ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ହରିୟାନାର ଗୁରୁଗାଓଁ ଠାରେ ଏନ୍‌ଏଫ୍‌ଟିଏସ୍‌, ଏଆଇ ଏବଂ ମେଟାଭର୍ସର ଯୁଗରେ ଅପରାଧ ଏବଂ ସୁରକ୍ଷା ଉପରେ ଜି -୨୦ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି


ଦିନକୁ ଦିନ ବୃଦ୍ଧି ପାଉଥିବା ସଂଯୁକ୍ତ ବିଶ୍ୱରେ ସାଇବର ନମନୀୟତା ସୃଷ୍ଟି ପାଇଁ ଉଭୟ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସହଯୋଗର ଜରୁରୀ ଆବଶ୍ୟକତା ଉପରେ ଗୃହ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି

ପ୍ରଧାନମନ୍ତ୍ରୀ ମୋଦୀ ଟେକ୍ନୋଲୋଜିର ମାନବିକ ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଟେକ୍ନୋଲୋଜିର ବ୍ୟବହାର କ୍ଷେତ୍ରରେ ‘ସହାନୁଭୂତି’ ଏବଂ ‘ସମ୍ବେଦନଶୀଳତା’ ନିଶ୍ଚିତ କରିବାକୁ ସେ “ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍‌” କୁ “ଇମୋସନ୍ ଅଫ୍ ଥିଙ୍ଗସ୍‌” ସହିତ ଏକୀକୃତ କରିଛନ୍ତି

‘ସେବା ଗୁଡିକର ଡିଜିଟାଲ୍ ବିତରଣ’ ପାଇଁ ପଦକ୍ଷେପ ଏକ ଦଶନ୍ଧି ମଧ୍ୟରେ ଭାରତକୁ ଏକ ‘ଡିଜିଟାଲ୍ ରାଷ୍ଟ୍ର୍‌’ ରେ ପରିଣତ କରିଛି, ଭାରତ କିଛି ‘ସମସ୍ତଙ୍କ ପାଇଁ ଉନ୍ମୁକ୍ତ ସରକାରୀ ଡିଜିଟାଲ୍ ଭିତ୍ତିଭୂମି’ ମଡେଲ ପ୍ରତିଷ୍ଠା କରିଛି, ଯାହା ଆଜି ବିଶ୍ୱରେ ଉଦାହରଣ ପାଲଟିଛି

ଆମର ସୁରକ୍ଷା ଆହ୍ୱାନ ‘ଡାଇନାମାଇଟ୍ ରୁ ମେଟାଭର୍ସକୁ ରୂପାନ୍ତରିତ ହୋଇଛି ଏବଂ,‘ ଆମେ ‘ହାୱାଲାକୁ କ୍ରିପ୍ଟୋ କରେନ୍ସି’ କୁ ରୂପାନ୍ତର କରିବା ବିଶ୍ୱର ଅନ୍ୟ ଦେଶମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ଏବଂ ଆମ ସମସ୍ତଙ୍କୁ ଏକାଠି ଏହା ବିରୁଦ୍ଧରେ ଏକ ସାଧାରଣ ରଣନୀତି ପ୍ରସ୍ତୁତ କରିବାକୁ ପଡିବ

କୌଣସି ଗୋଟିଏ ଦେଶ କିମ୍ବା ଗୋଟିଏ ସଂଗଠନ ଏକାକୀ ସାଇବର ବିପଦକୁ ମୁକାବିଲା କରି ପାରିବ ନାହିଁ, ପାରମ୍ପରିକ ଭୌଗୋଳିକ ସୀମା ଉପରକୁ ଉଠି ଆମ ସମସ୍ତଙ୍କୁ ଚିନ୍ତା କରିବା ଆବଶ୍ୟକ ଏବଂ ଏହା ଏକ ମିଳିତ ସାମ୍ମୁଖ୍ୟ ଆବଶ୍ୟକ କରେ

ଡିଜିଟାଲ୍ ଅପରାଧ ଗୁଡିକର ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ହୋଇଥିବା ସମସ୍ତ ଦେଶର ଆଇନରେ କିଛି ସମାନତା ଆଣିବାକୁ ପ୍ରୟାସ ହେବା ଆବଶ୍ୟକ, ସାଇବର ସୁରକ୍ଷା ନୀତି ପ୍ରତି ଏକ ସମନ୍ୱିତ ତଥା ସ୍ଥିର ଆଭିମୁଖ୍ୟ ପାରସ୍ପରିକ କାର୍ଯ୍ୟଦକ୍ଷତାକୁ ସୁଗମ କରିବ, ସୂଚନା ବଂଟନ କରିବା କ୍ଷେତ୍ରରେ ବିଶ୍ୱାସ ବୃଦ୍ଧି କରିବ ଏବଂ ଏଜେନ୍ସି ପ୍ରୋଟୋକଲ୍ ଏବଂ ସମ୍ବଳ ବ୍ୟବଧାନକୁ ହ୍ରାସ କରିବ

ଏକ ପ୍ରଭାବଶାଳୀ ‘ଭବିଷ୍ୟ - ପ୍ରତିଷେଧକ - ପ୍ରତିରକ୍ଷା ଏବଂ ପୁନରୁଦ୍ଧାର’ କାର୍ଯ୍ୟ ପାଇଁ ଏକ ୨୪ x ‌୭ ସାଇବର ସୁରକ୍ଷା ଉପକରଣ ରହିବା ଉଚିତ୍

ଦାୟିତ୍ୱପୂର୍ଣ୍ଣ ବ୍ୟବହାର ନିଶ୍ଚିତ କରିବାକୁ ଏକ ‘ସ୍ୱଚ୍ଛ ଏବଂ ଉତ୍ତରଦାୟୀ ଏଆଇ ଏବଂ ଉଦୀୟମାନ ଟେକ୍ନୋଲୋଜି ଗଭର୍ନାନ୍ସ ଫ୍ରେମୱାର୍କ' ନିର୍ମାଣ କରିବାର ସମୟ ଆସିଛି

ଜି -୨୦ ଫୋରମ୍‌ରେ ସାଇବର ସୁରକ୍ଷା ଉପରେ ଅଧିକ ଧ୍ୟାନ ଗୁରୁତ୍ୱପୂର୍ଣ୍ଣ ‘ସୂଚନା ଭିତ୍ତିଭୂମି’ ଏବଂ ‘ଡିଜିଟାଲ୍ ସରକାରୀ ପ୍ଲାଟଫର୍ମ’ ର ସୁରକ୍ଷା ଏବଂ ଅଖଣ୍ଡତା ନିଶ୍ଚିତ କରିବାକୁ ଏକ ସକାରାତ୍ମକ ଅବଦାନ ଦେଇପାରେ

