ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଣ୍ଡିଆ ଗେଟ୍‌ ଠାରେ ‘କର୍ତ୍ତବ୍ୟ ପଥ’ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମା ଅନାବରଣ କଲେ ପ୍ରଧାନମନ୍ତ୍ରୀ


‘‘କିଙ୍ଗସୱେ ବା ରାଜପଥ, ଥିଲା ଗୋଲାମିର ଏକ ପ୍ରତୀକ, ଆଜି ଏହା ଇତିହାସ ପାଲଟିଛି ଏବଂ ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯାଇଛି’’

‘‘ନେତାଜୀଙ୍କ ଉର୍ଜା ସାରା ଦେଶର ମାର୍ଗଦର୍ଶନ କରୁ, ଏହା ହିଁ ଆମର ପ୍ରୟାସ। ‘କର୍ତ୍ତବ୍ୟ ପଥ’ରେ ନେତାଜୀଙ୍କ ପ୍ରତିମା ଏଥିପାଇଁ ଏକ ମାଧ୍ୟମ’’

‘‘ନେତାଜୀ ସୁଭାଷ ବୋଷ ଥିଲେ ଅଖଣ୍ଡ ଭାରତର ପ୍ରଥମ ମୁଖ୍ୟ, ଯିଏକି ୧୯୪୭ ପୂର୍ବରୁ ଆଣ୍ଡାମାନକୁ ସ୍ୱାଧୀନ କରିବା ସହିତ ତ୍ରିରଙ୍ଗା ଉଡ଼ାଇଥିଲେ’’

‘‘ଆଜି ଭାରତର ନିଜସ୍ୱ ଆଦର୍ଶ ଏବଂ ମାର୍ଗ ରହିଛି । ଆଜି ଭାରତ ନିଜେ ସଂକଳ୍ପ ନେବା ସହ ନିଜେ ହିଁ ନିଜର ଲକ୍ଷ୍ୟ ହାସଲ କରୁଛି । ଆଜି, ଆମେ ଆମ ମାର୍ଗରେ ଅଗ୍ରସର ହେଉଛୁ, ଆମ ପ୍ରତୀକ ଆମ ନିଜର’’

‘‘ଦେଶବାସୀଙ୍କ ଚିନ୍ତାଧାରା ଓ ବ୍ୟବହାର, ଉଭୟ ଆସି ଗୋଲାମିରୁ ମୁକ୍ତ ହେଉଛି’’

‘‘ରାଜପଥର ଭାବନା ଏବଂ ଢାଞ୍ଚା ଗୋଲାମିର ପ୍ରତୀକ ଥିଲା, କିନ୍ତୁ ଆଜି ଢାଞ୍ଚାରେ ପରିବର୍ତ୍ତନ ହେବା ସହିତ ଭାବନା ମଧ୍ୟ ବଦଳିଯାଇଛି’’

‘‘ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡରେ ସେଣ୍ଟ୍ରାଲ ଭିଷ୍ଟାର ଶ୍ରମଜୀବୀ ଏବଂ ଶ୍ରମିକମାନେ ମୋର ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ’’

‘‘ନୂଆ ସଂସଦ ଭବନ ଅଟ୍ଟାଳିକା ଉପରେ କାର୍ଯ୍ୟ କରୁଥିବା ଶ୍ରମଜୀବୀମାନେ ଗୋଟିଏ ଗ୍ୟାଲେରୀରେ ସମ୍ମାନ ପ୍ରଦର୍ଶନ କରାଯିବ’’

‘‘ଶ୍ରମେବ ଜୟତେ ଦେଶ ପାଇଁ ଏକ ମନ୍ତ୍ରରେ ପରିଣତ ହୋଇଛି’’

‘‘ସାମଗ୍ରିକ ଭାବେ ସାମାଜିକ ଭିତ୍ତି

Posted On: 08 SEP 2022 9:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘କର୍ତ୍ତବ୍ୟ ପଥ’ର ଉଦଘାଟନ କରିଛନ୍ତି। ପୂର୍ବରୁ ଏହା ରାଜପଥ ନାମରେ ପରିଚିତ ଥିଲା ଯାହାକି କ୍ଷମତାର ପ୍ରତୀକ ଥିଲା । ଏବେ ଏହା କର୍ତ୍ତବ୍ୟପଥରେ ପରିଣତ ହୋଇ ଜନ ମାଲିକାନା ଏବଂ ସଶକ୍ତିକରଣର ଏକ ପ୍ରତୀକ ପାଲଟିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଗେଟ୍‌ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତୀମା ଅନାବରଣ କରିଥିଲେ ।

ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜାଦୀ କା ଅମୃତ ମହୋତ୍ସବରେ ଦେଶ ଆଜି ଏକ ନୂଆ ପ୍ରେରଣା ଏବଂ ଉର୍ଜାର ଅନୁଭବ କରୁଛି । ‘‘ଆଜି ଅତୀତକୁ ପଛରେ ପକାଇ ଆମେ ନୂଆ ରଙ୍ଗ ସହିତ ଭବିଷ୍ୟତର ଛବିକୁ ଅନୁଭବ କରିପାରୁଛୁ’’, ସେ କହିଥିଲେ । ସେ ଆହୁରି କହିଥିଲେ, ‘‘କିଙ୍ଗସ୍‌ୱେ ବା ରାଜପଥ ଗୋଲାମିର ପ୍ରତୀକ ଥିଲା, ଆଜି ଏହା ଇତିହାସ ପାଲଟିଛି ଏବଂ ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯାଇଛି । ଆଜି ‘କର୍ତ୍ତବ୍ୟ ପଥ’ ରୂପରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି । ସ୍ୱାଧୀନତାର ଏହି ଅମୃତ କାଳରେ ଗୋଲାମିର ଆଉ ଏକ ପରିଚୟରୁ ଆଜି ମୁକ୍ତି ପାଇଥିବାରୁ ମୁଁ ସବୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।’’

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଇଣ୍ଡିଆ ଗେଟ୍‌ ନିକଟରେ ଆମ ଜାତୀୟତା ନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ବିଶାଳ ପ୍ରତିମା ପ୍ରତିଷ୍ଠା କରାଯାଇଛି । ‘‘ଗୋଲାମି ସମୟରେ, ଏଠାରେ ବ୍ରିଟିଶ ରାଜ ପ୍ରତିନିଧିଙ୍କର ଏକ ପ୍ରତିମା ରହିଥିଲା । ସେହି ସ୍ଥାନରେ ନେତାଜୀଙ୍କ ପ୍ରତିମା ପ୍ରତିଷ୍ଠା କରି ଦେଶ ଆଜି ଏକ ଆଧୁନିକ, ଦୃଢ଼ ଭାରତର ବିଚାରକୁ ଜୀବନ୍ତ କରିଛି’’, ସେ କହିଥିଲେ । ନେତାଜୀଙ୍କ ମହାନତାକୁ ସ୍ମରଣ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ସୁଭାଷ ଚନ୍ଦ୍ର ବୋଷ ଜଣେ ମହାପୁରୁଷ ଥିଲେ ଯିଏକି ପଦବୀ ଏବଂ ସମ୍ବଳର ଆହ୍ବାନ ଠାରୁ ଊର୍ଦ୍ଧ୍ବରେ ଥିଲେ । ତାଙ୍କର ଗ୍ରହଣୀୟତା ଏତେ ଭଲ ଥିଲା ସାରା ବିଶ୍ଵ ତାଙ୍କୁ ଜଣେ ନେତା ଭାବେ ମାନୁଥିଲା । ତାଙ୍କର ସାହସ ଓ ଆତ୍ମସମ୍ମାନ ଥିଲା । ତାଙ୍କର ବିଚାର ଦୂରଦୃଷ୍ଟିପୂର୍ଣ୍ଣ ଥିଲା । ତାଙ୍କ ପାଖରେ ନେତୃତ୍ୱର ସାମର୍ଥ୍ୟ ଏବଂ ନୀତି ରହିଥିଲା।’’

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୌଣସି ଦେଶ ନିଜର ସମୃଦ୍ଧ ଇତିହାସକୁ ଭୁଲି ପାରିବ ନାହିଁ । ଭାରତର ଗୌରବଶାଳୀ ଇତିହାସ ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ଓ ପରମ୍ପରାରେ ରହିଛି । ନେତାଜୀଙ୍କ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଐତିହ୍ୟକୁ ନେଇ ସେ ଗର୍ବ କରୁଥିଲେ । ଏଥିସହିତ ସେ ଭାରତକୁ ଆଧୁନିକ କରିବାକୁ ଚାହିଁଥିଲେ । ‘‘ସ୍ୱାଧୀନତା ପରେ ଭାରତ ସୁଭାଷ ବାବୁଙ୍କ ମାର୍ଗକୁ ଅନୁସରଣ କରିଥିଲେ ଦେଶ ଆହୁରି ଅଧିକ ଶୀର୍ଷକୁ ଯାଇପାରିଥାନ୍ତା ! କିନ୍ତୁ ଦୁର୍ଭାଗ୍ୟବଶତଃ, ସ୍ୱାଧୀନତା ପରେ ଆମର ଏହି ମହାନାୟକଙ୍କୁ ଭୁଲାଇ ଦିଆଗଲା । ତାଙ୍କର ବିଚାର, ଏପରିକି ତାଙ୍କ ସହ ଜଡ଼ିତ ପ୍ରତୀକଗୁଡ଼ିକୁ, ଅଣଦେଖା କରାଗଲା’’, ପ୍ରଧାନମନ୍ତ୍ରୀ କହିଥିଲେ । ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀରେ କୋଲକାତାସ୍ଥିତ ନେତାଜୀଙ୍କ ବାସଭବନକୁ ଯାଇଥିବା କଥା ସେ ମନେ ପକାଇଥିଲେ ଏବଂ କହିଥିଲେ ଯେ ସେହି ସମୟରେ ସେ ନେତାଜୀଙ୍କ ଉର୍ଜାକୁ ଅନୁଭବ କରିପାରିଥିଲେ । ‘‘ନେତାଜୀଙ୍କ ଉର୍ଜା ସାରା ଦେଶର ମାର୍ଗଦର୍ଶନ କରୁ, ଏହା ହିଁ ଆମର ପ୍ରୟାସ। ‘କର୍ତ୍ତବ୍ୟ ପଥ’ରେ ନେତାଜୀଙ୍କ ପ୍ରତିମା ଏଥିପାଇଁ ଏକ ମାଧ୍ୟମ,’’ ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଗତ ଆଠ ବର୍ଷ ମଧ୍ୟରେ ଆମେ ଗୋଟିଏ ପରେ ଗୋଟିଏ ଏମିତି ଅନେକ ପଦକ୍ଷେପ ନେଇଛୁ, ଯେଉଁଥିରେ ନେତାଙ୍କର ବିଚାର ଓ ସ୍ୱପ୍ନର ଛାପ ରହିଛି । ନେତାଜୀ ସୁଭାଷ ବୋଷ ଥିଲେ ଅଖଣ୍ଡ ଭାରତର ପ୍ରଥମ ମୁଖ୍ୟ, ଯିଏକି ୯୧୪୭ ପୂର୍ବରୁ ଆଣ୍ଡାମାନକୁ ସ୍ୱାଧୀନ କରିବା ସହିତ ତ୍ରିରଙ୍ଗା ଉଡ଼ାଇଥିଲେ । ମୁଁ ମଧ୍ୟ ଯେତେବେଳେ ଆଜାଦ ହିନ୍ଦ ସରକାରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲି ବ୍ୟକ୍ତିଗତ ଭାବେ ସେହି ଭାବନାକୁ ଅନୁଭବ କରିପାରିଥିଲି ।’’ ଲାଲକିଲ୍ଲାରେ ନେତାଜୀ ଏବଂ ଆଜାଦ ହିନ୍ଦ ଫୌଜ ପ୍ରତି ସମର୍ପିତ ସଂଗ୍ରହାଳୟ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ । ସେ ମଧ୍ୟ ୨୦୧୯ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଆଜାଦ ହିନ୍ଦ ଫୌଜର ଏକ ଦଳ ଅଂଶଗ୍ରହଣ କରିବା ବିଷୟରେ ଉଲ୍ଲେଖ କରିଥିଲେ । ଏହାଦ୍ବାରା ଭେଟେରାନମାନଙ୍କୁ ବିଳମ୍ବିତ ସମ୍ମାନ ମିଳିପାରିଥିଲା ବୋଲି ସେ କହିଥିଲେ । ଆହୁରି ସେମାନଙ୍କର ପରିଚୟ ଏବଂ ଆଣ୍ଡାମାନ ଦ୍ବୀପସମୂହ ସହିତ ସେମାନଙ୍କ ଦୀର୍ଘ ପ୍ରତିକ୍ଷିତ ସମ୍ମାନକୁ ସୁଦୃଢ଼ କରାଯାଇଥିଲା।

