ନୂତନଶୀର୍ଷକୁ ନେଇଯିବ ।

ବନ୍ଧୁଗଣ,

ନବରାତ୍ରୀର ଏହି ପବିତ୍ର ଅବସରରେ ମୋତେ ଏବେ ପିଏମ୍ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ଜାରି କରିବାର ସୁଯୋଗ ମିଳିଛି । ଦେଶର ସାଢ଼େ ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ଆଜି ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ମହାରାଷ୍ଟ୍ରର ଡବଲ ଇଞ୍ଜିନ ସରକାରତ ଏଠାକାର ଚାଷୀଙ୍କୁ ଦୁଇ ଗୁଣ ଫାଇଦା ଦେଉଛନ୍ତି । ନମୋ ଶେତକାରୀ ମହାସମ୍ମାନ ଯୋଜନାରେ ମହାରାଷ୍ଟ୍ରର ୯୦ ଲକ୍ଷରୁ ଅଧିକ ଚାଷୀଙ୍କୁ ପ୍ରାୟ ୧୯୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଜି କୃଷି, ପଶୁପାଳନ ଏବଂ କୃଷକ ଉତ୍ପାଦ ସଂଘ -ଏଫପିଓ ସହ ଯୋଡ଼ି ହୋଇଥିବା ଶହେ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି । ପୋହରା ଦେବୀଙ୍କ ଆଶୀର୍ବାଦରୁ ମୁଁ ଏବେ ଲାଡକୀ ବେହେନ ଯୋଜନାର ଲାଭାର୍ଥୀଙ୍କୁ ସହାୟତା ପ୍ରଦାନ କରିବାର ସୌଭାଗ୍ୟ ପାଇଛି । ଏହି ଯୋଜନା ନାରୀ ଶକ୍ତିର ସାମର୍ଥ୍ୟ ବଢ଼ାଉଛି । ମୁଁ ମହାରାଷ୍ଟ୍ରର ଭାଇ-ଭଉଣୀଙ୍କୁ, ଦେଶର ଚାଷୀ ଭାଇ-ଭଉଣୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଆଜି ଏଠାକୁ ଆସିବା ପୂର୍ବରୁ ପୋହରାଦେବୀ ଠାରେ ବଂଜାରା ଐତିହ୍ୟ ସଂଗ୍ରହାଳୟକୁ ଉଦଘାଟନର କରିବାର ସୌଭାଗ୍ୟ ମିଳିଥିଲା । ଦେଶର ମହାନ୍ ବଂଜାରା ସଂସ୍କୃତି, ଐତିହ୍ୟ, ପ୍ରାଚୀନ ପରମ୍ପରା ସମ୍ପର୍କରେ ଏହି ସଂଗ୍ରହାଳୟ ନୂଆ ପିଢ଼ିଙ୍କୁ ଅବଗତ କରାଇବ । ମୁଁ ଆପଣ ମାନଙ୍କୁ, ମଂଚରେ ଥିବା ଅତିଥିମାନଙ୍କୁ ଅନୁରୋଧ କରୁଛି କି ଆଜି ଯିବା ପୂର୍ବରୁ ଥରେ ବଂଜାରା ଐତିହ୍ୟ ସଂଗ୍ରହାଳୟ ବୁଲି ଦେଖି ଯାଆନ୍ତୁ ।