ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗଣପତି ସଚ୍ଚିଦାନନ୍ଦ ସ୍ୱାମୀଜୀଙ୍କ ୮୦ତମ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ବାର୍ତ୍ତା

Posted On: 22 MAY 2022 12:00PM by PIB Bhubaneshwar

ପୂଜ୍ୟ ଶ୍ରୀ ଗଣପତି ସଚ୍ଚିଦାନନ୍ଦ ସ୍ୱାମୀଜୀ,

ଉପସ୍ଥିତ ସମସ୍ତ ସନ୍ଥଗଣ, ଦତ୍ତ ପୀଠମର ସମସ୍ତ ଶ୍ରଦ୍ଧାଳୁ ଅନୁଗାମୀଗଣ ଏବଂ ଦେବୀ ଓ ସଜ୍ଜନଗଣ, 

ଏଲ୍ଲରିଗୁ...

ଜୟ ଗୁରୁ ଦତ୍ତ!

ଅପ୍ପାଜୀ ଅବରିଗେ,

ଏମ୍ଭତ୍ତନେ ବର୍ଦ୍ଧନ୍ତତୀୟ ସଂଦର୍ଭଦଲ୍ଲୀ,

ପ୍ରଣାମ,

ହାଗୁ ଶୁଭକାମନା ଗଲ୍ଲୁ,

ସାଥୀଗଣ,

କିଛି ବର୍ଷ ପୂର୍ବେ ମୋତେ ଦତ୍ତ ପୀଠମ୍ ଆସିବାର ଅବସର ପ୍ରାପ୍ତ ହୋଇଥିଲା । ସେହି ସମୟରେ ଆପଣମାନେ ମୋତେ ଏହି କାର୍ଯ୍ୟକ୍ରମକୁ ଆସିବା ଲାଗି କହିଥିଲେ । ମୋ ମନ ତ ସେତେବେଳେ ହିଁ ସ୍ଥିର କରିନେଇଥିଲା ଯେ ପୁଣି ଥରେ ଆପଣମାନଙ୍କ ଆଶୀର୍ବାଦ ନେବାଲାଗି ଅବଶ୍ୟ ଆସିବି । କିନ୍ତୁ ଆସିପାରି ନଥିଲି । ମୋତେ ଆଜି ହିଁ ଜାପାନ ଯାତ୍ରାରେ ବାହାରିବାକୁ ହେବ । ମୁଁ ବ୍ୟକ୍ତିଗତ ଭାବେ ଦତ୍ତ ପୀଠମକୁ ଆସି ପାରିନାହିଁ ସତ, ଏହି ଭବ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇପାରିନାହିଁ ସତ, କିନ୍ତୁ ମୋର ଆତ୍ମିକ ଉପସ୍ଥିତି ଆପଣମାନଙ୍କ ଗହଣରେ ଅବଶ୍ୟ ରହିଛି ।

ଶ୍ରୀ ଗଣପତି ସଚ୍ଚିଦାନନ୍ଦ ସ୍ୱାମୀଜୀଙ୍କୁ ମୁଁ ଏହି ଶୁଭ ଅବସରରେ ବହୁତ ବହୁତ ଶୁଭକାମନା ଜଣାଉଛି, ପ୍ରଣାମ କରୁଛି । ଜୀବନର ୮୦ ବର୍ଷର ଯାତ୍ରା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ୮୦ ବର୍ଷର ଏହି ଯାତ୍ରାକୁ ଆମର ସାଂସ୍କୃତିକ ପରମ୍ପରାରେ ସହସ୍ର ଚନ୍ଦ୍ର ଦର୍ଶନ ରୂପେ ବିବେଚନା କରାଯାଇଥାଏ । ମୁଁ ପୂଜ୍ୟ ସ୍ୱାମୀଜୀଙ୍କ ଦୀର୍ଘାୟୁ କାମନା କରୁଛି । ମୁଁ ତାଙ୍କର ସମସ୍ତ ଅନୁଗାମୀମାନଙ୍କୁ ମଧ୍ୟ ହାର୍ଦ୍ଦିକ ବଧେଇ ଜଣାଉଛି ।

