ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ଔପଚାରିକ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବାର୍ତ୍ତାର ଅନୁବାଦ

Posted On: 25 FEB 2020 1:47PM by PIB Bhubaneshwar

ମୋର ବନ୍ଧୁ ଓ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,

ଆମେରିକୀୟ ପ୍ରତିନିଧି ଦଳର ସମ୍ମାନୀୟ ସଦସ୍ୟଗଣ,

ନମସ୍ତେ,

ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ପ୍ରତିନିଧି ଦଳକୁ ପୁଣି ଥରେ ଭାରତରେ ସ୍ୱାଗତ କରୁଛି । ସେ ଏହି ଗସ୍ତରେ ନିଜ ପରିବାର ସହ ଆସିଥିବାରୁ ମୁଁ ବେଶ ଆନନ୍ଦିତ । ବିଗତ ଆଠ ମାସ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୋ ମଧ୍ୟରେ ଏହା ହେଉଛି ପଞ୍ଚମ ବୈଠକ । ଗତକାଲି ମୋଟେରା ଠାରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ କରାଯାଇଥିବା ଅଭୂତପୂର୍ବ ଓ ଐତିହାସିକ ସ୍ୱାଗତ ସଦା ସ୍ମରଣୀୟ ରହିବ । ଗତକାଲି ଏହା ପୁଣି ସ୍ପଷ୍ଟ ହେଲା ଯେ, ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ କେବଳ ଦୁଇ ସରକାରଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ଜନକୈନ୍ଦ୍ରିକ, ଜନ ସଂଚାଳିତ । ଏହି ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ । ତେଣୁ ଆଜି ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୁଁ ଆମ ସମ୍ପର୍କକୁ ଏକ ବ୍ୟାପକ ବୈଶିକ ରଣନୈତିକ ଭାଗିଦାରୀ ସ୍ତରକୁ ନେବା ପାଇଁ ନିଷ୍ପତ୍ତି ନେଇଛୁ । ସମ୍ପର୍କକୁ ଏହି ସ୍ଥିତିକୁ ଆଣିବାରେ ରାଷ୍ଟ୍ରପତି ଟ୍ରମ୍ପ ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ ।

ବନ୍ଧୁଗଣ,

ଆଜି ଆଲୋଚନା ବେଳେ ଆମେ ଭାଗିଦାରୀ ଯଥା- ପ୍ରତିରକ୍ଷା ଓ ନିରାପତ୍ତା, ଇନ୍ଧନ ରଣନୈତିକ ଭାଗିଦାରୀ, ପ୍ରଯୁକ୍ତି ସହଯୋଗ, ବୈଶିକ ଯୋଗାଯୋଗ, ବାଣିଜ୍ୟ ସମ୍ପର୍କ ଅବା ଜନ ସମ୍ପର୍କ ଆଦି ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ପର୍କରେ ସକାରାତ୍ମକତା ସହ ବିଚାର କରିଛୁ । ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ଏବଂ ନିରାପତ୍ତା ସହଯୋଗ ବୃଦ୍ଧି ଆମ ରଣନୈତିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ କ୍ଷେତ୍ରରେ ସହଯୋଗ ଯୋଗୁଁ ଭାରତର ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇଛି । ପ୍ରତିରକ୍ଷା ଉତ୍ପାଦନକାରୀ ସଂସ୍ଥାଗୁଡିକ ପରସ୍ପରର ଯୋଗାଣ ଶୃଙ୍ଖଳାର ଏକ ଅଂଶ ପାଲଟିଛନ୍ତି । ଭାରତୀୟ ସେନାବାହିନୀ ଆଜି ଆମେରିକା ସେନାବାହିନୀ ସହିତ ଅଧିକାଂଶ ତାଲିମ ଅଭ୍ୟାସ କରୁଛନ୍ତି । ବିଗତ କିଛି ବର୍ଷ ହେଲା ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଛି ।

