ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

ଆଗାମୀ ୧୦୦ ଦିନ ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଯୋଜନା ଏବଂ ପ୍ରମୁଖ ପଦକ୍ଷେପ ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ଶ୍ରୀ ଜୁଏଲ ଓରାମ

Posted On: 17 JUL 2024 6:05PM by PIB Bhubaneshwar

 

ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଦିନିକିଆ ବୈଠକରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏବଂ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଦୁର୍ଗାଦାସ ଉଇକେ ଯୋଜନା ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଏବଂ ଆଗାମୀ ୧୦୦ ଦିନ ପାଇଁ ମନ୍ତ୍ରଣାଳୟର ପ୍ରମୁଖ ପଦକ୍ଷେପ ଉପରେ ରଣନୀତି ପ୍ରସ୍ତୁତ କରିଛନ୍ତି ।

ମନ୍ତ୍ରଣାଳୟର ଯୋଜନା ଏବଂ ପଦକ୍ଷେପ ଉପରେ ଏକ ବିସ୍ତୃତ ଉପସ୍ଥାପନା ସହିତ ଏହି ବୈଠକ ଆରମ୍ଭ ହୋଇଥିଲା, ଏବଂ ପରେ ବଜେଟର ସମୀକ୍ଷା କରାଯାଇଥିଲା ।

ବୈଠକରେ ଆଲୋଚନା ହୋଇଥିବା ପ୍ରମୁଖ ଯୋଜନା ଓ ପଦକ୍ଷେପ ଗୁଡ଼ିକ ହେଲା:

  • ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଯୋଜନା
  • ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ୍ - ଜନମନ)
  • ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା (ପିଏମ୍‌ଏଏଜିୱାଇ)
  • ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ)
  • ଜୀବିକା ଯୋଜନା
  • ସମ୍ବିଧାନର ଧାରା ୨୭୫(୧) ଅନୁଯାୟୀ ଅନୁଦାନ
  • ଆଦିବାସୀ ଗବେଷଣା ପ୍ରତିଷ୍ଠାନ (ଟିଆରଆଇ)କୁ ସହାୟତା
  • ସ୍ୱେଚ୍ଛାସେବୀ ସଂଗଠନ (ଏନଜିଓ)କୁ ସହାୟତା
  • ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଆଯାଇଥିବା ପ୍ରମୁଖ ପଦକ୍ଷେପ, ଏବଂ
  • ମନ୍ତ୍ରଣାଳୟର ବିଭିନ୍ନ ବିଭାଗ ଦ୍ୱାରା ପରିଚାଳିତ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସଙ୍ଗ ।

ଏକ ସମାବେଶୀ ଓ ସମାନ ସମାଜ ଗଠନ ଦିଗରେ ଏହି ପଦକ୍ଷେପର ଆବଶ୍ୟକତା ଉପରେ ଶ୍ରୀ ଓରାମ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ଉଇକେ ଏହି ଭାବନାକୁ ସମର୍ଥନ କରି ଏହି ପଦକ୍ଷେପଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ଆବଶ୍ୟକ ସହଯୋଗୀ ପ୍ରୟାସ ଉପରେ ଆଲୋକପାତ କରିଥିଲେ । ଆଦିବାସୀ ବ୍ୟାପାର ସଚିବ ଶ୍ରୀ ବିଭୁ ନାୟାର ବରିଷ୍ଠ ଅଧିକାରୀଙ୍କ ସହ ମିଶି ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ ଉପରେ ଆଲୋଚନା କରିଥିଲେ ଓ ବିସ୍ତୃତ ଯୋଜନା ପ୍ରଦାନ କରିଥିଲେ ।

ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣ ନିମନ୍ତେ ନିର୍ଦ୍ଧାରିତ ଲକ୍ଷ୍ୟ ପାଇଁ ଅକ୍ଳାନ୍ତ ପରିଶ୍ରମ କରିବାକୁ ମନ୍ତ୍ରଣାଳୟର ସର୍ବସମ୍ମତି କ୍ରମେ ବୈଠକ ଶେଷ ହୋଇଥିଲା ।

*****

SSP


 



(Release ID: 2033908) Visitor Counter : 16