ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସୁରତ ତ୍ରିରଙ୍ଗା ଯାତ୍ରାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ଆମ ତ୍ରିରଙ୍ଗା ଆମ ଅତୀତର ଗୌରବ, ବର୍ତ୍ତମାନର ପ୍ରତିବଦ୍ଧତା ଓ ଭବିଷ୍ୟତର ସ୍ୱପ୍ନର ପ୍ରତିବିମ୍ବ

ଆମ ଜାତୀୟ ପତାକା ଦେଶର ବୟନ ଶିଳ୍ପ, ଦେଶର ଖଦୀ ଓ ଆତ୍ମନିର୍ଭରଶୀଳତାର ପ୍ରତୀକ

ଆମ ତ୍ରିରଙ୍ଗା ଭାରତର ଏକତା ଓ ଭାରତର ବିବିଧତାର ପ୍ରତୀକ
ଜନ ଭାଗିଦାରୀ ଅଭିଯାନଗୁଡିକ ନୂଆ ଭାରତର ଭିତ୍ତିକୁ ମଜବୁତ କରିବ

Posted On: 10 AUG 2022 6:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁରତ ତ୍ରିରଙ୍ଗା ଯାତ୍ରାକୁ ସମ୍ବୋଧିତ କରିଛନ୍ତି । ସମସ୍ତଙ୍କୁ ଅମୃତ ମହୋତ୍ସବର ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଅଭିଭାଷଣ ଆରମ୍ଭ କରି ଆଉ କିଛିଦିନ ମଧ୍ୟରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରୁଛି ବୋଲି ମନେ ପକାଇ ଦେବା ସହ ଭାରତର କୋଣ ଅନୁକୋଣରେ ତ୍ରିରଙ୍ଗା ଉଡାଇ ଏହି ଐତିହାସିକ ସ୍ୱାଧୀନତା ଦିବସ ପାଇଁ ଦେଶବାସୀ ପ୍ରସ୍ତୁତ ହେଉଛନ୍ତି ବୋଲି କହିଛନ୍ତି ।

ଗୁଜୁରାଟର କୋଣ ଅନୁକୋଣରେ ଉତ୍ସାହ ପରିଲକ୍ଷିତ ହେଉଛି ଓ ସୁରତରେ ଏହାର ନିଦର୍ଶନ ଦେଖିବାକୁ ମିଳିଛି । ସୁରତ ଆଜି ସମଗ୍ର ଦେଶର ଧ୍ୟାନ ଆକର୍ଷଣ କରିଛି । କହିବାକୁ ଗଲେ, ସୁରତ ତ୍ରିରଙ୍ଗା ଯାତ୍ରାରେ ମିନି ଇଣ୍ଡିଆ ପରିଲକ୍ଷିତ ହେଉଛି । ସମାଜର ପ୍ରତ୍ୟେକ ବର୍ଗର ଲୋକେ ଏଥିରେ ସାମିଲ ହୋଇଛନ୍ତି । ତ୍ରିରଙ୍ଗାର ପ୍ରକୃତ ଏକତା ଶକ୍ତି ସୁରତ ପ୍ରଦର୍ଶିତ କରିଛି । ନିଜର ବ୍ୟବସାୟ ଓ ଶିଳ୍ପ ପାଇଁ ସୁରତ ବିଶ୍ୱରେ ପରିଚୟ ସୃଷ୍ଟି କରିଥିଲେ ବି ଆଜିର ତ୍ରିରଙ୍ଗା ଯାତ୍ରା ପାଇଁ ସୁରତ ସାରା ବିଶ୍ୱର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମାବେଶକୁ ଉଦବୋଧନ ଅବସରରେ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ଯାତ୍ରାରେ ସ୍ୱାଧୀନତା ସଂଗ୍ରାମର ଭାବନାକୁ ଜୀବନ୍ତ କରିଥିବା ସୁରତବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । କପଡା ବିକ୍ରେତା, ଦୋକାନୀ, କାରିଗର, ସିଲେଇ ଓ ଏମ୍ବ୍ରୋଡୋରି କାରିଗର, ପରିବହନ ସହ ଜଡିତ ବ୍ୟକ୍ତି ସମସ୍ତେ ଏକାଠି ହୋଇଛନ୍ତି । ତ୍ରିରଙ୍ଗା ଯାତ୍ରାର ବିଶାଳ ଆୟୋଜନ ପାଇଁ ସୁରତର ସମଗ୍ର ବୟନ ଶିଳ୍ପ ଜଗତକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ତ୍ରିରଙ୍ଗା ଅଭିଯାନରେ ଜନ ଭାଗିଦାରୀ ପାଇଁ ସେ ଶ୍ରୀ ସାୱଁର ପ୍ରସାଦ ବୁଦ୍ଦିଆ ଓ ଏହି ଅଭିଯାନ ଆରମ୍ଭ କରିଥିବା ସାକେତ- ସେବା ହିଁ ଲକ୍ଷ୍ୟ ସହ ଜଡିତ ସ୍ୱେଚ୍ଛାସେବୀମାନଙ୍କ ସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଉପକ୍ରମକୁ ସଶକ୍ତ କରିଥିବା ସାଂସଦ ଶ୍ରୀ ସି.ଆର. ପାଟିଲଜୀଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ଆମ ଜାତୀୟ ପତାକା ଦେଶର ବୟନ ଶିଳ୍ପ, ଦେଶର ଖଦୀ ଓ ଦେଶର ଆତ୍ମନିର୍ଭରଶୀଳତାର ପ୍ରତୀକ । ସୁରତ ସବୁବେଳେ ଆତ୍ମନିର୍ଭର ଭାରତର ଭିତ୍ତି ପ୍ରସ୍ତୁତ କରିଛି । ଗୁଜୁରାଟ ବାପୁଙ୍କ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଛି ଓ ସ୍ୱାଧୀନତା ପରେ ଏକ ଭାରତ ଶ୍ରେଷ୍ଠ ଭାରତର ଭିତ୍ତି ସ୍ଥାପନ କରିଥିବା ଲୌହପୁରୁଷ ସର୍ଦ୍ଦାର ପଟେଲଙ୍କ ଭଳି ନାୟକ ପ୍ରଦାନ କରିଛି । ବର୍ଦ୍ଦୋଳି ଆନ୍ଦୋଳନ ଓ ଦାଣ୍ଡିଯାତ୍ରାର ବାର୍ତ୍ତା ସାରା ଦେଶକୁ ଏକାଠି କରିଥିଲା ।

