ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଉଦ୍‌ଘାଟିତ


 “ଏହି ସଂଗ୍ରହାଳୟରେ ପ୍ରତ୍ୟେକ ସରକାରଙ୍କ ଅମଳର ଐତିହ୍ୟ ନିଚ୍ଛକଭାବେ ପ୍ରତିଫଳିତ”

“ଆଜାଦୀ କା ଅମୃତ ମହୋତ୍ସବ କାଳରେ ଏହି ସଂଗ୍ରହାଳୟ ଏକ ବିରାଟ ଉତ୍ସାହବର୍ଦ୍ଧକ ଭାବେ ଉପନୀତ”

“ସ୍ୱାଧୀନ ଭାରତରେ ଏପର୍ଯ୍ୟନ୍ତ ଗଠିତ ପ୍ରତ୍ୟେକ ସରକାରଙ୍କର ଦେଶ ଶିଖରରେ ପହଞ୍ଚିବା ପାଇଁ ଅବଦାନ ରହିଛି’ ମୁଁ ଏକଥା ବହୁବାର ଲାଲକିଲ୍ଲାରୁ ମଧ୍ୟ କହିଛି”

“ଗୋଟେ ଦୁଇଟା ବ୍ୟତିକ୍ରମକୁ ଛାଡିଦେଲେ ଭାରତର ଗଣତନ୍ତ୍ରକୁ ଗଣତାନ୍ତ୍ରିକ ଉପାୟରେ ସଶକ୍ତ କରିବାର ଗୌରବମୟ ପରମ୍ପରା ରହିଛି”

“ଆଜି ବିଶ୍ୱରେ ଯେତେବେଳେ ଏକ ନୂତନ ବ୍ୟବସ୍ଥା ମୁଣ୍ଡ ଟେକୁଛି । ବିଶ୍ୱ ଭାରତକୁ ଆଶା ଓ ବିଶ୍ୱାସର ସହ ଦେଖୁଛି, ସେତେବେଳେ ପରିସ୍ଥିତି ସହ ଖାପ ଖୁଆଇବାକୁ ଭାରତକୁ ମଧ୍ୟ ନିଜର ଉଦ୍ୟମ ଜୋରଦାର କରିବାକୁ ହେବ”

Posted On: 14 APR 2022 2:24PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୪.୦୨.୨୦୨୨) ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗୋଟିଏ ଦିନରେ ବିଭିନ୍ନ ଉତ୍ସବ ପାଳନ ବିଷୟ ଉଲ୍ଲେଖ କରିଥିଲେ । ସେ ମଧ୍ୟ ବାବା ସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ଯେ “ବାବା ସାହେବ ମୁଖ୍ୟ ବିନ୍ଧାଣୀ ଥିବା ସମ୍ବିଧାନ ଆମକୁ ସଂସଦୀୟ ବ୍ୟବସ୍ଥାର ମୂଳଦୁଆ ପ୍ରଦାନ କରିଛି । ଏହି ସଂସଦୀୟ ବ୍ୟବସ୍ଥାର ମୁଖ୍ୟ ଦାୟିତ୍ୱ ଦେଶର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଉପରେ ନ୍ୟସ୍ତ ହୋଇଛି । ମୋର ସୌଭାଗ୍ୟ ଯେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ମତେ ସୁଯୋଗ ମିଳିଛି ।” ସେ ମଧ୍ୟ ସେଠାରେ ଉପସ୍ଥିତ ପୂର୍ବତନ ପ୍ରଧାନମନ୍ତ୍ରୀ ପରିବାରକୁ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରି କହିଥିଲେ ଯେ “ଦେଶ ଯେତେବେଳେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି ସେତେବେଳେ ଏହି ସଂଗ୍ରହାଳୟ ଏକ ପ୍ରେରଣାର ଉତ୍ସ । ବିଗତ ୭୫ବର୍ଷ ମଧ୍ୟରେ ଭାରତ ଅନେକ ଗୌରବମୟ କ୍ଷଣ ଦେଖିଛି । ଏହି ସବୁ କ୍ଷଣର ଗୁରୁତ୍ୱ ଇତିହାସର ଗବାକ୍ଷରେ ଅତୁଳନୀୟ ।

