ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅଷ୍ଟ୍ରିଆର ଚାନ୍ସେଲରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି

Posted On: 10 JUL 2024 5:27PM by PIB Bhubaneshwar

ମହାମହିମ, ଚାନ୍ସେଲର କାର୍ଲ ନେହମା,

ଉଭୟ ଦେଶର ପ୍ରତିନିଧି

ଗଣମାଧ୍ୟମର ବନ୍ଧୁମାନେ,

ନମସ୍କାର!

ମୁଁ ଚାନ୍ସେଲର ନେହମାରଙ୍କୁ ଉଦାର ସ୍ୱାଗତ ଏବଂ ଆତିଥେୟତା ପାଇଁ ଧନ୍ୟବାଦ ଦେଇ ନିଜ ବକ୍ତବ୍ୟ ଆରମ୍ଭ କରିବାକୁ ଚାହୁଁଛି । ମୁଁ ଖୁସି ଯେ ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ମୁଁ ଅଷ୍ଟ୍ରିଆ ଗସ୍ତ କରିବାର ସୁଯୋଗ ପାଇଲି  ମୋ ଗସ୍ତ ଐତିହାସିକ ତଥା ସ୍ୱତନ୍ତ୍ର । ୪୧ ବର୍ଷ ପରେ ପ୍ରଥମ ଥର ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ଏହା ମଧ୍ୟ ଖୁସିର କଥା ଯେ ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମ ପାରସ୍ପରିକ ସମ୍ପର୍କକୁ ୭୫ ବର୍ଷ ପୂରିଛି ।

ବନ୍ଧୁଗଣ,
ଗଣତନ୍ତ୍ର ଏବଂ ଆଇନର ଶାସନ ଭଳି ମୂଲ୍ୟବୋଧ ଉପରେ ମିଳିତ ବିଶ୍ୱାସ ଆମ ସମ୍ପର୍କର ମଜଭୁତ ଭିତ୍ତିଭୂମି । ପାରସ୍ପରିକ ବିଶ୍ୱାସ ଏବଂ ସହଭାଗୀ ସ୍ୱାର୍ଥ ଦ୍ୱାରା ଆମର ସମ୍ପର୍କ ସୁଦୃଢ଼ ହୋଇଥାଏ । ଆଜି ଚାନ୍ସେଲର ନେହମର ଏବଂ ମୋ ମଧ୍ୟରେ ବହୁତ ଫଳପ୍ରଦ କଥାବାର୍ତ୍ତା ହୋଇଥିଲା । ଆମର ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ନୂତନ ସମ୍ଭାବନା ଚିହ୍ନଟ କରିଛୁ । ଆମେ ନିଷ୍ପତ୍ତି ନେଇଛୁ ଯେ ସମ୍ପର୍କକୁ ରଣନୀତିକ ଦିଗକୁ ନିଆଯିବ। ଆଗାମୀ ଦଶନ୍ଧି ପାଇଁ ସହଯୋଗର ଏକ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା କେବଳ ଅର୍ଥନୈତିକ ସହଯୋଗ ଓ ନିବେଶରେ ସୀମିତ ନୁହେଁ। ଭିତ୍ତିଭୂମି ବିକାଶ, ଉଦ୍ଭାବନ, ଅକ୍ଷୟ ଶକ୍ତି, ଉଦଜାନ, ଜଳ ଓ ବର୍ଜ୍ୟବସ୍ତୁ ପରିଚାଳନା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ୱାଣ୍ଟମ୍ ଆଦି କ୍ଷେତ୍ରରେ ପରସ୍ପରର ସାମର୍ଥ୍ୟକୁ ଯୋଡ଼ିବା ପାଇଁ କାର୍ଯ୍ୟ କରାଯିବ। ଉଭୟ ଦେଶର ଯୁବଶକ୍ତି ଓ ଚିନ୍ତାଧାରାକୁ ଯୋଡ଼ିବା ପାଇଁ ଷ୍ଟାର୍ଟଅପ୍ ସେତୁକୁ ତ୍ୱରାନ୍ୱିତ କରାଯିବ। ପରିବହନ ଏବଂ ପ୍ରବାସ ସହଭାଗୀତା ଉପରେ ପୂର୍ବରୁ ଏକ ଚୁକ୍ତି ହୋଇସାରିଛି। ଏହା ଦ୍ୱାରା ଆଇନଗତ ସ୍ଥାନାନ୍ତର ଏବଂ କୁଶଳୀ କର୍ମଚାରୀଙ୍କ ଯାତାୟାତରେ ସୁବିଧା ହେବ । ସାଂସ୍କୃତିକ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରାଯିବ।
ବନ୍ଧୁଗଣ,
ଆମେ ଯେଉଁ ହଲରେ ଠିଆ ହୋଇଛୁ ତାହା ଅତ୍ୟନ୍ତ ଐତିହାସିକ । ଉନବିଂଶ ଶତାବ୍ଦୀରେ ଏଠାରେ ଐତିହାସିକ ଭିଏନା କଂଗ୍ରେସ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀ ୟୁରୋପରେ ଶାନ୍ତି ଓ ସ୍ଥିରତା ପାଇଁ ମାର୍ଗ  ଦେଖାଇଥିଲା। ଚାନ୍ସେଲର ନେହମାର ଏବଂ ମୁଁ ବିଶ୍ୱର ସମସ୍ତ ସଂଘର୍ଷ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛୁ, ତାହା ୟୁକ୍ରେନର ସଂଘର୍ଷ ହେଉ କିମ୍ବା ପଶ୍ଚିମ ଏସିଆର ପରିସ୍ଥିତି ହେଉ । ମୁଁ ପୂର୍ବରୁ କହିସାରିଛି ଯେ ଏହା ଯୁଦ୍ଧର ସମୟ ନୁହେଁ । ଯୁଦ୍ଧ କ୍ଷେତ୍ରରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଯେଉଁଠି ବି ହେଉ, ନିରୀହ ଜୀବନ ହାନି ଗ୍ରହଣୀୟ ନୁହେଁ। ଶାନ୍ତି ଓ ସ୍ଥିରତା ଶୀଘ୍ର ପୁନରୁଦ୍ଧାର ପାଇଁ ଭାରତ ଓ ଅଷ୍ଟ୍ରିଆ ଆଲୋଚନା ଓ କୂଟନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ଆମେ ସମସ୍ତେ ମିଳିମିଶି ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ।