ମୁଁ ଦେେବେନ୍ଦ୍ର ଜୀଙ୍କୁ ଅଭିନନ୍ଦନ ଜଣାଉଛି । ତାଙ୍କର ପ୍ରଥମ ସରକାର ସମୟରେ ଯେଉଁ ସଂକଳ୍ପ କରିଥିଲେ, ତାହା ବେଶ୍ ଭଲ ଭାବେ ନିର୍ମାଣ କରାଯାଇଥିବା ଆଜି ଦେଖୁଛି । ମୋତେ ବହୁତ ସନ୍ତୋଷ ମିଳୁଛି, ଆନନ୍ଦିତ ହେଉଛି, ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣମାନେ ଦେଖୁନ୍ତୁ, ପରେ ସମୟ ଦେଖି ଆପଣଙ୍କ ପରିବାରଙ୍କୁ ମଧ୍ୟ ଦେଖିବାକୁ ନିଶ୍ଚିତ ପଠାନ୍ତୁ । ମୁଁ ଏବେ ପୋହରାଦେବୀରେ କେତେକ ବଂଜାରା ମହାନୁଭବଙ୍କୁ ଭେଟି ଆସୁଛି । ଏହି ସଂଗ୍ରହାଳୟ ଦ୍ୱାରା ବଂଜାରା ଐତିହ୍ୟକୁ ଯେଉଁ ପରିଚୟ ମିଳିଛି, ଏହାର ସନ୍ତୋଷ ଓ ଗର୍ବ ଭାବନା ସେମାନଙ୍କ ମୁହଁରେ ଫୁଟି ଉଠୁଥିବା ଦେଖିବାକୁ ପାଇଥିଲି । ମୁଁ ଆପଣ ସମସ୍ତଙ୍କୁ ବଂଜାରା ଐତିହ୍ୟ ସଂଗ୍ରହାଳୟ ପାଇଁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଯାହାକୁ କେହି ପଚାରୁ ନାହାନ୍ତି, ମୋଦୀ ସେମାନଙ୍କୁ ପୂଜା କରୁଛି । ଆମର ବଂଜାରା ସମାଜ ଭାରତର ସାମାଜିକ ଜୀବନରେ, ଭାରତର ନିର୍ମାଣ ଯାତ୍ରାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି । କଳା, ସଂସ୍କୃତି, ଆଧ୍ୟାତ୍ମିକତା, ରାଷ୍ଟ୍ରରକ୍ଷା, ବାଣିଜ୍ୟ, ପ୍ରତ୍ୟେକ କ୍ଷେତ୍ରରେ ଏହି ସମାଜର ମହାପୁରୁଷ ମାନେ ଦେଶ ପାଇଁ କଣ ନ କରିଛନ୍ତି? ରାଜା ଲଖୀଶାହା ବଂଜାରା ବିଦେଶୀ ଶାସକଙ୍କ ଅନେକ ଅତ୍ୟାଚାର ସହିଛନ୍ତି । ସେ ସମାଜସେବା ନିଜ ଜୀବନକୁ ସମର୍ପିତ କରିଦେଇଥିଲେ । ସନ୍ଥ ସେବାଲାଲ ମହାରାଜ, ସ୍ୱାମୀ ହାତୀରାମ ଜୀ, ସନ୍ଥ ଇଶ୍ୱରସିଂହ ବାପୁଜୀ, ସନ୍ଥ ଡା. ରାମାରାଓ ବାପୁ ମହାରାଜ, ସନ୍ଥ ଲକ୍ଷ୍ମଣ ଚୈତନ୍ୟ ବାପୁଜୀ, ଏପରି ଏହି ସମାଜର ଅନେକ ସନ୍ଥ ଭାରତର ଆଧ୍ୟାତ୍ମିକ ଚେତନାକୁ ଅସୀମ ଶକ୍ତି ଦେଇଛନ୍ତି । ପିଢ଼ି ପରେ ପିଢ଼ି, ଶତାଧିକ ସହସ୍ରାଧିକ ବର୍ଷ ଧରି ଏହି ସମ୍ପ୍ରଦାୟ ଭାରତର ସଂସ୍କୃତି ଓ ପରମ୍ପରାକୁ ସମ୍ଭାଳି ରଖିଛନ୍ତି । ଏପରିକି ଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ଏହି ସମ୍ପ୍ରଦାୟକୁ ବ୍ରିଟିଶ ସରକାର ଅପରାଧୀ ଭାବେ ଘୋଷଣା କରିଥିଲେ ।