Posted On: 13 JUL 2023 2:37PM by PIB Bhubaneshwar

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ହରିୟାନାର ଗୁରୁଗାଓଁ ଠାରେ ଏନ୍‌ଏଫ୍‌ଟିଏସ୍‌, ଏଆଇ ଏବଂ ମେଟାଭର୍ସର ଯୁଗରେ ଅପରାଧ ଏବଂ ସୁରକ୍ଷା ଉପରେ ଜି -୨୦ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏହି ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅଜୟ କୁମାର ମିଶ୍ର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର, କେନ୍ଦ୍ର ଗୃହ ସଚିବ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଏହି ଦୁଇ ଦିନିଆ ସମ୍ମିଳନୀରେ ଜି -୨୦ ଦେଶ, ୯ ଟି ସ୍ୱତନ୍ତ୍ର ନିମନ୍ତ୍ରିତ ଦେଶ, ଅନ୍ତର୍ଜାତୀୟ ସଂସ୍ଥା ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରର ନେତୃମଣ୍ଡଲୀ ତଥା ଡୋମେନ୍ ବିଶେଷଜ୍ଞଙ୍କ ସମେତ ୯୦୦ ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଉଛନ୍ତି ।

ଶ୍ରୀ ଅମିତ ଶାହ ତାଙ୍କ ସମ୍ବୋଧନରେ ଉଭୟ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସହଯୋଗର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଚଳିତ ବର୍ଷ ଭାରତ ଜି -୨୦ ରେ ଅଧ୍ୟକ୍ଷତା କରୁଛି ଏବଂ ଭାରତର ଜି -୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ହେଉଛି “ବସୁଧୈବ କୁଟୁମ୍ବକମ୍‌” ଅର୍ଥାତ୍ “ଗୋଟିଏ ପୃଥିବୀ - ଗୋଟିଏ ପରିବାର - ଗୋଟିଏ ଭବିଷ୍ୟତ” ଯାହା ଆମର ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରିଥାଏ । ସେ ଦର୍ଶାଇଛନ୍ତି ଯେ ଆଜିର ‘ଡିଜିଟାଲ୍ ବିଶ୍ୱ’ ରେ ଏହି ପ୍ରସଙ୍ଗ ବୋଧହୁଏ ସବୁଠାରୁ ପ୍ରାସଙ୍ଗିକ ଅଟେ ।

କେନ୍ଦ୍ର ଗୃହ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ , ଟେକ୍ନୋଲୋଜି ସମସ୍ତ ପାରମ୍ପରିକ ଭୌଗୋଳିକ, ରାଜନୈତିକ ଏବଂ ଅର୍ଥନୈତିକ ସୀମା ଅତିକ୍ରମ କରିଛି ଏବଂ ଆଜି ଆମେ ଏକ ବୃହତ ବିଶ୍ୱସ୍ତରୀୟ ଡିଜିଟାଲ ଗ୍ରାମରେ ବସବାସ କରୁଛୁ । ସେ ମତ ଦେଇଛନ୍ତି ଯେ ଯଦିଓ, ମଣିଷ, ସମ୍ପ୍ରଦାୟ ଏବଂ ଦେଶକୁ ନିକଟତର କରିବାରେ ଟେକ୍ନୋଲୋଜି ଏକ ସକାରାତ୍ମକ ବିକାଶ, ସେଠାରେ କିଛି ସାମାଜିକ ବିରୋଧୀ ଉପାଦାନ ଏବଂ ବିଶ୍ୱ ଶକ୍ତି ମଧ୍ୟ ଅଛନ୍ତି, ଯେଉଁମାନେ ନାଗରିକ ତଥା ସରକାରଙ୍କ ପାଇଁ ଆର୍ଥିକ ଏବଂ ସାମାଜିକ କ୍ଷତି ଘଟାଇବା ପାଇଁ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି । ସେ କହିଛନ୍ତି ଯେ, ତେଣୁ ଏହି ସମ୍ମିଳନୀ ଏଥିପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ସମସ୍ତଙ୍କ ନିମନ୍ତେ ଡିଜିଟାଲ ଦୁନିଆକୁ ଅଧିକ ନିରାପଦ କରିବା ପାଇଁ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପଦକ୍ଷେପ ହୋଇପାରେ ।

