ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ ପଞ୍ଚାୟତିରାଜ ଦିବସ ଉତ୍ସବରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜାମ୍ମୁ ଓ କାଶ୍ମୀର ଗସ୍ତ


ସାମ୍ବା ଜିଲ୍ଲାର ପାଲ୍ଲି ପଞ୍ଚାୟତରୁ  ଦେଶର ସବୁ ଗ୍ରାମସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଜାମ୍ମୁ ଓ କାଶ୍ମୀରରେ ୨୦ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶୁଭ ଦେଲେ ପ୍ରଧାନମନ୍ତ୍ରୀ

ବନିହାଲ-କାଜିଗଣ୍ଡ ରୋଡ ଟନେଲ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ; ଏହା ଫଳରେ ଜାମ୍ମୁ-କାଶ୍ମୀରର  ଅନେକ ଅଞ୍ଚଳ ସହିତ ଦୂରତ୍ୱ ହ୍ରାସ ପାଇବ ଓ ସଡକ ଯୋଗଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିବ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଲ୍ଲୀ-ଅମୃତସର-କାଟରା ଥ୍ରୀରୋଡ ପ୍ୟାକେଜ ଏକ୍ସପ୍ରେସ ସଡକ ଓ ହଟ୍‌ଲେ ଏବଂ କ୍ୱର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ
ଅମୃତ ସରୋବର କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ; ଏହି ଯୋଜନାରେ ଦେଶର ସବୁ ଜିଲ୍ଲାରେ ୭୫ଟି ଜଳାଶୟ ଓ ଜଳଉତ୍ସର ଜୀଣ୍ଣୋଦ୍ଧାର କରାଯିବ

“ଜାମ୍ମୁ ଓ କାଶ୍ମୀରରେ ଜାତୀୟ ପଞ୍ଚାୟତିରାଜ ଦିବସର ଉତ୍ସବ ପାଳନ ଏକ ବଡ ପରିବର୍ତ୍ତନର ସୂଚନା ଦିଏ”

“ଏହା ଗଣତନ୍ତ୍ର ହେଉ ଅଥବା ବିକାଶ ପାଇଁ ସଂକଳ୍ପ, ଆଜି ଜାମ୍ମୁ ଓ କାଶ୍ମୀର ଏକ ନୂଆ ଉଦାହରଣ ଉପସ୍ଥାପନ କରିଛି: ବିଗତ ୨-୩ବର୍ଷରେ ଜାମ୍ମୁ ଓ କାଶ୍ମୀରରେ ବିକାଶର ନୂଆ ଦିଗନ୍ତ ସୃଷ୍ଟି ହୋଇଛି”

“ଜାମ୍ମୁ ଓ କାଶ୍ମୀରରେ ଯେଉଁମାନେ ସଂରକ୍ଷଣର ସୁବିଧା ଦୀର୍ଘକାଳ ଧରି ପାଇ ନ ଥିଲେ ଏବେ ତାହା ସେମାନେ ପାଉଛନ୍ତି”

“ହୃଦୟ, ଭାଷା, ପ୍ରଥା, ପରମ୍ପରା ଓ ସମ୍ବଳ ଆଦି ଦୂ

Posted On: 24 APR 2022 2:56PM by PIB Bhubaneshwar

 

