ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

୨୦୨୧ ବର୍ଷ ପାଇଁ ‘ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାର’ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର


୫୨ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ହେମା ମାଳିନୀ ଏବଂ ପ୍ରସୁନ ଯୋଶୀଙ୍କୁ ସମ୍ମାନିତ କରାଯିବ

Posted On: 18 NOV 2021 4:14PM by PIB Bhubaneshwar

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ହେମା ମାଳିନୀ ଏବଂ ଶ୍ରୀ ପ୍ରସୂନ ଯୋଶୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ଏହି ପୁରସ୍କାର ଘୋଷଣା କରି ଶ୍ରୀ ଠାକୁର କହିଥିଲେ, “ଅଭିନେତ୍ରୀ ଏବଂ ଉତ୍ତର ପ୍ରଦେଶ ମଥୁରାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ହେମା ମାଳିନୀ ଏବଂ ଗୀତିକାର ତଥା ସିବିଏଫସିର ଅଧ୍ୟକ୍ଷ ଶ୍ରୀ ପ୍ରସୂନ ଯୋଶୀଙ୍କ ନାମ 2021 ବର୍ଷର ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାର ଲାଗି ଘୋଷଣା କରିବା ମୋ ପାଇଁ ଆନନ୍ଦର ବିଷୟ। ଭାରତୀୟ ଚଳଚ୍ଚିତ୍ର ଜଗତକୁ ଏମାନେ ଅନେକ ଦଶନ୍ଧି ଧରି ଯୋଗଦାନ କରି ଆସୁଛନ୍ତି ଏବଂ ଏମାନଙ୍କର କାମ ବିଭିନ୍ନ ପିଢ଼ିର ଦର୍ଶକମାନଙ୍କ ହୃଦୟକୁ ବିଶେଷ ଭାବେ ପ୍ରଭାବିତ କରିଛି। ଏହି ଦୁଇ ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସାରା ବିଶ୍ୱରେ ପ୍ରଶଂସା ପାଇଛନ୍ତି ଏବଂ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଏ ଦୁହିଁଙ୍କୁ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଥିବା ୫୨ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ।”

 

ସମ୍ମାନିତ ପୁରସ୍କାର ବିଜେତାମାନଙ୍କ ସମ୍ପର୍କରେ :

ହେମା ମାଳିନୀ, ଅଭିନେତ୍ରୀ, ସଂସଦ ସଦସ୍ୟ, ମଥୁରା, ଉତ୍ତରପ୍ରଦେଶ

 

ହେମାମାଳିନୀ ଏକାଧାରରେ ଜଣେ ଭାରତୀୟ ଅଭିନେତ୍ରୀ, ଲେଖିକା, ନିର୍ଦ୍ଦେଶିକା, ନିର୍ମାତା, ନର୍ତ୍ତକୀ ଏବଂ ରାଜନୀତିଜ୍ଞ । ତାଙ୍କର ଜନ୍ମ ୧୬ ଅକ୍ଟୋବର, ୧୯୪୮ରେ ତାମିଲନାଡ଼ୁର ଅମ୍ମାନକୁଡ଼ିରେ ହୋଇଥିଲା। ସେ ୧୯୬୩ରେ ତାମିଲ ଚଳଚ୍ଚିତ୍ର ‘ଇଦ୍ଧୁ ସାଥିୟମ’ରୁ ନିଜର ଚଳଚ୍ଚିତ୍ର କ୍ୟାରିଅର ଆରମ୍ଭ କରିଥିଲେ। ପରେ ୧୯୬୮ ‘ସପନୋ କା ସୌଦାଗର’ ଚଳଚ୍ଚିତ୍ରରୁ ମୁଖ୍ୟ ଅଭିନେତ୍ରୀ ଭାବେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ, ସେ ଶୋଲେ, ସୀତା ଔର ଗୀତା, ସତ୍ତେ-ପେ-ସତ୍ତା ଏବଂ ବାଗବାନ୍ ଭଳି ଶ୍ରେଷ୍ଠ ଚଳଚ୍ଚିତ୍ର ସମେତ ୧୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି।

