ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ଶିଖର ସମ୍ମିଳନୀ 3.0 ର ନେତୃସ୍ତରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଅଭିଭାଷଣ

Posted On: 17 AUG 2024 12:50PM by PIB Bhubaneshwar

ମହାମହିମ,
ଆପଣଙ୍କ ମୂଲ୍ୟବାନ ଚିନ୍ତାଧାରା ଏବଂ ପରାମର୍ଶ ପାଇଁ ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ଆପଣମାନେ ସମସ୍ତେ ଆମର ସାଧାରଣ ଚିନ୍ତା ଏବଂ ଆକାଂକ୍ଷାକୁ ଉପସ୍ଥାପନ କରିଛନ୍ତି । ଆପଣଙ୍କ ଚିନ୍ତାଧାରାରୁ ଏହା ସ୍ପଷ୍ଟ ଯେ ଗ୍ଲୋବାଲ ସାଉଥ ଏକଜୁଟ ରହିଛି।

ଆପଣଙ୍କ ପରାମର୍ଶ ଆମର ବ୍ୟାପକ ଭାଗିଦାରୀକୁ ପ୍ରତିଫଳିତ କରେ । ଆଜି ଆମର ଆଲୋଚନା ପାରସ୍ପରିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଢଙ୍ଗରେ ଆଗକୁ ବଢ଼ିବାର ବାଟ ଖୋଲିଛି। ମୋର ବିଶ୍ୱାସ ଯେ ଏହା ଆମର ମିଳିତ ଲକ୍ଷ୍ୟ ହାସଲ କରିବାକୁ ପ୍ରୋତ୍ସାହନ ଦେବ ।

ବନ୍ଧୁଗଣ,
ସମସ୍ତଙ୍କ କଥା ଶୁଣିବା ପରେ ଆଜି ମୁଁ ଆପଣମାନଙ୍କୁ ଭାରତ ତରଫରୁ ଏକ ବିସ୍ତୃତ "ଗ୍ଲୋବାଲ ଡେଭଲପମେଣ୍ଟ କମ୍ପାକ୍ଟ" ପ୍ରସ୍ତାବ ଦେବାକୁ ଚାହୁଁଛି । ଭାରତର ବିକାଶ ଯାତ୍ରା ଏବଂ ବିକାଶ ଭାଗିଦାରୀର ଅଭିଜ୍ଞତା ଉପରେ ଏହି ଚୁକ୍ତିର ମୂଳଦୁଆ ଆଧାରିତ । ଗ୍ଲୋବାଲ ସାଉଥର ଦେଶଗୁଡ଼ିକ ନିଜେ ସ୍ଥିର କରିଥିବା ବିକାଶ ପ୍ରାଥମିକତା ଦ୍ୱାରା ଏହି ଚୁକ୍ତି ପରିଚାଳିତ ହେବ।

ଏହା ମାନବ-କେନ୍ଦ୍ରୀତ, ବିକାଶ ପାଇଁ ବହୁମୁଖୀ ହେବ ଏବଂ ଏକ ମଲ୍‌ଟି ଡାଇମେନ୍‌ସନାଲ୍‌ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବ । ଏହା ବିକାଶ ପାଇଁ ଅର୍ଥ ନାଁରେ ଅସହାୟ ଦେଶଗୁଡ଼ିକୁ ଋଣ ଭାରରେ ପକାଇବ ନାହିଁ। ଏହା ସହଯୋଗୀ ଦେଶମାନଙ୍କର ସନ୍ତୁଳିତ ଏବଂ ସ୍ଥାୟୀ ବିକାଶରେ ସହାୟକ ହେବ ।


ବନ୍ଧୁଗଣ,
ଏହି 'ବିକାଶ ଚୁକ୍ତି' ଅଧୀନରେ ଆମେ ବିକାଶ ପାଇଁ ବାଣିଜ୍ୟ, ନିରନ୍ତର ଅଭିବୃଦ୍ଧି ପାଇଁ ଦକ୍ଷତା ବୃଦ୍ଧି, ପ୍ରଯୁକ୍ତି ବିଦ୍ୟା ଆଦାନପ୍ରଦାନ, ପ୍ରକଳ୍ପ ନିର୍ଦ୍ଦିଷ୍ଟ ରିହାତି ଅର୍ଥ ଏବଂ ଅନୁଦାନ ଉପରେ ଗୁରୁତ୍ୱ ଦେବୁ । ବାଣିଜ୍ୟ ପ୍ରୋତ୍ସାହନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ୨.୫ ନିୟୁତ ଡଲାରର ଏକ ସ୍ୱତନ୍ତ୍ର ପାଣ୍ଠି ଆରମ୍ଭ କରିବ । ଦକ୍ଷତା ବୃଦ୍ଧି ପାଇଁ ବାଣିଜ୍ୟ ନୀତି ଏବଂ ବାଣିଜ୍ୟ ବୁଝାମଣା ରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏଥିପାଇଁ ଏକ ନିୟୁତ ଡଲାର ପାଣ୍ଠି ଯୋଗାଇ ଦିଆଯିବ।