ନୂଆଦିଲ୍ଲୀ, ୨୪-୪(ପିଆଇବି):  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପଞ୍ଚାୟତିରାଜ ଦିବସ ଉତ୍ସବରେ ଭାଗନେବାକୁ ଆଜି ଜାମ୍ମୁ ଓ କାଶ୍ମୀର ଗସ୍ତ କରିଛନ୍ତି । ଏହି ଅବସରରେ ସେ ସାମ୍ବା ଜିଲ୍ଲାର ପାଲ୍ଲିଗ୍ରାମ ଗସ୍ତ କରି ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ସବୁ ଗ୍ରାମସଭାକୁ ସମ୍ବୋଧିଥ କରିଥିଲେ । ସେ ମଧ୍ୟ ଆଜି ୨୦ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶୁଭ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଜାମ୍ମୁ-କାଶ୍ମୀରରେ ସମଗ୍ର ଦେଶ ପାଇଁ ଅମୃତ ସରୋବର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜାମ୍ମୁ ଓ କାଶ୍ମୀରର ଉପ ରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, ଡକ୍ଟର ଜିତେନ୍ଦ୍ର ସିଂହ ଓ କପିଳ ଯୋଗେଶ୍ୱର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାମ୍ମୁ ଓ କାଶ୍ମୀରର ବିକାଶ ଯାତ୍ରାରେ ଆଦି ଦିବସଟି ଏକ ଐତିହାସିକ ଦିନ । ସେ ମଧ୍ୟ ଜାମ୍ମୁ ଓ କାଶ୍ମୀରବାସୀଙ୍କୁ ସେମାନଙ୍କ ଉତ୍ସାହ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଏହି ରାଜ୍ୟ ସହିତ ତାଙ୍କର ଦୀର୍ଘ କାଳର ସମ୍ପର୍କ ଦୃଷ୍ଟିରୁ ସେ ସେଠାକାର ସମସ୍ୟା ସହିତ ଅବଗତ । ରାଜ୍ୟର ଯୋଗାଯୋଗ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା  ଉଦ୍ୟମରେ ସନ୍ତୋଷ ପ୍ରକାଶ କରି ସେ କହିଛନ୍ତି ଯେ ଆଜିର ଯେଉଁ ରାସ୍ତା ଓ ସଡକ ପ୍ରକଳ୍ପର  ଶୁଭାରମ୍ଭ  ଏବଂ ଉଦ୍‌ଘାଟନ ହେଲା ତାହା ଏହି ଅଞ୍ଚଳର ଲୋକଙ୍କ ସମସ୍ୟା ଦୂର କରିବାରେ ବିଶେଷ ସହାୟକ ହେବ । ସେ କହିଥିଲେ ଯେ ୨୦ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଯେଉଁ ଶୁଭାରମ୍ଭ ଓ ଉଦ୍‌ଘାଟନ ହୋଇଛି ତାହା ମୁଖ୍ୟତଃ ସଡକ ଯୋଗାଯୋଗ ଓ ବିଦ୍ୟୁତ ଯୋଗାଣ ପାଇଁ ଉଦ୍ଦିଷ୍ଟ । ଜାମ୍ମୁ-କାଶ୍ମୀରର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ  ବେଗରେ ଚାଲିଛି । ଏହିସବୁ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅନେକ ଯୁବକଯୁବତୀ ନିଯୁକ୍ତି ସୁଯୋଗ  ପାଇବେ । 

ସେ ଆହୁରି କହିଥିଲେ ଯେ ଆଜି ଅନେକ ପରିବାରଙ୍କୁ ସମ୍ପତ୍ତିକାର୍ଡ ପ୍ରଦାନ କରାଯାଇଛି ଯେଉଁଥିରେ ଗାଁରେ ଥିବା ସେମାନଙ୍କର ଘର ଅନ୍ତର୍ଭୁକ୍ତ । ଏହି ମାଲିକାନା ଗ୍ରାମଗୁଡିକରେ ନୂଆ ପ୍ରୟାସକୁ ପ୍ରୋତ୍ସାହିତ କରିବ । ଏକ ଶହ ଜନଔଷଧୀ କେନ୍ଦ୍ର ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଓ ଚିକିତ୍ସା ଉପକରଣ ଯୋଗାଣରେ ସହାୟକ ହେବ। ଜାମ୍ମୁ ଓ କାଶ୍ମୀରର ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନେ ଏହା ଦ୍ୱାରା ବିଶେଷ  ଉପକୃତ ହେବେ । କେନ୍ଦ୍ର ସରକାରଙ୍କ ସବୁ ଯୋଜନା ଏବେ ଜାମ୍ମୁ ଓ କାଶ୍ମୀରରେ କାର୍ଯ୍ୟକାରୀ ହେଉଛି ଏବଂ ଲୋକେ ଏହାର ଲାଭ ପାଉଛନ୍ତି । ଗ୍ରାମାଞ୍ଚଳରେ ଲୋକଙ୍କୁ ରନ୍ଧନ ଗ୍ୟାସ, ଶୌଚାଳୟ, ବିଜୁଳି, ଜମି ଅଧିକାର ଓ ପାନୀୟ ଜଳ ସୁବିଧା ମିଳୁଛି ଏବଂ ଏହା ଦ୍ୱାରା ସେମାନେ ବିଶେଷ ଉପକୃତ ହେବେ ବୋଲି ସେ କହିଥିଲେ ।