ବନ୍ଧୁଗଣ,

ସେହିପରି ଆମ ଦେଶର ସୁରକ୍ଷା ତଥା ଆନ୍ତର୍ଜାତିକ ଅପରାଧ ସହ ଲଢିବା ପାଇଁ ଆମେ ମଧ୍ୟ ସହଯୋଗ ବୃଦ୍ଧି କରୁଛୁ। ଆଜି ଦେଶର ସୁରକ୍ଷା ପାଇଁ ହୋଇଥିବା ନିଷ୍ପତ୍ତି ଏହି ସହଯୋଗ ଆହୁରି ବୃଦ୍ଧି କରିବ । ଆତଙ୍କବାଦ ସମର୍ଥକମାନଙ୍କୁ ଉତ୍ତରଦାୟୀ କରିବା ପ୍ରୟାସ ବୃଦ୍ଧି କରିବାକୁ ଆମେ ନିଷ୍ପତ୍ତି ନେଇଛୁ । ଡ୍ରଗ୍ସ ଓ ଅନ୍ୟାନ୍ୟ ମାଦକଦ୍ରବ୍ୟ ସମସ୍ୟାର ମୁକାବିଲାକୁ ରାଷ୍ଟ୍ରପତି ଟ୍ରମ୍ପ ପ୍ରାଥମିକତା ଦେଇଛନ୍ତି । ନିଶା ଚୋରାଚାଲାଣ, ମାଦକ ଦ୍ରବ୍ୟ ମାଧ୍ୟମରେ ସନ୍ତ୍ରାସବାଦକୁ ସହାୟତା ଓ ସଂଗଠିତ ଅପରାଧ ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ମୁକାବିଲା ପାଇଁ ଏକ ନୂଆ ବ୍ୟବସ୍ଥା ଗଢି ତୋଳିବାକୁ ଆମେ ସିଦ୍ଧାନ୍ତ ନେଇଛୁ । ବନ୍ଧୁଗଣ, କିଛିଦିନ ପୂର୍ବରୁ ଆରମ୍ଭ ହୋଇଥିବା ଇନ୍ଧନ କ୍ଷେତ୍ରରେ ରଣନୈତିକ ଭାଗିଦାରୀ ଏବେ ଅଧିକ ମଜବୁତ ହେଉଛି । ଏବଂ ଏହି କ୍ଷେତ୍ରରେ ପାରସ୍ପରିକ ନିବେଶ ବୃଦ୍ଧି ପାଇଛି । ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ପାଇଁ ଆମେରିକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିଛି । ବିଗତ ଚାରି ବର୍ଷ ମଧ୍ୟରେ ଆମ ସମୁଦାୟ ଇନ୍ଧନ ବ୍ୟବସାୟ ପ୍ରାୟ ୨୦ ବିଲିୟନ ଡ଼ଲାରରେ ପହଞ୍ଚିଛି । ନବୀକରଣ ଯୋଗ୍ୟ ହେଉ କିମ୍ବା ଆଣବିକ ଶକ୍ତି କ୍ଷେତ୍ର ହେଉ ଆମ ସହଯୋଗ ଆହୁରି ନୂତନ ମଜବୁତ ହେଉଛି ।

ବନ୍ଧୁଗଣ,

ସେହିପରି ଏକବିଂଶ ଶତାବ୍ଦୀର ସମୟୋପଯୋଗୀ ନୂତନ ପ୍ରଯୁକ୍ତି ଓ ଚତୁର୍ଥ ପର୍ଯ୍ୟାୟର ଶିଳ୍ପ ଭାରତ- ଆମେରିକା ଭାଗିଦାରୀ, ନବସୃଜନ ଓ ଉଦ୍ୟୋଗକୁ ନୂଆ ଉଚ୍ଚତାକୁ ନେଇଯାଇଛି । ଆମେରିକୀୟ କମ୍ପାନୀଗୁଡିକର ପ୍ରଯୁକ୍ତିଗତ ନେତୃତ୍ୱକୁ ଭାରତୀୟ ପେଶାଦାରଙ୍କ ପ୍ରତିଭା ମଜବୁତ କରିଛି ।

