ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତାମିଲନାଡ଼ୁରେ ୩୧,୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ୧୧ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ


‘‘ତାମିଲନାଡ଼ୁକୁ ଫେରିବା ସବୁବେଳେ ଏକ ସୁନ୍ଦର ଅନୁଭବ ଆଣିଥାଏ । ଏହି ମାଟି ସ୍ବତନ୍ତ୍ର । ଏ ରାଜ୍ୟର ଜନସାଧାରଣ, ସଂସ୍କୃତି ଓ ଭାଷା ଚମତ୍କାର’’

‘‘ତାମିଲ ଭାଷା ଚିରନ୍ତନ ଏବଂ ତାମିଲ ସଂସ୍କୃତି ବିଶ୍ବସ୍ତରୀୟ’’

‘‘ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଧୁନିକୀକରଣ ଓ ବିକାଶ କାର୍ଯ୍ୟ କରାଯାଉଛି । ଅନୁରୂପ ଭାବେ, ଏହା ସ୍ଥାନୀୟ କଳା ଓ ସଂସ୍କୃତି ସହ ମିଶିବାକୁ ଯାଉଛି’’

‘‘ଉଚ୍ଚ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିବା ଲାଗି ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ଗୁରୁତ୍ବାରୋପ କରୁଛନ୍ତି’’

‘‘ପ୍ରମୁଖ ଯୋଜନାଗୁଡ଼ିକର କାର୍ଯ୍ୟକାରିତା କ୍ଷେତ୍ରରେ ସମ୍ପୂର୍ଣ୍ଣତା ଲକ୍ଷ୍ୟ ହାସଲ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି’’

‘‘ଆମେ ଗରିବ କଲ୍ୟାଣ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛୁ’’

‘‘ନିବିଡ଼ ବନ୍ଧୁ ଓ ପଡ଼ୋଶୀ ଭାବେ, ଭାରତ ଶ୍ରୀଲଙ୍କାକୁ ଯଥାସମ୍ଭବ ସହାୟତା ଯୋଗାଇ ଦେଉଛି’’

‘‘ତାମିଲ ଭାଷା ଓ ସଂସ୍କୃତିକୁ ଆହୁରି ଲୋକପ୍ରିୟ କରିବା ଲାଗି ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ’’

Posted On: 26 MAY 2022 7:52PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇରେ ୩୧ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ୧୧ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପ ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହନ ଦେବା ସହିତ, ଯୋଗାଯୋଗ ବ୍ୟବସ୍ଥାକୁ ବଢ଼ାଇବ ଏବଂ ସ୍ଥାନୀୟ ଅଞ୍ଚଳରେ ସହଜ ଜୀବନ ଧାରଣ ସୁନିଶ୍ଚିତ କରିବ । ତାମିଲନାଡ଼ୁ ରାଜ୍ୟପାଳ ଶ୍ରୀ ଆର.ଏନ. ରବି, ମୁଖ୍ୟମନ୍ତ୍ରୀ ଶ୍ରୀ ଏମ.କେ ଷ୍ଟାଲିନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଏଲ. ମୁରୁଗାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସମବେତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ତାମିଲନାଡ଼ୁ ଆସିଥିବାରୁ ଖୁସି ବ୍ୟକ୍ତ କରିଥିଲେ । ‘‘ତାମିଲନାଡ଼ୁକୁ ଫେରିବା ସବୁବେଳେ ଏକ ସୁନ୍ଦର ଅନୁଭବ ଆଣିଥାଏ । ଏହି ମାଟି ସ୍ବତନ୍ତ୍ର । ଏ ରାଜ୍ୟର ଜନସାଧାରଣ, ସଂସ୍କୃତି ଓ ଭାଷା ଚମତ୍କାର’’, ପ୍ରଧାନମନ୍ତ୍ରୀ ପ୍ରାରମ୍ଭରେ କହିଥିଲେ । ସେ କହିଥିଲେ ଯେ, ପ୍ରତିଦିନ ତାମିଲନାଡ଼ୁରେ କେହି ନା କେହି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରୁଛନ୍ତି । ଡିଫ୍‌ (ବଧିର) ଅଲିମ୍ପିକ୍ସ ପ୍ରତିଯୋଗୀମାନଙ୍କୁ ସାକ୍ଷାତ କରିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । ଦେଶ ଚଳିତ ଥର ହାସଲ କରିଥିବା ୧୬ଟି ପଦକ ମଧ୍ୟରୁ କେବଳ ତାମିଲନାଡ଼ୁର ଯୁବ ତାରକାମାନେ ୬ଟି ପଦକ ପାଇଛନ୍ତି ।