ସଭାମଞ୍ଚକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ସଂଯୁକ୍ତ ଆରବ ଏମିରେଟ୍ସରୁ ଆସିଥିବା ଏକ ପ୍ରତିନିଧିଦଳକୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାମ୍ମୁ ଓ କାଶ୍ମୀରରେ ବିକାଶର ଏକ ନୂଆ କାହାଣୀ ରଚିତ ହେଉଛି ଏବଂ ଅନେକ ଘରୋଇ ନିବେଶକ ଏଠାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସ୍ୱାଧୀନତାର ସାତ ଦଶନ୍ଧି ଧରି ସମଗ୍ର ଜାମ୍ମୁ ଓ କାଶ୍ମୀରରେ ମାତ୍ର ୧୭ହଜାର କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ହୋଇଥିଲା । ଏବେ କିନ୍ତୁ ତାହା ପ୍ରାୟ ୩୮ହଜାର କୋଟି ଟଙ୍କାରେ ପହଞ୍ଚିଛି । ପୁନର୍ବାର ପର୍ଯଟନ କ୍ଷେତ୍ର ସ୍ୱାଭାବିକ ହେଉଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଜାମ୍ମୁ-କାଶ୍ମୀରରେ କାମ କରିବାର ପରିବର୍ତ୍ତିତ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ । ଉଦାହରଣ ଛଳରେ ସେ କହିଥିଲେ ଯେ ଏଠାରେ ୫୦୦ କିଲୋୱାଟର ଏକ ସୌରଶକ୍ତି ପ୍ଲାଣ୍ଟ ମାତ୍ର ତିନିସପ୍ତାହ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବାବେଳେ ପୂର୍ବରୁ ଦିଲ୍ଲୀରୁ ଫାଇଲ ଆସିବାକୁ ଦୁଇରୁ ତିନି ସପ୍ତାହ ସମୟ ଲାଗୁଥିଲା । ପାଲ୍ଲୀ ପଞ୍ଚାୟତ ସମ୍ପର୍କରେ ସେ କହିଥିଲେ ଯେ ସେଠାରେ ସବୁ ଘରକୁ ସୌରଶକ୍ତିରୁ ଉତ୍ପାଦିତ ବିଜୁଳି ଯୋଗାଇ ଦିଅ।।ଉଛି ଓ ଏହା ଗ୍ରାମ ଊର୍ଜା ସ୍ୱରାଜ ତଥା କାମ କରିବାର ନୂଆ ଧାରାର ପ୍ରକୃଷ୍ଠ ଉଦାହରଣ । ଏହି ପ୍ରୟାସ ଜାମ୍ମୁ ଓ କାଶ୍ମୀରୀକୁ ବିକାଶର ନୂଆ ସୋପାନରେ ପହଂଚାଇବ  ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଜାମ୍ମୁ-କାଶ୍ମୀରର ଯୁବ ସମାଜକୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, “ବନ୍ଧୁଗଣ, ମୋ କଥାରେ ବିଶ୍ୱାସ କରନ୍ତୁ ଓ ପ୍ରତ୍ୟେକ ଶବ୍ଦକୁ ତର୍ଜମା କରନ୍ତୁ  । ଆପଣଙ୍କର ପିତା, ପ୍ର୍ରପିତାମହମାନେ ଯେଉଁ ସମସ୍ୟାରେ ସମ୍ମୁଖୀନ ହେଉଥିଲେ ସେ ଦୁର୍ଦ୍ଦଶା ଆପଣମାନଙ୍କୁ ଆଉ ଭୋଗିବାକୁ ପଡିବ ନାହିଁ । ମୁଁ କଥା ଦେଉଛି, ଏହାକୁ ପ୍ରମାଣ କରି ଦେଖାଇବି ଏବଂ ସେହି ପ୍ରତିଶ୍ରୁତି ଦେବାକୁ ମୁଁ ଆଜି ଏଠାକୁ ଆସିଛି ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ପ୍ରସଙ୍ଗରେ ଆନ୍ତର୍ଜାତିକ ସ୍ତରରେ,ବିଶେଷତଃ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଭାରତର ନେତୃତ୍ୱ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ପାଲ୍ଲି ପଞ୍ଚାୟତ  ଦେଶର ସର୍ବପ୍ରଥମ କାର୍ବନମୁକ୍ତ ପଞ୍ଚାୟତ ହେବାକୁ ଯାଉଥିବା ଆମ ପାଇଁ ଏକ ବିରାଟ ଉପଲବ୍ଧି । ଏହି ପଞ୍ଚାୟତରୁ ମୁଁ ଆଜି ଦେଶର ସବୁ ଗ୍ରାମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇଲି ଏବଂ ଏହା ଏକ ପରମ ସୌଭାଗ୍ୟ । ଏଥିପାଇଁ ଜାମ୍ମୁ ଓ କାଶ୍ମୀରବାସୀଙ୍କୁ ଅଭିନନ୍ଦନ ।