‘ପଞ୍ଚ ପ୍ରଣ’ର ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଆଜି ଭାରତର ନିଜସ୍ୱ ଆଦର୍ଶ ଏବଂ ମାର୍ଗ ରହିଛି । ଆଜି ଭାରତ ନିଜେ ସଂକଳ୍ପ ନେବା ସହ ନିଜେ ହିଁ ନିଜର ଲକ୍ଷ୍ୟ ହାସଲ କରୁଛି । ଆଜି, ଆମେ ନିଜ ମାର୍ଗରେ ଅଗ୍ରସର ହେଉଛୁ, ଆମ ପ୍ରତୀକ ଆମ ନିଜର ।’’ ସେ ଆହୁରି କହିଥିଲେ, ‘‘ଆଜି ରାଜପଥ ନିଜର ଅସ୍ଥିତ୍ୱ ହରାଛି ଏବଂ କର୍ତ୍ତବ୍ୟ ପଥରେ ପଣିତ ହୋଛି । ଆଜି ଜର୍ଜ ପଞ୍ଚମଙ୍କ ପ୍ରତିମା ସ୍ଥାନରେ ନେତାଜୀଙ୍କ ପ୍ରତିମା ପ୍ରତିଷ୍ଠା କରାଯାଇଛି । ଗୋଲାମି ମାନସିକତାରୁ ମୁକୁଳିବା ଦିଗରେ କେବଳ ଏହା ହିଁ ପ୍ରଥମ ଉଦାହରଣ ନୁହେଁ । ଏହା ଆରମ୍ଭ ନୁହେଁ କି ଅନ୍ତ ମଧ୍ୟ ନୁହେଁ । ସ୍ୱାଧୀନତାର ମାନସିକତା ଏବଂ ଭାବନାକୁ ହାସଲ କରିବାର ଲକ୍ଷ୍ୟ ପୂରଣ ନହେବା ପର୍ଯ୍ୟନ୍ତ ପ୍ରତିବଦ୍ଧତାର ଏହି ଯାତ୍ରା ଜାରି ରହିବ ।’’ ସେ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବିଷୟରେ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଆବାସର ନାମ ରେସକୋର୍ସ ରୋଡ୍‌ ବଦଳରେ ଲୋକକଲ୍ୟାଣ ମାର୍ଗ ରଖାଯାଇଛି । ସ୍ୱାଧୀନତା ଦିବସ ସମାରୋହ ଏବଂ ଧ୍ବଜାବତରଣ ସମାରୋହରେ ଭାରତୀୟ ବାଦ୍ୟଯନ୍ତ୍ର ବାଜୁଛି । ସେ ମଧ୍ୟ ଭାରତୀୟ ନୌସେନାର ଔପନିବେଶିକ ଚିହ୍ନକୁ ବଦଳା ଯାଇ ଏଥିରେ ଛତ୍ରପତି ଶିବାଜୀଙ୍କ ପ୍ରତିକ ଚିହ୍ନ ଲଗାଯାଇଥିବା ବିଷୟରେ କହିଥିଲେ । ‘‘ଅନୁରୂପ ଭାବେ, ଜାତୀୟ ଯୁଦ୍ଧ ସ୍ମାରକରେ ଦେଶର ଗୌରବ ପ୍ରତିଫଳିତ ହେଉଛି’’, ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି ପରିବର୍ତ୍ତନ କେବଳ ପ୍ରତୀକରେ କରାଯାଉନାହିଁ ବରଂ ଦେଶର ନୀତିରେ ମଧ୍ୟ ପ୍ରତିଫଳିତ ହେଉଛି । ‘‘ବ୍ରିଟିଶ ଶାସନ କାଳରୁ ଚାଲିଆସିଥିବା ସଂଖ୍ୟାଧିକ ଆଇନକୁ ଦେଶ ଆଜି ବଦଳାଇ ଦେଇଛି । ବହୁ ଦଶନ୍ଧି ଧରି ଭାରତୀୟ ବଜେଟର ସମୟ ଏବଂ ତାରିଖ ବ୍ରିଟିଶ ସଂସଦର ସମୟକୁ ଅନୁସରଣ କରି ଆସୁଥିଲା, ଏଥିରେ ଏବେ ପରିବର୍ତ୍ତନ ଆସିଛି। ଜାତୀୟ ଶିକ୍ଷା ନୀତି ଜରିଆରେ, ଦେଶର ଯୁବକମାନଙ୍କୁ ଏବେ ବିଦେଶୀ ଭାଷାର ବାଧ୍ୟବାଧକତାରୁ ମୁକ୍ତି ମିଳୁଛି’’, ସେ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ‘‘ଏହାର ଅର୍ଥ ହେଉଛି ଦେଶବାସୀଙ୍କ ଉଭୟ ଚିନ୍ତାଧାରା ଏବଂ ବ୍ୟବହାର ଗୋଲାମି ମାନସିକତାରୁ ମୁକ୍ତ ହେଉଛି।’’