ସମୃଦ୍ଧ ତାମିଲ ସଂସ୍କୃତି ଉପରେ ମତବ୍ୟକ୍ତ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ତାମିଲ ଭାଷା ଚିରନ୍ତନ ଏବଂ ତାମିଲ ସଂସ୍କୃତି ବିଶ୍ବସ୍ତରୀୟ । ଚେନ୍ନାଇରୁ କାନାଡ଼ା, ମଦୁରାଇରୁ ମାଲେସିୟା, ନମକ୍କଲରୁ ନ୍ୟୁୟର୍କ, ସାଲେମରୁ ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ, ପୋଙ୍ଗଲ ଓ ପୁତନ୍ଦୁ ପର୍ବ ବ୍ୟାପକ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଇଥାଏ । ସେ ଆହୁରି ସୂଚନା ଦେଇ କହିଥିଲେ ଯେ, ନିକଟରେ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ, ମହାନ ତାମିଲନାଡ଼ୁ ମାଟିର ପୁତ୍ର ଏବଂ କେନ୍ଦ୍ର ମନ୍ତ୍ରୀ ତିରୁ ଏଲ ମୁରୁଗାନ ପାରମ୍ପରିକ ତାମିଲ ପୋଷାକ ପରିଧାନ କରି ରେଡ କାର୍ପେଟରେ ଚାଲିଥିଲେ । ଏହା ସାରା ବିଶ୍ବରେ ଥିବା ତାମିଲନାଡ଼ୁର ଜନସାଧାରଣଙ୍କୁ ବିଶେଷ ଭାବେ ଗର୍ବିତ କରିଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଉଦଘାଟନ ଏବଂ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକରେ ସଡ଼କ ଯୋଗାଯୋଗ ଉପରେ ବିଶେଷ ଧ୍ୟାନ ଦିଆଯାଇଛି, ଯାହାକି ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି । ଆର୍ଥିକ ସମୃଦ୍ଧି ସହ ସମ୍ପର୍କ ରହିଥିବାରୁ ଏପରି କରାଯାଇଛି । ସେ କହିଥିଲେ ଯେ ବେଙ୍ଗାଲୁରୁ-ଚେନ୍ନାଇ ଏକ୍ସପ୍ରେସ ୱେ ଦୁଇଟି ପ୍ରମୁଖ ସହରକୁ ଯୋଡ଼ିବ ଏବଂ ଚେନ୍ନାଇ ବନ୍ଦରରୁ ମଦୁରଭୋୟଲକୁ ଯୋଡ଼ୁଥିବା ଚାରି ଲେନ୍‌ ବିଶିଷ୍ଟ ଦୁଇ ଥାକିଆ ଉଚ୍ଚ ସଡ଼କ ଚେନ୍ନାଇ ବନ୍ଦରର କାର୍ଯ୍ୟଦକ୍ଷତା ବଢ଼ାଇବା ସହିତ ସହରରେ ଟ୍ରାଫିକ ଭିଡ଼ କମାଇବ ।  ପାଞ୍ଚଟି ରେଳ ଷ୍ଟେସନ ପୁନଃବିକଶିତ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଧୁନିକୀକରଣ ଓ ବିକାଶ କାର୍ଯ୍ୟ କରାଯାଉଛି । ଅନୁରୂପ ଭାବେ, ଏହା ସ୍ଥାନୀୟ କଳା ଓ ସଂସ୍କୃତି ସହ ମିଶିବାକୁ ଯାଉଛି । ସେ କହିଥିଲେ,  ମଦୁରାଇ-ତେନି ରେଳ ଗଜ୍‌ କନଭର୍ସନ ପ୍ରକଳ୍ପ ସ୍ଥାନୀୟ ଚାଷୀଙ୍କ ପାଇଁ ସହାୟକ ହେବ କାରଣ ଏହା ସେମାନଙ୍କୁ ନୂଆ ବଜାର ଦେବ ।