ସେ ଆହୁରି କହିଥିଲେ ଯେ ଜାମ୍ମୁ-କାଶ୍ମୀରରେ ଜାତୀୟ ପଞ୍ଚାୟତରାଜ ଦିବସ ପାନଳ ଏକ ବଡ ପରିବର୍ତ୍ତନର ସୂଚନା ବହନ କରୁଛି । ଗଣତନ୍ତ୍ର ତୃଣମୂଳସ୍ତରରେ ପହଞ୍ଚି ସୁଦୃଢ ହେଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଏହା ଏକ ଗର୍ବ ଓ ଗୌରବର ବିଷୟ ବୋଲି ମତ ଦେଇଥିଲେ ।  ଏହା ଗଣତନ୍ତ୍ର ହେଉ ଅଥବା ବିକାଶ ପାଇଁ ସଂକଳ୍ପ, ଜାମ୍ମୁ-କାଶ୍ମୀର ଆଜି ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ବିଗତ ୨-୩ ବର୍ଷ ମଧ୍ୟରେ ଏଠାରେ ବିକାଶର ନୂତନ ଦିଗନ୍ତ ସୃଷ୍ଟି ହୋଇଛି । ପ୍ରଥମ ଥର ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରଥମ ଥର ଏଠାରେ ନିର୍ବାଚନ ସଫତଳାର ସହିତ ସମ୍ପନ୍ନ ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ ।

