ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସାହିବଜାଦା ଅଜିତ ସିଂହ ନଗର (ମୋହାଲି) ଠାରେ ହୋମି ଭାବା କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ


“ଭାରତକୁ ବିକଶିତ କରିବା ପାଇଁ ଏହାର ସ୍ୱାସ୍ଥ୍ୟ ସେବାର ମଧ୍ୟ ସମାନ ଭାବେ ବିକାଶ କରିବା ଗୁରୁତ୍ୱପୂର୍ଣ୍ଣ”

“ବିଗତ ଆଠ ବର୍ଷ ମଧ୍ୟରେ ଦେଶର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରେ ସାମଗ୍ରିକ ସ୍ୱାସ୍ଥ୍ୟସେବା ସ୍ଥାନିତ ହୋଇଛି”

“ବିଗତ ୮ ବର୍ଷ ମଧ୍ୟରେ ଦେଶରେ ୨୦୦ ରୁ ଅଧିକ ନୂତନ ମେଡିକାଲ କଲେଜ ର୍ନିମାଣ କରାଯାଇଛି”

“ଏକ ପ୍ରଗତିଶୀଳ ସମାଜ ଭାବରେ, ମାନସିକ ସ୍ୱାସ୍ଥ୍ୟ ବିଷୟରେ ଆମର ଚିନ୍ତାଧାରାରେ ପରିବର୍ତ୍ତନ ଏବଂ ମୁକ୍ତ ମନୋଭାବ ଆଣିବା ମଧ୍ୟ ଆମର ଦାୟିତ୍ୱ”

“ମେଡ୍ ଇନ୍ ଇଣ୍ଡିଆ ୫ଜି ସେବା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଦୂର ପରିବର୍ତ୍ତନ ଆଣିବ”