କିନ୍ତୁ ଭାଇ-ଭଉଣୀମାନେ,

ସ୍ୱାଧୀନତା ପରେ, ଦେଶର ଦାୟିତ୍ୱ ଥିଲା ବଂଜାରା ସମ୍ପ୍ରଦାୟଙ୍କୁ ସେମାନେ ହକ୍ଦାର ଥିବା ସମ୍ମାନ ଦେବା । କିନ୍ତୁ କଂଗ୍ରେସ ସରକାର ସେ ସମୟରେ କଣ କଲା? କଂଗ୍ରେସର ନୀତି ସେମାନଙ୍କୁ ମୁଖ୍ୟଧାରାରୁ ବାଦ୍ ଦେଇଥିଲା । ସ୍ୱାଧୀନତା ପରେ, ଏକ ନିର୍ଦ୍ଦିଷ୍ଟ ପରିବାରର ମାଲିକାନାରେ କଂଗ୍ରେସ ଦଳର ଚିନ୍ତାଧାରା ପ୍ରଥମରୁ ବିଦେଶୀ ଆଭିମୁଖ୍ୟରେ ରହିଥିଲା । ବ୍ରିଟିଶ ଶାସକମାନଙ୍କ ଭଳି କଂଗ୍ରେସ ପରିବାର ମଧ୍ୟ ଦଳିତ, ପଛୁଆ ବର୍ଗ ଏବଂ ଆଦିବାସୀଙ୍କୁ ସମାନ ଚକ୍ଷୁରେ ଦେଖିନାହିଁ । ସେମାନେ ବିଶ୍ୱାସ କରନ୍ତି ଭାରତକୁ କେବଳ ଗୋଟିଏ ପରିବାର ଶାସନ କରିବ, କାରଣ ବ୍ରିଟିଶ ସେମାନଙ୍କୁ ଏ ଅଧିକାର ଦେଇଛି । ଖାସ୍ ସେଥିପାଇଁ ସେମାନେ ସର୍ବଦା ବଂଜାରା ମାନଙ୍କ ପ୍ରତି ଅସମ୍ମାନସୂଚକ ମନୋଭାବ ଗ୍ରହଣ କରୁଥିଲେ ।

ବନ୍ଧୁଗଣ,

କେନ୍ଦ୍ରର ଏନଡିଏ ସରକାର ହିଁ ଯାଯାବର ଓ ଅଣ-ଯାଯାବର ସମ୍ପ୍ରଦାୟଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ କଲା । ଏହି ସମାଜର ସାଂସ୍କୃତିକ ପରିଚୟକୁ ଯେପରି ସମ୍ମାନ ମିଳିବ ସେ ଦିଗରେ ବିଜେପି ଓ ଏନଡିଏ ସରକାର କ୍ରମାଗତ କାମ କରୁଛି । ବିକାଶକୁ ତ୍ୱରାନ୍ୱିତ କରିବାକୁ ଏଠାରେ ରାଜ୍ୟ ସରକାର ସନ୍ଥ ସେବାଲାଲ ମହାରାଜ ବଂଜାରା ତାଣ୍ଡା ସମୃଦ୍ଧି ଅଭିଯାନ ମଧ୍ୟ ଚଳାଉଛନ୍ତି ।

ବନ୍ଧୁଗଣ,

ଆମର ଏହି ପ୍ରଚେଷ୍ଟା ମଧ୍ୟରେ, ଆପଣମାନଙ୍କୁ ମଧ୍ୟ ମନେ ରଖିବାକୁ କଂଗ୍ରେସ-ମହା ଅଘାଡ଼ି ସରକାରର ଆପଣମାନଙ୍କ ପ୍ରତି କଣ ଆଭିମୁଖ୍ୟ ରହିଛି । ଫଡନାବିସ୍ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ପୋହରା ଦେବୀ ତୀର୍ଥକ୍ଷେତ୍ର ବିକାଶ ପାଇଁ ଯୋଜନା ହୋଇଥିଲା । କିନ୍ତୁ ମଝିରେ ମହା-ଅଘାଢ଼ି ସରକାର ଆସିଲା ଏବଂ ଏହି କାମ ଅଟକିଗଲା । ପୋହରା ଦେବୀ ତୀର୍ଥକ୍ଷେତ୍ରର ବିକାଶ କାମ ପୁଣି ଆଗେଇଥିଲା ଯେତେବେଳେ ମହାୟୁତି ସିନ୍ଦେ ଜୀଙ୍କ ନେତୃତ୍ୱରେ ଏଠାରେ ସରକାର ଗଠନ ହେଲା । ଆଜି ଏହି ଯୋଜନାରେ ୭ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ତୀର୍ଥସ୍ଥଳର ବିକାଶ ଯୋଗୁ ଭକ୍ତମାନଙ୍କୁ ସୁବିଧା ହେବା ଏବଂ ଆଖପାଖ ଅଞ୍ଚଳର ବିକାଶ ମଧ୍ୟ ତ୍ୱରାନ୍ୱିତ ହେବ ।