ଐତିହାସିକ ଚେନ୍ନାଇ ଲାଇଟ୍‌ ହାଉସ୍‌ ପ୍ରକଳ୍ପର ଅଂଶବିଶେଷ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପକ୍କା ଘର ପାଇଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଆମେ ଏକ ବିଶ୍ବସ୍ତରୀୟ ପରିବର୍ତ୍ତନ ଆରମ୍ଭ କରିଥିବାରୁ ଏହା ଅତ୍ୟନ୍ତ ସନ୍ତୋଷଜନକ । ପ୍ରଥମ ପ୍ରକଳ୍ପ ରେକର୍ଡ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହେବା ଏବଂ ଏହା ଚେନ୍ନାଇରେ ନିର୍ମାଣ କରାଯିବା ତାଙ୍କ ପାଇଁ ଖୁସିର ବିଷୟ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ବହୁମୁଖି ଲଜିଷ୍ଟିକ ପାର୍କଗୁଡ଼ିକ ଆମ ଦେଶରେ ମାଲ ପରିବହନ ଇକୋସିଷ୍ଟମ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ବିଭିନ୍ନ କ୍ଷେତ୍ରରେ ଏପରି ପ୍ରକଳ୍ପ ନିଯୁକ୍ତି ସୁଯୋଗ ବଢ଼ାଇବା ସହିତ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭିତ୍ତିଭୂମି ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଉଥିବା ଦେଶ ବିକାଶଶୀଳରୁ ବିକଶିତ ରାଷ୍ଟ୍ର ହୋଇପାରିଛି । ଇତିହାସରୁ ଆମକୁ ଏହି ଶିକ୍ଷା ମିଳିଛି । ଉଚ୍ଚ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିବା ଲାଗି ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ଗୁରୁତ୍ବାରୋପ କରୁଛନ୍ତି ବୋଲି ସେ କହିଥିଲେ । ଏହି କ୍ରମରେ ସେ ଉଭୟ ଭୌତିକ ଏବଂ ଉପକୂଳ ଭିତ୍ତିଭୂମି ବିଷୟରେ ଉଲ୍ଲେଖ କରିଥିଲେ । ଆମେ ଗରିବ କଲ୍ୟାଣ ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟ କରୁଛୁ । ସାମାଜିକ ଭିତ୍ତିଭୂମି ଉପରେ ଆମେ ଗୁରୁତ୍ବାରୋପ କରୁଛୁ, ଯେଉଁଥିରେ ‘ସର୍ବ ଜନ ହିତାୟ ଏବଂ ସର୍ବ ଜନ ସୁଖାୟ’ ନୀତି ପ୍ରତିଫଳିତ ହେଉଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ସରକାର ସବୁ ପ୍ରମୁଖ ଯୋଜନାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ହାସଲ ଦିଗରେ ସମର୍ପିତ ହୋଇ କାର୍ଯ୍ୟ କରୁଛନ୍ତି । ଶୌଚାଳୟ, ଆବାସ, ଆର୍ଥିକ ଅନ୍ତର୍ଭୂକ୍ତୀକରଣ… ଯେକୌଣସି କ୍ଷେତ୍ର ହେଉ- ଆମେ ସମ୍ପୂର୍ଣ୍ଣ ପ୍ରସାର ଦିଗରେ ଅଗ୍ରସର ହେଉଛୁ । ଏହା ସମ୍ପୂର୍ଣ୍ଣ ହେଲେ କେହି ଜଣେ ହେଲେ ବଞ୍ଚିତ ବାଦ୍‌ ପଡ଼ିବେ ନାହିଁ ବୋଲି ସେ କହିଥିଲେ ।