ଶ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ଯେ , ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହା ବିଶ୍ୱାସ କରନ୍ତି , “ସାଇବର ସୁରକ୍ଷା କେବଳ ଡିଜିଟାଲ ଦୁନିଆ ଭିତରେ ସୀମିତ ନୁହେଁ । ଏହା ଜାତୀୟ ନିରାପତ୍ତା - ବିଶ୍ୱ ସୁରକ୍ଷାର ବିଷୟ ପାଲଟିଛି । ” ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଟେକ୍ନୋଲୋଜିର ମାନବିକ ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ ଟେକ୍ନୋଲୋଜି ବ୍ୟବହାରରେ ‘ସହାନୁଭୂତି’ ଏବଂ ‘ସମ୍ବେଦନଶୀଳତା’ ନିଶ୍ଚିତ କରିବାକୁ ମୋଦୀ ଜୀ “ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍‌”/ (ସାମଗ୍ରୀର ଇଂଟରନେଟ) କୁ “ଇମୋସନ୍ ଅଫ୍ ଥିଙ୍ଗସ୍‌” (ସାମଗ୍ରୀର ଭାବପ୍ରବଣତା) ସହିତ ସମନ୍ୱିତ କରିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ , ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ତୃଣମୂଳ ସ୍ତରରେ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଗ୍ରହଣ କରିବାରେ ଭାରତ ଆଗରେ ରହିଛି ଏବଂ ଆମେ ଆଧୁନିକ ଜ୍ଞାନକୌଶଳକୁ ସମାଜର ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ଅଧିକ ସୁଗମ ତଥା ସୁଲଭ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଗୃହ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଆଜି ୮୪୦ ନିୟୁତ ଭାରତୀୟଙ୍କର ଅନଲାଇନ୍ ଉପସ୍ଥିତି ରହିଛି ଏବଂ ୨୦୨୫ ସୁଦ୍ଧା ଅନ୍ୟ ୪୦୦ ନିୟୁତ ଭାରତୀୟ ଡିଜିଟାଲ ଦୁନିଆରେ ପ୍ରବେଶ କରିବେ । ଗତ ୯ ବର୍ଷରେ ଭାରତରେ ଇଣ୍ଟରନେଟ୍ ସଂଯୋଗ ୨୫୦% ବୃଦ୍ଧି ପାଇଛି ଏବଂ ପ୍ରତି ଜିବି ଡାଟା ମୂଲ୍ୟ ୯୬% ହ୍ରାସ ପାଇଛି ବୋଲି ସେ କହିଛନ୍ତି । ପ୍ରଧାନ ମନ୍ତ୍ରୀ ଜନ-ଧନ ଯୋଜନା ଅଧୀନରେ ୫୦୦ ନିୟୁତ ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇଛି ଏବଂ ୩୩୦ ନିୟୁତ ରୁପେ ଡେବିଟ କାର୍ଡ ବଣ୍ଟନ କରାଯାଇଛି ବୋଲି ମଧ୍ୟ ସେ ମତ ଦେଇଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ ୨୦୨୨ ରେ ୯୦ ମିଲିୟନ କାରବାର ସହିତ ବିଶ୍ୱ ଡିଜିଟାଲ ଦେୟ କ୍ଷେତ୍ରରେ ଭାରତ ଅଗ୍ରଣୀ ରହିଛି ଏବଂ ଆଜି ପର୍ଯ୍ୟନ୍ତ ଭାରତରେ ୟୁପିଆଇ କାରବାର ମୂଲ୍ୟ ୩୫ ଟ୍ରିଲିୟନ ରହିଛି । ସେ କହିଛନ୍ତି , ବିଶ୍ୱର ଡିଜିଟାଲ୍ ଦେୟ ଗୁଡିକର ୪୬% ଭାରତରେ କରାଯାଇଛି ଏବଂ ୨୦୧୭ - ୧୮ ବର୍ଷ ଠାରୁ କାରବାର ପରିମାଣରେ ୫୦ ଗୁଣ ବୃଦ୍ଧି ଘଟିଛି । ଶ୍ରୀ ଶାହ କହିଛନ୍ତି ଯେ ୫୨ ଟି ମନ୍ତ୍ରଣାଳୟର ୩୦୦ ରୁ ଅଧିକ ଯୋଜନାକୁ ଅନ୍ତର୍ଭୁକ୍ତ କରି ସିଧାସଳଖ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦୦ ମିଲିୟନ୍ ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛି । ସେ କହିଛନ୍ତି ଯେ ଡିଜି ଲକର୍ ପ୍ରାୟ ୬ ବିଲିୟନ ତଥ୍ୟ ଗଚ୍ଛିତ କରି ରଖିଛି । ଭାରତନେଟ ଅଧୀନରେ ଦେଶରେ ୬୦୦,୦୦୦ କିଲୋମିଟର ଅପ୍ଟିକାଲ ଫାଇବର କେବୁଲ (ଓଏଫ୍‌ସି) ବିଛାଯାଇଛି । ଶ୍ରୀ ଶାହ କହିଛନ୍ତି ଯେ ଉମଙ୍ଗ ଆପ୍ – (ନୂତନ ଯୁଗ ଶାସନ ପାଇଁ ୟୁନିଫାଏଡ୍ ମୋବାଇଲ୍ ଆବେଦନ) ୫୩ ନିୟୁତ ପଞ୍ଜିକରଣ ସହିତ ଆରମ୍ଭ କରାଯାଇଛି । ‘ସେବା ଗୁଡିକର ଡିଜିଟାଲ୍ ବିତରଣ’ ପାଇଁ ପଦକ୍ଷେପ ଏକ ଦଶନ୍ଧି ମଧ୍ୟରେ ଭାରତକୁ ‘ଡିଜିଟାଲ୍ ରାଷ୍ଟ୍ର’ ରେ ପରିଣତ କରିଛି ।

ଶ୍ରୀ ଅମିତ ଶାହ କହିଛନ୍ତି ଯେ ଏଥି ସହିତ ସାଇବର ବିପଦ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି । ସେ ୨୦୨୨ ବର୍ଷ ପାଇଁ ଇଣ୍ଟରପୋଲର 'ଗ୍ଲୋବାଲ୍ ଟ୍ରେଣ୍ଡ ସମାରି ରିପୋର୍ଟ'ରୁ ଉଦ୍ଧୃତ କରି କହିଛନ୍ତି ଯେ କିଛି ସାଇବର ଅପରାଧ ଧାରା ଯେପରିକି ରାନସମ୍‌ୱେୟାର, ଫିସିଂ, ଅନଲାଇନ୍ ସ୍କାମ, ଅନଲାଇନ୍ ଶିଶୁ ଯୌନ ଶୋଷଣ ଏବଂ ହ୍ୟାକିଂ ସମଗ୍ର ବିଶ୍ୱରେ ଗୁରୁତର ବିପଦ ସୃଷ୍ଟି କରୁଛି ଏବଂ ଭବିଷ୍ୟତରେ ଏହି ସାଇବର ଅପରାଧ ବହୁଗୁଣିତ ହେବାର ସମ୍ଭାବନା ରହିଛି । ଶ୍ରୀ ଶାହ କହିଛନ୍ତି ଯେ ଏହି ପ୍ରସଙ୍ଗରେ , ଏହି ସମ୍ମିଳନୀ ଜି -୨୦ ଅଧ୍ୟକ୍ଷତା ଏକ ନୂତନ ତଥା ଅନନ୍ୟ ପଦକ୍ଷେପ ଏବଂ ଜି -୨୦ ରେ ସାଇବର ସୁରକ୍ଷା ଉପରେ ଏହା ହେଉଛି ପ୍ରଥମ ଆଲୋଚନା । ସେ କହିଛନ୍ତି ଯେ ଜି -୨୦ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥନୈତିକ ଦୃଷ୍ଟିକୋଣରୁ ଡିଜିଟାଲ ପରିବର୍ତ୍ତନ ଏବଂ ତଥ୍ୟ ପ୍ରବାହ ଉପରେ ଧ୍ୟାନ ଦେଇଛି, କିନ୍ତୁ ବର୍ତ୍ତମାନ ଅପରାଧ ଏବଂ ନିରାପତ୍ତା ଦିଗକୁ ବୁଝିବା ଏବଂ ଏହାର ସମାଧାନ ଖୋଜିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ ଏକ ସମନ୍ୱିତ ତଥା ସହଯୋଗୀ ଆଭିମୁଖ୍ୟରେ ନୂତନ ତଥା ଉଦୀୟମାନ ବିପଦକୁ ଠିକ୍ ସମୟରେ ମୁକାବିଲା କରି ଏନ୍‌ଏଫ୍‌ଟିଏସ୍‌, ଏଆଇ, ମେଟାଭର୍ସ ଏବଂ ଅନ୍ୟାନ୍ୟ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଯୁଗରେ ଆଗରେ ରହିବା ହେଉଛି ଆମର ପ୍ରୟାସ ।  