ପ୍ରଧାନମନ୍ତ୍ରୀ ସ୍ୱାଧୀନତା ପରଠାରୁ ଯେତେ ସବୁ ସରକାର ଆସିଛନ୍ତି ସମସ୍ତଙ୍କ ଅବଦାନର ପ୍ରଶଂସା କରିଥିଲେ । ସେ କହିଥିଲେ ଯେ “ ଆଜି ଦେଶ ଯେଉଁ ଶିଖରରେ ପହଁଛି ପାରିଛି ସେଥିପାଇଁ ସ୍ୱାଧୀନତା ପରଠାରୁ ଯେତେ ସବୁ ସରକାର ଆସିଛନ୍ତି ସମସ୍ତଙ୍କର ଅବଦାନ ରହିଛି । ମୁଁ ଏହି କଥା ଲାଲକିଲ୍ଲାରୁ ମଧ୍ୟ କହିଛି ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଂଗ୍ରହାଳୟ ପ୍ରତ୍ୟେକ ସରକାରଙ୍କ ଐତିହ୍ୟର ପ୍ରତିଫଳନ । ଦେଶର ପ୍ରତ୍ୟେକ ପ୍ରଧାନମନ୍ତ୍ରୀ ସାମ୍ବିଧାନିକ ଗଣତନ୍ତ୍ରର ଲକ୍ଷ୍ୟ ହାସଲ ପାଇଁ ଦେଶକୁ ବହୁତ କିଛି ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ସେମାନଙ୍କୁ ସ୍ମରଣ କରିବା ଅର୍ଥ ହେଲା ସ୍ୱାଧୀନ ଭାରତର ଯାତ୍ରାକୁ ଜାଣିବା । ଏଠାକୁ ଆସୁଥିବା ଜନସାଧାରଣ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବଦାନ, ସେମାନଙ୍କ ଜୀବନୀ, ସଂଗ୍ରାମ ଓ ସୃଷ୍ଟି ସମ୍ପର୍କରେ ଅବଗତ ହେବେ” ବୋଲି ସେ କହିଥିଲେ ।”

ପ୍ରଧାନମନ୍ତ୍ରୀ ଗର୍ବର ସହ କହିଥିଲେ ଯେ ଅଧିକାଂଶ ପ୍ରଧାନମନ୍ତ୍ରୀ ସାଧାରଣ ପରିବାରରୁ ଆସିଛନ୍ତି । ଅତ୍ୟନ୍ତ ଗରିବ ଓ ଚାଷୀ ପରିବାରରୁ ଆସି ଦେଶର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବା ଭାରତୀୟ ଗଣତନ୍ତ୍ର  ଓ ଏହାର ପରମ୍ପରାକୁ ମଜବୁତ କରିଛି ବୋଲି ସେ କହିଥିଲେ ।“ଏହା ମଧ୍ୟ ଦେଶର ଯୁବ ସମାଜକୁ ଏକ ବିଶ୍ୱାସ ଦେଇଥାଏ ଯେ କୌଣସି ସାଧାରଣ ପରିବାରରୁ ଆସି ମଧ୍ୟ ଭାରତ ଗଣତାନ୍ତ୍ରିକ ପଦ୍ଧତିର ସର୍ବୋଚ୍ଚ ସ୍ଥାନ ଅଧିକାର କରିପାରେ ବୋଲି ଶ୍ରୀ ମୋଦି କହିଛନ୍ତି । ସଂଗ୍ରହାଳୟ ଯୁବପୀଢିର ଜ୍ଞାନ ସମ୍ପ୍ରସାରଣ ଦିଗରେ ସହାୟକ ହେବ ବୋଲି ଶ୍ରୀ ମୋଦି ଆଶାପୋଷଣ କରିଥିଲେ । ଆମର ଯୁବ ସମାଜ ଯେତେ ଅଧିକ ସ୍ୱାଧୀନ ଭାରତ ସମ୍ପର୍କରେ ଅବଗତ ହେବେ, ସେମାନଙ୍କ ନିଷ୍ପତ୍ତି ସେତେ ପ୍ରାସଙ୍ଗିକ ହେବ ବୋଲି ସେ କହିଥିଲେ ।