Posted On: 24 AUG 2022 5:04PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୋହାଲିର ସାହିବଜାଦା ଅଜିତ ସିଂହ ନଗର ଠାରେ ହୋମି ଭାବା କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଞ୍ଜାବର ରାଜ୍ୟପାଳ ଶ୍ରୀ ବନୱାରିଲାଲ ପୁରୋହିତ, ମୁଖ୍ୟମନ୍ତ୍ରୀ ଶ୍ରୀ ଭଗବନ୍ତ ମାନ, କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଏହି କାର୍ଯ୍ୟକ୍ରମ ଦେଶର ଉନ୍ନତ ସ୍ୱାସ୍ଥ୍ୟସେବାକୁ ପ୍ରତିଫଳିତ କରିଛି । ସେ କହିଛନ୍ତି ଯେ ଏହି ଡାକ୍ତରଖାନା ପଞ୍ଜାବ, ହରିୟାନା ଏବଂ ହିମାଚଳ ପ୍ରଦେଶର ଲୋକଙ୍କୁ ସେବା ଯୋଗାଇବ । ହର ଘର ତ୍ରିରଙ୍ଗା ଅଭିଯାନରେ ଉତ୍ସାହର ସହ ଅଂଶଗ୍ରହଣ କରିଥିବାରୁ ସେ ପଞ୍ଜାବର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ସେ ଲାଲ କିଲ୍ଲାରୁ କରିଥିବା ଘୋଷଣା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତକୁ ବିକଶିତ କରିବା ପାଇଁ ଏହାର ସ୍ୱାସ୍ଥ୍ୟ ସେବାର ବିକାଶ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଭାରତର ଲୋକମାନେ ଚିକିତ୍ସା ପାଇଁ ଆଧୁନିକ ସୁବିଧା ଥିବା ଆଧୁନିକ ଡାକ୍ତରଖାନା ପାଇବେ, ସେତେବେଳେ ସେମାନେ ଶୀଘ୍ର ସୁସ୍ଥ ହୋଇଯିବେ ଏବଂ ସେମାନଙ୍କର ଶକ୍ତି ସଠିକ୍ ଦିଗରେ କାର୍ଯ୍ୟକାରୀ ହେବ । କର୍କଟ ଚିକିତ୍ସା ପାଇଁ ସୁବିଧା ସୃଷ୍ଟି କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ସେ ଦର୍ଶାଇଛନ୍ତି ଯେ ଟାଟା ମେମୋରିଆଲ ସେଣ୍ଟରରେ ବର୍ତ୍ତମାନ ପ୍ରତିବର୍ଷ ୧.୫ ଲକ୍ଷ ନୂତନ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ହୋଇଛି । ସେ କହିଛନ୍ତି ଯେ ବିଳାସପୁରର ନୂତନ ଡାକ୍ତରଖାନା ଏବଂ ଏମ୍‍ସ ପିଜିଆଇ ଚଣ୍ଡିଗଡ଼ ଉପରେ ଚାପ ହ୍ରାସ କରିବ ଏବଂ ରୋଗୀ ଏବଂ ସେମାନଙ୍କ ପରିବାରକୁ ବହୁତ ସୁବିଧା ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଏକ ଉତ୍ତମ ସ୍ୱାସ୍ଥ୍ୟସେବା କେବଳ ଚାରୋଟି ପ୍ରାଚୀର ର୍ନିମାଣର ଅର୍ଥ ନୁହେଁ । ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଯେକୌଣସି ଦେଶର ସ୍ୱାସ୍ଥ୍ୟସେବା ସେତେବେଳେ ହିଁ ଶକ୍ତିଶାଳୀ ହୁଏ ଯେତେବେଳେ ଏହା ସବୁ ଦିଗରେ ସମାଧାନ ପ୍ରଦାନ କରେ ଏବଂ ଏହାକୁ ପ୍ରତି କ୍ଷେତ୍ରରେ ସହାୟତା କରେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଆଠ ବର୍ଷ ମଧ୍ୟରେ ଦେଶର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରେ ସାମଗ୍ରିକ ସ୍ୱାସ୍ଥ୍ୟସେବା ସ୍ଥାନିତ ହୋଇଛି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଆଜି ଛଅଟି କ୍ଷେତ୍ରରେ ଏକାଠି ହୋଇ କାମ କରିବା ଦ୍ୱାରା ଦେଶର ସ୍ୱାସ୍ଥ୍ୟ ସୁବିଧା ସୁଦୃଢ଼ ହେଉଛି । ସମସ୍ତ ଛଅଟି ଦିଗ ସଂକ୍ରାନ୍ତରେ ବିସ୍ତୃତ ଭାବରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପ୍ରଥମଟି ହେଉଛି ପ୍ରତିଷେଧକ ସ୍ୱାସ୍ଥ୍ୟସେବା, ଦ୍ୱିତୀୟ କ୍ଷେତ୍ର ହେଉଛି ଗ୍ରାମରେ ଛୋଟ ଛୋଟ ଏବଂ ଆଧୁନିକ ଡାକ୍ତରଖାନା ଖୋଲିବା, ତୃତୀୟ ଟି ହେଉଛି ସହରରେ ମେଡିକାଲ କଲେଜ ଏବଂ ବଡ ମେଡିକାଲ ଗବେଷଣା ପ୍ରତିଷ୍ଠାନ ଖୋଲିବା, ଚତୁର୍ଥ ହେଉଛି ସମଗ୍ର ଦେଶରେ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା, ପଞ୍ଚମଟି ହେଉଛି ରୋଗୀଙ୍କୁ ଶସ୍ତା ଔଷଧ, ଶସ୍ତା ଉପକରଣ ଯୋଗାଇବା ଏବଂ ଷଷ୍ଠ କ୍ଷେତ୍ରଟି ହେଉଛି ଜ୍ଞାନକୌଶଳ ବ୍ୟବହାର କରି ରୋଗୀମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ହ୍ରାସ କରିବା ।

