କ୍ୟାବିନେଟ
azadi ka amrit mahotsav g20-india-2023

ଭାରତ ପାଇଁ ନୂତନ ପୁନଃବ୍ୟବହାରକ୍ଷମ ସ୍ୱଳ୍ପ ଖର୍ଚ୍ଚ ବିଶିଷ୍ଟ ପ୍ରକ୍ଷେପଣ ଯାନ


ଅଧିକ ପେଲୋଡ୍‌, ଖର୍ଚ୍ଚ ସାପେକ୍ଷ, ପୁନଃବ୍ୟବହାରକ୍ଷମ ଏବଂ ବାଣିଜ୍ୟିକ ଅନୁକୂଳ ପ୍ରକ୍ଷେପଣ ଯାନର ବିକାଶ କରିବ ଇସ୍ରୋ

ପରବର୍ତ୍ତୀ ପିଢ଼ିର ସାଟେଲାଇଟ ପ୍ରକ୍ଷେପଣ ଯାନର ବିକାଶ ପାଇଁ କ୍ୟାବିନେଟ ମଞ୍ଜୁରି

Posted On: 18 SEP 2024 3:11PM by PIB Bhubaneshwar

ପରବର୍ତ୍ତୀ ପିଢ଼ିର ପ୍ରକ୍ଷେପଣ ଯାନ Next Generation Launch Vehicle (NGLV)ର ବିକାଶ ପାଇଁ ଏକ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ପ୍ରତିଷ୍ଠା ଓ ପରିଚାଳନା ଏବଂ ୨୦୪୦ରେ ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବା ସକାଶେ ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଲଭିଏମ୩ ପେଲୋଡ କ୍ଷମତା ତୁଳନାରେ ଏନଜିଏଲଭି ପେଲୋଡ କ୍ଷମତା ତିନିଗୁଣା ଅଧିକ ଏବଂ ଖର୍ଚ୍ଚ ହିସାବରେ ମାତ୍ର ଦେଢ଼ଗୁଣା ଅଧିକ । ଏଥିସହ ଏହା ପରିବେଶ ଅନୁକୂଳ ପ୍ରକ୍ରିୟାରେ ପୁନଃବ୍ୟବହାରକ୍ଷମ ଭାବେ ମହାକାଶକୁ କମ୍ ଖର୍ଚ୍ଚରେ ଯାଇପାରିବ ।

ଅମୃତ କାଳରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ପାଇଁ ଏକ ନୂତନ ପିଢ଼ିର ପ୍ରକ୍ଷେପଣ ଯାନର ଆବଶ୍ୟକତା ଥିଲା, ଯାହାକି ଅଧିକ ପେଲୋଡ ସହ ପୁନଃବ୍ୟବହାରକ୍ଷମ ହୋଇଥିବା ଏବଂ ମାନବ ପରିବହନ ସକାଶେ ସକ୍ଷମ ହୋଇଥିବ । ତେଣୁ ଏଜିଏଲଭିର ବିକାଶ ନିଷ୍ପତ୍ତି ହୋଇଛି ଯାହାକି ସର୍ବାଧିକ ୩୦ ଟନର ପେଲୋଡ ସହ ପୃଥିବୀର ନିମ୍ନ କକ୍ଷକୁ ଯାଇପାରିବ ଏବଂ ପ୍ରଥମ ପର୍ଯ୍ୟାୟରେ ପୁନଃବ୍ୟବହାରକ୍ଷମ ହୋଇଥିବ । ଏବେ ଭାରତ ୧୦ ଟନର ମହାକାଶ ଯାନ ପୃଥିବୀର ନିମ୍ନ କକ୍ଷକୁ ଏବଂ ଭୂସ୍ଥିର ସ୍ଥାନାନ୍ତରଣ କକ୍ଷ Geo-Synchronous Transfer Orbit (ଜିଟିଓ)କୁ ପଠାଇବା ସକାଶେ ପିଏସଏଲଭି, ଜିଏସଏଲଭି, ଏଲଭିଏମ୩ ଏବଂ ଏସଏସଏଲଭି ପ୍ରକ୍ଷେପଣ ଯାନ ପ୍ରସ୍ତୁତ ଦିଗରେ ଆତ୍ମନିର୍ଭର ହୋଇପାରିଛି ।

ଏନଜିଏଲଭି ବିକାଶ ପ୍ରକଳ୍ପରେ ଭାରତୀୟ ଉଦ୍ୟୋଗଗୁଡ଼ିକ ସର୍ବାଧିକ ସହାୟତା କରିବେ । ଏହି ପ୍ରକଳ୍ପରେ ସେମାନେ ନିର୍ମାଣ କ୍ଷମତାରେ ନିବେଶ କରିବେ ଯଦ୍ୱାରା ପରବର୍ତ୍ତୀ ବିକାଶ ଦିଗରେ ବିନା ବାଧାରେ ଅଗ୍ରଗତି କରିହେବ । ଏନଜିଏଲଭି ପ୍ରକଳ୍ପକୁ ୯୬ ମାସ (୮ ବର୍ଷ) ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି ଏବଂ ଏହା ତିନୋଟି ବିକାଶମୂଳକ ଉଡ଼ାଣ (ଡି ୧, ଡି ୨ ଏବଂ ଡି ୩)ରେ ପ୍ରଦର୍ଶନ ହେବ ।

ଏଥିପାଇଁ ମୋଟ ୮୨୪୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଛି ଏବଂ ଏହା ମଧ୍ୟରେ ବିକାଶ ଖର୍ଚ୍ଚ, ତିନୋଟି ବିକାଶମୂଳକ ଉଡ଼ାଣ, ଆବଶ୍ୟକ ସୁବିଧାର ପ୍ରସ୍ତୁତି, କାର୍ଯ୍ୟକ୍ରମ ପରିଚାଳନା ଏବଂ ପ୍ରକ୍ଷେପଣ ଅଭିଯାନ ଅନ୍ତର୍ଭୁକ୍ତ ।

 

ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ଆଡ଼କୁ ଅଗ୍ରସର

ଏନଜିଏଲଭିର ବିକାଶ ଦ୍ୱାରା ଜାତୀୟ ଓ ବାଣିଜ୍ୟିକ ମିସନ ସଫଳ ହୋଇପାରିବ । ଏହା ମଧ୍ୟରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନକୁ ମାନବରହିତ ମହାକାଶଯାନ ପ୍ରେରଣ, ଚନ୍ଦ୍ର ଓ ଅନ୍ତରୀକ୍ଷ ଗବେଷଣା ଅଭିଯାନ, ପୃଥିବୀର ନିମ୍ନ କକ୍ଷରେ ସଞ୍ଚାର ଓ ପୃôଥିବୀ ଉପରେ ଦୃଷ୍ଟି ରଖୁଥିବା ଉପଗ୍ରହ ଅବସ୍ଥାପିତ କରିବା ଅନ୍ତର୍ଭୁକ୍ତ । ଏହାଦ୍ୱାରା ଦେଶର ମୋଟ ଅନ୍ତରୀକ୍ଷ ଅଭିଯାନକୁ ଫାଇଦା ମିଳିପାରିବ । ଏହି ପ୍ରକଳ୍ପ ଦେଶର ମହାକାଶ ଅଭିଯାନ ଓ ଗବେଷଣା କ୍ଷମତାକୁ ସୁଦକ୍ଷ କରିବ ।

SR



(Release ID: 2056145) Visitor Counter : 36