ନିର୍ବାଚନ ଆୟୋଗ

ରାଜନୈତିକ ଦଳ ଏବଂ ସେମାନଙ୍କ ପ୍ରତିନିଧିଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମ ମଞ୍ଚର ଦାୟିତ୍ୱପୂର୍ଣ୍ଣ ଏବଂ ନୈତିକ ବ୍ୟବହାର ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ


ଭୁଲ ସୂଚନା ଏବଂ ମିଥ୍ୟା ବିଷୟବସ୍ତୁର ମୁକାବିଲା କରିବା ଲାଗି ଆଇନଗତ ଢାଞ୍ଚା ସମ୍ପର୍କରେ ରାଜନୈତିକ ଦଳଗୁଡ଼ିକର ଦୃଷ୍ଟି ଆକର୍ଷଣ କରାଗଲା

ନଜରକୁ ଆସିବାର ୩ ଘଣ୍ଟା ମଧ୍ୟରେ ନକଲି ବିଷୟବସ୍ତୁ ହଟାଇବେ ରାଜନୈତିକ ଦଳ

Posted On: 06 MAY 2024 6:47PM by PIB Bhubaneshwar

ନିର୍ବାଚନ ପ୍ରଚାରରେ ସାମାଜିକ ଗଣମାଧ୍ୟମର ଦାୟିତ୍ୱପୂର୍ଣ୍ଣ ଏବଂ ନୈତିକ ବ୍ୟବହାର ପାଇଁ ନିର୍ବାଚନ ଆୟୋଗ ଆଜି ରାଜନୈତିକ ଦଳଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ସମସ୍ତ ଅଂଶୀଦାରଙ୍କୁ ଏକ ସମାନ ସୁଯୋଗ ଯୋଗାଇ ଦେବା। ନିର୍ବାଚନ ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର କରିବା ସମୟରେ ରାଜନୈତିକ ଦଳ/ ସେମାନଙ୍କ ପ୍ରତିନିଧିଙ୍କ ଦ୍ୱାରା ଆଦର୍ଶ ଆଚରଣ ବିଧି (ଏମସିସି) ଏବଂ ପ୍ରଚଳିତ ଆଇନଗତ ବ୍ୟବସ୍ଥାର କେତେକ ଉଲ୍ଲଂଘନକୁ ଦୃଷ୍ଟିରେ ରଖି ଆୟୋଗ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଲିଙ୍କ:

https://www.eci.gov.in/eci-backend/public/api/download?url=LMAhAK6sOPBp%2FNFF0iRfXbEB1EVSLT41NNLRjYNJJP1KivrUxbfqkDatmHy12e%2FztfbUTpXSxLP8g7dpVrk7%2FeVrNt%2BDLH%2BfDYj3Vx2GKWdqTwl8TJ87gdJ3xZOaDBMndOFtn933icz0MOeiesxvsQ%3D%3D

 

ନିର୍ବାଚନ ପ୍ରକ୍ରିୟାର ସଚ୍ଚୋଟତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରି ଆୟୋଗ ଦଳଗୁଡ଼ିକୁ ସୂଚନା ବିକୃତ କରି ପରିବେଷଣ କରିବା କିମ୍ବା ଭୁଲ ସୂଚନା ପ୍ରସାରଣ ପାଇଁ ଏଆଇ ଆଧାରିତ ଉପକରଣର ଅପବ୍ୟବହାର ନ କରିବାକୁ ଚେତାବନୀ ଦେଇଛନ୍ତି। ଡିପଫେକ୍ ବା ପ୍ରଯୁକ୍ତି ଆଧାରିତ ଅବିକଳ ନକଲ ବ୍ୟବସ୍ଥାର ବ୍ୟବହାର କରି ଭୁଲ ସୂଚନା ଏବଂ ନକଲିକରଣ (ଭୁଲ ପରିଚୟ) ବିରୋଧରେ ରହିଥିବା ନିୟାମକ ଢାଞ୍ଚାକୁ ନିୟନ୍ତ୍ରଣ କରୁଥିବା ପ୍ରଚଳିତ ଆଇନଗତ ବ୍ୟବସ୍ଥାଗୁଡ଼ିକ ସମ୍ପର୍କରେ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡ଼ିକର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିରେ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, ୨୦୦୦ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା (ମଧ୍ୟସ୍ଥି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ ମିଡିଆ ନୈତିକତା କୋଡ୍) ନିୟମ ୨୦୨୧, ଭାରତୀୟ ଦଣ୍ଡବିଧି ସଂହିତା ଏବଂ ଜନପ୍ରତିନିଧି ଆଇନ, ୧୯୫୦ ଏବଂ ୧୯୫୧ ଏବଂ ଆଦର୍ଶ ଆଚରଣ ବିଧିର ବ୍ୟବସ୍ଥା ଅନ୍ତର୍ଭୁକ୍ତ ।

ବର୍ତ୍ତମାନର ଆଇନଗତ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି, ଅନ୍ୟାନ୍ୟ ନିର୍ଦ୍ଦେଶନାମା ବ୍ୟତୀତ, ରାଜନୈତିକ ଦଳଗୁଡ଼ିକୁ ଡିପ୍ ଫେକ୍ ଅଡିଓ / ଭିଡିଓ ପ୍ରକାଶନ ଓ ପ୍ରସାରଣରୁ ଦୂରେଇ ରହିବାକୁ କୁହାଯାଇଛି । ସେହିପରି ସ୍ପଷ୍ଟ ଭାବରେ ମିଥ୍ୟା, ଅସତ୍ୟ କିମ୍ବା ବିଭ୍ରାନ୍ତିକର ପ୍ରକୃତିର ହୋଇଥିବା କୌଣସି ଭୁଲ୍ ସୂଚନା କିମ୍ବା ଏଭଳି ତଥ୍ୟ ପୋଷ୍ଟ ନ କରିବାକୁ କୁହାଯାଇଛି । ରାଜନୈତିକ ଅଭିଯାନରେ ପିଲାମାନଙ୍କୁ ବ୍ୟବହାର ନ କରିବା, ପ୍ରାଣୀ ହିଂସାରୁ ଦୂରେଇ ରହିବା ତଥା ସେମାନଙ୍କୁ କ୍ଷତି ନପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନିଜ ଦୃଷ୍ଟିକୁ ଆସିବାର ୩ ଘଣ୍ଟା ମଧ୍ୟରେ ଏଭଳି କୌଣସି ବିଷୟବସ୍ତୁକୁ ତୁରନ୍ତ ହଟାଇବା, ନିଜ ଦଳର ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିଙ୍କୁ ସତର୍କ କରାଇବା, ସମ୍ପୃକ୍ତ ମଞ୍ଚରେ ବେଆଇନ ସୂଚନା ଓ ନକଲି ଉପଭୋକ୍ତା ଆକାଉଣ୍ଟ ରିପୋର୍ଟ କରିବାକୁ ରାଜନୈତିକ ଦଳଗୁଡ଼ିକୁ କୁହାଯାଇଛି । ଏଥିସହିତ ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ନୈତିକତା ସଂହିତା) ନିୟମ, ୨୦୨୧ର ନିୟମ ୩ଏ ଅଧୀନରେ ଅଭିଯୋଗ ଅପିଲ୍‌ କମିଟି ନିକଟରେ କ୍ରମାଗତ ଭାବେ ପ୍ରସଙ୍ଗ ଉଠାଇବାକୁ ଦଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 

********

P.S



(Release ID: 2019796) Visitor Counter : 60