କ୍ୟାବିନେଟ

କେନ୍ଦ୍ର କ୍ୟାବିନେଟ ମଞ୍ଜୁରି : ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି କୃଷି ଋଣ ଉପରେ ମିଳିବ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି


୨୦୨୨-୨୩ରୁ ୨୦୨୪-୨୫ ପର୍ଯ୍ୟନ୍ତ ଅବଧିରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ ୩୪,୮୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ବ୍ୟବସ୍ଥା

ଚାଷୀଙ୍କ ପାଇଁ କୃଷି କ୍ଷେତ୍ରରେ ଯଥେଷ୍ଟ ଋଣ ଉପଲବ୍ଧ କରିବାରେ ସହାୟକ ହେବ ସରକାରଙ୍କ ଏହି ନିଷ୍ପତ୍ତି

Posted On: 17 AUG 2022 3:17PM by PIB Bhubaneshwar

ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ ଋଣ ଲଗାଣକାରୀ ସଂସ୍ଥା ପାଇଁ ୧.୫ ପ୍ରତିଶତ ସୁଧ ରିହାତି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ତେଣୁ ସବୁ ଋଣ ଲଗାଣକାରୀ ଆର୍ଥିକ ସଂସ୍ଥା ଯଥା: ସରକାରୀ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଏବଂ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହ ସିଧାସଳଖ ଯୋଡ଼ି ହୋଇଥିବା କମ୍ପ୍ୟୁଟରୀକୃତ ପ୍ରାଥମିକ କୃଷି ସମିତିମାନଙ୍କୁ ବାର୍ଷିକ ଦେଢ଼ ପ୍ରତିଶତ ସୁଧ ରିହାତି ମିଳିବ । ଆର୍ଥିକ ଋଣ ଲଗାଣକାରୀ ସଂସ୍ଥାମାନେ ଏହି ଦେଢ଼ ପ୍ରତିଶତ ସୁଧ ରିହାତି ସୁବିଧା ଚାଷୀମାନଙ୍କୁ ଯୋଗାଇ ଦେବେ । ୨୦୨୨-୨୩ ଆର୍ଥିକ ବର୍ଷ ଠାରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି ବିଶିଷ୍ଟ କୃଷି ଋଣ ଉପରେ ଏହି ରିହାତି ସୁବିଧା ମିଳିବ।

ସୁଧ ଛାଡ଼ ସୁବିଧା ନିମନ୍ତେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷ ଠାରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୩୪ ହଜାର ୮୫୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ଅତିରିକ୍ତ ବଜେଟ୍‌ ବ୍ୟବସ୍ଥା କରାଯାଇଛି ।

ଲାଭ:

ସୁଧ ରିହାତିରେ ବୃଦ୍ଧି କାରଣରୁ କୃଷି ଋଣ ଯୋଗାଣରେ ସ୍ଥିରତା ସୁନିଶ୍ଚିତ ହେବ । ଋଣପ୍ରଦାନକାରୀ ସଂସ୍ଥା, ବିଶେଷ କରି ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ଅଧିକ ଋଣ ଦେବାକୁ ସେମାନେ ସକ୍ଷମ ହୋଇପାରିବେ । ଏହା ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ଯଥେଷ୍ଟ କୃଷି ଋଣ ଉପଲବ୍ଧ କରାଇବ ।

ପାଣ୍ଠି ବାବଦ ଖର୍ଚ୍ଚରେ ବୃଦ୍ଧିକୁ ସହ୍ୟ କରିବାରେ ବ୍ୟାଙ୍କମାନେ ସକ୍ଷମ ହେବେ ଏବଂ କୃଷକମାନଙ୍କୁ ସେମାନଙ୍କର କୃଷି ଆବଶ୍ୟକତା ପାଇଁ ଋଣ ପ୍ରଦାନ କରିପାରିବେ । ଏହାଦ୍ବାରା ଅଧିକରୁ ଅଧିକ ଚାଷୀ ଋଣର ଲାଭ ପାଇପାରିବେ । ଏହାବ୍ୟତୀତ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟତା ମିଳିବ । କାରଣ ସ୍ୱଳ୍ପ ଅବଧି କୃଷି ଋଣ ପଶୁପାଳନ, କୁକ୍କୁଟ ପାଳନ, ମତ୍ସ୍ୟ ପାଳନ ସମେତ ସବୁ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟରେ ସହାୟତା ପାଇଁ ପ୍ରଦାନ କରାଯାଇଥାଏ ।

ଚାଷୀମାନେ ବାର୍ଷିକ ୪% ସୁଧ ହାରରେ ସ୍ୱଳ୍ପକାଳୀନ କୃଷି ଋଣ ନେବା ଜାରି ରଖିପାରିବେ ଏବଂ ଠିକ୍‌ ସମୟରେ ଋଣ ପରିଶୋଧ ନିମନ୍ତେ ସକ୍ଷମ ହେବେ ।

 

******

P.S.



(Release ID: 1852604) Visitor Counter : 245