ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀ ୨୦୨୩ ର ନେତୃବୃନ୍ଦଙ୍କ ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଯାପନୀ ମନ୍ତବ୍ୟ

Posted On: 12 JAN 2023 11:46AM by PIB Bhubaneshwar

ଆପଣ ମାନଙ୍କର ଜ୍ଞାନଗର୍ଭକ ବକ୍ତବ୍ୟ ପାଇଁ ମୁଁ ଆପଣ ମାନଙ୍କୁ ଧନ୍ୟବାଦ ପ୍ରଦାନ କରୁଛି । ଆପଣ ମାନଙ୍କର ପର୍ଯ୍ୟବେକ୍ଷଣ ଗୁଡ଼ିକ ସର୍ବପ୍ରଥମ ‘ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀ' ର ପରବର୍ତ୍ତୀ ଆଠଟି ଅଧିବେଶନକୁ ମାର୍ଗଦର୍ଶନ କରାଇବ । ଆପଣ ମାନଙ୍କ କଥା ଗୁଡ଼ିକରୁ ଏହା ସ୍ପଷ୍ଟ ଯେ ବିକାଶଶୀଳ ଦେଶ ମାନଙ୍କ ପାଇଁ ମାନବ - କେନ୍ଦ୍ରିକ ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ଅଟେ । ଆଜିର ହସ୍ତକ୍ଷେପ ମଧ୍ୟ ଆମ ସମସ୍ତଙ୍କ ମନରେ ଶୀର୍ଷ ସ୍ଥାନରେ ଥିବା ସାଧାରଣ ଆହ୍ୱାନ ଗୁଡିକୁ ସମ୍ମୁଖକୁ ଆଣିଛି । ଏଗୁଡିକ ମୁଖ୍ୟତଃ ଆମର ବିକାଶର ଆବଶ୍ୟକତା ପାଇଁ ସମ୍ବଳର ଅଭାବ ଏବଂ ଉଭୟ ପ୍ରାକୃତିକ ଜଳବାୟୁ ଏବଂ ଭୂ - ରାଜନୈତିକ ଜଳବାୟୁରେ ବୃଦ୍ଧି ପାଉଥିବା ଅସ୍ଥିରତା ସହିତ ସମ୍ବନ୍ଧିତ ଅଟେ । ଏହା ସତ୍ତ୍ୱେ, ଏହା ମଧ୍ୟ ସ୍ପଷ୍ଟ ଯେ ଆମେ ବିକାଶଶୀଳ ଦେଶ ଗୁଡ଼ିକ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ।

ବିଂଶ ଶତାବ୍ଦୀରେ ବିକଶିତ ଦେଶ ଗୁଡ଼ିକ ବିଶ୍ୱ ଅର୍ଥ ବ୍ୟବସ୍ଥାର ଚାଳକ ଥିଲେ । ଆଜି, ଏହି ଉନ୍ନତ ଅର୍ଥ ବ୍ୟବସ୍ଥା ଗୁଡ଼ିକ ମଧ୍ୟରୁ ଅଧିକାଂଶ ମନ୍ଥର ହୋଇ ଯାଉଛନ୍ତି । ଖାଲି ସେତିକି ନୁହେଁ, ଏକବିଂଶ ଶତାବ୍ଦୀରେ ବିଶ୍ୱର ଅଭିବୃଦ୍ଧି ବିଶ୍ୱର ଦକ୍ଷିଣ ଭାଗରେ ଅବସ୍ଥିତ ଦେଶ ଗୁଡିକରୁ ଆସିବ । ମୁଁ ଭାବୁଛି, ଯଦି ଆମେ ଏକାଠି ହୋଇ କାମ କରିବା, ତା’ହେଲେ ଆମେ ବିଶ୍ୱ ସ୍ତରୀୟ କାର୍ଯ୍ୟସୂଚୀ ସ୍ଥିର କରି ପାରିବା । ଆଜି ଏବଂ ଆସନ୍ତା କାଲିର ଅଧିବେଶନ ଗୁଡିକରେ, ଆମେ ସେହି ମୂଲ୍ୟବାନ ବିଚାରଧାରା ଗୁଡ଼ିକୁ ବୃଦ୍ଧି କରିବା ଏବଂ ବିକଶିତ କରିବା ଯାହା ଆଜି ଆମ ଆଲୋଚନାରୁ ସୃଷ୍ଟି ହୋଇଛି । ଆମର ପ୍ରୟାସ ହେବ ବୈଶ୍ୱିକ ଦକ୍ଷିଣ ଭାଗ (ଗ୍ଲୋବାଲ୍ ସାଉଥ୍‌) ପାଇଁ କାର୍ଯ୍ୟ ବିଧି (ଆକ୍ସନ୍‌-ପଏଂଟ) ଗୁଡ଼ିକର ପରିଶୋଧନ କରିବା - ଉଭୟ ଯାହା ପାଇଁ ଆମେମାନେ ଏକାଠି କାମ କରି ପାରିବା ଏବଂ ସେଥିପାଇଁ ଯାହାକୁ ଆମେ ସମସ୍ତେ ଏକତ୍ର ବିଶ୍ୱ ସ୍ତରର କାର୍ଯ୍ୟସୂଚୀରେ ଆଶା କରି ପାରିବା । ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଏକ ନିଜସ୍ୱ ସ୍ୱର ସ୍ଥିର କରିବାର ଆବଶ୍ୟକତା ରହିଛି । ଏକତ୍ରିତ ଭାବରେ ଆମ ମାନଙ୍କୁ ବ୍ୟବସ୍ଥା ଏବଂ ପରିସ୍ଥିତି ଗୁଡିକ ଉପରେ ନିର୍ଭରଶୀଳତାର ଚକ୍ରରୁ ରକ୍ଷା ପାଇବାର ଆବଶ୍ୟକତା ରହିଛି, ଯାହା ଆମ ଦ୍ୱାରା ପ୍ରସ୍ତୁତ ନୁହେଁ ।

ଆପଣ ମାନଙ୍କର ବହୁମୂଲ୍ୟ ସମୟ, ଉପସ୍ଥିତି ଏବଂ ମୂଲ୍ୟବାନ ମନ୍ତବ୍ୟ ଗୁଡ଼ିକ ପାଇଁ ମୁଁ ପୁଣି ଥରେ ଆପଣ ମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି ।

ଧନ୍ୟବାଦ । ଧନ୍ୟବାଦ ଜୀ ।

***

SM/SSP



(Release ID: 1890720) Visitor Counter : 150