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, କର୍ତ୍ତବ୍ୟପଥ କେବଳ ଏକ ଇଟା ଏବଂ ପଥରର ରାସ୍ତା ନୁହେଁ, ବରଂ ଏହା ଭାରତୀୟ ଗଣତାନ୍ତ୍ରିକ ଅତୀତ ଏବଂ ସର୍ବକାଳୀନ ଆଦର୍ଶର ଏକ ଜୀବନ୍ତ ଉଦାହରଣ । ସେ ଦୋହରାଇ କହିଥିଲେ ଯେ, ଦେଶବାସୀ ଯେତେବେଳେ ଏଠାକୁ ଆସିବେ, ନେତାଜୀ ଏବଂ ଜାତୀୟ ଯୁଦ୍ଧ ସ୍ମାରକୀ ସେମାନଙ୍କ ପାଇଁ ଏକ ମହାନ ପ୍ରେରଣା ହେବ ଏବଂ ଏହା ସେମାନଙ୍କୁ କର୍ତ୍ତବ୍ୟବୋଧ ଭାବନାରେ ପରିପୂର୍ଣ୍ଣ କରିଦେବ । ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ, ରାଜପଥ ବ୍ରିଟିଶ ରାଜ ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ସେମାନେ ଭାରତକୁ ଗୋଲାମ ବୋଲି ଭାବୁଥିଲେ । ସେ ଜୋର ଦେଇ କହିଥିଲେ ଯେ ରାଜପଥର ଭାବନା ଏବଂ ଢାଞ୍ଚା ଏକ ଗୋଲାମୀର ପ୍ରତୀକ ଥିଲା, କିନ୍ତୁ ଆଜି ଢାଞ୍ଚାରେ ପରିବର୍ତ୍ତନ ସହିତ, ଏହାର ଭାବନା ମଧ୍ୟ ବଦଳିଛି । ଏହି କର୍ତ୍ତବ୍ୟ ପଥ ଜାତୀୟ ଯୁଦ୍ଧ ସ୍ମାରକ ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଲମ୍ବିଛି ଏହା କର୍ତ୍ତବ୍ୟବୋଧର ଉଜ୍ଜ୍ବଳ ଭାବନା ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରମିକମାନଙ୍କ ପ୍ରତି ବିଶେଷ କୃତଜ୍ଞତା ବ୍ୟକ୍ତ କରିଥିଲେ । ସେମାନେ କର୍ତ୍ତବ୍ୟ ପଥର ପୁନଃବିକାଶ ଲାଗି କେବଳ ଶାରୀରିକ ଯୋଗଦାନ ଦେଇନାହାନ୍ତି ବରଂ ସେମାନଙ୍କ ଶ୍ରମ ରାଷ୍ଟ୍ର ଉଦ୍ଦେଶ୍ୟରେ କର୍ତ୍ତବ୍ୟର ଏକ ଜୀବନ୍ତ ଏବଂ ଉଜ୍ଜ୍ବଳ ଉଦାହରଣ । ଶ୍ରମଜୀବୀଙ୍କ ସହିତ ସାକ୍ଷାତ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ସେମାନଙ୍କ ମନରେ ରାଷ୍ଟ୍ରର ଗୌରବଶାଳୀ ସ୍ୱପ୍ନକୁ ସାକାର କରିବା ପାଇଁ ରହିଥିବା ଭାବନାକୁ ପ୍ରଶଂସା କରିଥିଲେ । ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଶ୍ରମଜୀବୀ ଏବଂ ସେମାନଙ୍କ ପରିବାର ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଧାନମନ୍ତ୍ରୀଙ୍କର ବିଶେଷ ଅତିଥି ଭାବେ ଯୋଗଦେବେ । ଏବେ ଦେଶରେ ଶ୍ରମ ଏବଂ ଶ୍ରମଜୀବୀମାନଙ୍କ ପାଇଁ ଏକ ସମ୍ମାନର ପରମ୍ପରା ଆରମ୍ଭ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ସେ ଜୋର ଦେଇ କହିଥିଲେ ଯେ ନୀତିରେ ସମ୍ବେଦନଶୀଳତା ସହିତ, ନିଷ୍ପତ୍ତିରେ ମଧ୍ୟ ସମ୍ବେଦନଶୀଳତା ଆସିଛି ଏବଂ ଆଜି ‘ଶ୍ରମେବ ଜୟତେ’ ସାର ଦେଶ ପାଇଁ ଏକ ମନ୍ତ୍ର ପାଲଟିଛି । କାଶୀ ବିଶ୍ଵନାଥ ଧାମ, ବିକ୍ରାନ୍ତ ଏବଂ ପ୍ରୟାଗରାଜ କୁମ୍ଭର ଶ୍ରମିକମାନଙ୍କ ସହିତ ତାଙ୍କ ଆଲୋଚନା ବିଷୟରେ ସେ ଉଦାହରଣ ଦେଇଥିଲେ । ନୂଆ ସଂସଦ ଭବନ ଅଟ୍ଟାଳିକା ନିର୍ମାଣରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଗୋଟିଏ ଗ୍ୟାଲେରିରେ ସମ୍ମାନ ପ୍ରଦର୍ଶନ କରାଯିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଆଜି ସାଂସ୍କୃତିକ ଭିତ୍ତିଭୂମି ସହିତ ଭୌତିକ, ଡିଜିଟାଲ ଏବଂ ପରିବହନ ଭିତ୍ତିଭୂମି ଉପରେ କାର୍ଯ୍ୟ କରୁଛି । ସାମାଜିକ ଭିତ୍ତିଭୂମି ପାଇଁ ସେ ନୂଆ ଏମ୍ସ, ମେଡ଼ିକାଲ କଲେଜ, ଆଇଆଇଟି, ଜଳ ସଂଯୋଗ ଏବଂ ଅମୃତ ସରୋବରର ଉଦାହରଣ ଦେଇଥିଲେ । ଗ୍ରାମୀଣ ରାସ୍ତା ଏବଂ ରେକର୍ଡ ସଂଖ୍ୟକ ଆଧୁନିକ ଏକ୍ସପ୍ରେସ ୱେ, ରେଳବାଇ ଏବଂ ମେଟ୍ରୋ ନେଟୱର୍କ ସହିତ ନୂଆ ବିମାନ ବନ୍ଦରଗୁଡ଼ିକ ପରିବହନ ଭିତ୍ତିଭୂମି ଏକ ଅଭୂତପୂର୍ଣ୍ଣ ଢଙ୍ଗରେ ବିସ୍ତାର କରୁଛି । ପଞ୍ଚାୟତଗୁଡ଼ିକୁ ଅପ୍ଟିକାଲ ଫାଇବର ସଂଯୋଗ ଏବଂ ରେକର୍ଡ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଭାରତର ଡିଜିଟାଲ ଭିତ୍ତିଭୂମିକୁ ସାରା ବିଶ୍ଵରେ ଏକ ପ୍ରଶଂସାର ବିଷୟରେ ପରିଣତ କରିଛି । ସାଂସ୍କୃତିକ ଭିତ୍ତିଭୂମି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହାର ଅର୍ଥ କେବଳ ଆସ୍ଥା ସହ ଜଡ଼ିତ ଭିତ୍ତିଭୂମି ନୁହେଁ ବରଂ ଏଥିରେ ଆମ ଇତିହାସ, ଆମ ଜାତୀୟ ନାୟକ ଏବଂ ଆମ ଜାତୀୟ ଐତିହ୍ୟ ସହ ଜଡ଼ିତ ଭିତ୍ତିଭୂମି । ସେ କହିଥିଲେ ଯେ ଏଭଳି ସ୍ଥାନର ବିକାଶ ସମାନ ଜରୁରି ମନୋଭାବ ନେଇ କରାଯାଉଛି । ‘‘ସର୍ଦ୍ଦାର ପଟେଲଙ୍କ ଏକତାର ପ୍ରତିମୂତ୍ତି ହେଉ କିମ୍ବା ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନେଇ ଏକ ସଂଗ୍ରହାଳୟ, ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ କିମ୍ବା ବାବାସାହେବ ଆମ୍ବେଦକର ସଂଗ୍ରହାଳୟ, ଜାତୀୟ ଯୁଦ୍ଧ ସ୍ମାରକ କିମ୍ବା ଜାତୀୟ ପୁଲିସ ସ୍ମାରକ ଏସବୁ ସାଂସ୍କୃତିକ ଭିତ୍ତିଭୂମିର ଉଦାହରଣ’’, ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଏଗୁଡ଼ିକ ଆମ ସଂସ୍କୃତିକୁ ଏକ ରାଷ୍ଟ୍ର ଭାବେ ପରିଭାଷିତ କରୁଛନ୍ତି । ଆମ ମୂଲ୍ୟବୋଧକୁ ଆମେ କିଭଳି ସୁରକ୍ଷା ଦେଉଛୁ ତାହା ମଧ୍ୟ ପରିଭାଷିତ କରୁଛନ୍ତି । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ସାମାଜିକ ଭିତ୍ତିଭୂମି, ପରିବହନ ଭିତ୍ତିଭୂମି, ଡିଜିଟାଲ ଭିତ୍ତିଭୂମି ଏବଂ ସାଂସ୍କୃତିକ ଭିତ୍ତିଭୂମିକୁ ଏକ ସଙ୍ଗେ ବିକଶିତ କରିବା ଦ୍ବାରା ଭାରତ ଦ୍ରୁତ ପ୍ରଗତି ହାସଲ କରିପାରିବ । ‘‘ମୁଁ ଆଜି ଖୁସି ଯେ, ଦେଶ କର୍ତ୍ତବ୍ୟ ପଥ ରୂପରେ ସାଂସ୍କୃତିକ ଭିତ୍ତିଭୂମିର ଆଉ ଏକ ମହାନ ଉଦାହରଣ ପାଇଛି’’, ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ।

