ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଷ୍ଣର୍ଣ୍ଣ ଇକ୍‌ନମିକ୍ ଫୋରମ୍ ୨୦୨୧ରେ ପ୍ରଧାନମନ୍ତ୍ରୀ ଦେଇଥିବା ‘ଆଭାସୀ’ ଭାଷଣର ମୂଳପାଠ

Posted On: 03 SEP 2021 2:43PM by PIB Bhubaneshwar

ରୁଷ ଫେଡେରେସନ୍‌ର ପ୍ରେସିଡେଣ୍ଟ

 ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ପୁଟିନ

ଉପସ୍ଥିତ ମହାମହିମଗଣ,

ଇଷ୍ଟର୍ଣ୍ଣ ଇକନମିକ୍ ଫୋରମର ସମସ୍ତ ଅଂଶଗ୍ରହଣକାରୀ

ସମସ୍ତଙ୍କୁ ନମସ୍କାର

ମୁଁ ଇଷ୍ଟର୍ଣ୍ଣ ଇକ୍‌ନମିକ୍ ଫୋରମ୍‌ରେ ଉଦ୍‌ବୋଧନ ଦେଇ ଅତ୍ୟନ୍ତ ଆନନ୍ଦିତ । ମୋତେ ଏହି ସୌଭାଗ୍ୟ ଦେଇଥିବାରୁ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଉଛି ।

ବନ୍ଧୁଗଣ,

 ଭାରତର ଇତିହାସ ସଭ୍ୟତାରେ ସଂଗମଶବ୍ଦର ଏକ ସ୍ୱତନ୍ତ୍ର ଅର୍ଥ ରହିଛି ।  ଏହାର ଅର୍ଥ ଏକାଧିକ ନଦୀ, ଜନସାଧାରଣ ଓ ବିଚାରର ମିଳନ । ମୋ ବିଚାରରେ ଭ୍ଲାଡିଭଷ୍ଟକ ବାସ୍ତବରେ ୟୁରେସିଆ ଓ ପାସିଫିକର ଏକ ସଂଗମ ସ୍ଥଳ । ରୁଷୀୟ ଦୂରପ୍ରାଚ୍ୟର ବିକାଶ ପାଇଁ ରାଷ୍ଟ୍ରପତି ପୁଟିନ ଯେଉଁ ଲକ୍ଷ୍ୟ ଓ ଦୂରଦୃଷ୍ଟି ରଖି କାମ କରୁଛନ୍ତି ତାହାକୁ ମୁଁ ପ୍ରଶଂସା କରୁଛି । ଏହି ଲକ୍ଷ୍ୟପୂରଣ କରିବାରେ ଭାରତ ରୁଷିଆର ବିଶ୍ୱସ୍ତ ଅଂଶୀଦାର ହେବ। ୨୦୧୯ରେ ଆୟୋଜିତ ଫୋରମ୍‌ର ବୈଠକରେ ମୁଁ ଭ୍ଲାଡିଭଷ୍ଟକ ଯାଇଥିଲି । ସେଠାରେ ମୁଁ ଭାରତର ଆକ୍ଟ ଫାର ଇଷ୍ଟନୀତି ଘୋଷଣା କରିଥିଲି । ଏହି ନୀତି ରୁଷିଆ ସହିତ ଏକ ରଣକୌଶଳାତ୍ମକ ଅଂଶୀଦାରୀ ଗଢି ତୋଳିବାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଓ ସ୍ୱତନ୍ତ୍ର ଅଙ୍ଗ ।

ମହାମହିମ୍‌!

ପ୍ରେସିଡେଣ୍ଟ ପୁଟିନ, ଆମେ ଯେତେବେଳେ ୨୦୧୯ରେ ମିଳିତଭାବେ ଭ୍ଲାଡିଭସଟକ୍‌ରୁ ସ୍ପେଜ୍‌ଡା ନୌଯାତ୍ରାରେ ଗଲେ ସେତେବେଳେ ଆମ ଦୁହିଁଙ୍କ ଭିତରେ ହୋଇଥିବା ସବିଶେଷ କଥାବାର୍ତ୍ତା ମୋର ମନେ ଅଛି । ସ୍ପେଜଡାର ଆଧୁନିକ ଜାହାଜ ନିର୍ମାଣ କାରଖାନା ମୋତେ ଆପଣ ଦେଖାଇଥିଲେ । ସେତେବେଳେ ଆପଣ ଆଶାପୋଷଣ କହିଥିଲେ ଯେ ଭାରତ ଏହି ବିରାଟ ଔଦ୍ୟୋଗିକ ପ୍ରୟାସରେ ସାମିଲ ହେବେ ।

