ବୟନ ଶିଳ୍ପ ମନ୍ତ୍ରଣାଳୟ

କାର୍ପାସ ବ୍ୟବସାୟ ସହିତ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ପ୍ରତିନିଧିଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ


ମନ୍ତ୍ରୀଙ୍କ ଦ୍ୱାରା ଭାରତୀୟ କାର୍ପାସ ପରିଷଦ ଗଠନ ଘୋଷଣା; ଶ୍ରୀ ସୁରେଶ ଭାଇ କୋଟାକଙ୍କ ଅଧ୍ୟକ୍ଷତାରେ ଗଠିତ ହେବ ଏହି ଅଣଆନୁଷ୍ଠାନିକ ସଂଗଠନ

ପରିଷଦରେ ବୟନ, କୃଷି, ଅର୍ଥ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତଥା ଭାରତୀୟ କାର୍ପାସ ନିଗମ ଓ କାର୍ପାସ ଗବେଷଣା ପ୍ରତିଷ୍ଠାନର ପ୍ରତିନିଧି ସଦସ୍ୟ ରହିବେ

ପ୍ରସ୍ତାବିତ ପରିଷଦର ପ୍ରଥମ ବୈଠକ ୨୦୨୨ ମେ ୨୮ତାରିଖରେ ଅନୁଷ୍ଠିତ ହେବ ଓ ଏଥିରେ କାର୍ପାସ କ୍ଷେତ୍ରର ବିକାଶ ପାଇଁ ଏକ ଉତ୍ତମ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯିବ

ଦେଶର ଘରୋଇ ଉଦ୍ୟୋଗଗୁଡିକୁ ସହଜ ବ୍ୟବସ୍ଥାରେ ତୂଳା ଓ ସୂତା ଯୋଗାଇ ଦେବାକୁ ସମ୍ପୃକ୍ତ ବ୍ୟବସାୟୀ ଗୋଷ୍ଠୀଙ୍କୁ ଶ୍ରୀ ଗୋୟଲଙ୍କ ଆହ୍ୱାନ; କେବଳ ବଳକା ସୂତା ଓ କପା ବିଦେଶକୁ ରପ୍ତାନୀ କରିବାକୁ ଦେଲେ ପରାମର୍ଶ
କପା ଚାଷୀଙ୍କୁ ସହାୟତା ଦିଗ୍‌ଦର୍ଶନ ପ୍ରଦାନ ସହିତ କପା ଓ ସୂତା ବେପାରରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ଉପରେ ଗୁରୁତ୍ୱ

ଆମଦାନୀ ଶୁଳ୍‌କ ଉଚ୍ଛେଦ ସଂକ୍ରାନ୍ତ ସ୍ପିନିଙ୍ଗ ଉଦ୍ୟୋଗର ଦାବିକୁ ଗୁରୁତ୍ୱର ସହିତ ସରକାର ବିଚାର କରୁଛନ୍ତି; ୨୦୨୨ ସେପ୍ଟେମ୍ବର ୩୦ଯାଏ ଯେଉଁମାନଙ୍କୁ ଆମଦାନୀ ଅନୁମତି ମିଳିଛି ସେମାନଙ୍କର ଦାବିକୁ ସରକାର ବିଚାର କରି ଦେଖିବେ: ମନ୍ତ୍ରୀ ଶ୍ରୀ ଗୋୟଲ

ତୂଳା ଓ ସୂତା ମୂଲ୍ୟ ଜନିତ ସମସ୍ୟାର ସମାଧାନ ତୁରନ୍ତ କରିବାକୁ ସବୁ ସମ୍ପୃକ୍ତ ପକ୍ଷଙ୍କୁ ମନ୍

Posted On: 18 MAY 2022 9:49AM by PIB Bhubaneshwar

କେନ୍ଦ୍ର ବୟନ, ବାଣିଜ୍ୟ, ଉଦ୍ୟୋଗ, ଖାଉଟି ବ୍ୟାପାର ତଥା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଦେଶରେ ଖୁବ ଶୀଘ୍ର ଏକ କାର୍ପାସ ପରିଷଦ ଗଠନ କରାଯିବ ଏବଂ ବିଶିଷ୍ଟ କାର୍ପାସ ଉଦ୍ୟୋଗୀ ଶ୍ରୀ ସୁରେଶ ଭାଇ କୋଟାକ ଏହାର ଅଧ୍ୟକ୍ଷଭାବେ କାର୍ଯ୍ୟ କରିବେ । ଏହି ଅଣଆନୁଷ୍ଠାନିକ ସଂଗଠନରେ ବୟନ, କୃଷି, ବାଣିଜ୍ୟ, ଅର୍ଥ, ଉଦ୍ୟୋଗ ମନ୍ତ୍ରଣାଳୟ ତଥା ଭାରତୀୟ କାର୍ପାସ ନିଗମ ଓ କାର୍ପାସ ଗବେଷଣା ପ୍ରତିଷ୍ଠାନର ପ୍ରତିନିଧି ସଭ୍ୟ ରହିବେ । ଏହି ପ୍ରସ୍ତାବିତ ପରିଷଦର ପ୍ରଥମ ବୈଠକ ୨୦୨୨ ମେ ୨୮ତାରିଖରେ ଅନୁଷ୍ଠିତ ହେବ । ଏଥିରେ କାର୍ପାସ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ପାଇଁ ଏକ ଦୃଢ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବାକୁ ବିଚାର ଆଲୋଚନା କରାଯିବ ।