ଦେଶର ବିକାଶ ପ୍ରକ୍ରିୟାରେ ଜାମ୍ମୁ-କାଶ୍ମୀରରକୁ ସମ୍ପୃକ୍ତ କରିବା ସମ୍ପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ଏହି ଅଞ୍ଚଳରେ ୧୭୫ରୁ ଅଧିକ କେନ୍ଦ୍ରୀୟ ଆଇନକୁ କାର୍ଯ୍ୟକାରୀ କରାଯାଇଛି । ଏହାର ସବୁଠୁ ବଡ ଲାଭ ମିଳିଛି ଏଠାକାର ମହିଳା, ଗରିବ ଓ  ଉପେକ୍ଷିତ ବର୍ଗଙ୍କୁ । ସେହିଭଳି ସଂରକ୍ଷଣ ନିୟମରେ ଥିବା ତ୍ରୁଟିବିଚ୍ୟୁତି ଓ ଅସଂଗତିକୁ ଦୂର କରାଯାଇ ତାହାକୁ ଏଠାରେ କିପରି ପ୍ରୟୋଗ କରାଯାଇଛି ସେ ବିଷୟରେ ସେ ମଧ୍ୟ ସୂଚନା ଦେଇଥିଲେ । ସେ କହିଥିଲେ ଯେ ବାଲ୍ମୀକି ସମାଜକୁ ଯୁଗଯୁଗର ବନ୍ଧନରୁ ମୁକ୍ତ କରାଯାଇଛି । ଏବେ ସବୁ ସମ୍ପ୍ରଦାୟ ଓ ବର୍ଗର ପୁଅଝିଅମାନେ ସେମାନଙ୍କ ସ୍ୱପ୍ନ ସାର୍ଥକ କରିବାର ସୁଯୋଗ ପାଇଛନ୍ତି ।  ଜାମ୍ମୁ-କାଶ୍ମୀରରେ ଯେଉଁମାନେ ଦୀର୍ଘକାଳ ଧରି ସଂରକ୍ଷଣର ସୁବିଧା ପାଇ ନ ଥିଲେ ଏବେ ସେମାନଙ୍କୁ ସେ ସୁଯୋଗ ମିଳିଛି ।

ଏକ ଭାରତ ଶ୍ରେଷ୍ଠ ଭାରତଲକ୍ଷ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିରେ ସଂଯୋଗ ବ୍ୟବସ୍ଥା ଓ ଦୂରତ୍ୱର ଅବସାନ ଗୁରୁତ୍ୱ ପାଇଛି । ଦୂରତ୍ୱ, ହୃଦୟ, ଭାଷା, ପ୍ରଥା, ପରମ୍ପରା ଓ ସମ୍ବଳ ଆଦି ଯେକୌଣସି କ୍ଷେତ୍ରରେ ହେଉ ନା କାହିଁକି ତାହାର ଅବସାନ ଉପରେ ଆମେ ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛୁ ।

