କ୍ୟାବିନେଟ

ଭାରତର ଜି୨୦ ସଭାପତିତ୍ୱ ପାଇଁ ପ୍ରସ୍ତୁତି ଏବଂ ଜି୨୦ ସଚିବାଳୟ ସ୍ଥାପନା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

Posted On: 15 FEB 2022 5:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏକ ଜି -୨୦ ସଚିବାଳୟ ଏବଂ ଏହାର ସ୍ଥାପନାକୁ ଅନୁମୋଦନ ମିଳିଛି, ଯାହା ଭାରତର ଆଗାମୀ ଜି -୨୦ ସଭାପତିତ୍ୱ ପରିଚାଳନା ପାଇଁ ଆବଶ୍ୟକ ନୀତିଗତ ନିଷ୍ପତ୍ତି ଏବଂ ବ୍ୟବସ୍ଥାର କାର୍ଯ୍ୟକାରିତା ପାଇଁ ଦାୟିତ୍ୱ ତୁଲାଇବ ।

ଭାରତ ୧ ଡିସେମ୍ବର ୨୦୨୨ ରୁ ୩୦ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ସଭାପତି ଦାୟିତ୍ୱ ତୁଲାଇବ ଏବଂ ୨୦୨୩ରେ ଭାରତରେ ଜି୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଜି୨୦ ହେଉଛି ଆର୍ନ୍ତଜାତିକ ଅର୍ଥନୈତିକ ସହଯୋଗର ଏକ ଅଗ୍ରଣୀ ମଞ୍ଚ ଯାହା ବିଶ୍ୱ ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ପରମ୍ପରା ଅନୁଯାୟୀ, ଜି୨୦ ସଚିବାଳୟ ପ୍ରତିଷ୍ଠା କରାଯାଉଛି ଯାହା ଭାରତର ସଭାପତିତ୍ୱରେ ହେବାକୁ ଥିବା ଜି୨୦ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ / ଜ୍ଞାନ / ବିଷୟବସ୍ତୁ, ଜ୍ଞାନକୌଶଳ, ଗଣମାଧ୍ୟମ, ସୁରକ୍ଷା ଏବଂ ପରିବହନ ଆଦି ଦିଗ ସମ୍ବନ୍ଧୀୟ କାର୍ଯ୍ୟକୁ ପରିଚାଳନା କରିବ । ଏହାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ସହଯୋଗୀ ମନ୍ତ୍ରଣାଳୟ / ବିଭାଗର ବିଶେଷଜ୍ଞ ଏବଂ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ସଚିବାଳୟ କାର୍ଯ୍ୟ କରିବ । 

ଏହି ସଚିବାଳୟ ସମେତ ଭାରତର ସଭାପତିତ୍ୱରେ ହେବାକୁ ଥିବା ଜି୨୦ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଆପେକ୍ସ କମିଟି, ଯେଉଁଥିରେ ଅର୍ଥ ମନ୍ତ୍ରୀ, ଗୃହମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଜି -୨୦ ସେର୍ପା (ବାଣିଜ୍ୟ ଏବଂ ଶିଳ୍ପ, ବୟନଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ) ରହିଛନ୍ତି ତାହା ସଚିବାଳୟକୁ ମାର୍ଗଦର୍ଶନ କରିବ । ଅଧିକନ୍ତୁ, ଜି୨୦ ବୈଠକର ସମସ୍ତ ପ୍ରସ୍ତୁତିର ତଦାରଖ କରିବା ଏବଂ ଆପେକ୍ସ କମିଟିକୁ ରିପୋର୍ଟ କରିବା ପାଇଁ ଏକ ସମନ୍ୱୟ କମିଟି ମଧ୍ୟ ଗଠନ କରାଯିବ । ବହୁପକ୍ଷୀୟ ମଞ୍ଚରେ ଆର୍ନ୍ତଜାତୀୟ ପ୍ରସଙ୍ଗରେ ଭାରତର ନେତୃତ୍ୱ ପାଇଁ ଜି୨୦ ସଚିବାଳୟ ଜ୍ଞାନ ଏବଂ ପାରଦର୍ଶୀତା ସହିତ ଦୀର୍ଘକାଳୀନ ଦକ୍ଷତା ବିକାଶକୁ ସକ୍ଷମ କରିବ ।

HS



(Release ID: 1798633) Visitor Counter : 154