ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ଭାରତ ଅର୍ଥାତ୍ ସୁଯୋଗ, ଏହା କେବଳ ଭାରତର ଦଶନ୍ଧି ନୁହେଁ, ଏହା ଭାରତର ଶତାବ୍ଦୀ, ବୋଲି ଷ୍ଟାନଫର୍ଡ ଛାତ୍ରମାନଙ୍କୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ୍


ଗତ କିଛି ବର୍ଷ ମଧ୍ୟରେ, ଭାରତ ଦ୍ରୁତ ଗତିରେ ରୂପାନ୍ତରିତ ହେଉଛି, ଏହାର ଅର୍ଥନୀତି ଓ ସିଷ୍ଟମରେ ଉନ୍ନତି ଆସୁଛି, ଭାରତ ନୂତନ ଜ୍ଞାନକୌଶଳକୁ ଗ୍ରହଣ କରୁଛି ଓ ବିଶ୍ବର ସର୍ବୋତ୍ତମଙ୍କ ଠାରୁ ଜ୍ଞାନ ଆହରଣ କରୁଛି : ଶ୍ରୀ ଗୋୟଲ୍‌

ଭାରତର ଏଲଇଡି ସଫଳତାର କାହାଣୀ ଅତୁଳନୀୟ, ଏହା କଠିନ ପରିଶ୍ରମ ଓ ଉପଯୁକ୍ତ ପରିଚାଳନା କାରଣରୁ ସମ୍ଭବ ହେଇପାରିଛି : ଶ୍ରୀ ଗୋୟଲ୍

Posted On: 07 SEP 2022 9:15AM by PIB Bhubaneshwar

କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ବୟନ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଆଜି କହିଛନ୍ତି ଯେ ‘ଭାରତ’ ଅର୍ଥ ହେଉଛି ‘ସୁଯୋଗ’ ଏବଂ ଏହା କେବଳ ଭାରତର ଦଶନ୍ଧି ନୁହେଁ, ଏହା ଭାରତର ଶତାବ୍ଦୀ। ସେ ଆଜି ଆମେରିକାର ଷ୍ଟାନଫୋର୍ଡ ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ବିଜନେସର ଅଧ୍ୟାପକ ଏବଂ ଛାତ୍ରମାନଙ୍କ ସହିତ ଆଲୋଚନା କରିଛନ୍ତି।

ଶ୍ରୀ ଗୋୟଲ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତ ଭିତ୍ତିଭୂମି ସ୍ଥାପନ କରିବାରେ ଧ୍ୟାନ ଦେଇଛି, ଯେଉଁଥିରେ ଦେଶ ଦ୍ରୁତ ଗତିରେ ଅଗ୍ରଗତି କରିପାରିବ, ଅର୍ଥନୀତିର ବିକାଶ ହେବ, ବ୍ୟବସ୍ଥାରେ ଉନ୍ନତି ଆସିବ, ଟେକ୍ନୋଲୋଜି ସହ ଜଡିତ ହେବ ଏବଂ ଦୁନିଆର ସର୍ବୋତ୍ତମରୁ ଶିଖିବ।ର ମଧ୍ୟ ସୁଯୋଗ ମିଳିପାରିବ। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଦେଶର ପ୍ରତ୍ୟେକ ନାଗରିକ, ଦେଶରେ ଜନ୍ମିତ ପ୍ରତ୍ୟେକ ଶିଶୁଙ୍କର ଉତ୍ତମ ଗୁଣାତ୍ମକ ଜୀବନ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅଧିକାର ପାଇବାକୁ ଭାରତ ଚେଷ୍ଟା କରୁଛି।