ଭାଇ ଏବଂ ଭଉଣୀ ମାନେ

ବିଜେପି ତାର ନୀତିରେ ପଛୁଆ ବର୍ଗଙ୍କୁ ଆଗକୁ ନେବାକୁ ଚେଷ୍ଟା କରୁଛି । ଯେତେବେଳେ କି କଂଗ୍ରେସ କେବଳ ଲୁଟିବା ଜାଣିଛି । କଂଗ୍ରେସ ଗରିବଙ୍କୁ ଆହୁରି ଗରିବ କରି ରଖିବାକୁ ଚାହୁଁଛି । ଦୁର୍ବଳ ଏବଂ ଗରିବ ଭାରତ କଂଗ୍ରେସ ପାଇଁ ଏବଂ ତାର ରାଜନୀତିକୁ ସୁହାଉଛି । ତେଣୁ ଆପଣମାନେ କଂଗ୍ରେସକୁ ସାବଧାନ ରୁହନ୍ତୁ । ଆଜି କଂଗ୍ରେସକୁ ସମ୍ପୂର୍ଣ୍ଣ ଭାବେ ସହରାଞ୍ଚଳ ନକ୍ସଲ ଗୋଷ୍ଠୀ ପରିଚାଳନା କରୁଛନ୍ତି । କଂଗ୍ରେସକୁ ଲାଗୁଛି ଯେ, ସମସ୍ତେ ଏକାଠି ହୋଇଗଲେ ଦେଶକୁ ଭାଗ ଭାଗ କରିବାର ତାର ଆଜେଣ୍ଡା ବିଫଳ ହୋଇଯିବ । ଏଥିପାଇଁ ଆମକୁ ସେ ନିଜ ନିଜ ଭିତରେ ଲଢ଼ାଇବାକୁ ଚାହୁଁଛି । ପୁରା ଦେଶ ଦେଖୁଛି କଂଗ୍ରେସର ବିପଦଜନକ ଆଜେଣ୍ଡାକୁ କାହାର ସମର୍ଥନ ମିଳୁଛି । ଯେଉଁ ଲୋକମାନେ ଭାରତର ବିକାଶ ରାସ୍ତାକୁ ବନ୍ଦ କରିବାକୁ ଚାହୁଁଛନ୍ତି ସେମାନେ ଆଜିକାଲି କଂଗ୍ରେସର ନିକଟତର ଦୋସ୍ତ ହୋଇଛନ୍ତି । ତେଣୁ ବର୍ତ୍ତମାନ ଏକାଠି ହେବାର ସମୟ । ଆମପକର ଏକତା ହିଁ ଦୋକୁ ବଞ୍ଚାଇବ ।

