ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav g20-india-2023

ଗଜ ଉତ୍ସବ – ୨୦୨୩ର ଉଦ୍‌ଘାଟନ କରିଛନ୍ତି ରାଷ୍ଟ୍ରପତି

Posted On: 07 APR 2023 2:19PM by PIB Bhubaneshwar

କାଜିରଙ୍ଗା ଜାତୀୟ ଉଦ୍ୟାନ ଠାରେ ଆଜି (ଏପ୍ରିଲ ୭, ୨୦୨୩) ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ  ମୁର୍ମୁ ଗଜ ଉତ୍ସବ - ୨୦୨୩ ର ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ,  ପ୍ରକୃତି ଏବଂ ମାନବତା ମଧ୍ୟରେ ବହୁତ ପବିତ୍ର ସମ୍ପର୍କ ରହିଛି । ପ୍ରକୃତିକୁ ସମ୍ମାନ କରିବାର ସଂସ୍କୃତି ଆମ ଦେଶର ପରିଚୟ ହୋଇ ରହି ଆସିଛି । ଭାରତରେ ପ୍ରକୃତି ଏବଂ ସଂସ୍କୃତି ପରସ୍ପର ସହ ସଂଯୁକ୍ତ ହୋଇ ରହିଛନ୍ତି ଏବଂ ପରସ୍ପରଠାରୁ ପୋଷଣ ଗ୍ରହଣ କରୁଛନ୍ତି । ଆମ ପରମ୍ପରାରେ ହାତୀ ମାନଙ୍କୁ ସବୁଠାରୁ ଅଧିକ ସମ୍ମାନ ଦିଆଯାଇଛି । ଏହି ପ୍ରାଣୀକୁ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରା ଯାଇଥାଏ । ଏହା ହେଉଛି ଭାରତର ଜାତୀୟ ଐତିହ୍ୟ ପ୍ରାଣୀ । ତେଣୁ ଆମର ଜାତୀୟ ଐତିହ୍ୟକୁ ବଞ୍ଚାଇ ରଖିବା ଆମର ଜାତୀୟ ଦାୟିତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ ।

 ରାଷ୍ଟ୍ରପତି କହିଛନ୍ତି ଯେଉଁ କାର୍ଯ୍ୟ ପ୍ରକୃତି, ପଶୁ ଏବଂ ପକ୍ଷୀମାନଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ, ତାହା ମଧ୍ୟ ମାନବତା ଏବଂ ଧରିତ୍ରୀ ମାତାଙ୍କର ସ୍ୱାର୍ଥ ସହିତ ନିହିତ ଅଛି । ହାତୀ ଅଭୟାରଣ୍ୟର ଜଙ୍ଗଲ ଏବଂ ସବୁଜ ଅଞ୍ଚଳ ଅତ୍ୟନ୍ତ ପ୍ରଭାବଶାଳୀ ଅଙ୍ଗାରକ କୁଣ୍ଡ (କାର୍ବନ ସିଙ୍କ୍‌) ଅଟେ । ତେଣୁ ଏହା କୁହା ଯାଇପାରେ ଯେ ହାତୀ ସଂରକ୍ଷଣ ଦ୍ୱାରା ଆମ ସମସ୍ତଙ୍କୁ ଲାଭ ପ୍ରାପ୍ତ ହେବ ଏବଂ ଏହା ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କରିବାରେ ମଧ୍ୟ ସହାୟକ ହେବ । ଏଭଳି ପ୍ରୟାସରେ ସରକାରଙ୍କ ସହ ସମାଜର ଭାଗୀଦାରୀତା ମଧ୍ୟ ଆବଶ୍ୟକ ଅଟେ ।

ରାଷ୍ଟ୍ରପତି କହିଛନ୍ତି ଯେ, ହାତୀ ମାନଙ୍କୁ ଅତି ବୁଦ୍ଧିମାନ ଏବଂ ସମ୍ବେଦନଶୀଳ ପଶୁ ଭାବରେ ବିବେଚନା କରାଯାଏ । ସେମାନେ ମଧ୍ୟ ମଣିଷ ପରି ସାମାଜିକ ପ୍ରାଣୀ । ସେ ଏହା ମଧ୍ୟ କହିଛନ୍ତି ଯେ, ଆମର ହାତୀ ମାନଙ୍କ ପ୍ରତି ଏବଂ ଅନ୍ୟ ଜୀବଜନ୍ତୁ ମାନଙ୍କ ପ୍ରତି ସମାନ ସହାନୁଭୂତି ଏବଂ ସମ୍ମାନର ଭାବନା ରହିବା ଉଚିତ୍‌, ଯେପରି ମନୁଷ୍ୟ ମାନଙ୍କ ପ୍ରତି ରହିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ପଶୁ ଏବଂ ପକ୍ଷୀ ମାନଙ୍କ ଠାରୁ ନିଃସ୍ୱାର୍ଥ ପ୍ରେମର ଭାବନା ସମ୍ପର୍କରେ ଶିକ୍ଷାଲାଭ କରି ପାରିବା ।

