ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ସ୍ୱତନ୍ତ୍ର ବିମାନ ଯୋଗେ ଫେରିଲେଣି ପ୍ରାୟ ୧୦,୮୦୦ ଭାରତୀୟ


ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୧ଟି ବେସାମରିକ ଓ ୪ଟି ବାୟୁସେନା ବିମାନରେ ଫେରିବେ ଆହୁରି ଅଧିକ ନାଗରିକ

Posted On: 04 MAR 2022 5:37PM by PIB Bhubaneshwar

ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ‘ଅପରେସନ ଗଙ୍ଗା’ ଅଧୀନରେ ଆଜି ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରମାନଙ୍କରୁ ୧୭ଟି ସ୍ୱତନ୍ତ୍ର ବିମାନ ଭାରତ ଫେରିଛି । ଏଥିମଧ୍ୟରେ ୧୪ଟି ବେସାମରିକ ବିମାନ ରହିଥିବା ବେଳେ ଭାରତୀୟ ବାୟୁସେନାର ୩ଟି ସି-୧୭ ବିମାନ ରହିଛି । ଆଜି ରାତି ସୁଦ୍ଧା ଆଉ ଏକ ବେସାମରିକ ବିମାନ ଫେରିବ ବୋଲି ଆଶା କରାଯାଉଛି । ବେସାମରିକ ବିମାନରେ ୩୧୪୨ ଜଣ ଯାତ୍ରୀ ଫେରିଛନ୍ତି । ସି-୧୭ ବିମାନରେ ୬୩୦ ଜଣ ନାଗରିକ ଉଦ୍ଧାର ହୋଇଛନ୍ତି । ଏବେ ସୁଦ୍ଧା, ୪୩ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୯୩୬୪ ଜଣ ଭାରତୀୟମାନଙ୍କୁ ଉଦ୍ଧାର କରାଯାଇଛି । ଭାରତୀୟ ବାୟୁସେନାର ୭ଟି ସି-୧୭ ବିମାନରେ ୧୪୨୮ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯.୭ ଟନ୍‌ ରିଲିଫ ସାମଗ୍ରୀ ପଠାଯାଇଛି । ଆଜି ବୁକାରେଷ୍ଟରୁ ୪ଟି, କୋସିଚେରୁ ୨ଟି, ବୁଦାପେଷ୍ଟରୁ ୪ଟି, ରେସେଜୋରୁ ୩ଟି ଏବଂ ସୁଚେଭାରୁ ୨ଟି  ବେସାମରିକ ବିମାନ ଫେରିଛି । ଅନ୍ୟପଟେ ଭାରତୀୟ ବାୟୁସେନାର ୨ଟି ବିମାନ ବୁକାରେଷ୍ଟରୁ ଏବଂ ଗୋଟିଏ ବୁଦାପେଷ୍ଟରୁ ଫେରିଛି ।

ଆସନ୍ତକାଲି, ୧୧ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୨୨ଶହରୁ ଅଧିକ ଭାରତୀୟ ଫେରିବେ ବୋଲି ଆଶା କରାଯାଉଛି। ନୂଆଦିଲ୍ଲୀରେ ୧୦ଟି ଏବଂ ମୁମ୍ବାଇରେ ଗୋଟିଏ ବିମାନ ଅବତରଣ କରିବ । ବୁଦାପେଷ୍ଟରୁ ୫ଟି, ରେସେଜୋରୁ ୨ଟି ଏବଂ ସୁଚେଭାରୁ  ୪ଟି ବିମାନ ଭାରତ ଆସିବ । ରୋମାନିଆ, ପୋଲାଣ୍ଡ ଏବଂ ସ୍ଲୋଭାକିଆରୁ ୪ଟି ସି-୧୭ ବିମାନ ଆଜି ବିଳମ୍ବିତ ରାତି ଏବଂ ଆସନ୍ତକାଲି ସକାଳେ ଭାରତରେ ପହଞ୍ଚିବା ନେଇ ଆଶା କରାଯାଉଛି।

 

*******

P.S.



(Release ID: 1803085) Visitor Counter : 182