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ ଜି -୨୦ ଫୋରମରେ ସାଇବର ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେବା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ‘ସୂଚନା ଭିତ୍ତିଭୂମି’ ଏବଂ ‘ଡିଜିଟାଲ୍ ସରକାରୀ ପ୍ଲାଟଫର୍ମ’ର ସୁରକ୍ଷା ତଥା ଅଖଣ୍ଡତା ନିଶ୍ଚିତ ହୋଇ ପାରିବ । ସେ କହିଛନ୍ତି ଯେ , ଜି -୨୦ ପ୍ଲାଟଫର୍ମରେ ସାଇବର ସ୍ପେସ୍ ସୁରକ୍ଷା ଏବଂ ସାଇବର ଅପରାଧ ଉପରେ ଆଲୋଚନା ‘ଇଣ୍ଟେଲିଜେନ୍ସ ଆଣ୍ଡ ଇନଫରମେସନ୍ ସେୟାର୍ ନେଟୱାର୍କ’ର ବିକାଶରେ ସହାୟକ ହେବ ଏବଂ ଏହି କ୍ଷେତ୍ରରେ ‘ବିଶ୍ୱସ୍ତରୀୟ ସହଯୋଗ’ କୁ ବୃଦ୍ଧି କରିବ । ଶ୍ରୀ ଶାହ କହିଛନ୍ତି ଯେ , ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ‘ଡିଜିଟାଲ ପବ୍ଳିକ୍ ଗୁଡ୍ସ’ ଏବଂ ‘ଡିଜିଟାଲ ସରକାରୀ ଭିତ୍ତିଭୂମି’କୁ ସଶକ୍ତ ତଥା ସୁରକ୍ଷିତ ରଖିବା ପାଇଁ ଏକ ନିରାପଦ ତଥା ଦକ୍ଷ ଅନ୍ତର୍ଜାତୀୟ ଢାଂଚାକୁ ପ୍ରୋତ୍ସାହିତ କରିବା ସହିତ ବୈଷୟିକ ଜ୍ଞାନର ଶକ୍ତି ବ୍ୟବହାର କରିବା ।

ଶ୍ରୀ ଅମିତ ଶାହ କହିଛନ୍ତି ଯେ ଦୁଇ ଦିନିଆ ସମ୍ମିଳନୀର ଛଅଟି ଅଧିବେଶନରେ ଅନ୍ତର୍ଜାତୀୟ ସହଯୋଗ ଢାଂଚା ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ହେବ, ସେଗୁଡିକ ହେଉଛି :

