ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପିଏମ-ଶ୍ରୀ ଯୋଜନାର ଘୋଷଣା କଲେ ପ୍ରଧାନମନ୍ତ୍ରୀ


ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ (ପିଏମ-ଶ୍ରୀ) ଯୋଜନା ମାଧ୍ୟମରେ ସାରା ଦେଶର ୧୪,୫୦୦ ବିଦ୍ୟାଳୟର ବିକାଶ ଓ ଉନ୍ନତିକରଣ କରାଯିବ

Posted On: 05 SEP 2022 7:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁ ଦିବସ ଉପଲକ୍ଷେ ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ୍‌ସ୍‌ ଫର୍‌ ରାଇଜିଂ ଇଣ୍ଡିଆ (ପିଏମ-ଶ୍ରୀ) ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧୀନରେ ସାରା ଦେଶରେ ଥିବା ୧୪,୫୦୦ ବିଦ୍ୟାଳୟର ବିକାଶ ଓ ଉନ୍ନତିକରଣ କରାଯିବ ।

ପିଏମ-ଶ୍ରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଆଧୁନିକ, ରୂପାନ୍ତରଶୀଳ ଏବଂ ସାମଗ୍ରିକ ପଦ୍ଧତିକୁ କାର୍ଯ୍ୟକାରୀ କରାଯିବ । ଶ୍ରୀ ମୋଦୀ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ଅନୁରୂପ ସାରା ଭାରତର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପିଏମ-ଶ୍ରୀ ବିଦ୍ୟାଳୟ ଲାଭାନ୍ବିତ କରିବ ।

ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି,

‘‘ଆଜି ଜାତୀୟ ଶିକ୍ଷା ଦିବସ ଅବସରରେ ସାରା ଭାରତର ୧୪,୫୦୦ ବିଦ୍ୟାଳୟର ବିକାଶ ଏବଂ ଉନ୍ନତିକରଣ ଲାଗି ଏକ ନୂଆ ଯୋଜନା - ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନା (ପିଏମ-ଶ୍ରୀ) ବିଷୟରେ ଘୋଷଣା କରି ମୁଁ ଆନନ୍ଦିତ । ଏସବୁ ଆଦର୍ଶ ବିଦ୍ୟାଳୟରେ ପରିଣତ ହେବା ସହିତ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାରେ ସହାୟକ ହେବେ ।’’

‘‘ପିଏମ-ଶ୍ରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଆଧୁନିକ, ରୂପାନ୍ତରଶୀଳ ଏବଂ ସାମଗ୍ରିକ ପଦ୍ଧତିକୁ କାର୍ଯ୍ୟକାରୀ କରାଯିବ । ଆବିଷ୍କାର ଆଧାରିତ, ଅଧ୍ୟୟନ କୈନ୍ଦ୍ରିକ ଶିକ୍ଷାଦାନ ଉପରେ ଗୁରୁତ୍ବାରୋପ କରାଯିବ । ପ୍ରଯୁକ୍ତି, ସ୍ମାର୍ଟ ଶ୍ରେଣୀଗୃହ, କ୍ରୀଡ଼ା ଏବଂ ଆହୁରି ଅନ୍ୟାନ୍ୟ ସୁବିଧା ସମେତ ଆଧୁନିକ ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଯିବ ।’’

‘‘ଜାତୀୟ ଶିକ୍ଷା ନୀତି ଗତ କିଛି ବର୍ଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିଛି । ପିଏମ-ଶ୍ରୀ ବିଦ୍ୟାଳୟଗୁଡ଼ିକ ଜାତୀୟ ଶିକ୍ଷା ନୀତି ଅନୁରୂପ ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଲାଭାନ୍ବିତ କରିବ ବୋଲି ମୁଁ ନିଶ୍ଚିତ ।’’

*******

P.S.



(Release ID: 1856929) Visitor Counter : 173