ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 22 SEP 2024 11:45PM by PIB Bhubaneshwar

ନ୍ୟୁୟର୍କରେ ‘ଭବିଷ୍ୟର ଶିଖର ସମ୍ମିଳନୀ’ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାଲେଷ୍ଟାଇନର ରାଷ୍ଟ୍ରପତି ମହମ୍ମଦ ଆବାସଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀ ଗାଜାରେ ଉପୁଜିଥିବା ମାନବୀୟ ସଙ୍କଟ ଏବଂ ଅଞ୍ଚଳର ସୁରକ୍ଷା ସ୍ଥିତି ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ । ସେ  ପାଲେଷ୍ଟାଇନର ଜନସାଧାରଣଙ୍କ ପ୍ରତି ଭାରତର ଅତୁଟ ସମର୍ଥନ ସହ ମାନବୀୟ ସହାୟତା ଜାରି ରହିବା ନେଇ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସେ ଇସ୍ରାଏଲ-ପାଲେଷ୍ଟାଇନ ପ୍ରସଙ୍ଗରେ ସେ ଭାରତର ସମୟ ପରୀକ୍ଷିତ ସିଦ୍ଧାନ୍ତକୁ ଦୋହରାଇଥିଲେ । ଏଥିସହ ତୁରନ୍ତ ଯୁଦ୍ଧବିରତି, ପଣବନ୍ଦୀଙ୍କ ପ୍ରତ୍ୟର୍ପଣ ଏବଂ କୂଟନୀତି ଓ ଆଲୋଚନାର ରାସ୍ତାକୁ ଫେରିବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ କେବଳ ଦୁଇ ଦେଶ ମଧ୍ୟରେ ସମସ୍ୟାର ସମାଧାନ ହିଁ ସଂପୃକ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବାରେ ସହାୟକ ହୋଇପାରିବ । ପାଲେଷ୍ଟାଇନକୁ ସ୍ୱୀକୃତି ଦେବାରେ ଭାରତ ଅନ୍ୟତମ ପ୍ରଥମ ଦେଶ ବୋଲି ସେ ମନେପକାଇବା ସହ ଜାତିସଂଘରେ ପାଲେଷ୍ଟାଇନର ସଦସ୍ୟତା ଦାବିକୁ ସମର୍ଥନ ଜାରି ରହିଥିବା କହିଛନ୍ତି ।

ଦୁଇ ନେତା ଭାରତ-ପାଲେଷ୍ଟାଇନ ସମ୍ପର୍କର ବିଭିନ୍ନ ପ୍ରସଙ୍ଗ ଉପରେ ଗଠନମୂଳକ ଆଲୋଚନା କରିଥିଲେ । ଜାତିସଂଘରେ ପାଲେଷ୍ଟାଇନର ସଦସ୍ୟତା ଦାବିକୁ ଭାରତର ସମର୍ଥନ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଦକ୍ଷତା ନିର୍ମାଣ କ୍ଷେତ୍ରରେ ପାଲେଷ୍ଟାଇନକୁ ଭାରତର ସହାୟତା ବାବଦରେ ମଧ୍ୟ ଆଲୋଚନା କରିଥିଲେ । ଭାରତ-ପାଲେଷ୍ଟାଇନ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଗଭୀର କରିବା ଉପରେ ଉଭୟ ନେତା ପ୍ରତିବଦ୍ଧତା ଦର୍ଶାଇଥିଲେ ।

SR



(Release ID: 2057740) Visitor Counter : 21