ପ୍ରତିଷେଧକ ପଦ୍ଧତି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଳ ଜୀବନ ମିଶନ ଯୋଗୁଁ ଜଳ ଜନିତ ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ସେହିଭଳି ପରିଷ୍କାର ପରିଚ୍ଛନ୍ନତା, ଯୋଗ, ଫିଟନେସ୍ ଧାରା, ପୋଷଣ ଅଭିଯାନ୍‌, ରନ୍ଧନ ଗ୍ୟାସ୍ ଇତ୍ୟାଦି ରୋଗୀଙ୍କ ସଂଖ୍ୟାକୁ ହ୍ରାସ କରୁଛି । ଦ୍ୱିତୀୟ ସାମ୍ନାରେ ଗୁଣାତ୍ମକ ପରୀକ୍ଷା ସୁବିଧା ସୃଷ୍ଟି କରାଯାଇଛି ଏବଂ ୧.୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ସେଥିମଧ୍ୟରୁ ୧.୨୫ ପୂର୍ବରୁ ସ୍ଥାପିତ ହୋଇସାରିଛି । ପଞ୍ଜାବରେ ପ୍ରାୟ ୩୦୦୦ କେନ୍ଦ୍ର କାର୍ଯ୍ୟ କରୁଛି । ସାରା ଦେଶରେ ୨୨ କୋଟିରୁ ଅଧିକ ଲୋକଙ୍କୁ କର୍କଟ ରୋଗ ଚିହ୍ନଟ ପରୀକ୍ଷା କରାଯାଇଛି ଯେଉଁଥିରୁ ପଞ୍ଜାବରେ ୬୦ ଲକ୍ଷ ପରୀକ୍ଷା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ରୋଗ ଚିହ୍ନଟ ହେବା ପରେ ଏପରି ଉନ୍ନତ ଡାକ୍ତରଖାନାର ଆବଶ୍ୟକତା ଉପୁଜେ ଯେଉଁଠାରେ ଗୁରୁତର ରୋଗର ସଠିକ୍ ଚିକିତ୍ସା କରାଯାଇପାରିବ । ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ମେଡିକାଲ କଲେଜକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ଥିବା ଆୟୁଷ୍ମାନ ଭାରତ ଯୋଜନା ୬୪ ହଜାର କୋଟି ଟଙ୍କା ବ୍ୟୟରେ ଜିଲ୍ଲା ସ୍ତରରେ ଆଧୁନିକ ସ୍ୱାସ୍ଥ୍ୟ ସୁବିଧା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଏକ ସମୟରେ ଦେଶରେ କେବଳ ୭ ଏମ୍‍ସ ଥିଲା କିନ୍ତୁ ଏହି ସଂଖ୍ୟା ବର୍ତ୍ତମାନ ୨୧ କୁ ବୃଦ୍ଧି ପାଇଛି । ସାରା ଦେଶରେ ପ୍ରାୟ ୪୦ ଟି ବିଶେଷ କର୍କଟ ପ୍ରତିଷ୍ଠାନକୁ ସରକାର ଅନୁମୋଦନ କରିଛନ୍ତି, ଯେଉଁଥିରୁ ଅନେକ ଡାକ୍ତରଖାନା ସେବା ଯୋଗାଇବା ଆରମ୍ଭ କରି ଦେଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଡାକ୍ତରଖାନା ର୍ନିମାଣ କରିବା ଜରୁରୀ ଅଟେ ଏବଂ ପର୍ଯ୍ୟାପ୍ତ ସଂଖ୍ୟକ ଭଲ ଡାକ୍ତର ଏବଂ ଅନ୍ୟାନ୍ୟ ପାରାମେଡିକ୍ ମଧ୍ୟ ରହିବା ଜରୁରୀ ଅଟେ । ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଏହି କାର୍ଯ୍ୟ ଆଜି ଦେଶରେ ମିଶନ ମୋଡରେ ଚାଲିଛି । ୨୦୧୪ ପୂର୍ବରୁ ଦେଶରେ ୪୦୦ ରୁ କମ୍ ମେଡିକାଲ୍ କଲେଜ ଥିଲା । ତାହା ହେଉଛି, ୭୦ ବର୍ଷରେ ୪୦୦ ରୁ କମ୍ ମେଡିକାଲ୍ କଲେଜ । ଅନ୍ୟ ପକ୍ଷରେ ଗତ ୮ ବର୍ଷ ମଧ୍ୟରେ ଦେଶରେ ୨୦୦ ରୁ ଅଧିକ ନୂତନ ମେଡିକାଲ କଲେଜ ର୍ନିମାଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ସରକାର ମଧ୍ୟ ୫ ଲକ୍ଷରୁ ଅଧିକ ଆୟୁଷ ଡାକ୍ତରଙ୍କୁ ଏଲୋପାଥିକ ଡାକ୍ତର ଭାବରେ ସ୍ୱୀକୃତି ଦେଇଛନ୍ତି ଏବଂ ଏହା ଭାରତରେ ଡାକ୍ତର-ରୋଗୀ ଅନୁପାତରେ ଉନ୍ନତି ଆଣିବାରେ ସହାୟକ ହୋଇଛି । ଆୟୁଷ୍ମାନ ଭାରତ ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦେଇଛନ୍ତି ଏବଂ ଫଳସ୍ୱରୂପ ଏପର୍ଯ୍ୟନ୍ତ ୩.୫ କୋଟି ରୋଗୀ ସେମାନଙ୍କ ଚିକିତ୍ସା ପାଇଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ୩.୫ କୋଟି ରୋଗୀଙ୍କ ମଧ୍ୟରୁ ଅନେକ କର୍କଟ ରୋଗୀ । ଆୟୁଷ୍ମାନ ଭାରତ ଯୋଜନା ରୋଗୀମାନଙ୍କର ପ୍ରାୟ ୪୦ ହଜାର କୋଟି ଟଙ୍କା ସଞ୍ଚୟ କରିଛି । ସେ ସୂଚନା ଦେଇଛନ୍ତି ଯେ କର୍କଟ ଚିକିତ୍ସା ପାଇଁ ୫୦୦ ରୁ ଅଧିକ ଔଷଧ ମୂଲ୍ୟରେ ୯୦ ପ୍ରତିଶତ ହ୍ରାସ ପାଇ ଏକ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରାଯାଇ ପାରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏତେ ବଡ଼ ଆଧୁନିକ ଜ୍ଞାନକୌଶଳ ଅନ୍ତର୍ଭୁକ୍ତ କରାଯାଉଛି । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରିବାବେଳେ ଆହୁରି ମଧ୍ୟ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ପ୍ରତ୍ୟେକ ରୋଗୀଙ୍କୁ ସର୍ବନିମ୍ନ ଅସୁବିଧାରେ ଠିକ୍ ସମୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା ସୁନିଶ୍ଚିତ କରୁଛି । ମେଡ୍ ଇନ୍ ଇଣ୍ଡିଆ ୫ଜି ସେବାଗୁଡିକର ସୁଦୂରପ୍ରସାରୀ ପ୍ରଭାବ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ ଆଣିବ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ଏହାଦ୍ୱାରା ଗାଁର ଗରିବ ପରିବାରରୁ ରୋଗୀମାନେ ବାରମ୍ବାର ବଡ ଡାକ୍ତରଖାନା ଯିବାର ବାଧ୍ୟବାଧକତା ହ୍ରାସ ପାଇବ । କର୍କଟ ରୋଗ ସହିତ ଲଢି ବିଷାଦ ଭିତରକୁ ଯାଉଥିବା ରୋଗୀ ଏବଂ ପରିବାରକୁ ସାହାଯ୍ୟ କରିବା ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି, ଏକ ପ୍ରଗତିଶୀଳ ସମାଜ ଭାବରେ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଆମର ଚିନ୍ତାଧାରାରେ ପରିବର୍ତ୍ତନ ଏବଂ ମୁକ୍ତ ଭାବନା ଆଣିବା ମଧ୍ୟ ଆମର ଦାୟିତ୍ୱ । ଫଳରେ ଏହି ସମସ୍ୟାର ସମାଧାନ ପାଇଁ କେବଳ ସଠିକ୍ ଉପାୟ ମିଳିବ ।