ଦେଶର ବିକାଶରେ ପଞ୍ଚାୟତିରାଜର ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତାର ଏହି ଅମୃତକାଳ ଭାରତର ସୁବର୍ଣ୍ଣ ଯୁଗରେ ପରିଣତ ହେବାକୁ ଯାଉଛି । ଏଥିରେ ପଞ୍ଚାୟତିରାଜ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସବ୍‌କା ପ୍ରୟାସମାଧ୍ୟମରେ ଆମେ ଏହି ସୁବର୍ଣ୍ଣ ଯୁଗ ଆଣିପାରିବା । ଗଣତନ୍ତ୍ରକୁ  ସୁଦୃଢ କରି ବିକାଶ ପ୍ରକ୍ର୍ରିୟାକୁ ସାର୍ବଜନୀନ କରିବାରେ ପଞ୍ଚାୟତିରାଜ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବ । ଏଥିରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ଯେଉଁ ବିଶେଷ ଭୂମିକା ରହିଛିି ସେ କଥା ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ । ଉଭୟ ଯୋଜନା ଓ ରୂପାୟନ ପ୍ରକ୍ରିୟାରେ ପଞ୍ଚାୟତିରାଜର ଗଭୀର ସମ୍ପୃକ୍ତି ଦେଶର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୩ ଅଗଷ୍ଟ ୧୫ତାରିଖଠାରୁ ଦେଶର ପ୍ରତି ଜିଲ୍ଲାରେ ୭୫ଟି ସରୋବର ଖନନ ଓ ଜୀଣ୍ଣୋଦ୍ଧାରହେବ । ଏସବୁୁ ସରୋବରର  ହୁଡାରେ ବୃକ୍ଷରୋପଣ କରି ସେସବୁକୁ ସହିଦ ଓ ମୁକ୍ତି ସଂଗ୍ରାମୀମାନଙ୍କ ନାମରେ ନାମିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପଞ୍ଚାୟତିରାଜ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ନୂଆ ଟେକ୍‌ନୋଲୋଜି  ପ୍ରୟୋଗ ଉପରେ ସେ ଗୁରୁତ୍ୱ ଦେଇଥିଲେ । ଇ-ଗ୍ରାମ ସ୍ୱରାଜ, ଅନ୍‌ଲାଇନ ଅଡିଟ୍‌, ନାଗରିକ ସଂହିତା ବା ସିଟିଜେନ ଚାର୍ଟର ଆଦିକୁ ଅଗ୍ରାଧିକାରଭିତ୍ତିରେ  କାର୍ଯ୍ୟକାରୀ କରି ଗ୍ରାମଶାସନ ଓ ଜଳ ପରିଚାଳନାରେ ଅଧିକରୁ ଅଧିକ ମହିଳାଙ୍କୁ ସମ୍ପୃକ୍ତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ପ୍ରାକୃତିକ  ଚାଷ ଉପରେ ଗୁରୁତ୍ୱ ଦେଇ ଧରିତ୍ରୀମାତାକୁ ରାସାୟନିକ ସାର ଓ କୀଟନାଶକର  କୁପ୍ରଭାବରୁ ସୁରକ୍ଷିତ କରିବାକୁ   ମଧ୍ୟ ଏହି ଅବସରରେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରାକୃତିକ  ଚାଷ ଯୋଗୁଁ ପରିବେଶ, ମାଟି, ପାଣି ଓ ପବନ ସୁରକ୍ଷିତ ରହିବ । ସବୁ ଗାଁ ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଦେଲେ ସମଗ୍ର ମାନବଜାତି ଉପକୃତ ହେବ । ଗ୍ରାମ ପଞ୍ଚାୟତ ସ୍ତରରେ ସବ୍‌କା ପ୍ର୍ର୍ରୟାସମାଧ୍ୟମରେ ପ୍ରାକୃତିକ କୃଷି ଲୋକପ୍ରିୟ ହୋଇପାରିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଦେଶକୁ କୁପୋଷଣରୁ ମୁକ୍ତ କରିବାକୁ କେନ୍ଦ୍ର ସରକାର ବିଭିନ୍ନ ପ୍ରୟାସ କରୁଛନ୍ତି । ସେଥିପାଇଁ ଚାଉଳର ଦ୍ରବ୍ୟଗୁଣ ବଢାଇବାକୁ ଏଥିରେ ଅଧିକ ପୋଷକତତ୍ୱ ଦିଆଯାଇ ଏହାକୁ ସମୃଦ୍ଧ(ଫଟିଫାଏଡ୍‌) କରାଯାଉଛି ଓ ସେହି ଚାଉଳ ସରକାର କୁପୋଷଣ ଦୂର ପାଇଁ ଯୋଗାଇ ଦେଉଛନ୍ତି ।

ସେ କହିଛନ୍ତି, ୨୦୧୯ରେ ହୋଇଥିବା ଜାମ୍ମୁ-କାଶ୍ୱୀର ସଂକ୍ରାନ୍ତ ସାମ୍ବାଧାନିକ ସଂସ୍କାର ପରଠାରୁ କେନ୍ଦ୍ର ସରକାର ଏହି ଅଞ୍ଚଳର ବିକାଶ  ଏବଂ ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହାର ମୁଖ୍ୟ ଲକ୍ଷ୍ୟ ହେଲା ଏଠାକାର ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣି ସେମାନଙ୍କ ଜୀବନକୁ ସହଜ କରିବା । ସେଥିପାଇଁ ବିକାଶ ପ୍ରକ୍ରିୟା ଅଭୂତ ପୂର୍ବ ଗତିରେ ଚାଲିଛି । ଆଜି ଯେଉଁ ପ୍ରକଳ୍ପ ସବୁ ଉଦ୍‌ଘାଟିତ ହେଲା ଓ ଯାହାର ଶୁଭ ଦିଆଗଲା ତାହା ଏହି ଅଞ୍ଚଳରେ ଭିତ୍ତିଭୂମି ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ଏବଂ ଲୋକଙ୍କ ଗମନାଗମନ ଓ ଜୀବନଯାପନ ସୁଗମ ହେବ ।