ଭାଇ ଭଉଣୀମାନେ,

ମୁଁ ମହାରାଷ୍ଟ୍ରର ଲୋକମାନଙ୍କୁ କଂଗ୍ରେସର ଆଉ ଏକ କାରନାମା ସମ୍ପର୍କରେ କହିବାକୁ ଚାହୁଁଛି । ଆପଣମାନେ ଖବରରେ ଦେଖିଥିବେ ନିକଟରେ ଦିଲ୍ଲୀରେ ହଜାରେ କୋଟି ଟଙ୍କାର ନିଶାଦ୍ରବ୍ୟ ଧରାପଡ଼ିଛି । ଦୁଃଖର କଥା ଯେ ଏହି ଡ୍ରଗ୍ସ ରାକେଟର ମୁଖ୍ୟ କିଏ? କଂଗ୍ରେସର ଜଣେ ନେତା ତାହାର ମୁଖ୍ୟ । କଂଗ୍ରେସ ଯୁବ ପିଢ଼ିଙ୍କୁ ନିଶାଗ୍ରସ୍ତ କରି ସେ ହି ପଇସାରେ ନିର୍ବାଚନ ଲଢ଼ି ବିଜୟୀ ହେବାକୁ ଚାହୁଁଛି । ଏଭଳି ବିପଦକୁ ଆମେ ସାବଧାନ ରହିବା ଉଚିତ ଏବଂ ଅନ୍ୟମାନଙ୍କୁ ମଧ୍ୟ ସାବଧାନ କରିବା ଉଚିତ । ଏକାଠି ହୋଇ ଆମକୁ ଲଢ଼େଇ ଜିତିବାକୁ ହେବ ।

ବନ୍ଧୁଗଣ,

ଆଜି ଆମ ସରକାରର ପ୍ରତ୍ୟେକ ନୀତି, ନିଷ୍ପତ୍ତି ବିକଶିତ ଭାରତ ପ୍ରତି ସମର୍ପିତ ଏବଂ ବିକଶିତ ଭାରତର ବହୁତ ବଡ଼ ଆଧାର ଆମର ଚାଷୀଭାଇମାନେ । କୃଷକମାନଙ୍କୁ ସଶକ୍ତ କରିବା ଦିଗରେ ଆଜି ଆମ ସରକାର ଅନେକ ଗୁଡ଼ିଏ ବଡ଼ ପଦକ୍ଷେପ ନେଇଛନ୍ତି । ଆଜି ୯୨୦୦ କୃଷକ ଉତ୍ପାଦ ସଂଘ-ଏଫପିଓ ଦେଶକୁ ସମର୍ପିତ କରାଯାଇଛି । କୃଷି କ୍ଷେତ୍ର ପାଇଁ ଅନେକ ମୌଳିକ ଢାଞ୍ଚା ପ୍ରକଳ୍ପର ମଧ୍ୟ ଉଦଘାଟନ ହୋଇଛି । ଏହା ଦ୍ୱାରା କୃଷି ଉତ୍ପାଦର ଷ୍ଟୋରେଜ, ପ୍ରକ୍ରିୟାକରଣ ଏବଂ ପରିଚାଳନାର କ୍ଷମତା ବୃଦ୍ଧି ପାଇବ । ଏହି ସମସ୍ତ ପ୍ରଚେଷ୍ଟା କୃଷକମାନଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହେବ । ଏମିତି ବି ମହାରାଷ୍ଟ୍ରରେ ଏନଡିଏ ସରକାର ଦ୍ୱାରା କୃଷକମାନଙ୍କୁ ଦ୍ୱିଗୁଣ ଫାଇଦା ହେଉଛି । ଏକନାଥ ସିନ୍ଦେ ଜୀଙ୍କ ସରକାର ମଧ୍ୟ କୃଷକମାନଙ୍କ ବିଜୁଳି ବିଲ୍ ଶୂନ୍ୟ କରିଦେଇଛନ୍ତି । ଆମ କୃଷକମାନଙ୍କ ପାଇଁ, ସେମାନଙ୍କୁ ମିଳୁଥିବା ବିଜୁଳି ବିଲ୍ରେ ଜିରୋ ଲେଖାଯାଉଛି, ନୁହେଁ କି?

