ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜି-7 ଶିଖର ସମ୍ମିଳନୀର 9ମ କାର୍ଯ୍ୟକାରୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟ

Posted On: 21 MAY 2023 10:20AM by PIB Bhubaneshwar

ମହାମହିମ,

ଆଜି ଆମେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଶୁଣିଲେ । କାଲି ମୋର ତାଙ୍କ ସହିତ ମଧ୍ୟ ସାକ୍ଷାତ ହୋଇଥିଲା । ମୁଁ ବର୍ତମାନର ପରିସ୍ଥିତିକୁ ରାଜନୀତି ଅବା ଅର୍ଥ ବ୍ୟବସ୍ଥାର ପ୍ରସଙ୍ଗ ବୋଲି ଭାବୁ ନାହିଁ । ମୋ ମତରେ ଏହା ହେଉଛି ମାନବତାର ପ୍ରସଙ୍ଗ, ହେଉଛି ମାନବୀୟ ମୂଲ୍ୟବୋଧର ପ୍ରସଙ୍ଗ । ଆମେ ଆରମ୍ଭରୁ କହିଛୁ ଯେ, ଆଲୋଚନା ଏବଂ କୂଟନୀତି ହେଉଛି ଏକମାତ୍ର ପଥ । ଆଉ ଏହି ପରିସ୍ଥିତିର ସମାଧାନ ପାଇଁ, ଭାରତ ଦ୍ୱାରା ଯାହା କିଛି ମଧ୍ୟ ହୋଇପାରିବ, ଆମେ ଯଥାସମ୍ଭବ ପ୍ରୟାସ କରିବୁ ।

ମହାମହିମ,

ବୈଶ୍ୱିକ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ହେଉଛି ଆମ ସମସ୍ତଙ୍କର ପାରସ୍ପରିକ ଉଦ୍ଦେଶ୍ୟ । ଆଜିକାର ଆନ୍ତଃ- ସଂଯୁକ୍ତ ବିଶ୍ୱରେ କୌଣସି ମଧ୍ୟ ଗୋଟିଏ କ୍ଷେତ୍ରରେ ଉତେଜନା ସମସ୍ତ ଦେଶକୁ ପ୍ରଭାବିତ କରୁଛି । ଆଉ, ବିକାଶଶୀଳ ଦେଶ, ଯେଉଁମାନଙ୍କ ପାଖରେ ସୀମିତ ସମ୍ବଳ ଅଛି, ସବୁଠାରୁ ଅଧିକ ପ୍ରଭାବିତ ହୋଇ ଥାଆନ୍ତି । ବର୍ତମାନ ବୈଶ୍ୱିକ ପରିସ୍ଥିତିରେ, ଖାଦ୍ୟ, ଇନ୍ଧନ ଏବଂ ଉର୍ବରକ(ସାର) ସଙ୍କଟର ସର୍ବାଧିକ ଏବଂ ସବୁଠାରୁ ଗୁରୁତର ପ୍ରଭାବ ସେହି ଦେଶଗୁଡ଼ିକୁ ଭୋଗିବାକୁ ପଡ଼ୁଛି ।

ମହାମହିମ,

ଏହା ହେଉଛି ଚିନ୍ତାର ବିଷୟ ଯେ, ଆମକୁ କାହିଁକି ଭିନ୍ନ- ଭିନ୍ନ ମଂଚରେ ଶାନ୍ତି ଏବଂ ସ୍ଥିରତାର କଥା କହିବାକୁ ପଡ଼ୁଛି ? ମିଳିତ ଜାତିସଙ୍ଘ ଯାହାର ଶୁଭାରମ୍ଭ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ହିଁ କଳ୍ପନା କରାଯାଇଥିଲା, ତେବେ ଆଜି ବିବାଦ ରୋକିବାରେ କାହିଁକି ସଫଳ ହୋଇ ପାରି ନାହିଁ ? କାରଣ କ’ଣ, ୟୁଏନରେ ଆତଙ୍କବାଦର ପରିଭାଷା ଏପର୍ଯ୍ୟନ୍ତ ଗ୍ରହଣଯୋଗ୍ୟ ହୋଇ ପାରି ନାହିଁ? ଯଦି ଆତ୍ମଚିନ୍ତନ କରାଯାଏ, ତେବେ ଗୋଟିଏ କଥା ହେଉଛି ସ୍ପଷ୍ଟ । ବିଗତ ଶତାବ୍ଦୀରେ ପ୍ରତିଷ୍ଠ ହୋଇଥିବା ସଂଗଠନ ଏକବିଂଶ ଶତାବ୍ଦୀର ବ୍ୟବସ୍ଥା ଅନୁରୂପ ହୋଇ ନାହିଁ । ବର୍ତମାନର ବାସ୍ତବତାକୁ ପ୍ରତିଫଳିତ କରି ପାରୁ ନାହିଁ । ଏଥିପାଇଁ ଆବଶ୍ୟକ ହେଉଛି ଯେ ମିଳିତ ଜାତିସଙ୍ଘ ଭଳି ବୃହତ ଅନୁଷ୍ଠାନରେ ସଂସ୍କାରକୁ ନୂତନ ସ୍ୱରୂପ ଦିଆଯାଉ । ଏହାକୁ ଗ୍ଲୋବାଲ ସାଉଥ୍ ସ୍ୱର(ଭଏସ) ମଧ୍ୟ କରିବାକୁ ହେବ । ନଚେତ୍ ଆମେ ସଂଘର୍ଷକୁ ଅନ୍ତ କରିବା ପାଇଁ କେବଳ ଚର୍ଚ୍ଚା ହିଁ କରି ଚାଲିଥିବା । ୟୁଏନ ଏବଂ ସୁରକ୍ଷା ପରିଷଦ ଏକମାତ୍ର ଶୀର୍ଷ ଆଲୋଚନାକରୀ ଗୋଷ୍ଠୀ ହୋଇ ରହିଯିବେ ।