ବନ୍ଧୁଗଣ,
ଆଜି ଆମେ ଜଳବାୟୁ ପରିବର୍ତ୍ତନ ଏବଂ ମାନବିକତା ସମ୍ମୁଖୀନ ହେଉଥିବା ଆତଙ୍କବାଦ ଭଳି ଆହ୍ୱାନ ଉପରେ ମଧ୍ୟ ମତ ରଖିଛୁ । ଅନ୍ତର୍ଜାତୀୟ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ, ଜୈବ ଇନ୍ଧନ ମେଣ୍ଟ ଭଳି ଆମର ପଦକ୍ଷେପରେ ସାମିଲ ହେବା ପାଇଁ ଆମେ ଅଷ୍ଟ୍ରିଆକୁ ନିମନ୍ତ୍ରଣ କରୁଛୁ । ଆମେ ଦୁହେଁ ଆତଙ୍କବାଦକୁ ଦୃଢ଼ ନିନ୍ଦା କରୁଛୁ। ଆମେ ସହମତ ଯେ ଏହା କୌଣସି ପ୍ରକାରେ ଗ୍ରହଣୀୟ ନୁହେଁ । ଏହାକୁ କୌଣସି ପ୍ରକାରେ ଯୁକ୍ତିଯୁକ୍ତ କରାଯାଇ ପାରିବ ନାହିଁ। ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକୁ ସମସାମୟିକ ଏବଂ ପ୍ରଭାବଶାଳୀ କରିବା ପାଇଁ ଆମେ ସଂସ୍କାର କରିବାକୁ ରାଜି ।

ବନ୍ଧୁଗଣ,
ଆଗାମୀ ମାସରେ ଅଷ୍ଟ୍ରିଆରେ ନିର୍ବାଚନ ହେବ। ଗଣତନ୍ତ୍ରର ଜନନୀ ତଥା ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଜନନୀ ଭାରତବାସୀଙ୍କ ତରଫରୁ ମୁଁ ଚାନ୍ସେଲର ନେହମାର ଏବଂ ଅଷ୍ଟ୍ରିଆବାସୀଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ଅଳ୍ପ ସମୟ ମଧ୍ୟରେ ଆମେ ଉଭୟ ଦେଶର ସିଇଓଙ୍କୁ ଭେଟିବୁ। ଅଷ୍ଟ୍ରିଆର ମାନ୍ୟବର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ମଧ୍ୟ ପାଇବି । ପୁଣି ଥରେ ମୁଁ ଚାନ୍ସେଲର ନେହମାରଙ୍କୁ ତାଙ୍କ ବନ୍ଧୁତା ପାଇଁ କୃତଜ୍ଞତା ଜ୍ଞାପନ କରୁଛି ଏବଂ ଆପଣଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରୁଛି । ଆପଣଙ୍କୁ ବହୁତ ଧନ୍ୟବାଦ!

 

**********

P.S.



(Release ID: 2032297) Visitor Counter : 13