ପାରମ୍ପରିକ ଭାବେ ଯାହାକୁ ଭିତ୍ତିଭୂମି ବୋଲି କୁହାଯାଇଥାଏ, ସେଥିରୁ ଊର୍ଦ୍ଧ୍ବକୁ ଯାଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ, କିଛି ବର୍ଷ ପୂର୍ବରୁ ଭିତ୍ତିଭୂମିର ଅର୍ଥ କେବଳ ସଡ଼କ, ଶକ୍ତି ଓ ଜଳ ବୋଲି ବୁଝାଉଥିଲା । ଆଜି ଆମେ ଭାରତର ଗ୍ୟାସ ପାଇପଲାଇନ ନେଟୱର୍କକୁ ବିସ୍ତାର କରିବା ଦିଗରେ କାର୍ଯ୍ୟ କରୁଛୁ । ଆଇ-ୱେ ଉପରେ କାର୍ଯ୍ୟ ଜାରି ରହିଛି । ସବୁ ଗାଁରେ ହାଇ ସ୍ପିଡ୍‌ ଇଣ୍ଟରନେଟ୍‌ ପହଞ୍ଚାଇବା ଆମର ସଂକଳ୍ପ ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ତାମିଲ ଭାଷା ଓ ସଂସ୍କୃତିକୁ ଆହୁରି ଲୋକପ୍ରିୟ କରିବା ଲାଗି ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ । ଚଳିତ ବର୍ଷ ଜାନୁଆରୀ ମାସରେ, ଚେନ୍ନାଇ ଠାରେ କେନ୍ଦ୍ରୀୟ ସାଂସ୍କୃତିକ ତାମିଲ ସଂସ୍ଥାନର ନୂତନ କ୍ୟାମ୍ପସ ଉଦଘାଟିତ ହୋଇଥିଲା। ନୂଆ ପରିସର ନିର୍ମାଣ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅର୍ଥ ଯୋଗାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିକଟରେ ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟ ଠାରେ ତାମିଲ ଅଧ୍ୟୟନ ଉପରେ ‘ସୁବ୍ରମଣ୍ୟମ ଭାରତୀ ଚେୟାର’ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି । ସେ କହିଥିଲେ ଯେ, ତାଙ୍କ ସଂସଦୀୟ କ୍ଷେତ୍ରରେ ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟ ରହିଥିବାରୁ, ଏଥିରେ ସେ ବିଶେଷ ଭାବେ ଆନନ୍ଦିତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶ୍ରୀଲଙ୍କା ଅତି ସଙ୍କଟପୂର୍ଣ୍ଣ ସମୟ ଦେଇ ଗତି କରୁଛି । ସେଠାରେ ଘଟୁଥିବା ଘଟଣାକୁ ନେଇ ଆପଣମାନେ ନିଶ୍ଚିତ ଭାବେ ଚିନ୍ତିତ ଥିବା ମୁଁ ଜାଣିପାରୁଛି । ଏକ ନିବିଡ଼ ସହଯୋଗୀ ଓ ପଡ଼ୋଶୀ ଭାବେ ଶ୍ରୀଲଙ୍କାକୁ ଭାରତ ଯଥାସମ୍ଭବ ସହାୟତା ଯୋଗାଇ ଦେଉଛି । ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ, ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ଜାଫନା ଗସ୍ତ କରିଥିଲେ । ଶ୍ରୀଲଙ୍କାରେ ତାମିଲ ଲୋକମାନଙ୍କୁ ସହାୟତା କରିବା ଲାଗି ଭାରତ ସରକାର ସଂଖ୍ୟାଧିକ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି । ସ୍ବାସ୍ଥ୍ୟସେବା, ପରିବହନ, ଆବାସ ଓ ସଂସ୍କୃତି କ୍ଷେତ୍ରରେ ଏସବୁ ପ୍ରକଳ୍ପ ସାମିଲ ରହିଛି ।

ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜାଦୀ କା ଅମୃତ ମହୋତ୍ସବ କାଳରେ ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କର ସ୍ବପ୍ନକୁ ପୂରଣ କରିବା ଲାଗି ଦେଶ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ସଂକଳ୍ପ ନେବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ୨୯୬୦ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ ।  ୭୫ କିଲୋମିଟର ଲମ୍ବ ମଦୁରାଇ-ତେନି (ରେଳ ଗଜ୍‌ କନଭର୍ସନ ପ୍ରକଳ୍ପ) ପ୍ରକଳ୍ପ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି, ଏହା ସ୍ଥାନୀୟ ଅଞ୍ଚଳରେ ସଡ଼କ ଯୋଗାଯୋଗରେ ସୁଧାର ଆଣିବା ସହିତ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ । ତମ୍ବରମ-ଚେଙ୍ଗଲପଟ୍ଟୁ ମଧ୍ୟରେ ୫୯୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ୩୦ କିମି ବିଶିଷ୍ଟ ରେଳ ଲାଇନ ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ଉପସହରାଞ୍ଚଳ ରେଳ ସେବା ଯୋଗାଇ ଦେବାରେ ସହାୟକ ହେବ । ଏହା ଯାତ୍ରୀମାନଙ୍କୁ ଭଲ ବିକଳ୍ପ ଦେବା ସହିତ ଆରାମଦାୟକ ଯାତ୍ରା ଅନୁଭୂତି ପ୍ରଦାନ କରିବ । ଇଟିବି ପିଏନଏମଟି ପ୍ରାକୃତିକ ବାଷ୍ପ ପାଇପଲାଇନର ୧୧୫ କିମି ଲମ୍ବ ଏନ୍ନୋର-ଚେଙ୍ଗଲପଟ୍ଟୁ ସେକ୍ସନ ଏବଂ ୨୭୧ କିମି ଲମ୍ବ ତିରୁଭଲ୍ଲୁର-ବେଙ୍ଗାଲୁରୁ ସେକ୍ସନକୁ ଯଥାକ୍ରମେ ପ୍ରାୟ ୮୫୦ କୋଟି ଏବଂ ୯୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହି ପ୍ରାକୃତିକ ବାଷ୍ପ ପାଇପଲାଇନ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକର ଉପଭୋକ୍ତା ଏବଂ ଶିଳ୍ପଗୁଡ଼ିକୁ ଗ୍ୟାସ ଯୋଗାଇ ଦେବ ।

