ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଆନ୍ତର୍ଜାତିକ ବେସାମରିକ ଉଡାଣ ( ଚିକାଗୋ ଚୁକ୍ତି) ରାଜିନାମା ୧୯୪୪ର ତିନିଟି ସଂଶୋଧିତ ନିୟମକୁ ଅନୁମୋଦନ କରିବା ସଂକ୍ରାନ୍ତ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

Posted On: 22 FEB 2023 12:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୯୪୪ର ଆନ୍ତର୍ଜାତିକ ବେସାମରିକ ଉଡାଣ ରାଜିନାମା (ଚିକାଗୋ ଚୁକ୍ତି) ର ତିନିଟି ସଂଶୋଧିତ ନିୟମ (ପ୍ରୋଟୋକଲ)କୁ ଅନୁମୋଦନ କରିବା ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ଲଗାଯାଇଛି । ଭାରତ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିବାରୁ ଏକ ଅଂଶୀଦାର ରାଷ୍ଟ୍ରଭାବେ ସଂଶୋଧନକୁ ଅନୁମୋଦନ କରିବା ନିୟମ ଅନୁସାରେ ଜରୁରୀ । ଚୁକ୍ତିର ଯେଉଁ ତିନିଟି ନିୟମ ସଂଶୋଧିତ ହୋଇଛି ସେଗୁଡିକ ହେଲା ମୂଳ ଧାରା ୩, ଧାରା ୫୦(କ) ଓ ଧାରା ୫୬ ।

ଚିକାଗୋ ଚୁକ୍ତିର ସର୍ତ୍ତ ଓ ନିୟମ ଅନୁସାରେ ସବୁ ସ୍ୱାକ୍ଷରକାରୀ ରାଷ୍ଟ୍ର ଆନ୍ତର୍ଜାତିକ ବେସାମରିକ ଉଡାଣ କ୍ଷେତ୍ରରେ ସ୍ୱାକ୍ଷରିତ ରାଜିନାମାର ନିୟମକାନୁନର ଅନୁମୋଦନ କରିବା ସହ ଏ କ୍ଷେତ୍ରରେ ମାନରକ୍ଷା ଏବଂ ବୈଶ୍ୱିକ ବ୍ୟବସ୍ଥାକୁ ସମ୍ମାନ ପ୍ରଦାନ କରିବେ । ଆନ୍ତର୍ଜାତିକ ବେସାମରିକ ବାୟୁ ପରିବହନ ବ୍ୟବସ୍ଥାକୁ ଶୃଙ୍ଖଳିତ ଏବଂ ନିୟନ୍ତ୍ରିତ କରିବାକୁ ଏହି ଚିକାଗୋ ଚୁକ୍ତି ଉଦ୍ଦିଷ୍ଟ ।

 ବିଗତ ୭୮ବର୍ଷ ମଧ୍ୟରେ ଚିକାଗୋ ଚୁକ୍ତିରେ ଏକାଧିକ ପରିବର୍ତ୍ତନ ସମୟର ଆବଶ୍ୟକତା ଅନୁସାରେ କରାଯାଇଛି । ସମସ୍ତ ସଂଶୋଧନକୁ  ଏକ ଦାୟିତ୍ୱପୂର୍ଣ୍ଣ ସଭ୍ୟ ରାଷ୍ଟ୍ର ଭାବେ ଭାରତ ଅନୁମୋଦନ କରି ଆସିଛି । ନିୟମ ଅନୁସାରେ ଏହି ଚୁକ୍ତିର କୌଣସି ସଂଶୋଧନ ଓ ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବା ପାଇଁ ସଭ୍ୟ ରାଷ୍ଟ୍ରମାନଙ୍କର ଅନୁମାଦନ ଦରକାର

ଚୁକ୍ତିର ସଂଶୋଧିତ ତିନିଟି ନିୟମ ହେଲା

୧) ଚିକାଗୋ ଚୁକ୍ତିର ସଂଶୋଧିତ ମୂଳଧାରା ୩ ଅନୁସାରେ ଆକାଶରେ ଯାତ୍ରା କରୁଥିବା କୌଣସି ବେସାମରିକ ବିମାନ ବିରୋଧରେ କୌଣସି ସଭ୍ୟ ରାଷ୍ଟ୍ର ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବେ ନାହିଁ । ଅର୍ଥାତ୍ ସବୁ ସଭ୍ୟ ରାଷ୍ଟ୍ର କୌଣସି ବେସାମରିକ ବିମାନ ବିରୋଧରେ କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବାକୁ ଅଧିକୃତ ନୁହଁନ୍ତି । ଏ ସମ୍ପର୍କରେ ମେ, ୧୯୮୪ରେ  ଏକ ପ୍ରୋଟୋକଲ ସ୍ୱାକ୍ଷରିତ ହୋଇଥିଲା । ଏବେ ଏହା ଚିକାଗୋ ଚୁକ୍ତିର ଏକ ଧାରାରେ ପରିଣତ ହୋଇଛି ।

୨) ସେହିଭଳି ଚୁକ୍ତିର ସଂଶୋଧିତ ଧାରା ୫୦(କ) ଅନୁସାରେ ଆଇସିଏଓ ବା ଆନ୍ତର୍ଜାତିକ ବେସାମରିକ ଉଡାଣ ସଂଗଠନ ପରିଷଦର ସଦସ୍ୟ ସଂଖ୍ୟା ୩୬ରୁ ୪୦କୁ ବୃଦ୍ଧି କରାଯାଇଛି । ଏଥିପାଇଁ ୨୦୧୬ ଅକ୍ଟୋବରରେ ଏକ ପ୍ରୋଟୋକଲ ସ୍ୱାକ୍ଷରିତ ହୋଇଥିଲା ।

୩) ଚିକାଗୋ ଚୁକ୍ତିର ସଂଶୋଧିତ ଧାରା ୫୬ଅନୁସାରେ ଏୟାର ନାଭିଗେସନ କମିଶନର ସଦସ୍ୟ ସଂଖ୍ୟା ୧୮ରୁ୨୧କୁ ବୃଦ୍ଧି କରାଯାଇଛି । ଏଥିପାଇଁ ୨୦୧୬ ଅକ୍ଟୋବରରେ ଏକ ପ୍ରୋଟୋକଲ ସ୍ୱାକ୍ଷରିତ ହୋଇଥିଲା।

ଭାରତ ଏହି ସଂଶୋଧନକୁ ଅନୁମୋଦନ କରି ଚିକାଗୋ ଆର୍ନ୍ତଜାତିକ ବେସାମରିକ ବିମାନ ଚଳାଚଳ ଚୁକ୍ତି ପ୍ରତି ନିଜର ଆନୁଗତ୍ୟ ଓ ଅଙ୍ଗୀକାର ପୁନର୍ବାର ପ୍ରକାଶ କରିଛି । ଏହି ଅନୁମୋଦନ ଭାରତକୁ ଆନ୍ତର୍ଜାତିକ ବିମାନ ଚଳାଚଳ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ଅଧିକ ସୁଯୋଗ ପ୍ରଦାନ କରିବ ।

 

*****

TKM/SLP



(Release ID: 1901393) Visitor Counter : 110