ପୋଷ୍ଟ କରାଯିବା ଦିନାଙ୍କ:
10 NOV 2023 5:10PM by PIB Bhubaneswar
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରସାରଣ ସେବା ନିୟନ୍ତ୍ରଣ ବିଲ୍-୨୦୨୩ ଚିଠା ପ୍ରସ୍ତୁତ କରିଛି । ଏହି ଚିଠା ବିଲ୍ ଉପରେ ମନ୍ତ୍ରଣାଳୟ ପକ୍ଷରୁ ଆଜି ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ଠାରୁ ମତାମତ ଆହ୍ୱାନ କରାଯାଇଛି । ବିଗତ ତିନି ଦଶନ୍ଧି ଧରି କେବୁଲ ଟେଲିଭିଜନ ନେଟୱାର୍କ ନିୟନ୍ତ୍ରଣ ଆଇନ ୧୯୯୫ ବଳବତ୍ତର ଥିଲା । କାର୍ଯ୍ୟକ୍ରମର ବିଷୟ ବସ୍ତୁ ବା କଣ୍ଟେଣ୍ଟ(ଉଭୟ ଲାଇନର ଓ କେବୁଲ ନେଟୱାର୍କ) ଉପରେ ନଜର ରଖିବାକୁ ଏହା ଥିଲା ମୌଳିକ ଆଇନଗତ ବ୍ୟବସ୍ଥା । ଏବେ କିନ୍ତୁ ଦେଶର ପ୍ରସାରଣ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିଛି । ନୂଆ ଟେକ୍ନୋଲୋଜି ଆସିବା ଫଳରେ ଡିଟିଏଚ୍, ଆଇପିଟିଭି, ଓଟିଟି ଓ ଅନ୍ୟାନ୍ୟ ବିଭିନ୍ନ ଇଣ୍ଟ୍ରିଗ୍ରେଟେଡ୍ ମଡେଲ ପ୍ଲାଟଫର୍ମ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି ।
ପ୍ରସାରଣ କ୍ଷେତ୍ରରେ ଡିଜିଟାଇଜେସନ ଫଳରେ, ବିଶେଷକରି କେବୁଲ ଟିଭିରେ, ନିୟାମକ ବା ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସୁସଂହତ ଓ ଦକ୍ଷ କରିବାର ଆବଶ୍ୟକତା ଉପୁଜିଛି । ଏଥିରେ ସୁଗମ ବାଣିଜ୍ୟ (ଇଜ୍ ଅଫ୍ ଡୁଇଂ ବିଜ୍ନେସ) କାରବାର ଏବଂ କାର୍ଯ୍ୟକ୍ରମ ଓ ବିଜ୍ଞାପନ ନିୟମାବଳୀ (ପ୍ରୋଗ୍ରାମ ଆଣ୍ଡ ଆଡଭାଇଟାଇଜିମେଣ୍ଟ କୋଡ)ର ଉପଯୁକ୍ତ ପରିପାଳନ ବିଶେଷ ଜରୁରୀ ହୋଇଛି । ଉଭୟ ପ୍ରସାରଣକାରୀ ଓ ଡିଷ୍ଟ୍ରିବ୍ୟୁସନ ପ୍ଲାଟଫର୍ମ ଅପରେଟର୍ସ ଏହି ନୂଆ ନିୟମାବଳୀକୁ ପାଳନ କରିବା ଅପରିହାର୍ଯ୍ୟ ପାଲଟିଛି । ତେଣୁ ନୂଆ ସମୟର ଆବଶ୍ୟକତା ପୂରଣ ପାଇଁ ଦେଶର ପ୍ରସାରଣ କ୍ଷେତ୍ରରେ ନୂତନ ପୂର୍ଣ୍ଣାଙ୍ଗ ଓ ସମୟ ଉପଯୋଗୀ ଆଇନର ଆବଶ୍ୟକତା ପଡିଛି । ସେଥି ପାଇଁ ସରକାର ଏହି ଚିଠା ବିଲ୍ ପ୍ରସ୍ତୁତ କରିଛନ୍ତି ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଏହି ବିଲ୍ ୧୯୯୫ର ନିୟାମକ ଆଇନକୁ ପରିବର୍ତ୍ତନ କରିବାକୁ ଉଦ୍ଦିଷ୍ଟ । ଏଥିରେ ନିୟାମକ ବ୍ୟବସ୍ଥାକୁ ସୁସଂହତ ଓ ସମୟ ଉପଯୋଗୀ କରାଯାଇଥିବାବେଳେ ଏହାର ପରିସରକୁ ସଂପ୍ରସାରିତ କରାଯାଇଛି । ଏଥିରେ ଓଭର ଦି ଟକ୍ ବା ଓଟିଟି କଣ୍ଟେଣ୍ଟ ଏବଂ ଡିଜିଟାଲ ନ୍ୟୁଜ ତଥା ନୂଆ ଟେକ୍ନୋଲୋଜି ଗୁଡିକ ପାଇଁ ନୂତନ ସମସାମୟିକ ସଂଜ୍ଞା ଓ ବ୍ୟବସ୍ଥା ନିର୍ଦ୍ଧାରଣ ହୋଇଛି । ଏହି ବିଲ୍ରେ କଣ୍ଟେଣ୍ଟ ମୂଲ୍ୟାୟନ କମିଟି ଓ ପ୍ରସାରଣ ପରାମର୍ଶ ପରିଷଦ ଗଠନର ପ୍ରସ୍ତାବ ରହିଛି । ପ୍ରସାରଣ ପରାମର୍ଶ ପରିଷଦ ଆତ୍ମନିୟନ୍ତ୍ରଣ, ବିଭିନ୍ନ କାର୍ଯ୍ୟକ୍ରମ ଓ ବିଜ୍ଞାପନ ନିୟମାବଳୀକୁ ତଦାରଖ କରିବ । ବିଭିନ୍ନ ନେଟୱାର୍କ ଅପରେସନ କାମ, ଭିନ୍ନକ୍ଷମଙ୍କୁ ସୁବିଧା ସୁଯୋଗ ପ୍ରଦାନ ଓ ବୈଧାନିକ ଜୋରିମାନା ଆଦି ବିଷୟରେ ଏହି ପରିଷଦ ମୁଖ୍ୟତଃ ନିର୍ଦ୍ଦେଶାବଳୀ ଜାରି କରିବ ।
ଏହି ପ୍ରସ୍ତାବିତ ବିଲ୍ରେ ସମଗ୍ର ପ୍ରସାରଣ କ୍ଷେତ୍ରର ଆଇନଗତ ଢାଞ୍ଚାକୁ ସୁଦୃଢ କରାଯାଇଛି । ପ୍ରୋଗ୍ରାମ କୋଡ୍ ଓ ବିଜ୍ଞାପନ କୋଡ୍କୁ ପାଳନ କରିବାକୁ ବିଷୟବସ୍ତୁ ମୂଲ୍ୟାୟନ (କଣ୍ଟେଣ୍ଟ ଇଭାଲ୍ୟୁସନ) କମିଟି ଗଠନର ପ୍ରସ୍ତାବ ରହିଛି । ବର୍ତମାନର ଆନ୍ତଃ ବିଭାଗୀୟ କମିଟି ପରିବର୍ତ୍ତେ ଗଠିତ ହେବ ପ୍ରସାରଣ ପରାମର୍ଶଦାତା ପରିଷଦ ଆର୍ଥିକ କ୍ଷମତାକୁ ଦେଖି ଜୋରିମାନା ଢାଞ୍ଚାକୁ ତାହା ସହିତ ସଂଯୁକ୍ତ କରାଯିବ ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବାକୁ ବିଲ୍ରେ ବ୍ୟବସ୍ଥା ରହିଛି ।
ଏହି ବିଲ୍ରେ ଛ’ଟି ଭାଗ, ୪୮ଧାରା ଓ ତିନିଟି ତଫସିଲ ରହିଛି । ବିଲ୍ରେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ମଧ୍ୟରେ ଆଠଟି ବିଷୟ ରହିଛି । ଏଗୁଡିକ ହେର୍ଲା (୧) ନିୟାମକ ବ୍ୟବସ୍ଥାର ସୁଦୃଢୀକରଣ ଓ ଆଧୁନିକୀକରଣ ,