କାର୍ପାସ ବ୍ୟବସାୟ ସହିତ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବା ଅବସରରେ ମନ୍ତ୍ରୀ ଶ୍ରୀ ଗୋୟଲ ଏହି ଘୋଷଣା କରିଛନ୍ତି । ଗତକାଲି ମନ୍ତ୍ରୀ ଶ୍ରୀ ଗୋୟଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜେରଦୋଶ, ବୟନ ଏବଂ କୃଷି ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ବୈଠକରେ କପା/ତୂଳା ଏବଂ ସୂତାର ମୂଲ୍ୟ ଶୀଘ୍ର କମ୍ କରିବାକୁ ସମ୍ପୃକ୍ତ ବିଭିନ୍ନ ପକ୍ଷରୁ ମତାମତ ଓ ପ୍ରସ୍ତାବମାନ ଉପସ୍ଥାପନ କରାଯାଇଥିଲା । ଚଳିତ ଋତୁରେ ତୂଳା ଓ ସୂତାର ଅଭୂତପୂର୍ବ ମୂଲ୍ୟ ବୃଦ୍ଧି ଯୋଗୁଁ ବୟନ ଉଦ୍ୟୋଗ ଓ ଏହା ସହିତ ସମ୍ପୃକ୍ତ ଯୋଗାଣ ପ୍ରକ୍ରିୟ।। ବିଶେଷ ଭାବେ ପ୍ରଭାବିତ ହୋଇଛି । ବୈଠକରୁ ଜଣାପଡିଥିଲା ଯେ ଦେଶର ଅଧିକରୁ ଅଧିକ ଜମିରେ କପା ଚାଷ ହେଉଥିଲେ ହେଁ ଉତ୍ପାଦନ ତୁଳାନାତ୍ମକଭାବେ ହ୍ରାସ ପାଉଛି । ତେଣୁ ତୂଳା ଉତ୍ପାଦନ ଦେଶ ପାଇଁ ସବୁଠୁ ବଡ ସମସ୍ୟା ହୋଇଛି । କପାଚାଷୀଙ୍କ ଉତ୍ପାଦନ ବଢାଇବାକୁ ଉତ୍ତମମାନର ବିହନ ଯୋଗାଇ ଦେବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । 

ଏଥିରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଗୋୟଲ କହିଥିଲେ ଯେ ସମ୍ପୃକ୍ତ ସବୁ ପକ୍ଷ ଯଥାଶୀଘ୍ର ଦେଶରେ ସୃଷ୍ଟି ହୋଇଥିବା ତୂଳା ଓ ସୂତା ମୂଲ୍ୟ ବୃଦ୍ଧି ସମସ୍ୟାର ସମାଧାନ କରିବା ଆବଶ୍ୟକ । ଏହି ବ୍ୟବସାୟରେ ପ୍ରତିଯୋଗିତା ଓ ମାତ୍ରାଧିକ ଲାଭ ମନୋଭାବ ନ ରଖି ସମସ୍ତ ପକ୍ଷ ସହଯୋଗ ଭିତ୍ତିରେ ସମସ୍ୟାର ସମାଧନା କରିବାକୁ ସେ ପରାମର୍ଶ ଦେଇଥିଲେ । ନିଜ ନିଜ ଭିତରେ ଆପୋସ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଶୀଘ୍ର ହୋଇଗଲେ ଏଥିରେ ସରକାରଙ୍କୁ ହସ୍ତେକ୍ଷେପ କରିବାକୁ ପଡିବ ନାହିଁ । ସରକାର ଥରେ ହସ୍ତକ୍ଷେପ କଲେ କାର୍ପାସ ଯୋଗାଣ ଓ ବ୍ୟବସାୟ ପ୍ରକ୍ରିୟା ଉପରେ ଏହାର ଏକ ଦୀର୍ଘସ୍ଥାୟୀ ପ୍ରଭାବ ପଡିପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି ।