ଆଜି ପୂଜ୍ୟ ସନ୍ଥଗଣ ଏବଂ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଆଶ୍ରମରେ ‘ହନୁମତ ଦ୍ୱାର’ ପ୍ରବେଶ ତୋରଣର ଲୋକାର୍ପଣ ମଧ୍ୟ ସଂପାଦନ ହେଉଛି । ମୁଁ ଏଥିପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ବଧେଇ ଜଣାଉଛି । ଗୁରୁଦେଶ ଦତ୍ତ ଯିଏ ସାମାଜିକ ନ୍ୟାୟର ପ୍ରେରଣା ଆମମାନଙ୍କୁ ଦେଇଛନ୍ତି, ସେଥିରେ ପ୍ରେରିତ ହୋଇ ଆପଣମାନେ ସମସ୍ତେ ଯେଉଁସବୁ କାର୍ଯ୍ୟ ସଂପାଦନ କରୁଛନ୍ତି, ସେଥିରେ ଅନେକ କଠିନ ସମସ୍ୟା ରହିଛି । ଆଜି ଆଉ ଗୋଟିଏ ମନ୍ଦିରର ଲୋକାର୍ପଣ ମଧ୍ୟ ହୋଇଛି ।

ସାଥୀଗଣ,

ଆମର ଶାସ୍ତ୍ରରେ କୁହାଯାଇଛି –

“ପରୋପକାରାୟ ସତାମ୍ ବିଭୂୟତଃ” ।

ଅର୍ଥାତ, ସନ୍ଥଗଣମାନଙ୍କ, ସଜ୍ଜନମାନଙ୍କ ବିଭୂତି ପରୋପକାର ନିମନ୍ତେ ହୋଇଥାଏ । ସନ୍ଥଗଣ ପରୋପକାର ଏବଂ ଜୀବ ସେବା ନିମନ୍ତେ ହିଁ ସଂସାରରେ ଜନ୍ମଗ୍ରହଣ କରିଥାନ୍ତି । ସେଥିପାଇଁ ଜଣେ ସନ୍ଥଙ୍କ ଜନ୍ମ, ତାଙ୍କର ଜୀବନ କେବଳ ତାଙ୍କ ନିଜ ଯାତ୍ରା ହୋଇନଥାଏ । ଅପରନ୍ତୁ, ଏହାଦ୍ୱାରା ସମାଜର ଉତ୍ଥାନ ଓ କଲ୍ୟାଣ ଯାତ୍ରା ମଧ୍ୟ ଜଡ଼ିତ ହୋଇଥାଏ । ଶ୍ରୀ ଗଣପତି ସଚ୍ଚିଦାନନ୍ଦ ସ୍ୱାମୀଜୀଙ୍କ ଜୀବନ ଏହାର ଏକ ପ୍ରତ୍ୟକ୍ଷ ପ୍ରମାଣ, ଏକ ଉଦାହରଣ । ଦେଶ ଏବଂ ସଂସାରର ଭିନ୍ନ ଭିନ୍ନ କୋଣରେ ଅନେକ ଆଶ୍ରମ, ଏତେ ବଡ଼ ବଡ଼ ସଂସ୍ଥା, ଭିନ୍ନ ଭିନ୍ନ ପ୍ରକଳ୍ପ, କିନ୍ତୁ ସମସ୍ତଙ୍କର ବାର୍ଗ ଏବଂ ଧାରା ଏକ ହୋଇଥାଏ- ଜୀବମାନଙ୍କର ସେବା, ଜୀବମାନଙ୍କର କଲ୍ୟାଣ ।