୨) ସମସାମୟିକ ସଂଜ୍ଞା ନିର୍ଦ୍ଧାରଣ ଓ ଭବିଷ୍ୟତ ପାଇଁ ବ୍ୟବସ୍ଥା ପ୍ରସ୍ତୁତି
୩)ଆତ୍ମନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢ କରିବା,
୪) ପ୍ରୋଗାମ୍ କୋଡ୍ ଓ ଆଡଭାର୍ଟାଇଜମେଣ୍ଟ କୋଡ ମଧ୍ୟରେ ଭିନ୍ନତାକୁ ସ୍ପଷ୍ଟ କରିବା,
୫) ଭିନ୍ନକ୍ଷମମାନଙ୍କ ପାଇଁ ଆକସେସିବିଲିଟି ସୁବିଧା ସୁଯୋଗ ପ୍ରଦାନ,
୬) ବୈଧାନିକ ଜୋରିମାନ ଓ ଦଣ୍ଡବିଧାନ ବ୍ୟବସ୍ଥା କରିବା, ୭) ସମାନ ଦଣ୍ଡବିଧାନ ବ୍ୟବସ୍ଥା କ୍ଷେତ୍ରରେ ଆର୍ଥିକ କ୍ଷମତାକୁ ବିଚାରକୁ ନେବା
୮) ଭିତ୍ତିଭୂମି ସେୟାରିଂ ଓ ପ୍ଲାଟଫର୍ମ ସର୍ଭିସ ସୁବିଧା ସୁଯୋଗ ।
ଚିଠା ବିଲ୍ରେ ବିବାଦ ସମାଧାନ ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରସାରଣ କ୍ଷେତ୍ରକୁ ଅଧିକ ଶୃଙ୍ଖଳିତ ଓ ସୁନିୟନ୍ତ୍ରିତ କରିବାକୁ ଏହାର ଆଇନଗତ ତଥା ନିୟାମକ ଢାଞ୍ଚା ତିଆରି ହୋଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆତ୍ମ ନିୟନ୍ତ୍ରଣ, ସ୍ୱଚ୍ଛତା, ଉତ୍ତମ ସେବା, ଭବିଷ୍ୟତବାଦୀ ବିଚାରକୁ ଗୁରୁତ୍ୱ ଦେଇ ଏହି ବିଲ୍ ପ୍ରସ୍ତୁତ କରିଛି । ଏଥିରେ ପ୍ରସାରଣର ପରିସରକୁ ବୃଦ୍ଧି କରାଯାଇ ତାହାକୁ ଗୋଟିଏ ନିୟାମକ ବ୍ୟବସ୍ଥା ଅଧୀନରେ ରଖିବାକୁ ଉଦ୍ୟମ ହୋଇଛି ।
ଏହି ଚିଠା ପ୍ରସାରଣ ସେବା ନିୟନ୍ତ୍ରଣ ବିଲ୍-୨୦୨୩ ଉପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ଠାରୁ ମତାମତ ଆହ୍ୱାନ କରିଛନ୍ତି । ସେବା ପ୍ରଦାନକାରୀଙ୍କ ସମେତ ବିଶେଷଜ୍ଞ, ସର୍ବସାଧାରଣ ଏହା ଉପରେ ନିଜର ମତାମତ ଏହି ପ୍ରେସ ଇସ୍ତାହାର ପ୍ରକାଶ ପାଇବାର ୩୦ଦିନ ମଧ୍ୟରେ ନିମ୍ନ ଇ-ମେଲରେ ଜଣାଇପାରିବେ ।
ଇମେଲ: jsb-moib[at]gov[dot]in
*****