ମହାମହିମ,

ଏହା ଜରୁରୀ ଯେ, ସମସ୍ତ ଦେଶ ମିଳିତ ଜାତିସଙ୍ଘ ସନନ୍ଦ, ଅନ୍ତରାଷ୍ଟ୍ରୀୟ ଆଇନ ଏବଂ ସମସ୍ତ ଦେଶର ସାର୍ବଭୌମତ୍ୱ ଏବଂ ଆଂଚଳିକ ଅଖଣ୍ଡତାକୁ ସମ୍ମାନ ଦିଅନ୍ତୁ । ଯଥାସ୍ଥିତିକୁ ବଦଳାଇବାର ଏକତରଫା ପ୍ରୟାସ ବିରୁଦ୍ଧରେ ମିଳିମିଶି ସ୍ୱର ଉତୋଳନ କରନ୍ତୁ । ଭାରତର ସଦା ସର୍ବଦା ଏହି ମତ ରହିଛି ଯେ କୌଣସି ମଧ୍ୟ ଉତେଜନା, କୌଣସି ମଧ୍ୟ ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଢ଼ଙ୍ଗରେ, ଆଲୋଚନା ଜରିଆରେ କରାଯିବା ଉଚିତ । ଆଉ ଯଦି ଆଇନ ମାଧ୍ୟମରେ କୌଣସି ପରିଣାମ ବାହାରୁଛି, ତେବେ ତାହାକୁ ସ୍ୱୀକାର କରିବା ଉଚିତ । ଆଉ ଏହି ଭାବନା ଦ୍ୱାରା ଭାରତ ବାଙ୍ଗଲାଦେଶ ସହିତ ନିଜର ଭୂମି ଏବଂ ସାମୁଦ୍ରିକ ସୀମା ବିବାଦର ସମାଧାନ କରିଥିଲା ।

ମହାମହିମ,

ଭାରତରେ ଏବଂ ଏଠାରେ ଜାପାନରେ ମଧ୍ୟ, ହଜାର ହଜାର ବର୍ଷ ଧରି ଭଗବାନ ବୁଦ୍ଧଙ୍କୁ ଅନୁସରଣ କରାଯାଉଛି । ଆଧୁନିକ ଯୁଗରେ ଏଭଳି କୌଣସି ସମସ୍ୟା ନାହିଁ, ଯାହାର ସମାଧାନ ଆମେ ବୁଦ୍ଧଙ୍କ ଶିକ୍ଷା ଦ୍ୱାରା ଖୋଜି ପାରିବା ନାହିଁ । ବିଶ୍ୱ ଆଜି ଯେଉଁ ଯୁଦ୍ଧ, ଅଶାନ୍ତି ଏବଂ ଅସ୍ଥିରତା ସହ ମୁକାବିଲା କରୁଛି, ତାହାର ସମାଧାନ ଭଗବାନ ବୁଦ୍ଧ ଶତାବ୍ଦୀ- ଶତାବ୍ଦୀ ପୂର୍ବରୁ ହିଁ କରି ଦେଇଥିଲେ ।

ଭଗବାନ ବୁଦ୍ଧ କହିଛନ୍ତି :

ନହି ବେରେନ୍ ବେରାନୀ,

ସମ୍ମନ ତୀଧ ଉଦାସନ୍‌,

ଅବେରେନ ଚ ସମ୍ମନ୍ତି,

ଏସ ଧମ୍ମୋ ସନ୍ନତନ ।

ଅର୍ଥାତ, ଶତ୍ରୁତାରୁ ଶତ୍ରୁତା ଶାନ୍ତ ହୋଇ ନଥାଏ । ନିଜତ୍ୱ ଭାବରୁ ହିଁ ଶତ୍ରୁତା ଶାନ୍ତ ହୋଇ ଥାଏ । ଏହି ଭାବ ସହିତ ଆମକୁ ସମସ୍ତଙ୍କ ସହିତ ମିଳିମିଶି ଆଗକୁ ବଢ଼ିବା ଦରକାର ।

ଧନ୍ୟବାଦ ! 

*****

AH



(Release ID: 1926054) Visitor Counter : 99