ଗତ ଆର୍ଥିକ ବର୍ଷରେ ଭାରତର ରପ୍ତାନି 675 ବିଲିୟନ ୟୁଏସ୍ ଡ଼ଲାର ଅତିକ୍ରମ କରିସାରିଥିବା ସମ୍ପର୍କରେ ସେ କହିଛନ୍ତି ଯେ 2030 ସୁଦ୍ଧା ଦେଶ ଆନ୍ତର୍ଜାତୀୟ ବାଣିଜ୍ୟକୁ 2 ଟ୍ରିଲିୟନ ଡଲାରକୁ ନେବାକୁ ଲକ୍ଷ୍ୟ ରଖିଛି ଏବଂ ଭାରତ ସ୍ୱାଧୀନତାର 100 ତମ ବାର୍ଷିକୀ ପାଳନ କରିବା ବେଳକୁ ଏହା 30 ଟ୍ରିଲିୟନ ୟୁଏସ୍ ଡଲାରର ଅର୍ଥନୀତି ହୋଇ ସାରିଥିବ। ଏହି ପ୍ରକାର ସୁଯୋଗ ଭାରତ ସାରା ବିଶ୍ବକୁ ପ୍ରଦାନ କରୁଛି। ଏହା କେବଳ ଭାରତର ଦଶନ୍ଧି ନୁହେଁ, ଏହା ଭାରତର ଶତାବ୍ଦୀ ବୋଲି ସେ କହିଛନ୍ତି।

ଭାରତର ଯୁବକମାନେ ଦ୍ରୁତ ଗତିରେ ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ୍ ଚାମ୍ପିଅନ୍ ହେବାରେ ଲାଗିଛନ୍ତି। ସେମାନଙ୍କ ଉପରେ ନିଜର ବିଶ୍ୱାସ ବ୍ୟକ୍ତ କରି ଶ୍ରୀ ଗୋୟଲ କହିଛନ୍ତି ଯେ ଭାରତର ନୂତନ ଶିକ୍ଷା ନୀତି ଉଦାରବାଦୀ ଶିକ୍ଷାକୁ ଗ୍ରହଣ କରୁଛି ଏବଂ ବିଶ୍ୱର ଶ୍ରେଷ୍ଠ ବିଦ୍ୟାଳୟଗୁଡ଼ିକ ସହିତ ଗଭୀର ସହଯୋଗ ସ୍ଥାପନ କରୁଛି।

ମନ୍ତ୍ରୀ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କିଛି ଦୃଢ଼ ପରିଚାଳନା ନୀତି ଆଧାରରେ ତାଙ୍କର ଦୃଷ୍ଟିକୋଣ ଏବଂ ଭାରତର ଭବିଷ୍ୟତ ପାଇଁ ଯୋଜନା ବିଷୟରେ ସ୍ପଷ୍ଟ କରିଛନ୍ତି। ସେ ଏଲଇଡି ଲାଇଟ୍‌ ବିପ୍ଳବର ଉଦାହରଣ ଦେଇଛନ୍ତି ଏବଂ ବ୍ୟାଖ୍ୟା କରିଛନ୍ତି ଯେ 2014 ରେ ପ୍ରଧାନମନ୍ତ୍ରୀ, ଶକ୍ତି କ୍ଷେତ୍ରରେ ଆମର ନିବେଶର ଭାର ହ୍ରାସ କରିବା ଏବଂ ସାଧାରଣ ଲୋକଙ୍କ ବିଦ୍ୟୁତ ବିଲ୍ ହ୍ରାସ କରିବା ପାଇଁ ଶକ୍ତି ସଂରକ୍ଷଣ ଉପରେ ଅଧିକ ଧ୍ୟାନ ଦେଇଥିଲେ। ଏହାର ଫଳସ୍ବରୂପ 2015 ରେ ଏଲଇଡି ଲାଇଟିଂ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା। 