ବନ୍ଧୁଗଣ,

ମହାରାଷ୍ଟ୍ରର କୃଷକମାନେ, ବିଦର୍ଭର କୃଷକମାନେ ବହୁ ଦିନ ଧରି ବଡ଼ ସଙ୍କଟର ସମ୍ମୁଖୀନ ହେଉଛନ୍ତି । କଂଗ୍ରେସ ଏବଂ ତାର ସହଯୋଗୀ ସରକାର ମାନେ କୃଷକମାନଙ୍କୁ ଗରିବ କରିବାରେ କୌଣସି ସୁଯୋଗ ହାତଛଡ଼ା କରିନଥିଲେ । ଏଠାରେ ଯେପର୍ଯ୍ୟନ୍ତ ମହା-ଅଘାଡ଼ି ସରକାର ଥିଲା ଦୁଇଟି ଆଜେଣ୍ଡା ଥିଲା । ପ୍ରଥମ-କୃଷକମାନଙ୍କ ସମ୍ପର୍କିତ ଯୋଜନା ଗୁଡ଼ିକୁ ବନ୍ଦ କରିବା, ଦ୍ୱିତୀୟ- ସେହି ଯୋଜନାର ଅର୍ଥକୁ ହରିଲୁଟ କରିବା । ଆମେ କେନ୍ଦ୍ରରୁ ମହାରାଷ୍ଟ୍ରର କୃଷକମାନଙ୍କ ପାଇଁ ଟଙ୍କା ପଠାଉଥିଲୁ, କିନ୍ତୁ ଏଠାରେ ମହାଅଘାଡି ସରକାର ତାକୁ ବାଣ୍ଟିକୁଣ୍ଟି ଖାଉଥିଲେ । କଂଗ୍ରେସ ସର୍ବଦା କୃଷକମାନଙ୍କ ଜୀବନକୁ କଷ୍ଟକର କରିିଛି । ଦଳ ଆଜି ମଧ୍ୟ ସେହି ପୁରୁଣା ଖେଳ ଖେଳୁଛି । ତେଣୁ କଂଗ୍ରେସକୁ ପିଏମ୍ କିଷାନ ନିଧି ସମ୍ମାନ ଯୋଜନା ପସନ୍ଦ ଆସୁନାହିଁ । କଂଗ୍ରେସ ଏହି ଯୋଜନାକୁ ତାଚ୍ଛଲ୍ୟ କରୁଛି ଏବଂ କୃଷକମାନଙ୍କୁ ମିଳୁଥିବା ପଇସାର ବିରୋଧ କରୁଛି । କାରଣ କୃଷକମାନଙ୍କ ଖାତାକୁ ଯାଉଥିବା ପଇସାରୁ ତାକୁ ଯାହା ରୋଜଗାର କରିବା, ଭ୍ରଷ୍ଟାଚାର କରିବା, କାଟିବା ଇତ୍ୟାଦି ପାଇଁ ସୁଯୋଗ ମିଳୁନାହିଁ । ଆଜି ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକକୁ ଦେଖନ୍ତୁ । ମହାରାଷ୍ଟ୍ରରେ ଯେପରି ମହାୟୁତି ସରକାର କିଷାନ ସମ୍ମାନ ନିଧି ସହିତ ସ୍ୱତନ୍ତ୍ର ଭାବେ ଅଲଗା ପଇସା ଦେଉଛି, ସେଠାରେ ବିଜେପି ସରକାର ମଧ୍ୟ ତାହା ଦେଉଥିଲା । ଆଜି ଏଠାକୁ କର୍ଣ୍ଣାଟକରୁ ଅନେକ ବଂଜାରା ପରିବାର ଆସିଛନ୍ତି । କିନ୍ତୁ କର୍ଣ୍ଣାଟକରେ କଂଗ୍ରେସ ସରକାର ଆସିବା ମାତ୍ରେ ସେହି ପଇସାକୁ ବନ୍ଦ କରିଦେଲା । ସେଠାରେ ଅନେକ ଜଳସେଚନ ପ୍ରକଳ୍ପରୁ ରାଜ୍ୟ ସରକାର ମୁହଁ ଫେରାଇ ନେଇଛନ୍ତି । କର୍ଣ୍ଣାଟକରେ କଂଗ୍ରେସ ବିହନର ଦର ମଧ୍ୟ ବଢ଼ାଇ ଦେଇଛି । ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଋଣ ଛାଡ଼ର ମିଥ୍ୟା ପ୍ରତିଶ୍ରୁତି କଂଗ୍ରେସର ଦେହସୁହା ନୀତି । ତେଲଙ୍ଗାନାରେ ଋଣ ଛାଡ଼ ପ୍ରତିଶ୍ରୁତି ଦେଇ ଏମାନେ ସରକାରକୁ ଆସିଲେ । କିନ୍ତୁ ସରକାର ଗଠନର ଅନେକ ଦିନ ବିତିଗଲାଣି । ଏବେ କୃଷକମାନେ ପଚାରୁଛନ୍ତି ସେମାନଙ୍କର ଋଣଛାଡ଼ କାହିଁକି ହେଲାନାହିଁ ।