ନିଜର ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ସବୁ ଦେଶବାସୀଙ୍କୁ ନବନିର୍ମିତ କର୍ତ୍ତବ୍ୟ ପଥ ଏବଂ ଏହାର ଗୌରବକୁ ଦେଖିବା ଲାଗି ଏକ ଖୋଲା ନିମନ୍ତ୍ରଣ ଦେଇଥିଲେ । ‘‘ଏହାର ବିକାଶରେ ଆପଣ ଭବିଷ୍ୟତର ଭାରତ ଦେଖିପାରିବେ । ଏଠାକାର ଉର୍ଜା ଆପଣଙ୍କୁ ଆମ ମହାନ ରାଷ୍ଟ୍ର, ଏକ ନୂଆ ବିଶ୍ବାସ ସମ୍ପର୍କରେ ଏକ ନୂଆ ଦୃଷ୍ଟି ପ୍ରଦାନ କରିବ’’, ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ନେତାଜୀ ସୁଭାଷ ବୋଷଙ୍କ ଜୀବନୀ ଉପରେ ଆଧାରିତ ଡ୍ରୋନ ଶୋ’ ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ କର୍ତ୍ତବ୍ୟପଥ ବୁଲି ଆସିବା ଲାଗି ନିମନ୍ତ୍ରଣ କରିବା ସହିତ ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ହାଶଟ୍ୟାଗ୍‌ କର୍ତ୍ତବ୍ୟପଥ (#KartavyaPath) ଲେଖି ଅପଲୋଡ୍‌ କରିବାକୁ ପରାମର୍ଶ ଦେଇଥିଲେ । ‘‘ମୁଁ ଜାଣିଛି ଯେ ଏହି ସମ୍ପୂର୍ଣ୍ଣ ଅଞ୍ଚଳ ଦିଲ୍ଲୀବାସୀଙ୍କ ହୃଦୟରେ ରହିଛି ଏବଂ ବହୁସଂଖ୍ୟାରେ ଲୋକମାନେ ସେମାନଙ୍କ ପରିବାର ସହ ଏଠାରେ ସମୟ ବିତାଇବା ଲାଗି ସନ୍ଧ୍ୟା ସମୟରେ ଆସିଥାନ୍ତି । ଏହାକୁ ମଧ୍ୟ ଦୃଷ୍ଟିରେ ରଖି କର୍ତ୍ତବ୍ୟପଥର ଯୋଜନା, ଡିଜାଇନ ଏବଂ ଆଲୋକୀକରଣ କରାଯାଇଛି’’, ସେ କହିଥିଲେ । ‘‘ମୁଁ ବିଶ୍ବାସ କରେ ଯେ କର୍ତ୍ତବ୍ୟ ପଥର ଏହି ପ୍ରେରଣା ଦେଶବାସୀଙ୍କ ମନରେ କର୍ତ୍ତବ୍ୟବୋଧର ଭାବନା ସୃଷ୍ଟି କରିବ ଏବଂ ଏହି ଭାବନା ଆମକୁ ନୂଆ ଏବଂ ବିକଶିତ ଭାରତର ସଂକଳ୍ପ ପୂରଣ କରିବା ଦିଗରେ ଆଗେଇନେବ,’’ ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ।

କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ, କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ଏବଂ ଶ୍ରୀମତୀ ମୀନାକ୍ଷି ଲେଖି, କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୌଶଳ କିଶୋର ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘କର୍ତ୍ତବ୍ୟ ପଥ’ର ଉଦଘାଟନ କରିଛନ୍ତି । ପୂର୍ବତନ ରାଜପଥ ସ୍ଥାନରେ ପୁନଃନିର୍ମିତ ହୋଇଥିବା ଏହି କର୍ତ୍ତବ୍ୟ ପଥ ଜନ ମାଲିକାନା ଏବଂ ସଶକ୍ତିକରଣର ଏକ ଉଦାହରଣ । ପ୍ରଧାନମନ୍ତ୍ରୀ ଏହି ଅବସରରେ ମଧ୍ୟ ଇଣ୍ଡିଆ ଗେଟ୍‌ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମା ଅନାବରଣ କରିଥିଲେ । ଗୋଲାମି ମାନସିକତାରୁ ମୁକ୍ତି ପାଇବା ଲାଗି ଅମୃତ କାଳରେ ନ୍ୟୁ ଇଣ୍ଡିଆ ପାଇଁ ‘ପଞ୍ଚ ପ୍ରଣ’ ଅନୁରୂପ ଏସବୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ବହୁ ବର୍ଷ ଧରି, ରାଜପଥ ଏବଂ ସେଣ୍ଟ୍ରାଲ ଭିଷ୍ଟା ଏଭିନ୍ୟୁର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପରିଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା, ଏହା ଭିତ୍ତିଭୂମି ଉପରେ ଚାପ ପକାଉଥିଲା । ଏଠାରେ ସାର୍ବଜନୀନ ଶୌଚାଳୟ, ପାନୀୟ ଜଳ, ରାସ୍ତାପାର୍ଶ୍ବ ବସିବା ସ୍ଥାନ ଏବଂ ଯଥେଷ୍ଟ ପାର୍କିଂ ସୁବିଧା ନଥିଲା । ଆହୁରି, ଏଠାରେ ଯଥେଷ୍ଟ ସଙ୍କେତକ ନଥିଲା, ଜଳ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଦୁର୍ବଳ ଥିଲା। ପାର୍କିଂ ମଧ୍ୟ ସୁବ୍ୟବସ୍ଥିତ ହୋଇପାରିନଥିଲା । ସାଧାରଣତନ୍ତ୍ର ଦିବସ ପରେଡ ଏବଂ ଅନ୍ୟ ଜାତୀୟ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ପାଇଁ କମ କଟକଣାରେ ବାଧାମୁକ୍ତ ଭାବେ ଆୟୋଜନ କରିବାର ଏକ ଆବଶ୍ୟକତା ମଧ୍ୟ ଅନୁଭୂତ ହେଉଥିଲା । ଏସବୁ ଚିନ୍ତାକୁ ଧ୍ୟାନରେ ରଖି ପୁନଃବିକାଶ କରାଯାଇଛି । ଅନ୍ୟପକ୍ଷରେ ସ୍ଥାପତ୍ୟ ପ୍ରକୃତିର ବିଶ୍ଵସନୀୟତା ଏବଂ ନିରନ୍ତରତା ବଜାୟ ରଖାଯାଇଛି ।