ବନ୍ଧୁଗଣ,

ଅର୍ଥନୈତିକ କ୍ଷେତ୍ରରେ ଭାରତ ଏବଂ ଆମେରିକା ସ୍ୱଚ୍ଛ ଓ ସନ୍ତୁଳିତ ବାଣିଜ୍ୟ ପରିବେଶ ଗଢିତୋଳିବା ପାଇଁ ଅଙ୍ଗୀକାରବଦ୍ଧ । ବିଗତ ତିନିବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଘଟିଛି ଏବଂ ଏହା ଅଧିକ ସନ୍ତୁଳିତ ହୋଇପାରିଛି । ଇନ୍ଧନ, ବେସାମରିକ ବିମାନ, ପ୍ରତିରକ୍ଷା ଏବଂ ଉଚ୍ଚଶିକ୍ଷାକୁ ବିବେଚନା କଲେ ଗତ ଚାରି-ପାଞ୍ଚ ବର୍ଷ ମଧ୍ୟରେ ଏହି ଚାରିଟି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ପ୍ରାୟ ୭୦ ବିଲିୟନ ଡଲାରର ଆର୍ଥିକ ନେଣଦେଣ ହୋଇଛି । ରାଷ୍ଟ୍ରପତି ଟ୍ରମ୍ପଙ୍କ ନୀତି ଏବଂ ନିଷ୍ପତ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି । ମୁଁ ନିଶ୍ଚିତ ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ପାଇବ । ଦ୍ୱିପାକ୍ଷିକ ବାଣିଜ୍ୟକୁ ନେଇ ଦୁଇ ଦେଶର ବାଣିଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି । ଦୁଇ ଦେଶର ବାଣିଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ଆଇନଗତ ସ୍ୱୀକୃତି ଦେବାକୁ ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୁଁ ନିଷ୍ପତ୍ତି ନେଇଛୁ । ବୃହତ ବାଣିଜ୍ୟିକ ଚୁକ୍ତି ପାଇଁ ଆଲୋଚନା ଆରମ୍ଭ କରିବାକୁ ଆମେ ସହମତ ହୋଇଛୁ । ପାରସ୍ପରିକ ସ୍ୱାର୍ଥ ବଜାୟ ରଖିବାରେ ଏହା ସୁଫଳ ଦେବ । ବନ୍ଧୁଗଣ, ବିଶ୍ୱ ସ୍ତରରେ ଭାରତ ଏବଂ ଆମେରିକା ମଧ୍ୟରେ ସହଯୋଗ ଆମ ଅଭିନ୍ନ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଲକ୍ଷ୍ୟକୁ ଭିତ୍ତି କରି ଗଢି ଉଠିଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ବିଭିନ୍ନ ଆନ୍ତର୍ଜାତିକ କ୍ଷେତ୍ରରେ ଅଭିନ୍ନ ଚିନ୍ତାଧାରା ଯୋଗୁଁ ଏହି ସହଯୋଗ ବୃଦ୍ଧି ପାଇଛି । ସ୍ଥାୟୀ ଓ ସ୍ୱଚ୍ଛ ଆର୍ଥିକ ବ୍ୟବସ୍ଥା ମାଧ୍ୟମରେ ବିଶ୍ୱର ସଂଯୋଗୀକରଣ ଭିତ୍ତିଭୂମି ବିକାଶ ପାଇଁ ଆମେ ସହମତ ହୋଇଛୁ । ଏହା ପାରସ୍ପରିକ ବୁଝାମଣା କେବଳ ଆମର ନୁହେଁ ସାରା ବିଶ୍ୱର ସ୍ୱାର୍ଥରେ ଗଢିଉଠିଛି ।

ବନ୍ଧୁଗଣ,

ଭାରତ ଏବଂ ଆମେରିକାର ଏହି ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଭିତ୍ତି ହେଲା ଆମ ନାଗରିକ ସମ୍ପର୍କ । ପେଶାଦାର ହୁଅନ୍ତୁ କିମ୍ବା ଛାତ୍ରଛାତ୍ରୀ- ଭାରତୀୟ ବଂଶୋଦ୍ଭବମାନେ ଯୁକ୍ତରାଷ୍ଟ୍ର ଆମେରିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଭାରତର ଏହି ରାଷ୍ଟ୍ରଦୂତମାନେ ସେମାନଙ୍କ ପ୍ରତିଭା ଏବଂ ପରିଶ୍ରମ ଦ୍ୱାରା ଆମେରିକାର ଅର୍ଥନୀତିକୁ ସହଯୋଗ କରୁଛନ୍ତି । କୁହା ଯାଇପାରେ ଆମେରିକୀୟ ସମାଜର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସଂସ୍କୃତିକୁ ଆମେ ସମୃଦ୍ଧ କରୁଛୁ । ଆମ ପେଶାଦାରମାନଙ୍କ ସାମାଜିକ ସୁରକ୍ଷା ଅବଦାନ ସଂକ୍ରାନ୍ତ ଚୁକ୍ତିନାମାର ବାସ୍ତବାୟନ ପାଇଁ ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅନୁରୋଧ କରିବି । ଏଥିରେ ଉଭୟ ପକ୍ଷର ସ୍ୱାର୍ଥ ଜଡିତ ରହିଛି ।

ବନ୍ଧୁଗଣ,

ସବୁ କ୍ଷେତ୍ରରେ ଆମ ସମ୍ପର୍କକୁ ଆହୁରି ମଜବୁତ କରିବାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଗସ୍ତ ଐତିହାସିକ ଭୂମିକା ଗ୍ରହଣ କରିଛି । ଭାରତ ଗସ୍ତ କରି ଭାରତ-ଆମେରିକା ସମ୍ପର୍କକୁ ନୂତନ ଶିଖରକୁ ନେଇଥିବାରୁ ମୁଁ ପୁଣି ଥରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ।

ଧନ୍ୟବାଦ

 

ସ୍ୱଷ୍ଟୀକରଣ: ଏହା ପ୍ରଧାନମନ୍ତ୍ରୀ ହିନ୍ଦୀରେ ପ୍ରଦାନ କରିଥିବା ଭାଷଣର ଆନୁମାନିକ ଅନୁବାଦ ।

 

SR



(Release ID: 1869628) Visitor Counter : 69