ଇଣ୍ଟରନେଟ୍ ଗଭର୍ନାନ୍ସ,

ଡିଜିଟାଲ୍ ସରକାରୀ ଭିତ୍ତିଭୂମିର ସୁରକ୍ଷା,

ଡିଜିଟାଲ୍ ମାଲିକାନା ସମ୍ବନ୍ଧୀୟ ଆଇନଗତ ଏବଂ ନିୟାମକ ପ୍ରସଙ୍ଗ,

ଡାର୍କ ନେଟ୍ ପାଇଁ ଏଆଇ ଏବଂ ଅନ୍ତର୍ଜାତୀୟ ସହଯୋଗ ଫ୍ରେମୱାର୍କର ଦାୟିତ୍ୱପୂର୍ଣ୍ଣ ବ୍ୟବହାର 

ଏହି ସମ୍ମିଳନୀକୁ ଅନ୍ତର୍ଜାତୀୟ ସମୁଦାୟ ଅନ୍ତରରୁ ସମର୍ଥନ କରି ଥିବାରୁ ଶ୍ରୀ ଶାହ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଏହି ସମ୍ମିଳନୀରେ ଜି -୨୦ ସଦସ୍ୟଙ୍କ ବ୍ୟତୀତ ୯ ଅତିଥି ଦେଶ ଏବଂ ୨ ପ୍ରମୁଖ ଅନ୍ତର୍ଜାତୀୟ ସଂଗଠନ, ଇଣ୍ଟରପୋଲ ଏବଂ ୟୁଏନ୍‌ଓଡିସି ଏବଂ ବିଭିନ୍ନ ଅନ୍ତର୍ଜାତୀୟ ବକ୍ତାମାନେ ଅଂଶଗ୍ରହଣ କରୁଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ, ଏହି ଡିଜିଟାଲ ଯୁଗ ପରେ ସାଇବର ସୁରକ୍ଷା ବିଶ୍ୱ ନିରାପତ୍ତାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗରେ ପରିଣତ ହୋଇଛି, ଯାହା ଏହାର ଅର୍ଥନୈତିକ ଏବଂ ଭୂ- ରାଜନୈତିକ ପ୍ରଭାବ ଉପରେ ପର୍ଯ୍ୟାପ୍ତ ଧ୍ୟାନ ଆବଶ୍ୟକ କରେ । ସେ କହିଛନ୍ତି ଯେ ଆତଙ୍କବାଦ, ଆତଙ୍କବାଦକୁ ଆର୍ଥିକ ସହାୟତା, ଉଗ୍ରବାଦକରଣ, ନିଶା କାରବାର, ନାର୍କୋ- ଆତଙ୍କବାଦୀ ସଂଯୋଗ ଏବଂ ଭୁଲ ତଥ୍ୟ ପ୍ରଦାନ ସହିତ ନୂତନ ତଥା ଉଦୀୟମାନ, ପାରମ୍ପରିକ ତଥା ଅଣ ପାରମ୍ପରିକ ଆହ୍ୱାନର ମୁକାବିଲା ପାଇଁ ରାଷ୍ଟ୍ର ତଥା ଅନ୍ତର୍ଜାତୀୟ ସଂଗଠନର ସାମର୍ଥ୍ୟକୁ ମଜଭୁତ କରିବା ଏକାନ୍ତ ଆବଶ୍ୟକ । ଶ୍ରୀ ଶାହ ଉଲ୍ଲେଖ କରିଛନ୍ତି ଯେ ଆମର ସୁରକ୍ଷା ଆହ୍ୱାନ ଗୁଡ଼ିକର 'ଡାଇନାମାଇଟ୍ ରୁ ମେଟାଭର୍ସ' କୁ ରୂପାନ୍ତରଣ ଏବଂ ' ହାୱାଲାକୁ କ୍ରିପ୍ଟୋ କରେନ୍ସି' କୁ ରୂପାନ୍ତର କରିବା ବିଶ୍ୱର ଦେଶ ମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି ଏବଂ ଆମ ସମସ୍ତଙ୍କୁ ଏହା ବିରୁଦ୍ଧରେ ଏକ ସାଧାରଣ ରଣନୀତି ଯୋଜନା ପ୍ରସ୍ତୁତ କରିବାକୁ ପଡିବ । ଶ୍ରୀ ଶାହ କହିଛନ୍ତି ଯେ , ଆତଙ୍କବାଦୀମାନେ ହିଂସା ଘଟାଇବା, ଯୁବକ ମାନଙ୍କୁ ଉଗ୍ରବାଦ ଦିଗରେ ନେବା ଏବଂ ଆର୍ôଥକ ସମ୍ବଳ ବୃଦ୍ଧି କରିବା ପାଇଁ ନୂତନ ଉପାୟ ଖୋଜୁଛନ୍ତି ଏବଂ ଆତଙ୍କବାଦୀମାନେ ଆର୍ଥିକ କାରବାର ପାଇଁ ଭର୍ଚୁଆଲ ସମ୍ପତ୍ତି ଆକାରରେ ଏହାକୁ ବ୍ୟବହାର କରୁଛନ୍ତି । ସେ କହିଛନ୍ତି ଯେ ଆତଙ୍କବାଦୀମାନେ ନିଜର ପରିଚୟ ଲୁଚାଇବା ଏବଂ ଅତ୍ୟାଧୁନିକ ସାମଗ୍ରୀ ବିସ୍ତାର କରିବା ପାଇଁ ଡାର୍କ ନେଟ୍‌୍ ବ୍ୟବହାର କରୁଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ, ଆମକୁ ଡାର୍କ ନେଟ୍‌ରେ ଚାଲୁଥିବା ଏହି କାର୍ଯ୍ୟକଳାପର ଢାଂଚାକୁ ବୁଝିବାକୁ ହେବ ଏବଂ ଏହାର ସମାଧାନ ପାଇଁ ମଧ୍ୟ ଅନୁସନ୍ଧାନ କରିବାକୁ ହେବ । ସେ କହିଛନ୍ତି ଯେ ଏକ “ଦୃଢ଼ ଏବଂ ଦକ୍ଷ କାର୍ଯ୍ୟକ୍ଷମ ପ୍ରଣାଳୀ” ସୃଷ୍ଟି କରିବା ପାଇଁ ଆମକୁ ବିଭିନ୍ନ ଭର୍ଚୁଆଲ୍ ସମ୍ପତ୍ତିର ବ୍ୟବହାର ଉପରେ କଟକଣା ଲଗାଇବାକୁ ଚିନ୍ତା କରିବା ଆବଶ୍ୟକ ।

ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଏକଦା ବିଜ୍ଞାନ କଳ୍ପନାର ବିଚାର ମେଟାଭର୍ସ ବର୍ତ୍ତମାନ ବାସ୍ତବ ଦୁନିଆରେ ପାଦ ଦେଇଛି ଏବଂ ଏହା ଆତଙ୍କବାଦୀ ସଂଗଠନ ପାଇଁ ନୂତନ ସୁଯୋଗ ସୃଷ୍ଟି କରିପାରେ, ମୁଖ୍ୟତଃ ପ୍ରଚାର, ନିଯୁକ୍ତି ଏବଂ ତାଲିମ ପାଇଁ ଏହା ସୁଯୋଗ ଦୃଷ୍ଟି କରିପାରେ । ସେ କହିଛନ୍ତି ଯେ ଆତଙ୍କବାଦୀ ସଂଗଠନ ଗୁଡିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ବାଛିବା ଏବଂ ଲକ୍ଷ୍ୟଭୁକ୍ତ କରିବା ଏବଂ ସେମାନଙ୍କ ଦୁର୍ବଳତା ଅନୁଯାୟୀ ସାମଗ୍ରୀ ପ୍ରସ୍ତୁତ କରିବାକୁ ଏହା ସହଜ କରିବ । ସେ କହିଛନ୍ତି ଯେ ମେଟାଭର୍ସ ଉପଭୋକ୍ତାଙ୍କର ପରିଚୟର ପ୍ରକୃତ ଅନୁକରଣ ପାଇଁ ଏକ ସୁଯୋଗ ସୃଷ୍ଟି କରେ, ଯାହା “ଗଭୀର- ମିଥ୍ୟା” ଭାବରେ ଜଣାଶୁଣା, ଏବଂ ବ୍ୟକ୍ତି ବିଶେଷଙ୍କ ବିଷୟରେ ଉତ୍ତମ ବାୟୋମେଟ୍ରିକ୍ ସୂଚନା ବ୍ୟବହାର କରି ଅପରାଧୀମାନେ ଉପଭୋକ୍ତା ମାନଙ୍କ ଛଦ୍ମନାମର ବ୍ୟବହାର କରି ସେମାନଙ୍କର ପରିଚୟ ଚୋରି କରିବାରେ ସମର୍ଥ ହେବେ । ଶ୍ରୀ ଶାହ କହିଛନ୍ତି ଯେ ରାନସମ୍‌ୱେୟାର ଆକ୍ରମଣ, ବ୍ୟକ୍ତିଗତ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ବିକ୍ରୟ, ଅନଲାଇନ୍ ନିର୍ଯାତନା ଏବଂ ଶିଶୁ ନିର୍ଯାତନା ଠାରୁ ଆରମ୍ଭ କରି ମିଥ୍ୟା ଖବର ତଥା ‘ଟୁଲ୍‌କିଟ୍‌’ ସହିତ ଭୁଲ ସୂଚନା ଅଭିଯାନ ଭଳି ଘଟଣା ସାଇବର ଅପରାଧୀଙ୍କ ଦ୍ୱାରା କରାଯାଉଛି । ସେ କହିଛନ୍ତି ଯେ ଏଥି ସହିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ଆର୍ôଥକ ବ୍ୟବସ୍ଥାକୁ ରଣନୈତିକ ଦୃଷ୍ଟିରୁ ଲକ୍ଷ୍ୟଭୁକ୍ତ କରିବାର ମଧ୍ୟ ପ୍ରବୃତ୍ତି ରହିଛି । ଏଭଳି କାର୍ଯ୍ୟକଳାପ ଜାତୀୟ ଚିନ୍ତାର ବିଷୟ, କାରଣ ସେମାନଙ୍କର କାର୍ଯ୍ୟକଳାପ ଜାତୀୟ ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ସେ କହିଛନ୍ତି ଯେ ଏପରି ଅପରାଧ ଏବଂ ଅପରାଧୀଙ୍କୁ ବନ୍ଦ କରିବା ପାଇଁ, ପାରମ୍ପରିକ ଭୌଗୋଳିକ ସୀମା ଉପରକୁ ଉଠି ଆମକୁ ଚିନ୍ତା କରିବାକୁ ହେବ ଏବଂ କାର୍ଯ୍ୟ କରିବାକୁ ପଡିବ । ଶ୍ରୀ ଶାହ ଦର୍ଶାଇଛନ୍ତି ଯେ ଡିଜିଟାଲ ଯୁଦ୍ଧର ଲକ୍ଷ୍ୟ ଆମର ଭୌତିକ ସମ୍ବଳ ନୁହେଁ, କିନ୍ତୁ ଅନଲାଇନ୍ କାର୍ଯ୍ୟ କରିବାର କ୍ଷମତା ଏବଂ କିଛି ମିନିଟ୍ ପାଇଁ ଅନଲାଇନ୍ ନେଟୱାର୍କର ବ୍ୟାଘାତ ମଧ୍ୟ ସାଂଘାତିକ ହୋଇପାରେ ।

 କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ ଆଜି ବିଶ୍ୱର ସମସ୍ତ ସରକାର ଶାସନ ତଥା ଜନ କଲ୍ୟାଣ କ୍ଷେତ୍ରରେ ଡିଜିଟାଲ ମାଧ୍ୟମର ବ୍ୟବହାରକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଏହି ଦିଗରେ ନାଗରିକ ମାନଙ୍କର ଡିଜିଟାଲ ପ୍ଲାଟଫର୍ମ ଉପରେ ବିଶ୍ୱାସ ରହିବା ଆବଶ୍ୟକ । ସେ କହିଛନ୍ତି ଯେ , ଡିଜିଟାଲ କ୍ଷେତ୍ରରେ ଅସୁରକ୍ଷିତତା ମଧ୍ୟ ରାଷ୍ଟ୍ର- ରାଜ୍ୟର ବୈଧତା ଏବଂ ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ଶ୍ରୀ ଶାହ କହିଛନ୍ତି ଯେ ଆମର ଇଣ୍ଟରନେଟ୍ ଦୃଷ୍ଟିକୋଣ ଆମ ଦେଶର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଅତ୍ୟଧିକ ସ୍ୱାଧୀନତା କିମ୍ବା ଡିଜିଟାଲ୍ ଫାୟାରୱାଲ୍ ଭଳି ବିଚ୍ଛିନ୍ନତାବାଦୀ ସଂରଚନା ମଧ୍ୟରୁ ଗୋଟିଏ ହେବା ଉଚିତ୍ ନୁହେଁ । ସେ କହିଛନ୍ତି ଯେ ଭାରତ କେତେକ ନିର୍ଦ୍ଦିଷ୍ଟ ‘ସମସ୍ତଙ୍କ ପାଇଁ ସରକାରୀ ଡିଜିଟାଲ୍ ଭିତ୍ତିଭୂମି' ମଡେଲ ପ୍ରତିଷ୍ଠା କରିଛି, ଯାହା ଆଜି ବିଶ୍ୱରେ ଉଦାହରଣ ପାଲଟିଛି । ଭାରତ ଡିଜିଟାଲ ପରିଚୟ ପାଇଁ ଆଧାର ମଡେଲ, ରିଅଲ ଟାଇମ ଫାଷ୍ଟ ପେମେଣ୍ଟର ୟୁପିଆଇ ମଡେଲ, ଡିଜିଟାଲ ବାଣିଜ୍ୟ (ଓଏନ୍‌ଡିସି) ପାଇଁ ଓପନ ନେଟୱାର୍କ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓପନ ହେଲଥ ସର୍ଭିସ ନେଟୱାର୍କ ବିକଶିତ କରିଛି । ଶ୍ରୀ ଶାହ କହିଛନ୍ତି ଯେ ସୂଚନା ଏବଂ ଅର୍ଥର ପ୍ରବାହକୁ ସୁଗମ କରିବା ପାଇଁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ପାଇଁ ଆଜି ବିଶ୍ୱ ଏକ ମଡେଲ ଆବଶ୍ୟକ କରୁଛି ଏବଂ ଏହା ବିଶ୍ୱର ଦେଶ ମାନଙ୍କୁ ସେମାନଙ୍କ ନାଗରିକ ମାନଙ୍କୁ ଡିଜିଟାଲ୍ କ୍ଷେତ୍ରରେ ସଶକ୍ତ କରିବାରେ ସହଜ କରିବ ।

ଶ୍ରୀ ଅମିତ ଶାହ କହିଛନ୍ତି ଯେ ବିଶ୍ୱର ଅନେକ ଦେଶ ସାଇବର ଆକ୍ରମଣର ଶିକାର ହୋଇଛନ୍ତି ଏବଂ ଏହି ବିପଦ ବିଶ୍ୱର ସମସ୍ତ ପ୍ରମୁଖ ଅର୍ଥନୀତି ଉପରେ ଘୂରି ବୁଲୁଛି । ସେ ଦର୍ଶାଇଛନ୍ତି ଯେ ବିଶ୍ୱ ବ୍ୟାଙ୍କର ଆକଳନ ଅନୁଯାୟୀ, ୨୦୧୯ - ୨୦୨୩ ବର୍ଷ ମଧ୍ୟରେ ସାଇବର ଆକ୍ରମଣ ଯୋଗୁଁ ବିଶ୍ୱକୁ ପ୍ରାୟ ୫.୨ ଟ୍ରିଲିୟନ ଡଲାର କ୍ଷତି ହୋଇପାରେ । 

