ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଧର୍ମଶାଳାରେ ଚେସ୍‌ ଅଲମ୍ପିଆଡର ମଶାଲ ରିଲେରେ ଭାଗ ନେଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର


ହିମାଚଳ ପ୍ରଦେଶ ଏବଂ ଭାରତରେ ଚେସକୁ ଲୋକପ୍ରିୟ କରିବା ଦିଗରେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ : କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ

Posted On: 22 JUN 2022 3:43PM by PIB Bhubaneshwar

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ବୁଧବାର ଦିନ ଧର୍ମଶାଳା ଠାରେ ଚେସ୍‌ ଅଲମ୍ପିଆଡର ମଶାଲ ରିଲେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଧର୍ମଶାଳାରେ ମଶାଲ ରିଲେକୁ ସ୍ବାଗତ କରିବାକୁ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଗତ ୧୯ ତାରିଖ, ରବିବାର ଦିନ ନୂଆଦିଲ୍ଲୀର ଆଇଜି ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଐତିହାସିକ ମଶାଲ ରିଲେର ଶୁଭାରମ୍ଭ କରିଥିଲେ ।

ଚେସ୍‌ ଅଲମ୍ପିଆଡ ମଶାଲ ରିଲେ ଦେଶର ୭୫ଟି ସହର ପରିକ୍ରମା କରିବ । ଚଳିତ ବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଥିବାରୁ ଏପରି ପରିକ୍ରମା ନିମନ୍ତେ ଯୋଜନା କରାଯାଇଛି ।

ଏଚପିସିଏ ପରିସରରେ ଆୟୋଜିତ ସଭାରେ ଉଦବୋଧନ ଦେଇ ଶ୍ରୀ ଅନୁରାଗ ସିଂ ଠାକୁର କହିଥିଲେ ଯେ, ‘‘ଭାରତରେ ଚେସର ଏକ ସୁଦୀର୍ଘ ଇତିହାସ ରହିଛି । ଆମେ ଚତୁରଙ୍ଗ ଠାରୁ ଆରମ୍ଭ କରି ଶତରଞ୍ଜ ବା ଚେସ୍‌ ପର୍ଯ୍ୟନ୍ତ ପହଞ୍ଚିଛୁ।’’ ସେ କହିଥିଲେ ଯେ, ଚେସ ଅଲମ୍ପିଆଡ୍‌ ଇତିହାସରେ ପ୍ରଥମ ଥର ଭାରତ ଏହି ପ୍ରତିଯୋଗିତା ଆୟୋଜନ କରୁଛି । ଏଥିପାଇଁ ଆଜାଦୀ କା ଅମୃତ ମହୋତ୍ସବ ଠାରୁ ଅଧିକ ଭଲ ଅବସର ଆଉ ମିଳିନଥାନ୍ତା। ଚେସ ଅଲମ୍ପିଆଡ ଅବସରରେ ମୋଟ ୧୮୮ଟି ଦେଶର ୨୦୦୦ରୁ ଅଧିକ ଖେଳାଳୀ ଏବଂ ୧୦୦୦ରୁ ଊର୍ଦ୍ଧ୍ବ ଅଧିକାରୀ ଭାରତ ଆସିବେ । ଏଭଳି ପଦକ୍ଷେପ ଗ୍ରହଣ କରିବା ସହିତ ଯୁବ ଚେସ୍‌ ପ୍ରେମୀମାନଙ୍କୁ ସେମାନଙ୍କ ବରିଷ୍ଠ ସମକକ୍ଷ ତଥା ଗ୍ରାଣ୍ଡମାଷ୍ଟରମାନଙ୍କୁ ଭେଟିବା ଲାଗି ସୁଯୋଗ ଦେବା ନିମନ୍ତେ କେନ୍ଦ୍ର ମନ୍ତ୍ରୀ ଏଆଇସିଏଫକୁ ଅଭିନନ୍ଦନ ଜଣାଇଥିଲେ ।

ଧର୍ମଶାଳାର ଏଚପିସିଏ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିମାଚଳ ପ୍ରଦେଶ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା, ଜଙ୍ଗଲ ବିଭାଗ ମନ୍ତ୍ରୀ ଶ୍ରୀ ରାକେଶ ପଠାନିଆ, ସର୍ବଭାରତୀୟ ଚେସ୍‌ ମହାସଂଘର ମହାସଚିବ ଶ୍ରୀ ଭରତ ସିଂ ଚୌହାନଙ୍କ ସମେତ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ଏଆଇସିଏଫର ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ଏଚପିସିଏରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଧର୍ମଶାଳାସ୍ଥିତ ସାଇ କେନ୍ଦ୍ରର ଆଥଲେଟ, ଏନୱାଇକେଏସର ସ୍ବେଚ୍ଛାସେବୀ ଏବଂ ହିମାଚଳ ପ୍ରଦେଶ ଚେସ ସଂଘର ଯୁବ ଖେଳାଳୀଙ୍କ ସମେତ ୫୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ଚେସ୍‌ ଗ୍ରାଣ୍ଡମାଷ୍ଟର ଦୀପ ସେନଗୁପ୍ତା ଚେସ ମଶାଲକୁ ଶ୍ରୀ ଠାକୁରଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ମଶାଲକୁ ଶିମଲା ନିଆ ଯାଇଥିଲା।

ଏହି ମଶାଲ ରିଲେର ଶୁଭାରମ୍ଭ ସମାରୋହକୁ ସ୍ମରଣ କରି ଶ୍ରୀ ଠାକୁର କହିଥିଲେ ଯେ, ‘‘ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଐତିହାସିକ ମଶାଲ ରିଲେର ଶୁଭାରମ୍ଭ କରିଥିଲେ ଏବଂ ସେଦିନ ପାଖାପାଖି ୧୦ ହଜାର ଲୋକ ଏହି କାର୍ଯ୍ୟକ୍ରମକୁ ସିଧାସଳଖ ଦେଖିବା ଲାଗି ଉପସ୍ଥିତ ଥିଲେ । ଏବେ ଏହି ମଶାଲକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବାର ଆବଶ୍ୟକତା ରହିଛି । କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଏବଂ ଜଣେ କ୍ରୀଡ଼ାପ୍ରେମୀ ହୋଇଥିବା ଦୃଷ୍ଟିରୁ ହିମାଚଳ ପ୍ରଦେଶ ଏବଂ ଭାରତରେ ଚେସକୁ ଲୋକପ୍ରିୟ କରାଇବାରେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ଠାକୁର ଆଶ୍ବାସନା ଦେଇଥିଲେ ।

୪୪ତମ ଫିଡେ ଚେସ୍‌ ଅଲମ୍ପିଆଡ ୨୮ ଜୁଲାଇରୁ ୧୦ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଚେନ୍ନାଇ ଠାରେ ଆୟୋଜିତ ହେବ ।

 

*******

P.S.



(Release ID: 1836335) Visitor Counter : 134