ବହୁ ମୂଲ୍ୟବାନ ଏଲଇଡି ଲ୍ୟାମ୍ପ କ୍ରୟ ପାଇଁ ସବସିଡି ପ୍ରତ୍ୟାହାର କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ଏଲଇଡି ଆଲୋକକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ଏକ ଗୁରୁତ୍ବପୂର୍ଣ୍ଣ ମୂହୁର୍ତ୍ତ ବୋଲି ଶ୍ରୀ ଗୋୟଲ ମତ ଦେଇଛନ୍ତି। ଏହା ପରେ ସରକାର ଆମଦାନୀକାରୀଙ୍କ ଠାରୁ ଆରମ୍ଭ କରି ବିତରକ ତଥା ଯୋଗାଣକାରୀଙ୍କ ପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କ ସହ ବ୍ୟାପକ ଭାବରେ ଜଡିତ ହୋଇଥିଲେ, କାର୍ଯ୍ୟକ୍ରମର ପ୍ରଥମ ବର୍ଷରେ ଏକ ଏଲଇଡି ବଲ୍‌ବର ମୂଲ୍ୟକୁ 85% ହ୍ରାସ କରିବା ସହିତ ଗ୍ରାହକମାନେ ଏହା ଦ୍ବାରା ବହୁ ମାତ୍ରାରେ ଉପକୃତ ହୋଇଛନ୍ତି ଏବଂ ଭାରତ ବହୁ ମାତ୍ରାରେ ଶକ୍ତି ସଞ୍ଚୟ କରିବାରେ ସମର୍ଥ ହୋଇପାରିଛି  ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଲଇଡି ଲାଇଟ୍ କାର୍ଯ୍ୟକ୍ରମର ସଫଳତାକୁ ନିଶ୍ଚିତ କରିବା ପାଇଁ ଭାରତ ସଫଳତାର ସହ ଅନେକ ପରିଚାଳନା ନୀତି ବ୍ୟବହାର କରିଛି ଯେପରିକି ମୂଳ କାରଣ ବିଶ୍ଳେଷଣ, ଅଭିନବ ଆର୍ଥିକ ମଡେଲ, ଅର୍ଥନୀତିର ବ୍ୟାପକତା ଇତ୍ୟାଦି। ଏଠାରେ ଧ୍ୟାନ ପ୍ରଦାନ କରିବା ଆବଶ୍ୟକ ଯେ ଏହି କାର୍ଯ୍ୟକ୍ରମ ହେତୁ ଭାରତ ପ୍ରାୟ 80 ନିୟୁତ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ସକ୍ଷମ ହୋଇଛି। ଶ୍ରୀ ଗୋୟଲ ଆହୁରି ମଧ୍ୟ କହିଛନ୍ତି ଯେ ଏକଦା ଏଲଇଡି ଲ୍ୟାମ୍ପର ନେଟ୍ ଆମଦାନୀକାରୀ ଭାରତରେ ବର୍ତ୍ତମାନ ବହୁ ଉଚ୍ଚମାନର ଏଲଇଡି ଲ୍ୟାମ୍ପ ନିର୍ମାତା ଅଛନ୍ତି ଯାହା ସାରା ବିଶ୍ୱରେ ରପ୍ତାନି ହେଉଛି।

ଗୋଟିଏ କାର୍ଯ୍ୟକ୍ରମ ଦ୍ବାରା ଆଣିଥିବା ବୃହତ ପରିବର୍ତ୍ତନକୁ ଆଲୋକିତ କରି ଶ୍ରୀ ଗୋୟଲ କହିଛନ୍ତି ଯେ ଭାରତ ବର୍ତ୍ତମାନ ଶହ ଶହ ପରିବର୍ତ୍ତନଶୀଳ କାର୍ଯ୍ୟକ୍ରମ ଯୋଜନା କରୁଛି। ଭାରତର ଫିନଟେକ୍‌ ସଫଳତା ବିଷୟରେ ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଡିଜିଟାଲ କାରବାରର ପ୍ରାୟ 40 ପ୍ରତିଶତ ଆଜି ଭାରତରୁ ହେଉଛି, ଛୋଟ ବିକ୍ରେତାମାନେ ମଧ୍ୟ ଡିଜିଟାଲ୍ ପେମେଣ୍ଟ ଗ୍ରହଣ କରୁଛନ୍ତି।

ଭାରତ ଦ୍ବାରା ବିଶ୍ବକୁ ପ୍ରଦାନ କରାଯାଇଥିବା ଅବିଶ୍ୱସନୀୟ ସୁଯୋଗ ବିଷୟରେ ସୂଚନା ଦେଇ ଶ୍ରୀ ଗୋୟଲ ଷ୍ଟାନଫୋର୍ଡର ଛାତ୍ରମାନଙ୍କୁ ଭାରତ ସହ ଜଡିତ ହେବା ଏବଂ ଶହେ କୋଟିରୁ ଅଧିକ ଲୋକଙ୍କ ସହ କାମ କରିବାକୁ ଆମନ୍ତ୍ରଣ କରିଛନ୍ତି।

BS



(Release ID: 1857636) Visitor Counter : 104