ଭାଇ ଓ ଭଉଣୀଗଣ,

ଦତ୍ତ ପୀଠମ୍ର ପ୍ରୟାସକୁ ନେଇ ମୋତେ ସବୁଠାରୁ ଅଧିକ ସନ୍ତୋଷ ଏହି କଥାରେ ହେଉଛି ଯେ ଏଠାକାର ଆଧ୍ୟାତ୍ମିକତା ସହିତ ଆଧୁନିକତାକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ଏଠାରେ ବିଶାଳ ହନୁମାନ ମନ୍ଦିର ରହିଛ ଏବଂ ଏଥି ସହିତ ୩ଡି ମ୍ୟାପିଂ, ସାଉଣ୍ଡ ଆଣ୍ଡ ଲାଇଟ୍ ସୋ’ ଏହାର ମଧ୍ୟ ବ୍ୟବସ୍ଥା ରହିଛି । ଏଠାରେ ଏତେ ବଡ଼ ବଡ଼ ପକ୍ଷୀ ପାର୍କ ରହିଛି ଏବଂ ତାହା ସହିତ ଏହାର ସଂଚାଳନ ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ ରହିଛି ।

 ଦତ୍ତ ପୀଠମ୍ ଆଜି ବେଦ ଅଧ୍ୟୟନର ଏକ ବିରାଟ କେନ୍ଦ୍ରରେ ରୂପାନ୍ତରୀତ ହୋଇଛି । କେବଳ ଏତିକି ନୁହେଁ, ଗୀତ- ସଙ୍ଗୀତ ଏବଂ ସ୍ୱରର ଯେଉଁ ସାମର୍ଥ୍ୟ ଆମର ପୂର୍ବଜମାନେ ଆମକୁ ଦେଇଯାଇଛନ୍ତି, ସେସବୁକୁ ଲୋକମାନଙ୍କ ସ୍ୱାସ୍ଥ୍ୟ ପାଇଁ କିଭଳି ଭାବେ ପ୍ରୟୋଗ କରାଯାଇପାରିବ, ଏହାକୁ ନେଇ ସ୍ୱାମୀଜୀଙ୍କ ମାର୍ଗ ଦର୍ଶନରେ ପ୍ରଭାବୀ ନବସୃଜନ ହୋଇଚାଲିଛି । ପ୍ରକୃତି ଲାଗି ବିଜ୍ଞାନର ଏଭଳି ଉପଯୋଗ, ଆଧ୍ୟାତ୍ମିକତା ସହିତ ପ୍ରଯୁକ୍ତିର ଏପରି ସମାଗମ, ଏପରି ଗତିଶୀଳତା ହେଉଛି ଭାରତର ଆତ୍ମା । ମୋତେ ଖୁସି ଲାଗୁଛି ଯେ ସ୍ୱାମୀଜୀ ଯେଉଁଭଳି ଭାବେ ସନ୍ଥମାନଙ୍କ ପ୍ରୟାସ ଦ୍ୱାରା ଆଜି ଦେଶର ଯୁବଗୋଷ୍ଠୀଙ୍କୁ ନିଜ ପରମ୍ପରା ସହିତ ସାମର୍ଥ୍ୟ ସହିତ ପରିଚିତ କରାଇଛନ୍ତି, ସେମାନଙ୍କୁ ଆଗକୁ ବଢ଼ାଇ ଚାଲିଛନ୍ତି, ତାହା ଅଭିନନ୍ଦନୀୟ ।

