ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ବଫର ଷ୍ଟକ ପାଇଁ ୨୦୨୨-୨୩ରେ ଚାଷୀଙ୍କ ଠାରୁ ସର୍ବାଧିକ ୨. ୫୦ ଲକ୍ଷ ଟନ୍ ପିଆଜ ସଂଗ୍ରହ


ପିଆଜର ମୌଳିକ ପ୍ରକ୍ରିୟାକରଣ ଓ ମୂଲ୍ୟବର୍ଦ୍ଧନ ପାଇଁ ଟେକ୍‌ନୋଲୋଜି ବିକଶିତ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆହ୍ୱାନ

ପିଆଜର ଅମଳ ପରବର୍ତ୍ତୀ କ୍ଷତିକୁ ହ୍ରାସ କରିବାକୁ ରଣକୌଶଳ ବିକଶିତ କରିବାକୁ ବିଦ୍ୟାର୍ଥୀ, ଗବେଷକ ଓ ଷ୍ଟାର୍ଟର୍ଅପ୍ ସହିତ କେନ୍ଦ୍ର ଖାଉଟି କଲ୍ୟାଣ ବ୍ୟାପାର ବିଭାଗର ଆଲୋଚନା

Posted On: 15 JUL 2022 1:59PM by PIB Bhubaneshwar

 ଅତୀତର ସବୁ ରେକର୍ଡ ଭଙ୍ଗ କରି କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷରେ ଚାଷୀଙ୍କଠାରୁ ୨.୫୦ଲକ୍ଷ ଟନ୍ ପିଆଜ ସଂଗ୍ରହ କରିଛନ୍ତି । ଭବିଷ୍ୟତରେ ତିରୋଟ ସମୟର ଆବଶ୍ୟକତା ପୂରଣ କରିବାକୁ ଏହି ପିଆଜକୁ ମହଜୁଦ (ବଫର ଷ୍ଟକ) ରଖାଯାଇଛି । ୨୦୨୧-୨୨ରେ କେନ୍ଦ୍ର ସରକାର ୨ଲକ୍ଷ ଟନ୍ ପିଆଜ ମହଜୁଦ ରଖିଥିଲେ । ଚଳିତବର୍ଷ ଏହାକୁ ଆଉ ୦.୫୦ଲକ୍ଷ ଟନ୍ ବଢାଇ ଦିଆଯାଇଛି । ଚଳିତ ରବି ଋତୁରେ ଅମଳ ହୋଇଥିବା ପିଆଜକୁ ସଂଗ୍ରହ କରି ସରକାର ଏହାର ମୂଲ୍ୟ ସ୍ଥିର ରଖିବାକୁ ଏହି ମହଜୁଦ ବ୍ୟବସ୍ଥା କରିଛନ୍ତି । ଜାତୀୟ ଭାରତୀୟ କୃଷି ସମବାୟ ବିପଣନ ସହଯୋଗ ମହାସଂଘ ବା ନାଫେଡ ସହାୟତାରେ କୃଷକ ଉତ୍ପାଦନ ସଂଗଠନ(ଏଫ୍‌ପିଓ) ମାଧ୍ୟମରେ ଏହି ପିଆଜ ସବୁ ସରକାର ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶ ଭଳି ପିଆଜ ଉତ୍ପାଦନକାରୀ ରାଜ୍ୟର ଚାଷୀଙ୍କଠାରୁ କିଣିଛନ୍ତି ।