ଚେନ୍ନାଇ – ଲାଇଟ୍‌ ହାଉସ ପ୍ରକଳ୍ପର ଅଂଶବିଶେଷ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ଅଧୀନରେ ୧୧୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ୧୧୫୨ଟି ଆବାସକୁ ଏହି ଅବସରରେ ଉଦଘାଟନ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୨୮ ହଜାର ୫୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୬ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ।  ୨୬୨ କିମି ଲମ୍ବ ବେଙ୍ଗାଲୁରୁ-ଚେନ୍ନାଇ ଏକ୍ସପ୍ରେସୱେ ୧୪ ହଜାର ୮୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯିବ । ଏହି ଜାତୀୟ ରାଜପଥ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ରାଜ୍ୟ ଦେଇ ଅତିକ୍ରମ କରିବ ଏବଂ ବେଙ୍ଗାଲୁରୁ ଓ ଚେନ୍ନାଇ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨-୩ ଘଣ୍ଟା କମାଇବ । ୫୮୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୨୧ କିଲୋମିଟର ଲମ୍ବ ୪ ନମ୍ବର ଜାତୀୟ ରାଜପଥର ଚାରି ଲେନ୍‌ ବିଶିଷ୍ଟ ଦୁଇ ଥାକିଆ ଉଚ୍ଚା ସଡ଼କ (ଏଲିଭେଟେଡ୍‌ ରୋଡ) ଚେନ୍ନାଇ ବନ୍ଦରକୁ ମଦୁରାଭୟଲ ସହ ଯୋଡ଼ିବ । ଏହା ଚେନ୍ନାଇ ବନ୍ଦରକୁ ଦିନ ରାତି ୨୪ ଘଣ୍ଟା ମାଲବାହୀ ବାହନ ଚଳାଚଳ ନିମନ୍ତେ ସୁବିଧା ଯୋଗାଇ ଦେବ । ୮୪୪ ନମ୍ବର ଜାତୀୟ ରାଜପଥର ୯୪ କିଲୋମିଟର ଲମ୍ବ ଚାରି ଲେନ୍‌ ବିଶିଷ୍ଟ ନେରଲୁରୁ ଠାରୁ ଧର୍ମପୁରୀ ସେକ୍ସନ ନିର୍ମାଣ ପାଇଁ ୩୮୭୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାଛଡ଼ା ୨୨୭ ନମ୍ବର ଜାତୀୟ ରାଜପଥର ଦୁଇ ଲେନ ବିଶିଷ୍ଟ ମୀନାସୁରୁତ୍ତି ଓ ଚିଦାମ୍ବରମ ସେକ୍ସନ ନିର୍ମାଣ ପାର୍ଇ ୭୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏସବୁ ସଡ଼କ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବା କନେକ୍ଟିଭିଟୀ ବଢ଼ାଇବାରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପାଞ୍ଚଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଆଧାରଶୀଳା ରଖିଥିଲେ । ଏସବୁ ଷ୍ଟେସନ ହେଲେ : ଚେନ୍ନାଇ ଏଗମୋର, ରାମେଶ୍ବରମ, ମଦୁରାଇ, କାଟପାଡ଼ି ଓ କନ୍ୟାକୁମାରୀ । 1800 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ । ଆଧୁନିକ ସୁବିଧା ସହିତ ଯାତ୍ରୀଙ୍କୁ ଆରାମଦାୟକ ଓ ସୁବିଧାଜନକ ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟ ନେଇ ରେଳଷ୍ଟେସନର ବିକାଶ କରାଯାଉଛି । ପ୍ରଧାନମନ୍ତ୍ରୀ ପ୍ରାୟ ୧୪୩୦ କୋଟି ଟଙ୍କା ବ୍ୟୟରେ ଚେନ୍ନାଇ ଠାରେ ଏକ ବହୁମୁଖୀ ଲଜିଷ୍ଟିକ ପାର୍କ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଏହା ବାଧାମୁକ୍ତ ବହୁମୁଖି ମାଲ ପରିବହନ ସୁବିଧା ଦେବା ସହିତ ଏକାଧିକ ଗତିବିଧିକୁ ପ୍ରୋତ୍ସାହିତ କରିବ ।

 

******

P.S.



(Release ID: 1828601) Visitor Counter : 406