‘ଡ୍ରିମ ଗର୍ଲ’ ନାମରେ ଲୋକପ୍ରିୟତା ହାସଲ କରିଥିବା ହେମାମାଳିନୀ ଅଭିନୟ ପ୍ରତିଭା ପାଇଁ ଅନେକଗୁଡ଼ିଏ ପୁରସ୍କାର ଓ ସମ୍ମାନ ହାସଲ କରିଛନ୍ତି। ୨୦୦୦ ମସିହାରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା। ୨୦୧୨ରେ ସେ ସାର୍ ପଦ୍ମପତ ସିଂଘାନିଆ ବିଶ୍ୱବିଦ୍ୟାଳୟରୁ ଭାରତୀୟ ସିନେମା କ୍ଷେତ୍ରକୁ ଯୋଗଦାନ ନିମନ୍ତେ ସମ୍ମାନଜନକ ଡକ୍ଟରେଟ୍ ଉପାଧି ହାସଲ କରିଥିଲେ। ସେ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ଜଣେ ପ୍ରଶିକ୍ଷିତ ଭାରତନାଟ୍ୟମ ନୃତ୍ୟାଙ୍ଗନା, ହେମାମାଳିନୀଙ୍କୁ ଭାରତୀୟ ସଂସ୍କୃତି ଓ ନୃତ୍ୟ କ୍ଷେତ୍ରକୁ ଯୋଗଦାନ ନିମନ୍ତେ ୨୦୦୬ରେ ସୋପୋରୀ ସଙ୍ଗୀତ ଓ ପ୍ରଦର୍ଶନ କଳା ଏକାଡେମୀ (ସାମାପା) ବିତସ୍ତା ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ, ସେ ଭାରତର ତତ୍କାଳୀନ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନିତ ହେବା ପରେ ରାଜ୍ୟ ସଭା ସାଂସଦ ଭାବେ ନିଜର ଭୂମିକା ନିର୍ବାହ କରିଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ହେମା ମାଳିନୀ, ମଥୁରା ସଂସଦୀୟ କ୍ଷେତ୍ରରୁ ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେବେଠାରୁ ସେ ମଥୁରା କ୍ଷେତ୍ରରୁ ଲୋକସଭା ସଦସ୍ୟ ଭାବେ ଜନସେବା କରି ଆସୁଛନ୍ତି।

 

ଶ୍ରୀ ପ୍ରସୂନ ଯୋଶୀ, ଗୀତିକାର ଏବଂ ସିବିଏଫସି ଅଧ୍ୟକ୍ଷ

ଶ୍ରୀ ପ୍ରସୂନ ଯୋଶୀ ଏକାଧାରରେ ଜଣେ କବି, ଲେଖକ, ଗୀତିକାର, ଚିତ୍ରନାଟ୍ୟ ଲେଖକ ଏବଂ ସଞ୍ଚାର ବିଶେଷଜ୍ଞ ଏବଂ ବିଜ୍ଞାପନ ଗୁରୁ। ସେ ମାତ୍ର ୧୭ ବର୍ଷ ବସୟରେ ହିଁ ନିଜର ପ୍ରଥମ ଗଦ୍ୟ ଓ କବିତା ପୁସ୍ତକ ସଫଳତାପୂର୍ବକ ପ୍ରକାଶିତ କରିପାରିଥିଲେ। ବର୍ତ୍ତମାନ ସେ ମ୍ୟାକ୍କେନ ଓ୍ବର୍ଲ୍ଡ ଗ୍ରୁପ ଇଣ୍ଡିଆର ଚେୟାରମ୍ୟାନ (ଏସିଆ) ଏବଂ ସିଇଓ ଅଛନ୍ତି।