ଆସନ୍ତା ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ପିଆଜ ଉତ୍ପାଦନ ପ୍ରାୟତଃ କମ୍ ରହିବ । ଏହି ନିଅଣ୍ଟିଆ ସମୟରେ ମହଜୁଦ ରହିଥିବା ଏହି ପିଆଜକୁ ବିଭିନ୍ନ ରାଜ୍ୟ ଓ ସରକାରୀ ସଂସ୍ଥାଙ୍କୁ ଆବଶ୍ୟକତା ଅନୁସାରେ କେନ୍ଦ୍ର ଯୋଗାଇବା ସହିତ ଖୋଲା ବଜାରରେ ବିକ୍ରି ପାଇଁ ଯୋଗାଇ ଦିଆଯିବ । ତିରୋଟ ବା ନିଅଣ୍ଟିଆ ସମୟରେ ପିଆଜର ମୂଲ୍ୟ ଯେପରି ଅସ୍ୱାଭାବିକ ଭାବେ ଅତି ଅଧିକ ନ ରହେ ସେଥି ପାଇଁ ସରକାର ଦେଶର ବିଭିନ୍ନ ବଡ ବଡ ମଣ୍ଡି ଏବଂ ଅନ୍ୟାନ୍ୟ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସୁଲଭ ମୂଲ୍ୟରେ  ପିଆଜ ଖୋଲା ବଜାରକୁ ଛାଡିବେ  ।

ଏହି ମହଜୁଦ(ବଫର ଷ୍ଟକ) ଦ୍ୱାରା ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ ସାଧିତ ହେବ । ପ୍ରଥମତଃ ଚାଷୀଙ୍କଠାରୁ ଲାଭଦାୟକ ମୂଲ୍ୟରେ ସରକାର ପିଆଜ ସଂଗ୍ରହ କରିବା ଦ୍ୱାରା ସେମାନେ ଉପକୃତ ହେବେ । ଦ୍ୱିତୀୟତଃ ସମଗ୍ର ଦେଶର ଖାଉଟିଙ୍କୁ ମଧ୍ୟ ସୁଲଭ ମୂଲ୍ୟରେ ପିଆଜ ମିଳିବ । ପିଆଜ ଏକ ପଚାସଢା ସାମଗ୍ରୀ ଏବଂ ଏହା ଅଧିକ ଦିନ ରହେ ନାହିଁ । ଏହା ଶୁଖିଯିବା ଫଳରେ ଓଜନ କମିଯାଏ, ଗଜା ହୋଇଯାଏ ଓ ପ୍ରାୟତଃ ପଚିସଢି ଯାଇଥାଏ ।

ରବିଋତୁରେ ପିଆଜ ଏପ୍ରିଲରୁ ଜୁନ ମାସ ମଧ୍ୟରେ ଅମଳ ହୋଇଥାଏ । ଏହି ସମୟରେ ଭାରତର ମୋଟ ପିଆଜ ଚାହିଦାର ୬୫% ଉତ୍ପାଦିତ ହୋଇଥାଏ ଏବଂ ଏହା ଖରିଫ ପିଆଜ ଅମଳ ହେବା ପର୍ଯ୍ୟନ୍ତ ଅକ୍ଟୋବର - ନଭେମ୍ବର ଯାଏ ବଜାର ଆବଶ୍ୟକତା ପୂରଣ କରେ । ଅତଏବ ନିୟମିତ ପିଆଜ ଯୋଗାଣ ପାଇଁ ଏହାର ଉପଯୁକ୍ତ ସଂରକ୍ଷଣ ଓ ଭଣ୍ଡାରଣ ବିଶେଷ ଗୁରୁତ୍ୱପୂର୍ଣ୍ଣ ।

