ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ରାଜେଶ ମାଲହୋତ୍ରା
Posted On:
01 MAR 2023 10:41AM by PIB Bhubaneshwar
ଶ୍ରୀ ରାଜେଶ ମାଲହୋତ୍ରା ଆଜି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ଏହି ପଦବୀରୁ ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶ ଅବସର ଗ୍ରହଣ କରିବା ପରେ ଶ୍ରୀ ମାଲହୋତ୍ରା ତାଙ୍କ ସ୍ଥାନରେ ଯୋଗ ଦେଇଛନ୍ତି ।
୧୯୮୯ ବ୍ୟାଚର ଭାରତୀୟ ସୂଚନା ସେବା (ଆଇଆଇଏସ) ଅଧିକାରୀ ଶ୍ରୀ ରାଜେଶ ମାଲହୋତ୍ରା ଏଥିପୂର୍ବରୁ ଜାନୁଆରୀ ୨୦୧୮ ଠାରୁ ଅର୍ଥ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିଲେ । କୋଭିଡ ୧୯ ମହାମାରୀ ସମୟରେ ଦେଖା ଦେଇଥିବା ଆର୍ଥିକ ଅସନ୍ତୁଳନରୁ ନାଗରିକମାନଙ୍କୁ ସୁରକ୍ଷା ଦେବା ସକାଶେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରାଯାଇଥିଲା । ଏହି ସମୟରେ ଶ୍ରୀ ମାଲହୋତ୍ରା ଅର୍ଥ ମନ୍ତ୍ରଣାଳୟର ଗଣମାଧ୍ୟମ ଏବଂ ଯୋଗାଯୋଗ ନୀତିର ନେତୃତ୍ୱ ନେଇ ଦେଶବାସୀଙ୍କ ନିକଟରେ ଏସବୁ ଯୋଜନାର ବାର୍ତ୍ତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ଗଣମାଧ୍ୟମ ଓ ଯୋଗାଯୋଗ ରଣନୀତି ପାଇଁ ଯୋଜନା ପ୍ରସ୍ତୁତ କରିବା ଏବଂ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଶ୍ରୀ ମାଲହୋତ୍ରାଙ୍କର ୩୨ ବର୍ଷରୁ ଅଧିକ ସମୟର କାର୍ଯ୍ୟ ଅଭିଜ୍ଞତା ରହିଛି । ସେ ଅର୍ଥ, କମ୍ପାନୀ ବ୍ୟାପାର, କୃଷି, ଶକ୍ତି, କୋଇଲା, ଖଣି, ସଞ୍ଚାର ଓ ଆଇଟି, ବୟନ, ଶ୍ରମ, ନୂତନ ଓ ଅକ୍ଷୟ ଶକ୍ତି ଆଦି ମନ୍ତ୍ରଣାଳୟ ତଥା ବିଭାଗରେ ଦୀର୍ଘ ଦିନ କାର୍ଯ୍ୟ କରିଛନ୍ତି । ଆହୁରି ସେ ଭାରତର ନିର୍ବାଚନ ଆୟୋଗରେ ୨୧ ବର୍ଷ (୧୯୯୬ରୁ ୨୦୧୭ ପର୍ଯ୍ୟନ୍ତ) ଗଣମାଧ୍ୟମ ଓ ଯୋଗାଯୋଗ ଦାୟିତ୍ୱରେ ଥିଲେ । ସେଠାରେ ସେ ନିର୍ବାଚନ ଆୟୋଗଙ୍କ ଦ୍ବାରା ପରିଚାଳନା କରାଯାଇଥିବା ଛଅଟି ଲୋକସଭା (ସଂସଦର ନିମ୍ନ ସଦନ) ସାଧାରଣ ନିର୍ବାଚନ, ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ଗଣମାଧ୍ୟମ ଓ ଯୋଗାଯୋଗ ରଣନୀତି ପାଇଁ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟ କରିଥିଲେ । ନିଜର କାର୍ଯ୍ୟକାଳ ସମୟରେ, ଶ୍ରୀ ମାଲହୋତ୍ରା ୧୨ ଜଣ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସହିତ କାର୍ଯ୍ୟ କରିଛନ୍ତି ।