ଗ୍ଲୋବାଲ୍ ସାଉଥର ଦେଶମାନଙ୍କରେ ଆର୍ଥିକ ଚାପ ଏବଂ ବିକାଶ ପାଣ୍ଠି ପାଇଁ ଭାରତ ଏସଡିଜି ଷ୍ଟିମୁଲାସ୍ ଲିଡର୍ସ ଗ୍ରୁପକୁ ସମର୍ଥନ କରୁଛି । ଆମେ ଗ୍ଲୋବାଲ ସାଉଥକୁ ସୁଲଭ ଏବଂ ପ୍ରଭାବଶାଳୀ ଜେନେରିକ ଔଷଧ ଯୋଗାଇବା ପାଇଁ କାମ କରିବୁ । ଆମେ ଔଷଧ ନିୟାମକଙ୍କ ପ୍ରଶିକ୍ଷଣକୁ ମଧ୍ୟ ସମର୍ଥନ କରିବୁ । କୃଷି କ୍ଷେତ୍ରରେ 'ପ୍ରାକୃତିକ କୃଷି'ର ଆମର ଅଭିଜ୍ଞତା ଏବଂ ଜ୍ଞାନକୌଶଳ ବାଣ୍ଟି ଆମେ ଖୁସି ହେବୁ।

ବନ୍ଧୁଗଣ,
ଆପଣ ଉତ୍ତେଜନା ଏବଂ ସଂଘର୍ଷ ସହିତ ଜଡିତ ଚିନ୍ତା ମଧ୍ୟ ପ୍ରକାଶ କରିଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଏକ ଗମ୍ଭୀର ବିଷୟ । ଏହି ଚିନ୍ତାଗୁଡିକର ସମାଧାନ ନ୍ୟାୟସମ୍ପନ୍ନ ଏବଂ ଅନ୍ତର୍ଭୁକ୍ତ ବୈଶ୍ୱିକ ଶାସନ ଉପରେ ନିର୍ଭର କରେ । ଏପରି  ଅନୁଷ୍ଠାନଗୁଡ଼ିକର ପ୍ରାଥମିକତା  ଦିଆଯିବା ସହିତ ଗ୍ଲୋବାଲ୍ ସାଉଥ୍ କୁ ପ୍ରାଥମିକତା ଦିଆଯାଇଛି ଯେଉଁଠି ବିକଶିତ ଦେଶମାନେ ମଧ୍ୟ ନିଜର ଦାୟିତ୍ୱ ଓ ପ୍ରତିଶ୍ରୁତି ପୂରଣ କରିଥାନ୍ତି।


ଗ୍ଲୋବାଲ ଉତ୍ତର ଏବଂ ଦକ୍ଷିଣ ମଧ୍ୟରେ ଦୂରତା ହ୍ରାସ କରିବାକୁ ପଦକ୍ଷେପ ନିଆଯିବା ଆବଶ୍ୟକ। । ଆସନ୍ତା ମାସରେ ଜାତିସଂଘରେ ହେବାକୁ ଥିବା ଭବିଷ୍ୟତ ଶିଖର ସମ୍ମିଳନୀ ଏସବୁ ରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇପାରେ ।


ମହାମହିମ,
ପୁଣି ଥରେ ଆପଣଙ୍କ ଉପସ୍ଥିତି ଏବଂ ମୂଲ୍ୟବାନ ଚିନ୍ତାଧାରା ପାଇଁ ମୁଁ ଆପଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ମୋର ବିଶ୍ୱାସ ଯେ ଗ୍ଲୋବାଲ ସାଉଥର ପ୍ରଗତି ପାଇଁ ଆମେ ଆମର ସ୍ୱର ଉତ୍ତୋଳନ ଜାରି ରଖିବୁ ଏବଂ ଆମର ଅନୁଭୂତି ବାଣ୍ଟିବା ଜାରି ରଖିବୁ । ଆଜି ଦିନସାରା ଆମ ଟିମ୍ ସବୁ ବିଷୟରେ ଗଭୀର ଭାବରେ ଚିନ୍ତା କରିବେ। ଏବଂ ଆଗାମୀ ଦିନରେ ଆମେ ଆପଣଙ୍କ ସହଯୋଗରେ ଏହି ମଞ୍ଚକୁ ଆଗକୁ ବଢ଼ାଇବାଜାରି ରଖିବୁ ।

ସମସ୍ତଙ୍କୁ ବହୁତ ଧନ୍ୟବାଦ!

BS



(Release ID: 2046343) Visitor Counter : 10