କ୍ୟାବିନେଟ

ସେମି କଣ୍ଡକ୍ଟର ନିର୍ମାଣ ସଂକ୍ରାନ୍ତ ଭାରତ ଓ ୟୁରୋପୀୟ କମିଶନ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Posted On: 18 JAN 2024 12:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-ୟୁରୋପୀୟ କମିଶନ ସେମି କଣ୍ଡକ୍ଟର ନିର୍ମାଣ ସଂକ୍ରାନ୍ତ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି । ଏହି ବୁଝାମଣାପତ୍ରଟି ୨୦୨୩ ନଭେମ୍ବର ୨୧ରେ ସ୍ୱାକ୍ଷରିତ ହୋଇଥିଲା । ଏହାର ବିଭିନ୍ନ ଦିଗ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବୈଠକରେ ଅବଗତ କରାଯିବା ପରେ ଏହା ଉପରେ କ୍ୟାବିନେଟର ମୋହର ବାଜିଛି ।

ସେମି କଣ୍ଡକ୍ଟର ନିର୍ମାଣ, ଏହାର ଯୋଗାଣ, ଏ କ୍ଷେତ୍ରରେ ନବସୃଜନ ସହିତ ଏକ ଉପଯୁକ୍ତ ପରିବେଶ ନିର୍ମାଣ ପାଇଁ ଦୁଇପକ୍ଷ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏ କ୍ଷେତ୍ରରେ ଉଭୟ ପକ୍ଷ ୟୁରୋପୀୟ -ଭାରତ ବାଣିଜ୍ୟ ଓ ଟେକ୍‌ନୋଲୋଜି ପରିଷଦ (ଟିଟିସି) ଅଧୀନରେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ ।

ଏହି ବୁଝାମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦୁଇପକ୍ଷ ମିଳିତଭାବେ ସେମିକଣ୍ଡକ୍ଟର ଉତ୍ପାଦନ, ଏହାର ଯୋଗାଣ, ଉପଯୋଗ ଓ ବିକାଶ କ୍ଷେତ୍ରରେ କାମ କରିବେ । ଉଭୟ ପକ୍ଷ ଏଥିପାଇଁ ଉପଯୁକ୍ତ ପରିତନ୍ତ୍ର ନିର୍ମାଣ ସହିତ ଡିଜିଟାଲ ଟେକ୍‌ନୋଲୋଜିର ବିକାଶ ଘଟାଇବେ । ବୁଝାମଣାପତ୍ର ସ୍ୱାକ୍ଷରିତ ହେବାଠାରୁ ଏହା କାର୍ଯ୍ୟକାରୀ ହେବାର ବ୍ୟବସ୍ଥା ରହିଥିବାବେଳେ କୌଣସି ପକ୍ଷ ଏଥିରୁ ଓହରି ନ ଯିବା ଯାଏ ଏହା ବଳବତ୍ତର ରହିବ ।

 ଏହି ବୁଝାମଣାପତ୍ର ଅନୁସାରେ ସେମି କଣ୍ଡକ୍ଟରର ନିର୍ମାଣ ତଥା ବିକାଶ ଘଟାଇ ଉଭୟ ପକ୍ଷ ଉଭୟ ଜି୨ଜି ଓ ବି୨ବିକୁ ସୁଦୃଢ କରିବେ । ଏହା ଫଳରେ ଦୁଇ ପକ୍ଷ ଉପକୃତ ହେବେ । ଏହାଛଡା ଉଭୟ ପକ୍ଷ ସେମିକଣ୍ଡକ୍ଟର ନିର୍ମାଣ ଏବଂ ଯୋଗାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବେ । ଦ୍ୱିପାକ୍ଷିକ ସହଯୋଗ ତ୍ତଭିତ୍ତିରେ ଏହି ସେମି କଣ୍ଡକ୍ଟର ପରିବର୍ତ୍ତିତ ଆବଶ୍ୟକତା ପୂରଣ ପାଇଁ ନିର୍ମିତ ହେବ ।

 ସୂଚନାଯୋଗ୍ୟ ଯେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (ଏମଇଟି) ମନ୍ତ୍ରଣାଳୟ ଦେଶରେ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ ବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛି । ସେଥିପାଇଁ ସେମିକଣ୍ଡକ୍ଟର ବିକାଶ ଏବଂ ଡିସ୍‌ପ୍ଲେ ମାନୁଫ୍ୟାକଚରିଂ ଇକୋସିଷ୍ଟମ  ବ୍ୟବସ୍ଥା ଅଗ୍ରାଧିକାର ପାଇଛି । କେନ୍ଦ୍ର ସରକାର ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ହମ୍ ନିର୍ମାଣ ସହିତ ଡିସ୍‌ପ୍ଲେ ଫ୍ୟାକ୍ସିଂ, କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାକ୍ସ, ସିଲିକନ୍ ଫଟୋନିକ୍ସ, ସେନ୍ସସର, ଡିସକ୍ରିଟ୍ ଫ୍ୟାବ ଆଦି ନିର୍ମାଣ କରିବାକୁ ଉଦ୍ୟୋଗୀମାନଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଉଛି ।

ସେମି କଣ୍ଡକ୍ଟର ଓ ସେମି କଣ୍ଡକ୍ଟର ଆସେମ୍ଲି, ଟେଷ୍ଟିଂ, ମାର୍କିଂ, ଫ୍ୟାକେଜିଂ, ଓଏସ୍‌ଏଟି ସୁବିଧା ସ୍ଥାପନକୁ ମଧ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି ଏବଂ ମିଳିତ ସହଯୋଗ ଓ ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି । ଏହାର ମୌଳିକ ଲକ୍ଷ୍ୟ ହେଲା ଭାରତକୁ ସେମିକଣ୍ଡକ୍ଟର କ୍ଷେତ୍ରରେ ଆତ୍ମନିର୍ଭର କରିବା ଏବଂ ଏହାର ଯୋଗାଣ ଶୃଙ୍ଖଳାକୁ ଦୃଢ, ନିରନ୍ତର ତଥା ଭରସାଯୋଗ୍ୟ କରାଇବା । ଏଥିପାଇଁ ବିଭିନ୍ନ ପକ୍ଷଙ୍କଠାରୁ ଆବଶ୍ୟକ ଉନ୍ନତ ଜ୍ଞାନକୌଶଳ ଆଣିବା, ମିଳିତ ପ୍ରୟାସରେ ଏସବୁ ଇଲେକ୍‌ଟ୍ରୋନିକ୍ସ ସାମ୍ରଗୀର ବିକାଶ କରିବା, ଉତ୍ପାଦନ ପ୍ରକ୍ରିୟାରେ ବିଦେଶୀ ଅଂଶୀଦାରଙ୍କୁ ଉତ୍ସାହିତ କରିବା ଆଦିକୁ ସରକାର ଗୁରୁତ୍ୱ ଦେଉଛନ୍ତି । ସେହି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ  ଭାରତ ୟୁରୋପୀୟ ସମୁଦାୟ ସହିତ ସେମି କଣ୍ଡକ୍ଟର ଓ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀର ବିକାଶ, ନିର୍ମାଣ ଓ ଯୋଗାଣକୁ ସୁସଂହତ କରିବାକୁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।

 

*****

TKM/SLP



(Release ID: 1997642) Visitor Counter : 47