ରାଷ୍ଟ୍ରପତି କହିଛନ୍ତି ଯେ, ଶହ ଶହ ବର୍ଷ  ଧରି 'ମାନବ - ହାତୀ ସଂଘର୍ଷ' ଏକ ପ୍ରସଙ୍ଗ ହୋଇ ରହି ଆସିଛି । ଏବଂ ଯେତେବେଳେ ଆମେ ଏହି ସଂଘର୍ଷ ପ୍ରସଙ୍ଗକୁ ବିଶ୍ଳେଷଣ କରୁ, ଏହା ଦେଖାଯାଏ ଯେ ପ୍ରାକୃତିକ ବାସସ୍ଥାନ କିମ୍ବା ହାତୀର ଗତିବିଧିରେ ସୃଷ୍ଟି ହୋଇଥିବା ଏକ ପ୍ରତିବନ୍ଧକ ହେଉଛି ଏହାର ମୂଳ କାରଣ । ତେଣୁ ଏହାକୁ ନିୟନ୍ତ୍ରଣ କରିବାର ଦାୟିତ୍ୱ ମାନବ ସମାଜ ଉପରେ ରହିଛି । ସେ ଦର୍ଶାଇଛନ୍ତି ଯେ ହାତୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ସେମାନଙ୍କର ପ୍ରାକୃତିକ ବାସସ୍ଥାନକୁ ସଂରକ୍ଷଣ କରିବା ଏବଂ ହାତୀ କରିଡରକୁ ବାଧା ମୁକ୍ତ ରଖିବା ଇତ୍ୟାଦି ପ୍ରକଳ୍ପ ଗଜର ମୂଳ ଉଦ୍ଦେଶ୍ୟ ଅଟେ । ମାନବ- ହାତୀ ସଂଘର୍ଷ ସହିତ ଜଡିତ ସମସ୍ୟାର ସମାଧାନ ମଧ୍ୟ ଏହି ପ୍ରକଳ୍ପର ଉଦ୍ଦେଶ୍ୟ । ସେ କହିଛନ୍ତି ଯେ, ଏହି ସମସ୍ତ ଉଦ୍ଦେଶ୍ୟ ପରସ୍ପର ସହ ଯୋଡି ହୋଇ ରହିଛି ।

 ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ଆସାମର କାଜିରଙ୍ଗା ଏବଂ ମାନସ ଜାତୀୟ ଉଦ୍ୟାନ କେବଳ ଭାରତ ବର୍ଷରେ ନୁହେଁ, ସମଗ୍ର ବିଶ୍ୱର ଅମୂଲ୍ୟ ଐତିହ୍ୟ ଅଟେ । ସେଥିପାଇଁ ୟୁନେସ୍କୋ ଦ୍ୱାରା ସେଗୁଡିକୁ 'ବିଶ୍ୱ ଐତିହ୍ୟ ସ୍ଥଳୀ' ର ମାନ୍ୟତା ପ୍ରଦାନ କରାଯାଇଛି । ସେ କହିଛନ୍ତି ଯେ, ଭାରତରେ ଆସାମ ରାଜ୍ୟରେ ବନ୍ୟ ହାତୀର ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟା ରହିଛି । ତେଣୁ ଗଜ- ଉତ୍ସବର ଆୟୋଜନ ପାଇଁ କାଜିରଙ୍ଗା ଏକ ଅତ୍ୟନ୍ତ ଉପଯୁକ୍ତ ସ୍ଥାନ । ସେ କହିଛନ୍ତି ଯେ ପ୍ରକଳ୍ପ ଗଜ ଏବଂ ଗଜ - ଉତ୍ସବର ସଫଳତା ପାଇଁ ସମସ୍ତ ହିତାଧିକାରୀ ମାନଙ୍କୁ ଏକାଠି ଆଗକୁ ବଢ଼ିବାକୁ ପଡିବ ।

ରାଷ୍ଟ୍ରପତିଙ୍କ ଭାଷଣ ଦେଖିବାକୁ ଦୟାକରି ଏଠାରେ କ୍ଲିକ୍ କରନ୍ତୁ  -

*****

SSP


 



(Release ID: 1914710) Visitor Counter : 134