 ପିଆଜ ଅମଳ ପରବର୍ତ୍ତୀ କ୍ଷତିକୁ ଯଥାସମ୍ଭବ ହ୍ରାସ କରିବାକୁ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ଟେକ୍‌ନୋଲୋଜି ବିକଶିତ କରିବାକୁ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କୁ ପ୍ରସ୍ତାବ ଦେବା ସହିତ ଏ କ୍ଷେତ୍ରରେ ଆଗେଇ ଆସିବାକୁ ଆହ୍ୱାନ ଜଣାଇଛି । ଏଥିରେ ପିଆଜର ପ୍ରାଥମିକ ପ୍ରକ୍ରିୟାକରଣ, ଭଣ୍ଡାରଣ ଓ ମୂଲ୍ୟ ବର୍ଦ୍ଧନକୁ ଗୁୁରୁତ୍ୱ ଦିଆଯାଇଛି । ଅମଳ ପରବର୍ତ୍ତୀ କ୍ଷତିକୁ କମାଇବା ପାଇଁ କି ପ୍ରକାର ସମ୍ଭାବ୍ୟ ଉପାୟ ଓ ଟେକ୍‌ନୋଲୋଜି ବାହାର କରାଯାଇପାରିବ ସେଥିପାଇଁ ଖାଉଟି କଲ୍ୟାଣ ବିଭାଗ ୟୁଜି/ପିଜି/ସ୍ତରର ବିଦ୍ୟାର୍ଥୀ, ଗବେଷକ ଓ ଷ୍ଟାର୍ଟଅପଗୁଡିକ ସହ କଥାବାର୍ତ୍ତା କରୁଛି । ଏବେ ଯେଉଁ ଭଣ୍ଡାରଣ ଢାଞ୍ଚା ରହିଛି ତାହାର ବିକାଶ, ପ୍ରାକ୍ ଅମଳ ସ୍ତରର ଯତ୍ନ ଓ ନଷ୍ଟ ହେଉଥିବା ପିଆଜ ବର୍ଜ୍ୟବସ୍ତୁର ଉପଯୋଗ କରିବା ଉପରେ ଗବେଷଣା କରି ଉପାୟ ବାହାର କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ସରକାର ଏଥିପାଇଁ  ଯେଉଁ ପ୍ରସ୍ତାବ ଦେଇଛନ୍ତି  ତାହା ତିନିସ୍ତରୀୟ । ପ୍ରଥମେ ଏଥିପାଇଁ ଆଗ୍ରହୀ ପକ୍ଷ ସରକାରଙ୍କୁ ପ୍ରସ୍ତାବ ଦେବେ ଓ ତାହାକୁ ପରୀକ୍ଷା କରି ଦେଖାଯିବ । ଏହା ପରେ ପ୍ରସ୍ତାବର ରୂପାୟନ ଓ ଟେକ୍‌ନୋଲୋଜି ବିକାଶ ଜନିତ ପ୍ରସ୍ତାବକୁ ସରକାର ବିଚାର କରି ଦେଖିବେ । ଏହା ଯଦି ଗ୍ରହଣୀୟ ହୁଏ, ତାହେଲେ ତାହାର ନିର୍ମାଣ କରି ପରୀକ୍ଷାମୂଳକ ପ୍ରୟୋଗ ପାଇଁ ସମ୍ପୃକ୍ତ ପକ୍ଷଙ୍କୁ ଅନୁମତି ପ୍ରଦାନ କରାଯିବ । ଏହି ପ୍ରକ୍ରିୟାରେ ନିର୍ବାଚିତ ଅଂଶଗ୍ରହଣକାରୀଙ୍କୁ ପ୍ରତ୍ୟେକ ସ୍ତରରେ ଆକର୍ଷଣୀୟ ପୁରସ୍କାର ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

 ଏହି ଯୋଜନା /କାର୍ଯ୍ୟକ୍ରମ ସମ୍ପର୍କରେ ଦେଶର ସବୁ କୃଷି ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅବଗତ କରାଯାଇଛି । ଟେକ୍‌ନୋଲୋଜି ବିକାଶ କ୍ଷେତ୍ରରେ ଅଧିକରୁ ଅଧିକ ପକ୍ଷ ଯେପରି ସମ୍ପୃକ୍ତ ହୁଅନ୍ତି ସେଥିପାଇଁ ସରକାର ଉତ୍ସାହିତ କରୁଛନ୍ତି । ଆଗ୍ରହୀ ପକ୍ଷ ଏଥିପାଇଁ ... ମାଧ୍ୟମରେ ନିଜର ପଞ୍ଜୀକରଣ କରିପାରିବେ ।

 

****

TKM/SLP



(Release ID: 1841917) Visitor Counter : 145