ଶ୍ରୀ ମାଲହୋତ୍ରା ଗାଜିଆବାଦ ଆଇଏମଟିରୁ ବିଜନେସ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଡିପ୍ଲୋମା ଏବଂ ହାଇଦ୍ରାବାଦର ନାଲସାରରୁ ଗଣମାଧ୍ୟମ ଆଇନରେ ସ୍ନାତକୋତ୍ତର ଡିପ୍ଲୋମା ଡିଗ୍ରୀ ହାସଲ କରିଛନ୍ତି । ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ପଲିସୀ ଏନାଲିସିସରେ ଏକ ସ୍ବଳ୍ପ ଅବଧି ବିଶିଷ୍ଠ ପାଠ୍ୟକ୍ରମ ଶେଷ କରିଛନ୍ତି । ସେହିପରି ବ୍ରିଟେନର ଥମସନ ଫାଉଣ୍ଡେସନରୁ ଗଣମାଧ୍ୟମ ପରିଚାଳନା ଓ ରଣନୀତି ପାଠ୍ୟକ୍ରମରେ ମଧ୍ୟ ଶିକ୍ଷା ହାସଲ କରିଛନ୍ତି। ନୂଆଦିଲ୍ଲୀ ଠାରେ ଆଇଆଇଏମ ଲକ୍ଷ୍ନୌ ପକ୍ଷରୁ ଆୟୋଜିତ ‘ମାର୍କେଟିଂ : ଦ ୱିନିଂ କନସେପ୍ଟ ଏଣ୍ଡ ପ୍ରାକ୍ଟିସେସ’ରେ ମଧ୍ୟ ଭାଗ ନେଇଥିଲେ । ଶ୍ରୀ ମାଲହୋତ୍ରା ଇନଷ୍ଟିଚ୍ୟୁଟ୍ ଅଫ କମ୍ପାନୀ ସେକ୍ରେଟାରିଜ୍ର ଜଣେ ସଦସ୍ୟ ହୋଇଥିବା ବେଳେ ଆଇନରେ ଡିଗ୍ରୀ ହାସଲ କରିଛନ୍ତି।
ମୁଖପାତ୍ର ଭାବେ ଶ୍ରୀ ମାଲହୋତ୍ରାଙ୍କର ‘ଦ୍ୱି-ପାକ୍ଷିକ’ ଯୋଗାଯୋଗ ମାଧ୍ୟମ ପ୍ରତିଷ୍ଠା କରିବାରେ ଅଭିଜ୍ଞତା ରହିଛି ଯେଉଁଥିରେ ଗୋଟିଏ ପକ୍ଷରେ ସରକାର ଏବଂ ଅନ୍ୟ ପକ୍ଷରେ ଗଣମାଧ୍ୟମ ରହିଛନ୍ତି । ବିଭିନ୍ନ ମନ୍ତ୍ରଣାଳୟରେ ନିଜର ଜାଜ୍ଜୁଲ୍ୟମାନ କ୍ୟାରିଅରରେ ବିଭିନ୍ନ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ସମୟରେ ସଙ୍କଟପୂର୍ଣ୍ଣ ପରିସ୍ଥିତିର ସଫଳ ମୁକାବିଲା କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି । ଗଣମାଧ୍ୟମକୁ କେବଳ ସଠିକ ସୂଚନା ପ୍ରସାରଣ କରାଯିବା ଉଚିତ ବୋଲି ସେ ସୁନିଶ୍ଚିତ କରିଛନ୍ତି । ନିଜର କ୍ୟର୍ଯ୍ୟକାଳ ସମୟରେ ଭାରତରୁ ଯାଉଥିବା ବିଭିନ୍ନ ମନ୍ତ୍ରିସ୍ତରୀୟ ପ୍ରତିନିଧି ଦଳର ସଦସ୍ୟ ଭାବେ ଅନ୍ତର୍ଜାତୀୟ ସମ୍ମିଳନୀ/କାର୍ଯ୍ୟକ୍ରମ ଆୟୋଜନ ସମୟରେ ଗଣମାଧ୍ୟମ ପ୍ରସାର କାର୍ଯ୍ୟରେ ସମନ୍ବୟ ପ୍ରତିଷ୍ଠା କରିବା କ୍ଷେତ୍ରରେ ମଧ୍ୟ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି ।
*******
P.S.
(Release ID: 1903295)
Visitor Counter : 184
Read this release in:
Gujarati
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Tamil
,
Telugu
,
Kannada
,
Malayalam