ପୃଷ୍ଠଭୂମି

ପଞ୍ଜାବ ଏବଂ ପଡୋଶୀ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ବାସୀଙ୍କୁ ବିଶ୍ୱ ସ୍ତରୀୟ କର୍କଟ ଚିକିତ୍ସା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ‘ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର' କୁ ମୁଲାନପୁର, ନୂଆ ଚଣ୍ଡିଗଡ଼, ସାହିବଜଡା ଅଜିତ ସିଂହ ନଗର ଜିଲ୍ଲା (ମୋହାଲି) ରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ୬୬୦ ଟଙ୍କାରୁ ଅଧିକ ମୂଲ୍ୟରେ ଏହି ହସ୍ପିଟାଲ ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନରେ ଥିବା ଏକ ସହାୟକ ଅନୁଷ୍ଠାନ ଟାଟା ମେମୋରିଆଲ୍ ସେଣ୍ଟର ଦ୍ୱାରା ନିର୍ମାଣ କରାଯାଇଛି ।

ଏହି କର୍କଟ ହସ୍ପିଟାଲ୍ ହେଉଛି ୩୦୦ ଶଯ୍ୟା କ୍ଷମତା ବିଶିଷ୍ଟ ଏକ ତ୍ରିସ୍ତରୀୟ ଚିକିତ୍ସା ହସ୍ପିଟାଲ୍ ଏବଂ ସର୍ଜରୀ, ରେଡିଓଥେରାପି ଏବଂ ମେଡିକାଲ୍ ଅଙ୍କୋଲୋଜି - କେମୋଥେରାପି, ଇମ୍ୟୁନୋଥେରାପି ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ ଭଳି ସମସ୍ତ ଉପଲବ୍ଧ ଚିକିତ୍ସା ପ୍ରଣାଳୀ ବ୍ୟବହାର କରି ସମସ୍ତ ପ୍ରକାରର କର୍କଟ ରୋଗର ଚିକିତ୍ସା ପାଇଁ ଆଧୁନିକ ସୁବିଧା ରହିଛି ।

 

ଉକ୍ତ ଡାକ୍ତରଖାନା ଏହି ଅଞ୍ଚଳରେ କର୍କଟ ରୋଗର ଚିକିତ୍ସା ଏବଂ ଚିକିତ୍ସାର ଏକ "ହବ୍‍” ଭଳି କାର୍ଯ୍ୟ କରିବ ଏବଂ ସାଙ୍ଗରୁରର ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଏହାର "ସ୍ପୋକ୍‍” ଭଳି କାର୍ଯ୍ୟ କରିବ ।

 

HS



(Release ID: 1854209) Visitor Counter : 146