ଆଜି ପ୍ରଧାନମନ୍ତ୍ରୀ ବନିହାଲ-କାଜିଗଣ୍ଡ ରୋଡ ଟନେଲକୁ ଉଦ୍‌ଘାଟନ କରିଥିଲେ । ଏହି ଟନେଲଟି ୩୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ । ଏହାର ଦୈର୍ଘ୍ୟ ୮.୪୫ କିଲୋମିଟର । ଏହାଫଳରେ ବନିହାଲ ଓ କାଜିଗଣ୍ଡ ମଧ୍ୟରେ ସଡକ ଦୂରତ୍ୱ ୧୬କି.ମି. ହ୍ରାସ ପାଇବ ଏବଂ ଯାତ୍ରା ସମୟ ଏକରୁ ଦେଢଘଣ୍ଟା କମିବ । ଏହା ଏକ ଟ୍ୱାଇନଟ୍ୟୁବ ଟନେଲ । ପ୍ରତ୍ୟେକ ଟନେଲ ଗୋଟିଏ ଗୋଟିଏ ଦିଗ ପାଇଁ ଉଦ୍ଦିଷ୍ଟ । ଏଥିରେ ପ୍ରତି ୫୦୦ମିଟର ବ୍ୟବଧାନରେ କ୍ରସ ପ୍ୟାସେଜ ରହିଛି । ରକ୍ଷଣାବେକ୍ଷଣ ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏହି ଟନେଲ ଫଳରେ ଜାମ୍ମୁ ଓ କାଶ୍ମୀର ମଧ୍ୟ ସବୁଦିନିଆ ସଡକ ସଂଯୋଗ ସ୍ଥାପନ ହୋଇଛି ଏବଂ ଦୁଇ ଅଂଚଳ ମଧ୍ୟରେ ଦୂରତ୍ୱ ହ୍ରାସ ପାଇଛି ।

ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ତିନିଟି ସଡକ ପ୍ରକଳ୍ପର ଶୁଭ ଦେଇଛନ୍ତି । ସେଗୁଡିକ ହେଲା ଦିଲ୍ଳୀ-ଅମୃତସର-କାଟ୍ରା ଏକ୍ସପ୍ରେସ ସଡକ । ଏହି ପ୍ରକଳ୍ପ ପାଇଁ ୭୫୦୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ଏଥିରେ ସଡକଗୁଡିକୁ ୪/୬ ଲେନ୍ ବିଶିଷ୍ଟ କରାଯିବ । ଏହାଫଳରେ ଦିଲ୍ଲୀ-ଅମୃତସର-କାଟ୍ରା ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ ହେବ । ଏହି ତିନିଟି ଏକ୍ସପ୍ରେସ ସଡକ ୪୪ନଂ ଜାତୀୟ ରାଜପଥର ବଲସୁଆରୁ ଗୁର୍‌ହାବେଲଦରାନ୍‌, ହୀରାନଗର, ଜଖ୍‌, ବିଜୟପୁର, କୁଞ୍ଜୱାନି, ଜାମ୍ମୁ ଓ ଜାମ୍ମୁ ବିମାନ ବନ୍ଦରକୁ ସଂଯୋଗ କରିବ ।

ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ରଟଲେ ଓ କ୍ୱର ଜଳବିଦ୍ୟୁତ ପ୍ରକଳ୍ପର ଶୁଭ ଦେଇଛନ୍ତି । କିସ୍ତୱାର ଜିଲ୍ଲାରେ ଚେନାବ ନଦୀ ଉପରେ  ୮୫୦ ମେଗାୱାଟ ଶକ୍ତି ଉତ୍ପାଦନକ୍ଷମ ରଟଲେ ପ୍ରକଳ୍ପ ୫୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ସେହିଭଳି କିସ୍ତୱାର ଜିଲ୍ଲାର କ୍ୱରଠାରେ ଚେନାବ ଉପରେ ଦ୍ୱିତୀୟ ପ୍ରକଳ୍ପ ନିର୍ମିତ ହେବ ଏବଂ ଏହାର  ବିଜୁଳି ଉତ୍ପାଦନ କ୍ଷମତା ୫୪୦ ମେଗାୱାଟ । ଏଥିପାଇଁ ୪୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଦୁଇ ପ୍ରକଳ୍ପ ଦ୍ୱାରା ଜାମ୍ମୁ-କାଶ୍ମୀରର ବିଜୁଳି ଆବଶ୍ୟକତା ପୂରଣ ହୋଇପାରିବ ।