ଭାରତ ଗଣତନ୍ତ୍ରର ଜନନୀଭାବେ ମର୍ଯ୍ୟାଦା ପାଇଥିବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ  “ଭାରତୀୟ ଗଣତନ୍ତ୍ରର ସର୍ବଶ୍ରେଷ୍ଠ ମୌଳିକତା ହେଉଛି ଏହା ସମୟ ସହ ନିରବଚ୍ଛିନ୍ନଭାବେ ତାଳଦେଇ ଚାଲିଛି । ପ୍ରତ୍ୟେକ ଯୁଗ ଓ ପିଢିରେ ଗଣତନ୍ତ୍ରକୁ ଅଧିକ ଆଧୁନିକ ଓ ସଶକ୍ତ କରିବାକୁ ନିରବଚ୍ଛିନ୍ନ ଉଦ୍ୟମ ଚାଲିଛି ।”  ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଳ୍ପ କେତେକ ବ୍ୟତିକ୍ରମକୁ ବାଦ ଦେଲେ ଭାରତୀୟ ଗଣତାନ୍ତ୍ରକୁ ଗଣତାନ୍ତ୍ରିକ ଉପାୟରେ ବିକଶିତ କରିବା ପାଇଁ ଆମର ଗୌରବମୟ ପରମ୍ପରା ରହିଛି । “ସେଥିପାଇଁ ଆମର ନିଜ ଉଦ୍ୟମରେ ଗଣତନ୍ତ୍ରକୁ ମଜବୁତ କରିବା ନେଇ ଏକ ଆନୁଗତ୍ୟ ରହିଛି ବୋଲି ସେ କହିଥିଲେ ।”   ଭାରତୀୟ  ସଂସ୍କୃତିର ଅନ୍ତର୍ଭୁକ୍ତୀକରଣ ଓ ସମସ୍ତଙ୍କୁ ଆପଣାଇବା ପ୍ରକୃତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଗଣତନ୍ତ୍ରକୁ ଆମକୁ ଆଧୁନିକତା ଓ ନୂତନ ଭାବନା ଗ୍ରହଣ କରିବାକୁ ପ୍ରୋତ୍ସାହନ କରିଥାଏ ।

ଭାରତର ସମୃଦ୍ଧ ଇତିହାସ ଓ ସମୃଦ୍ଧଶାଳୀ ଯୁଗର ଅବତାରଣା କରି ପ୍ରଧାନମନ୍ତ୍ରୀ ଭାରତୀୟ ଐତିହ୍ୟ ଓ ବର୍ତ୍ତମାନ ଉପରେ ସଠିକ୍ ଚିତ୍ର ଉପସ୍ଥାପନ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।

ସେ କହିଥିଲେ ଯେ ବିଦେଶରୁ ଚୋରି ହୋଇ ଯାଇଥିବା ଐତିହ୍ୟ ଫେରାଇ ଆଣିବା, ଜାଲିୱାନାୱାଲା  ସ୍ମାରକୀ ଭଳି ସ୍ମୃତିକୁ ସଂରକ୍ଷିତ କରି ରଖିବା, ବାବା ସାହେବଙ୍କ ସ୍ମୃତିରେ ପଞ୍ଚତୀର୍ଥ, ସ୍ୱାଧୀନତା  ସଂଗ୍ରାମୀଙ୍କ ସଂଗ୍ରହାଳୟ, ଆଦିବାସୀ ଇତିହାସ ସଂଗ୍ରହାଳୟ ଇତ୍ୟାଦି ଏ ଦିଗରେ ଗୋଟିଏ ଲେଖାଏଁ ପଦକ୍ଷେପ ।

ଅନେକ ଲୋକ ହାତ ଚରଖା ଧରିଥିବା ସଂଗ୍ରହାଳୟର ଲୋଗୋ ଉପରେ  ମନ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚରଖା ହେଉଛି ଅହର୍ନିଶି ୨୪ଘଣ୍ଟାରେ ପ୍ରତୀକ, ସମୃଦ୍ଧି ଓ କଠିନ ପରିଶ୍ରମର ଏକ ସଂକଳ୍ପ । ଏହି ସଂକଳ୍ପ,ସଚେତନତା ଏବଂ ଶକ୍ତି ଆଗାମୀ ୨୫ବର୍ଷ ପାଇଁ ଦେଶର ବିକାଶର ସଂଜ୍ଞା ନିରୂପଣ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢତାର ସହ କହିଥିଲେ ।

ପ୍ରଧାନମନ୍ତ୍ରୀ ବିଶ୍ୱ ବ୍ୟବସ୍ଥାରେ ପରିବର୍ତ୍ତନ ଓ  ସେଥିରେ ଭାରତର ପ୍ରାଧାନ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଆଜି ବିଶ୍ୱରେ ଯେତେବେଳେ ଏକ ନୂତନ ବ୍ୟବସ୍ଥା ମୁଣ୍ଡ ଟେକି ଉଠିଛି ବିଶ୍ୱ ଭାରତକୁ ଆଶା ଓ ବିଶ୍ୱାସର ସହ ଦେଖୁଛି,  ସେତେବେଳେ ପରିସ୍ଥିତି ସହ ଖାପ ଖୁଆଇବାକୁ ଭାରତକୁ ମଧ୍ୟ ନିଜସ୍ୱ ଉଦ୍ୟମ ଜୋରଦାର କରିବାକୁ ହେବ” ବୋଲି ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ।

****

SM / SLP



(Release ID: 1816905) Visitor Counter : 148