ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶଙ୍କ ଦାୟିତ୍ୱ ଗ୍ରହଣ

Posted On: 01 AUG 2022 4:14PM by PIB Bhubaneshwar

ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ପ୍ରକାଶ ଭାରତୀୟ ସୂଚନା ସେବାର ୧୯୮୮ ବ୍ୟାଚର ଅଧିକାରୀ । ଏଥିପୂର୍ବରୁ ସେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର (ସିବିସି) ପ୍ରମୁଖ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । 

ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶଙ୍କର କେନ୍ଦ୍ର ସରକାରଙ୍କ ଜନ ସମ୍ପର୍କ, ଗଣମାଧ୍ୟମ ପରିଚାଳନା, ପ୍ରଶାସନ, ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଗଭୀର ଅଭିଜ୍ଞତା ରହିଛି । ସେ ବିଭିନ୍ନ ଜାତୀୟ ଓ ୟୁନେସ୍କୋ, ୟୁନିସେଫ୍‌, ୟୁଏନଡିପି ଇତ୍ୟାଦି ଆନ୍ତର୍ଜାତିକ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ ନିମନ୍ତେ ସରକାରୀ ବିଜ୍ଞାପନର ବିଷୟବସ୍ତୁ ସମ୍ପର୍କୀତ ମାର୍ଗଦର୍ଶିକା ପ୍ରସ୍ତୁତି, ଇଣ୍ଟରନେଟ ଓ ଡିଜିଟାଲ ଗଣମାଧ୍ୟମ ନୀତି, ଏଫଏମ୍ ରେଡିଓ ନୀତି, ଡିଜିଟାଲ ଚଳଚ୍ଚିତ୍ର ନୀତି ଇତ୍ୟାଦି ପ୍ରସ୍ତୁତି କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୨୦୨୧ ଗଣତନ୍ତ୍ର ଦିବସ ନିମନ୍ତେ ପ୍ରଥମ 'ଭୋକାଲ ଫର ଲୋକାଲ' ପ୍ରଜ୍ଞାପନ ମଣ୍ଡପ ନିର୍ମାଣ ପାଇଁ ତାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି ଲାଭ କରିଥିଲା । 

ଶ୍ରୀ ପ୍ରକାଶ ଭାରତ ସରକାରଙ୍କର ଅନେକ ପ୍ରମୁଖ ଜନସୂଚନା ଅଭିଯାନର ପରିପାଟୀ ପ୍ରସ୍ତୁତି ସହ କାର୍ଯ୍ୟାନ୍ୱୟନରେ ମୁଖ୍ୟ ଥିଲେ । ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇଇସି ଅଭିଯାନ ସଂଯୋଜନା କରିଥିଲେ । ୨୦୨୧-୨୨ରେ ମତଦାତା ସଚେତନତା ଓ ଭୋଟଦାନରେ ଅଂଶଗ୍ରହଣ ବୃଦ୍ଧି ପାଇଁ ତାଙ୍କୁ ନିକଟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାତୀୟ ସମ୍ମାନରେ ସମ୍ମାନୀତ କରାଯାଇଛି ।

ଶ୍ରୀ ସତ୍ୟେନ୍ଦ୍ର ପ୍ରକାଶ କାର୍ଯ୍ୟଭାର ଗ୍ରହଣ କରିବା ପରେ ପିଆଇବିର ବରିଷ୍ଠ ଅଧିକାରୀଗଣ ତାଙ୍କୁ ସ୍ୱାଗତ ଜଣାଇଥିଲେ ।

 

****

SM/SLP



(Release ID: 1847079) Visitor Counter : 231