ଆଜି ମଧ୍ୟରେ ଜାମ୍ମୁ-କାଶ୍ମୀରରେ ୧୦୦ ଜନଔଷଧୀ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି । ଏହାଦ୍ୱାରା ଏହି ଅଞ୍ଚଳରେ ଗରିବ ଓ ମଧ୍ୟବିତ୍ତବର୍ଗର ଲୋକଙ୍କୁ ସରକାର ସୁଲଭ ମୂଲ୍ୟରେ ଉଚ୍ଚମାନର ଜେନେରିକ ଔଷଧ ଯୋଗାଇ ଦେବେ । ଏସବୁ କେନ୍ଦ୍ର ଏହି କେନ୍ଦ୍ରଶାସିତ ଅଞ୍ଚଳର ଅଗମ୍ୟ ଇଲାକାରେ ପ୍ରତିଷ୍ଠା କରାଯାଇଛି । ସେ ମଧ୍ୟ ଆଜି ପାଲ୍ଲିଠାରେ ୫୦୦କିଲୋୱାଟ ବିଶିଷ୍ଟ ସୌର ବିଦ୍ୟୁତ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ । ଏଥିସହିତ ପାଲ୍ଳି ଦେଶର ପ୍ରଥମ କାର୍ବନମୁକ୍ତ ପଞ୍ଚାୟତର ମାନ୍ୟତା ଲାଭ କରିଛି ।

 ି ପ୍ରଧାନମନ୍ତ୍ରୀ ଏହି ଅବସରରେ ହିତାଧିକାରୀମାନଙ୍କୁ ସେମାନଙ୍କ ଜମିଜମା ଅଧିକାର ସଂକ୍ରାନ୍ତ ସ୍ୱାମୀତ୍ୱ କାର୍ଡପ୍ରଦାନ କରିଥିଲେ । ଏହାଛଡା ପଞ୍ଚାୟତିରାଜ ଦିବସ ଉପଲକ୍ଷେ ବିଭିନ୍ନ ବର୍ଗର ଶ୍ରେଷ୍ଠ ପଞ୍ଚାୟତକୁ ପୁରସ୍କାର ବାବଦ ଅର୍ଥ ହସ୍ତାନ୍ତର କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ଇନ୍‌ଟାକ୍‌ପକ୍ଷରୁ ଆୟୋଜିତ ଫଟୋ ଗ୍ୟାଲେରୀକୁ ବୁଲି ଦେଖିଥିଲେ । ଏଥିରେ ଏହି ଅଞ୍ଚଳର ଗ୍ରାମୀଣ ଐତିହ୍ୟର ଚିତ୍ର ସ୍ଥାନ ପାଇଛି । ଏହାଛଡା ସେ ମଧ୍ୟ ଦେଶରେ ଆଦର୍ଶ ସ୍ମାର୍ଟ ଗ୍ରାମ ପ୍ରତିଷ୍ଠା ପାଇଁ ଉଦ୍ଧିଷ୍ଟ ଏକ ନୋକିଆ ସ୍ମାର୍ଟପୁର ଉଦ୍ୟମିତା ଭିତ୍ତିକ ମଡେଲ ଡିଜାଇନ ପ୍ରଦର୍ଶନୀ ବୁଲି ଦେଖିଥିଲେ । ଆଜି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅମୃତ ସରୋବର ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଜଳାଶୟ ଓ ଜଳଉତ୍ସବର ନିର୍ମାଣ କିମ୍ବା ଜିଣ୍ଣୋଦ୍ଧାର କରାଯିବ । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।

 







****

TM / SLP



(Release ID: 1819646) Visitor Counter : 127