 କାର୍ପାସ ଯୋଗାଣ ଶୃଙ୍ଖଳାରେ କପା ଚାଷୀ ସବୁଠୁ ଦୁର୍ବଳ ସ୍ଥିତିରେ ଥିବାରୁ ସେମାନଙ୍କୁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ଗୋୟଲ ଗୁରୁତ୍ୱ ଦେଇଥିଲେ । ସେ ଆହୁରି କହିଥିଲେ ଯେ ଏହି ଉଦ୍ୟୋଗ ଏବେ ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବାରୁ ସମ୍ପୃକ୍ତ ସବୁ ପକ୍ଷଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ସରକାର ଯୋଗାଇ ଦେବେ । ସମଗ୍ର ଉଦ୍ୟୋଗର ସୁସମନ୍ୱୟ ଏବଂ ସମୃଦ୍ଧି ପାଇଁ ନୂଆ ନୂଆ ଉପାୟମାନ ବାହାର କରିବାକୁ ସେ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ । 

ମନ୍ତ୍ରୀ ଶ୍ରୀ ଗୋୟଲ ଆହୁରି କହିଥିଲେ ଯେ ସରକାର କପା ଚାଷୀ, ତୂଳା ଭିଣା, ଓ ସୂତା ପ୍ରସ୍ତୁତ କରୁଥିବା ଲୋକ-ସଂସ୍ଥା ଏବଂ ବୁଣାକାରମାନଙ୍କ ସ୍ୱାର୍ଥ ପାଇଁ ଅଙ୍ଗୀକାରବଦ୍ଧ । ସ୍ପିନିଙ୍ଗ୍ କ୍ଷେତ୍ର ଆମଦାନୀ ତୂଳା ଓ ସୂତା ଉପରୁ ଆମଦାନୀ ଶୁଳ୍କ ଛାଡ ପାଇଁ ଯେଉଁ ଦାବି କରୁଛି ସରକାର ତାହା ଉପରେ ଗୁରୁତ୍ୱର ସହ ବିଚାର କରୁଛନ୍ତି । ଯେଉଁମାନେ ୨୦୨୨ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଆମଦାନୀ ଅନୁମତି ପାଇଛନ୍ତି ସେମାନଙ୍କୁ ଶୁଳକ୍ ଛାଡ ସୁବିଧା ଦେବାକୁ ବିଚାର କରି ଦେଖାଯାଉଛି । ବର୍ତ୍ତମାନ କାର୍ପାସ ଉଦ୍ୟୋଗରେ ଯେଉଁ ସଂକଟ ଦେଖାଦେଇଛିି ତାହାର ଆଶୁ ସମାଧାନାପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣର ଜରୁରୀ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ସୂତା ପ୍ରସ୍ତତିକାରୀ ଓ ବ୍ୟବସାୟୀ ସମୁଦାୟଙ୍କୁ ନିବେଦନ କରି ଶ୍ରୀ ଗୋୟଲ କହିଛନ୍ତି ଯେ ଦେଶର ହିତ ଦୃଷ୍ଟିରୁ ସେମାନେ ପ୍ରଥମେ ଦେଶୀ ଉଦ୍ୟୋଗକୁ ସୁବିଧାରେ ଆବଶ୍ୟକ ସୂତା ଓ ତୂଳା ଯୋଗାଇ ଦେବା ଉଚିତ । କେବଳ ବଳକା ତୂଳା ଓ ସୂତାକୁ ରପ୍ତାନୀ କଲେ ଏ କ୍ଷେତ୍ରରେ ବିଶେଷ କିଛି ସମସ୍ୟା ରହିବ ନାହିଁ । ତେବେ ସେ ସତର୍କ କରାଇଦେଇଛନ୍ତି ଯେ ସମ୍ପୃକ୍ତ ବ୍ୟବସାୟୀ ଦେଶର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କପା ଓ ସୂତା ରପ୍ତାନୀ କରିବା ଅନୁଚିତ । କାର୍ପାସ ଉଦ୍ୟୋଗ ଦେଶର ସର୍ବବୃହତ୍ ନିଯୁକ୍ତି ପ୍ରଦାନ କରି ଲୋକଙ୍କୁ ରୋଜଗାର ଦେଉଥିବାରୁ ଜାତୀୟ ସ୍ୱାର୍ଥକୁ ଏଥିରେ ଅଗ୍ରାଧିକାର ଦେବାକୁ ପଡିବ ବୋଲି ଶ୍ରୀ ଗୋୟଲ କହିଛନ୍ତି । 

 

****

TKM/SLP



(Release ID: 1826498) Visitor Counter : 177