ଦୁର୍ଭାବନାପୂର୍ଣ୍ଣ ବିପଦ ଅଭିନେତାମାନଙ୍କ ଦ୍ୱାରା କ୍ରିପ୍ଟୋ କରେନ୍ସିର ବ୍ୟବହାର ଏହାର ଚିହ୍ନଟ ଏବଂ ପ୍ରତିରୋଧକୁ ଆହୁରି ଅଧିକ ଜଟିଳ କରିଥାଏ । ଶ୍ରୀ ଶାହ କହିଛନ୍ତି ଯେ , ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଏକ ସମାନ ସାଇବର ରଣନୀତିର ରୂପରେଖ ପ୍ରସ୍ତୁତ କରିବେ ସାଇବର ଅପରାଧ ଗୁଡିକର ବାସ୍ତବିକ ସମୟ ରିପୋର୍ଟ, ଆଇନ ଶୃଙ୍ଖଳା ଏଜେନ୍ସିର ଦକ୍ଷତା ବୃଦ୍ଧି, ବିଶ୍ଲେଷଣାତ୍ମକ ଉପକରଣର ପରିକଳ୍ପନା ଫୋରେନସିକ୍ ଲାବୋରେଟୋରୀ ଗୁଡିକର ଏକ ଜାତୀୟ ନେଟୱାର୍କ ସ୍ଥାପିତ କରିବା , ସାଇବର ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ ପ୍ରତ୍ୟେକ ନାଗରିକଙ୍କୁ ସାଇବର ସଚେତନତା ବିସ୍ତାର କରିବା ଦିଗରେ କାର୍ଯ୍ୟ କରିଛନ୍ତି । 

ଶ୍ରୀ ଶାହ କହିଛନ୍ତି ଯେ ଦେଶର ସମସ୍ତ ପୋଲିସ ଷ୍ଟେସନରେ କ୍ରାଇମ ଆଣ୍ଡ କ୍ରାଇମବ୍ରାଞ୍ଚ ଟ୍ରାକିଂ ନେଟୱାର୍କ ଏବଂ ସିଷ୍ଟମ (ସିସିଟିଏନ୍‌ଏସ୍‌) କାର୍ଯ୍ୟକାରୀ କରାଯାଇଛି । ସେ କହିଛନ୍ତି ଯେ ସାଇବର ଅପରାଧ ବିରୋଧରେ ବ୍ୟାପକ ପ୍ରତିକ୍ରିୟା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର (ଆଇ -୪ସି) ପ୍ରତିଷ୍ଠା କରିଛନ୍ତି । ଭାରତ ସରକାର 'ସାଇଟ୍ରାଇନ୍‌' ପୋର୍ଟାଲ୍ ନାମକ ଏକ ବୃହତ ଅନ୍‌ଲାଇନ୍ ପାଠ୍ୟକ୍ରମ ପ୍ଲାଟଫର୍ମ ମଧ୍ୟ ସୃଷ୍ଟି କରିଛନ୍ତି, ଯାହା ସାଇବର ସୁରକ୍ଷା କ୍ଷେତ୍ରରେ ବିଶ୍ୱର ସର୍ବବୃହତ ତାଲିମ କାର୍ଯ୍ୟକ୍ରମ ହେବ ।