ସାଥୀଗଣ,

ଆଜି ଆମେମାନେ ସ୍ୱାମୀଜୀଙ୍କ ୮୦ତମ ଜନ୍ମଦିନ ଏଭଳି ଏକ ସମୟରେ ପାଳନ କରୁଛେ, ଯେତେବେଳେ ଦେଶ ନିଜ ସ୍ୱାଧୀନତାର ୭୫ତମ ବର୍ଷର ପର୍ବ ପାଳନ କରୁଛି । ଆମର ସନ୍ଥମାନେ ସଦାବେଳେ ଆମମାନଙ୍କୁ ସ୍ୱ ଠାରୁ ଉପରୁ ଉଠି ସର୍ବସ୍ୱ ନିମନ୍ତେ କାମ କରିବା ସକାଶେ ପ୍ରେରଣା ଦେଇଆସିଛନ୍ତି । ଆଜି ଦେଶ ମଧ୍ୟ ଆମକୁ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ ମନ୍ତ୍ର ସହିତ ସାମୂହିକ ସଂକଳ୍ପ ନିମନ୍ତେ ଆହ୍ୱାନ ଦେଉଛି । ଆଜି ଦେଶ ନିଜର ପ୍ରାଚୀନତାକୁ ସଂରକ୍ଷିତ ମଧ୍ୟ କରୁଛି, ସଂବର୍ଦ୍ଧନ ବି କରୁଛି ଏବଂ ନିଜର ନବୀନତାକୁ, ଆଧୁନିକତାକୁ ଶକ୍ତି ଯୋଗାଇ ଆସୁଛି । ଆଜି ଭାରତର ପରିଚୟ ଯୋଗ ଦେଉଛି ଏବଂ ଯୁବମାନେ ମଧ୍ୟ ଦେଉଛନ୍ତି । ଆଜ ଆମର ଷ୍ଟାର୍ଟ ଅପକୁ ବିଶ୍ୱ ନିଜର ଭବିଷ୍ୟତର ସାଧନ ରୂପେ ଦେଖୁଛି । ଆମର ଶିଳ୍ପ, ଆମର ‘ମେକ୍ ଇନ୍ ଇଣ୍ଡିଆ’ ଗ୍ଲୋବାଲ ଗ୍ରୋଥ ନିମନ୍ତେ ବିଶ୍ୱାସ ଓ ଆସ୍ଥାର ଆଲୋକରେ ରୂପାନ୍ତରୀତ ହୋଇଛି । ଆମେ ନିଜର ଏହି ସଂକଳ୍ପ ନିମନ୍ତେ ଲକ୍ଷ୍ୟ ସ୍ଥିର କରି କାର୍ଯ୍ୟ କରିବାକୁ ପଡ଼ିବ ଏବଂ ମୁଁ ଆଶା କରିବି ଯେ ଆମର ଆଧ୍ୟାତ୍ମିକ କେନ୍ଦ୍ରଗୁଡ଼ିକ ଏହି ଦିଗରେ ମଧ୍ୟ ପ୍ରେରଣାର କେନ୍ଦ୍ରରେ ପରିଣତ ହେବେ ।

ସାଥୀଗଣ,

ଦେଶ ସ୍ୱାଧୀନତାର ୭୫ ବର୍ଷରେ ଆମ ସମ୍ମୁଖରେ ଆଗାମୀ ୨୫ ବର୍ଷର ଯେଉଁ ସଂକଳ୍ପ ରହିଛି, ଆଗାମୀ ୨୫ ବର୍ଷର ଯେଉଁ ଲକ୍ଷ୍ୟ ରହିଛି ସେଥିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ । ମୁଁ ମାନୁଛି ଯେ ଦତ୍ତ ପୀଠମ୍ର ସଂକଳ୍ପ ସ୍ୱାଧୀନତାର ଅମୃତ ସଂକଳ୍ପମାନଙ୍କ ସହିତ ସଂଶ୍ଳିଷ୍ଟ ଥିବା କାର୍ଯ୍ୟକ୍ରମ । ପ୍ରକୃତିର ସଂରକ୍ଷଣ, ପକ୍ଷୀମାନଙ୍କ ସେବା ନିମନ୍ତେ ଆପଣମାନେ ଅସାଧାରଣ କାର୍ଯ୍ୟ କରୁଛନ୍ତି । ମୁଁ ଚାହିଁବି ଯେ ଏହି ଦିଗରେ ଆଉ କିଛି ନୂତନ ସଂକଳ୍ପ ମଧ୍ୟ ନିଆଯିବା ଉଚିତ । ମୋର ଆପଣମାନଙ୍କୁ ନିବେଦନ ଯେ ଜଳ ସଂରକ୍ଷଣ ନିମନ୍ତେ, ଆମର ଜଳ ସ୍ରୋତମାନଙ୍କ ପାଇଁ, ନଦୀମାନଙ୍କୁ ସୁରକ୍ଷା ସକାଶେ ଜନଜାଗରଣକୁ ଆହୁରି ବୃଦ୍ଧି କରିବା ଦିଗରେ ଆମେ ସଭିଏଁ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ

ଅମୃତ ମହୋତ୍ସବ ଅବସରରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ଖନନ କାର୍ଯ୍ୟ ସଂପୂର୍ଣ୍ଣ କରାଯାଉଛି । ଏହିସବୁ ସରୋବରଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ନିମନ୍ତେ, ଏହାର ସମ୍ବର୍ଦ୍ଧନ ନିମନ୍ତେ ମଧ୍ୟ ସମାଜ ସହିତ ଆମମାନଙ୍କୁ କାନ୍ଧକୁ କାନ୍ଧ ମିଳାଇ ଯୋଡ଼ି ହେବାକୁ ପଡ଼ିବ । ଏହିଭଳି ଭାବେ, ସ୍ୱଚ୍ଛ ଭାରତ ଅଭିଯାନକୁ ସଦାସର୍ବଦା ଜନଆନ୍ଦୋଳନ ରୂପେ ଆମକୁ ଆଗକୁ ଆଗେଇ ନେଇଯିବାକୁ ପଡ଼ିବ । ଏହି ଦିଗରେ ସ୍ୱାମୀଜୀଙ୍କ ଦ୍ୱାରା ସଫେଇକର୍ମୀମାନଙ୍କ ନିମନ୍ତେ କରାଯାଉଥିବା ଯୋଗଦାନ ଏବଂ ଅସମାନତା ବିରୁଦ୍ଧରେ ତାଙ୍କର ପ୍ରୟାସର ମୁଁ ବିଶେଷ ଭାବେ ପ୍ରଶଂସା କରିବାକୁ ଚାହିଁବି । ସମସ୍ତଙ୍କୁ ଯୋଡ଼ିବାର ପ୍ରୟାସ, ଏହା ହେଉଛି ଧର୍ମର ବାସ୍ତବିକ ସ୍ୱରୂପ ଯାହାକୁ ସ୍ୱାମୀଜୀ ସାକାର କରିଛନ୍ତି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଦତ୍ତ ପୀଠମ୍ ସମାଜ ନିର୍ମାଣ, ରାଷ୍ଟ୍ର ନିର୍ମାଣର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଏହିଭଳି ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଚାଲିବେ ଏବଂ ଆଧୁନିକ ସମୟରେ ଜୀବ ସେବାକୁ ଏହି ଯଜ୍ଞ ନୂତନ ଭାବେ ବିସ୍ତାରିତ କରିବ । ଏହା ହିଁ ତ ଜୀବସେବା ଠାରୁ ଶିବ ସେବାର ସଂକଳ୍ପ ବନିଯାଇଥାଏ ।

ମୁଁ ପୁଣି ଥରେ ଶ୍ରୀ ଗଣପତି ସଚ୍ଚିଦାନନ୍ଦ ସ୍ୱାମୀଜୀଙ୍କ ଦୀର୍ଘାୟୁ କାମନା କରି ପରମାତ୍ମାଙ୍କ ନିକଟରେ ପ୍ରାର୍ଥନା କରୁଛି ତାଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହୁ । ଦତ୍ତ ପୀଠମ୍ ମାଧ୍ୟମରେ ସମାଜର ଶକ୍ତି ମଧ୍ୟ ଏହିଭଳି ଭାବେ ବୃଦ୍ଧି ପାଉ । ଏହି ଭାବନାର ସହିତ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ! 

SS/DD



(Release ID: 1827446) Visitor Counter : 104