ଶ୍ରୀ ଯୋଶୀ 2001ରେ ରାଜକୁମାର ସନ୍ତୋଷୀଙ୍କ ଚଳଚ୍ଚିତ୍ର ‘ଲଜ୍ଜା’ରେ ଗୀତିକାର ଭାବେ ଭାରତୀୟ ସିନେମା ଜଗତରେ ପ୍ରବେଶ କରିଥିଲେ। ତାରେ ଜମିନ୍ ପର, ରଙ୍ଗ ଦେ ବସନ୍ତୀ, ଭାଗ ମିଲଖା ଭାଗ, ନୀରଜା, ମଣିକର୍ଣ୍ଣିକା, ଦିଲ୍ଲୀ ୬ ଓ ଆହୁରି ଅନେକ ଚଳଚ୍ଚିତ୍ରରେ ସେ ଚମତ୍କାର ଗୀତ ରଚନା କରିଛନ୍ତି।

ଶ୍ରୀ ଯୋଶୀ କେବଳ ଭାରତରେ ନୁହେଁ, ବରଂ ବିଶ୍ୱସ୍ତରରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ତାରେ ଜମିନ୍ ପର (୨୦୦୭) ଏବଂ ଚଟଗାଓଁ (୨୦୧୩) ଚଳଚ୍ଚିତ୍ରରେ ଗୀତ ରଚନା ଲାଗି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ହାସଲ କରିଛନ୍ତି। କଳା, ସାହିତ୍ୟ ଏବଂ ବିଜ୍ଞାପନ କ୍ଷେତ୍ରକୁ ବହୁମୂଲ୍ୟ ଯୋଗଦାନ ନିମନ୍ତେ ତାଙ୍କୁ ୨୦୧୫ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନେକ ଥର ସେ ଫିଲ୍ମ ଫେୟାର, ଆଇଆଇଏଫଏ, ସ୍କ୍ରିନ ଭଳି ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛନ୍ତି। ୨୦୧୪ରେ ସେ କାନ୍ସ ଟାଇଟେନିୟମ ଜୁରୀ ଅଧ୍ୟକ୍ଷ ଭାବେ ଆମନ୍ତ୍ରିତ ହୋଇଥିଲେ। ସେ ଅନ୍ତର୍ଜାତୀୟ କାନ୍ସ ଲାୟନ ଟାଇଟେନିୟମ ପୁରସ୍କାରର ଅଧ୍ୟକ୍ଷତା କରିଥିବା ପ୍ରଥମ ଏସୀୟ ବ୍ୟକ୍ତିବିଶେଷ କରିଥିଲେ। ସେ ବିଶ୍ୱ ଆର୍ଥିକ ଫୋରମ ପକ୍ଷରୁ ‘ୟଙ୍ଗ ଗ୍ଲୋବାଲ ଲିଡର’ ଭାବେ ମନୋନିତ କରାଯାଇଥିଲା।

ଶ୍ରୀ ଯୋଶୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୦ର ଉଦଘାଟନୀ ଏବଂ ଉଦଯାପନୀ ସମାରୋହ ପାଇଁ ଚୟନ କରାଯାଇଥିବା ତିନି ସଦସ୍ୟ ବିଶିଷ୍ଟ ମୁଖ୍ୟ ସୃଜନଶୀଳ ପରାମର୍ଶ ସମିତିର ସଦସ୍ୟ ଥିଲେ।

ସେ ୫୨ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ’୭୫ କ୍ରିଏଟିଭ୍ ମାଇଣ୍ଡ୍ସ ଅଫ ଟୁମୋରୋ’ ପାଇଁ ଗ୍ରାଣ୍ଡ ଜୁରୀ ସଦସ୍ୟ ମଧ୍ୟ ଅଛନ୍ତି।

 

********

P.S.

 



(Release ID: 1773199) Visitor Counter : 214