ଏକ ନିରାପଦ ତଥା ସୁରକ୍ଷିତ ସାଇବର ସ୍ଥାନକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅଂଶଗ୍ରହଣକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ କହିଛନ୍ତି, ଡିଜିଟାଲ ଅପରାଧର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥିବା ସମସ୍ତ ଦେଶର ନିୟମରେ କିଛି ସମାନତା ଆଣିବା ପାଇଁ ଉଦ୍ୟମ ହେବା ଆବଶ୍ୟକ । ସାଇବର ଅପରାଧର ସୀମାହୀନ ପ୍ରକୃତିକୁ ଧ୍ୟାନରେ ରଖି ଆମେ ଦେଶର ବିଭିନ୍ନ ନିୟମ ଅନୁଯାୟୀ ଏକ ପ୍ରତିକ୍ରିୟା ପ୍ରଣାଳୀ ସ୍ଥାପନ କରିବା ଆବଶ୍ୟକ । ଏହି କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗ ସାଇବର ସୁରକ୍ଷା ମାନଦଣ୍ଡ, ସର୍ବୋତ୍ତମ ଅଭ୍ୟାସ ଏବଂ ନିୟମାବଳୀକୁ ସୁସଂଗଠିତ କରିବାରେ ସାହାଯ୍ୟ କରିବ । ଏହି ସମ୍ମିଳନୀ ଏହି ଦିଗରେ ଏକ ଦୃଢ଼ କାର୍ଯ୍ୟ ଯୋଜନା ପ୍ରଦାନ କରିବ ବୋଲି ଶ୍ରୀ ଶାହ ଆଶା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, ସାଇବର ସୁରକ୍ଷା ନୀତି ପ୍ରତି ଏକ ସମନ୍ୱିତ ଏବଂ ସ୍ଥିର ଆଭିମୁଖ୍ୟ ପାରସ୍ପରିକ କାର୍ଯ୍ୟଦକ୍ଷତାକୁ ସୁଗମ କରିବ, ସୂଚନା ବଣ୍ଟନ ଉପରେ ବିଶ୍ୱାସ ବୃଦ୍ଧି କରିବ ଏବଂ ଏଜେନ୍ସି ପ୍ରୋଟୋକଲ ଏବଂ ସମ୍ବଳ ଗୁଡିକର ବ୍ୟବଧାନକୁ ହ୍ରାସ କରିବ । ସେ କହିଛନ୍ତି ଯେ ଦେଶର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୁରକ୍ଷିତ ରଖିବା ପାଇଁ ଶିଳ୍ପ ଏବଂ ଏକାଡେମୀର ସକ୍ରିୟ ସହଯୋଗରେ ସଦସ୍ୟ ଦେଶମାନଙ୍କ ମଧ୍ୟରେ ‘ରିଅଲ୍ ଟାଇମ୍ ସାଇବର ଥ୍ରେଟ୍ ଇଂଟେଲିଜେନ୍ସ’ ବଂଟନ କରିବା ବର୍ତ୍ତମାନ ସମୟର ଆବଶ୍ୟକତା । ସାଇବର ଘଟଣାଗୁଡ଼ିକ ଉପରେ ରିପୋର୍ଟ ଏବଂ କାର୍ଯ୍ୟରେ ସମସ୍ତ ଦେଶର ସାଇବର ଏଜେନ୍ସି ମଧ୍ୟରେ ଅଧିକ ସମନ୍ୱୟ ରହିବା ଉଚିତ୍ । ଏକ ‘ଶାନ୍ତିପୂର୍ଣ୍ଣ, ନିରାପଦ, ପ୍ରତିରୋଧକାରୀ ଏବଂ ମୁକ୍ତ’ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା ପରିବେଶ ଗଠନ ପାଇଁ ମିଳିତ ପ୍ରୟାସ ମାଧ୍ୟମରେ ସୀମା ସାଇବର ଅପରାଧର ଅନୁସନ୍ଧାନରେ ସହଯୋଗ ଆଜି ଅତ୍ୟନ୍ତ ଆବଶ୍ୟକ । ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିର ଅପରାଧିକ ବ୍ୟବହାର ଉପରେ ମିଳିତ ଜାତିସଂଘର ସମ୍ମିଳନୀ ଅନୁଯାୟୀ, ଶୀଘ୍ର ସଂରକ୍ଷଣ, ପ୍ରମାଣ ଏବଂ ପ୍ରମାଣର ସମନ୍ୱୟ ଜରୁରୀ ଅଟେ । ଉଦୀୟମାନ ପ୍ରଯୁକ୍ତି ବିଦ୍ୟା କାରଣରୁ ମୁଣ୍ଡ ଟେକୁଥିବା ବିପଦର ମୁକାବିଲା ପାଇଁ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆର୍‌ଟିଏସ୍‌) କୁ ମଜବୁତ କରାଯିବା ଆବଶ୍ୟକ । ଏକ ପ୍ରଭାବଶାଳୀ ‘ଭବିଷ୍ୟ - ପ୍ରତିଷେଧକ - ପ୍ରତିରକ୍ଷା ଏବଂ ପୁନରୁଦ୍ଧାର’ କାର୍ଯ୍ୟ ପାଇଁ ଏକ ୨୪ଙ୍ଘ୭ ସାଇବର ସୁରକ୍ଷା ଉପକରଣ ରହିବା ଉଚିତ୍ । ସାଇବର ଅପରାଧର ମୁକାବିଲା ପାଇଁ ରାଷ୍ଟ୍ର, ସଂଗଠନ ଏବଂ ହିତାଧିକାରୀ ମାନଙ୍କ ଦ୍ୱାରା ସହଯୋଗ ତଥା ସୂଚନା ବାଣ୍ଟିବା ଆବଶ୍ୟକ କରୁଥିବା ସାଇବର ଥ୍ରେଟ୍ ଲ୍ୟାଣ୍ଡସ୍କେପର ପ୍ରକୃତି ଜାତୀୟ ସୀମା ମଧ୍ୟରେ ବ୍ୟାପିଛି । ଦାୟିତ୍ୱପୂର୍ଣ୍ଣ ବ୍ୟବହାର ନିଶ୍ଚିତ କରିବାକୁ ଏକ 'ସ୍ୱଚ୍ଛ ଏବଂ ଉତ୍ତରଦାୟୀ ଏଆଇ ଏବଂ ଉଦୀୟମାନ ଟେକ୍ନୋଲୋଜି ଗଭର୍ନାନ୍ସ ଫ୍ରେମୱାର୍କ' ନିର୍ମାଣ କରିବାର ସମୟ ଆସିଛି । ଡିଜିଟାଲ ମୁଦ୍ରା ସହିତ ଜଡିତ ସାଇବର ଅପରାଧର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହିପରି ଆର୍ôଥକ ଅନିୟମିତତାକୁ ରୋକିବା ପାଇଁ ଦେଶମାନଙ୍କ ମଧ୍ୟରେ ଏକ ‘ଉତ୍ସର୍ଗୀକୃତ ସାଧାରଣ ଚ୍ୟାନେଲ’ର ଆବଶ୍ୟକତା ରହିଛି । ଏନ୍‌ଏଫ୍‌ଟି ପ୍ଲାଟଫର୍ମ ଗୁଡିକର ତୃତୀୟ- ପକ୍ଷ ଯାଞ୍ଚ ବିଶ୍ୱାସ ବୃଦ୍ଧି କରିବ ଏବଂ ଅପରାଧିକ କାର୍ଯ୍ୟକଳାପକୁ ବନ୍ଦ କରିବ ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ସମ୍ବୋଧନକୁ ସମାପ୍ତ କରି ପୁଣି ଥରେ କହିଛନ୍ତି ଯେ କୌଣସି ଗୋଟିଏ ଦେଶ କିମ୍ବା ଗୋଟିଏ ସଂଗଠନ ସାଇବର ବିପଦକୁ ମୁକାବିଲା କରି ପାରିବେ ନାହିଁ - ଏହା ଏକ ମିଳିତ ସାମ୍ମୁଖ୍ୟ ଆବଶ୍ୟକ କରେ । ସେ କହିଛନ୍ତି ଯେ ଆମର ଭବିଷ୍ୟତ ଆମକୁ ‘ସମ୍ବେଦନଶୀଳତା ସହିତ ଟେକ୍ନୋଲୋଜି ବ୍ୟବହାର କରିବା’ ଏବଂ ‘ଜନସାଧାରଣଙ୍କ ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ କରିବା’ ପ୍ରତି ଆମର ପ୍ରତିବଦ୍ଧତା ମଧ୍ୟରେ ସ୍ଥିର ରହିବାର ସୁଯୋଗ ଦେଇଛି ଏବଂ ଏହି କାର୍ଯ୍ୟକୁ କେବଳ ସରକାରମାନେ ପରିଚାଳନା କରି ପାରିବେ ନାହିଁ । ଶ୍ରୀ ଶାହ କହିଛନ୍ତି ଯେ ଆମେ ସାଇବର ବିଫଳତା ବିଶ୍ୱ ନୁହେଁ ବରଂ ଏକ ‘ସାଇବର ସଫଳ ବିଶ୍ୱ’ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ । ସେ କହିଛନ୍ତି ଯେ ସମସ୍ତଙ୍କ ପାଇଁ ଏକ 'ନିରାପଦ ତଥା ସମୃଦ୍ଧ ଡିଜିଟାଲ ଭବିଷ୍ୟତ' ସୁନିଶ୍ଚିତ କରିବା ସହିତ ଆମେ ଏହି ଟେକ୍ନୋଲୋଜିର ସମ୍ଭାବନାକୁ ବ୍ୟବହାର କରି ପାରିବା ।

***

SSP

 

 

 



(Release ID: 1939318) Visitor Counter : 120