କର୍ତ୍ତବ୍ୟ ପଥରେ ସୁନ୍ଦର ଦୃଶ୍ୟ, ପାଦ ଚଲା ମାର୍ଗ ସହିତ ବଗିଚା, ଅତିରିକ୍ତ ସବୁଜ ସ୍ଥାନ, ନବୀକୃତ କେନାଲ, ନୂଆ ପଥପ୍ରାନ୍ତ ସୁବିଧା କେନ୍ଦ୍ର, ସାଙ୍କେତିକ ଚିହ୍ନ ଏବଂ ଭେଣ୍ଡିଂ କିଓସ୍କରେ ସୁଧାର ଦେଖିବାକୁ ମିଳିବ । ଆହୁରି ନୂଆ ପାଦଚଲା ଅଣ୍ଡର ପାସ, ପାର୍କିଂ ସ୍ଥାନରେ ସୁଧାର, ନୂଆ ପ୍ରଦର୍ଶନୀ ପାନେଲ ଏବଂ ଉନ୍ନତ ରାତ୍ରୀ ଆଲୋକୀକରଣ ଭଳି ବୈଶିଷ୍ଟ୍ୟ ଜନସାଧାରଣଙ୍କୁ ଏକ ଆନନ୍ଦଦାୟକ ଅନୁଭୂତି ପ୍ରଦାନ କରିବ । ଏଥିରେ କଠିନ ବର୍ଜ୍ୟ ପରିଚାଳନା, ବର୍ଷା ଜଳ ପରିଚାଳନା, ବ୍ୟବହୃତ ଜଳର ପୁନଃଚକ୍ରଣ, ବର୍ଷା ଜଳ ଅମଳ, ଜଳ ସଂରକ୍ଷଣ ଏବଂ ଆଲୋକ ବ୍ୟବସ୍ଥାରେ ଇନ୍ଧନ ସଞ୍ଚୟ ଭଳି ସଂଖ୍ୟାଧିକ ଦୀର୍ଘସ୍ଥାୟୀ ବୈଶିଷ୍ଟ୍ୟକୁ ସାମିଲ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମାକୁ ଅନାବରଣ କରିଛନ୍ତି । ଏଥିପୂର୍ବରୁ ପରାକ୍ରମ ଦିବସ ଜାନୁଆରୀ ୨୩ ତାରିଖରେ ଏହି ସ୍ଥାନରେ ସେ ନେତାଜୀଙ୍କର ଏକ ହୋଲୋଗ୍ରାମ ପ୍ରତିମାକୁ ଏହି ସ୍ଥାନରେ ସେ ଅନାବରଣ କରିଥିଲେ । ଆମ ସ୍ୱାଧୀନତା ସଂଗ୍ରାମରେ ଅମୂଲ୍ୟ ଯୋଗଦାନ ଦେଇଥିବା ନେତାଜୀଙ୍କ ପ୍ରତି ଏହା ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି । ଦେଶ ପ୍ରତି ରହିଥିବା ତାଙ୍କ ଋଣର ଏହା ଏକ ପ୍ରତୀକ ହୋଇ ରହିବ । ମୁଖ୍ୟ ସ୍ଥପତି ଶ୍ରୀ ଅରୁଣ ଯୋଗିରାଜ ଓ ତାଙ୍କ ଦଳ ଦ୍ବାରା ନିର୍ମାଣ କରାଯାଇଥିବା ଏହି ୨୮ ଫୁଟ ଉଚ୍ଚ ପ୍ରତୀମାକୁ ଗୋଟିଏ ଗ୍ରାନାଇଟ ପଥର ଚଟାଣରେ ନିର୍ମାଣ କରାଯାଇଛି ଏବଂ ଏହାର ଓଜନ ୬୫ ମେଟ୍ରିକ ଟନ ।

********

P.S.



(Release ID: 1857984) Visitor Counter : 1299