ଭାଇ ଭଉଣୀମାନେ,

ଏହା ମଧ୍ୟ ଆମେ ଭୁଲିବା ଅନୁଚିତ, ମହାରାଷ୍ଟ୍ରରେ ମଧ୍ୟ କଂଗ୍ରେସ ଏବଂ ମହାଅଘାଡ଼ି ସରକାର ଜଳସେଚନ ସହ ଜଡ଼ିତ କେତେ ପ୍ରକଳ୍ପ ବନ୍ଦ କରି ରଖିଥିଲା । ଏନଡିଏ ସରକାର ଆସିବା ପରେ ଏହାର କାମ ତ୍ୱରାନ୍ୱିତ ହୋଇଥିଲା । ମହାରାଷ୍ଟ୍ର ସରକାର ୱାଇଗଙ୍ଗା ଏବଂ ନଲଗଙ୍ଗା ନଦୀ ସଂଯୋଗ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ୯୦ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ୱାରା ଅମରାବତୀ, ୟଭତମାଲ, ଅକୋଲା, ବୁଲଢାନା, ୱାସିମ, ନାଗପୁର ଏବଂ ୱାର୍ଦ୍ଧା ଅଞ୍ଚଳରେ ଜଳସଙ୍କଟକୁ ଦୂର କରିପାରିବ । ମହାରାଷ୍ଟ୍ର ସରକାର ମଧ୍ୟ କପା ଓ ସୋୟାବିନ ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । କପା ଓ ସୋୟାବିନ୍ ଚାଷ ପାଇଁ ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି । ନିକଟରେ ଅମରାବତୀ ବୟନ ପାର୍କର ଶିଳାନ୍ୟାସ କରାଯାଇଛି । କପା ଚାଷୀଙ୍କୁ ଏହା ବଡ଼ ସହାୟକ ହେବ ।

ବନ୍ଧୁଗଣ,

ଦେଶର ଆର୍ଥିକ ପ୍ରଗତିର ନେତୃତ୍ୱ ନେବା ପାଇଁ ମହାରାଷ୍ଟ୍ରର ଅସୀମ କ୍ଷମତା ରହିଛି । ଏହା ସେତେବେଳେ ହୋଇପାରିବ, ଯେତେବେଳେ ଗାଁ-ଗରିବ, କୃଷକ-ଶ୍ରମିକ, ଦଳିତ-ବଞ୍ଚିତ ସମସ୍ତଙ୍କୁ ଆଗେଇ ନେବାକୁ ଦୃଢ଼ତାର ସହ ଅଭିଯାନ ଚାଲିବ । ମୋର ବିଶ୍ୱାସ, ଆପଣମାନେ ଆଶୀର୍ବାଦ ଜାରି ରଖିବେ । ଆମେ ସମସ୍ତେ ଏକାଠି ହୋଇ ବିକଶିତ ମହାରାଷ୍ଟ୍ର, ବିକାଶିତ ଭାରତର ସ୍ୱପ୍ନକୁ ସାକାର କରିବା । ଏହି ଆଶା ସହିତ ମୁଁ ପୁଣି ଥରେ ମୋର କୃଷକ ବନ୍ଧୁ ଏବଂ ମୋର ବଂଜାରା ସମାଜର ସମସ୍ତ ଭାଇ-ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି । ମୋ ସହିତ କୁହନ୍ତୁ

ଭାରତ ମାତା କୀ -ଜୟ

ଭାରତ ମାତା କୀ- ଜୟ

ଭାରତ ମାତା କୀ-ଜୟ

ବହୁତ ବହୁତ ଧନ୍ୟବାଦ

SR


(Release ID: 2062558) Visitor Counter : 41