ଭାରତର ତ୍ରିରଙ୍ଗା କେବଳ ତିନିଟି ରଙ୍ଗର ସମାହାର ନୁହେଁ ବରଂ ଆମ ଅତୀତର ଗୌରବ, ବର୍ତ୍ତମାନର ପ୍ରତିବଦ୍ଧତା ଓ ଭବିଷ୍ୟତର ସ୍ୱପ୍ନର ପ୍ରତିବିମ୍ବ । ଆମ ତ୍ରିରଙ୍ଗା ଭାରତର ଏକତା, ଭାରତର ଅଖଣ୍ଡତା ଓ ଭାରତର ବିବିଧତାର ମଧ୍ୟ ପ୍ରତୀକ । ଆମ ସଂଗ୍ରାମୀମାନେ ତ୍ରିରଙ୍ଗାରେ ଦେଶର ଭବିଷ୍ୟତ ଦେଖିଥିଲେ, ଦେଶର ସ୍ୱପ୍ନ ଦେଖିଥିଲେ ଓ ଏହାକୁ କେବେ ନଇଁବାକୁ ଦେଇନଥିଲେ । ସ୍ୱାଧୀନତାର ୭୫ ବର୍ଷ ପରେ ଆମେ ଯେତେବେଳେ ନୂଆ ଭାରତର ଯାତ୍ରା ଆରମ୍ଭ କରୁଛେ ସେତେବେଳେ ତ୍ରିରଙ୍ଗା ପୁଣି ଥରେ ଭାରତର ଏକତା ଓ ଚେତନାକୁ ପ୍ରତିନିଧିତ୍ୱ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦେଶସାରା ଚାଲିଥିବା ତ୍ରିରଙ୍ଗା ଯାତ୍ରା ହର ଘର ତିରଙ୍ଗା ଅଭିଯାନର ଶକ୍ତି ଓ ଭକ୍ତିର ପ୍ରତୀକ । ଅଗଷ୍ଟ ୧୩ରୁ ୧୫ ଯାଏଁ ଭାରତର ପ୍ରତି ଘରେ ତ୍ରିରଙ୍ଗା ଉଡାଯିବ । ସମାଜର ସମସ୍ତ ବର୍ଗ, ସମସ୍ତ ଜାତି, ସମସ୍ତ ଧର୍ମର ଲୋକେ ସ୍ୱତଃସ୍ଫୁର୍ତ୍ତ ଭାବେ ଗୋଟିଏ ପରିଚୟ ନେଇ ଏକାଠି ହେବେ । ଏହାହିଁ ସଚେତନ ଭାରତୀୟ ନାଗରିକଙ୍କ ପରିଚୟ ପାଲଟିବ ।

ଏହା ହିଁ ଭାରତମାତାଙ୍କ ସନ୍ତାନର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ହର ଘର ତିରଙ୍ଗା ଅଭିଯାନ ସମର୍ଥନରେ ପୁରୁଷ ଓ ମହିଳା, ଯୁବପୀଢି, ବୟସ୍କ ସମସ୍ତଙ୍କ ଭୂମିକାରେ ପ୍ରଧାନମନ୍ତ୍ରୀ ବେଶ ସନ୍ତୋଷ ବ୍ୟକ୍ତ କରିଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନ ବହୁ ଦରିଦ୍ର, ବୁଣାକାର ଓ ହସ୍ତତନ୍ତ କର୍ମଚାରୀଙ୍କୁ ଅତିରିକ୍ତ ରୋଜଗାର ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ଆମ ସଂକଳ୍ପକୁ ନୂଆ ଶକ୍ତି ପ୍ରଦାନ କରୁଥିବା ଏଭଳି କାର୍ଯ୍ୟକ୍ରମଗୁଡିକର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ସମାପନ କରିଥିଲେ । “ଜନ ଭାଗିଦାରୀ ଅଭିଯାନଗୁଡିକ ନୂଆ ଭାରତର ଭିତ୍ତି ମଜବୁତ କରିବ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

SR



(Release ID: 1850805) Visitor Counter : 169