ଆଜି ମୁଁ ଆନନ୍ଦିତ ଯେ ସ୍ପେଜ୍‌ଡା ପ୍ରକଳ୍ପରେ ଭାରତର ଅନ୍ୟତମ ବୃହତ୍ ଜାହାଜ ନିର୍ମାଣକାରୀ ସଂସ୍ଥା ମାଜଗାଓଁ ଡକ୍ସ ଲିମିଟେଡ ଏଥିରେ ସାମିଲ ହୋଇଛି । ବିଶ୍ୱର କେତେକ ଗୁରୁତ୍ୱପୂର୍ଣ୍ଣ ବ୍ୟାବସାୟିକ ଜାହାଜ ନିର୍ମାଣରେ ମାଜଗାଁଓ ଡକ୍ସ ଲିମିଟେଡ ସ୍ପେଜ୍‌ଡା ସହ ଅଂଶୀଦାର ହେବ । ଗଗନଯାନ କାର୍ଯ୍ୟକ୍ରମରେ ଭାରତ ଓ ରୁଷିଆ ଅଂଶୀଦାର ହୋଇ ମହାକାଶ ଗବେଷଣା କ୍ଷେତ୍ରରେ କାମ କରୁଛନ୍ତି । ରୁଷିଆ ଓ ଭାରତ ମଧ୍ୟ ଆନ୍ତର୍ଜାତିକ ବାଣିଜ୍ୟ ବ୍ୟବସାୟ ପାଇଁ ଉତ୍ତର ସାଗର ଜଳପଥ ମିଳିତଭାବେ ଖୋଲିବେ ।

ବନ୍ଧୁଗଣ !

            ଭାରତ-ରୁଷିଆ ମୈତ୍ରୀ ସମୟର କଷଟି ପଥରରେ ପରୀକ୍ଷିତ । ନିକଟରେ କରୋନା ମହାମାରୀ ସମୟରେ ଟିକାପ୍ରସ୍ତୁତି କାମରେ ଦୁଇପକ୍ଷ ମଧ୍ୟରେ ଏକ ବଡ ସହଯୋଗ ପ୍ରୟାସ ଆରମ୍ଭ ହୋଇଛି । ଆମ ଦ୍ୱିପାକ୍ଷିକ ସହଯୋଗ ବ୍ୟବସ୍ଥା ମଧ୍ୟରେ ସ୍ୱାସ୍ଥ୍ୟ ଓ ଔଷଧପତ୍ରର ଯେ ଏକ ବଡ ଭୂମିକା ରହିଛି ସେକଥା ମହାମାରୀ ଆମକୁ ଦେଖାଇଦେଇଛି । ଉର୍ଜା ମଧ୍ୟ ଆମ ରଣକୌଶଳାତ୍ମକ ଅଂଶୀଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ରୁଷ-ଭାରତ ଊର୍ଜା ସହଭାଗିତା ବିଶ୍ୱ ଊର୍ଜା ବଜାରରେ ସ୍ଥିରତା ଆଣିବ । ମୋ ସରକାରର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଭ୍ଲାଡିଭଷ୍ଟକରେ ଅଛନ୍ତି । ସେ ଏହି ଫୋରମ୍‌ରେ ଭାରତର ପ୍ରତିନିଧିତ୍ୱ କରିବେ । ଭାରତୀୟ ଶ୍ରମିକମାନେ ଅମୁର ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ଗ୍ୟାସ ପ୍ରକଳ୍ପରେ କାମ କରୁଛନ୍ତି । ୟମଲରୁ ଭ୍ଲାଡିଭସ୍‌ଟକ୍ ଓ ସେଠାରୁ ଚେନ୍ନାଇ ପର୍ଯ୍ୟନ୍ତ ଗ୍ୟାସ ପାଇପ ସଂଯୋଗ କରିବାର ଲକ୍ଷ୍ୟ ରହିଛି । ଆମେ ଏକ ଊର୍ଜ୍ଜା ଓ ବାଣିଜ୍ୟ ସେତୁ ସ୍ଥାପନ ଲକ୍ଷ୍ୟରେ କାମ କରୁଛୁ । ଚେନ୍ନାଇ-ଭ୍ଲାଡିଭସ୍‌ଟକ୍ ମାରିଟାଇମ୍ କରିଡର ଅଗ୍ରଗତି ଦେଖି ମୁଁ ଆନନ୍ଦିତ । ଏହି ସଂଯୋଗ ପ୍ରକଳ୍ପ ସହିତ ଆନ୍ତର୍ଜାତିକ ଉତ୍ତର ଦକ୍ଷିଣ କରିଡର ଦ୍ୱାରା ଭାରତ ଓ ରୁଷିଆ ପରସ୍ପରର ଆହୁରି ନିକଟତର ହେବେ । ମହାମାରୀ ଜନିତ ପ୍ରତିବନ୍ଧକ ସତ୍ତ୍ୱେ ବିଭିନ୍ନ କ୍ଷେତ୍ରରେ ଆମ ବ୍ୟାବସାୟିକ ସମ୍ପର୍କ ଅଧିକ ନିବିଡ ହୋଇଛି । ଏଥିରେ ଭାରତୀୟ ଇସ୍ପାତ ଉଦ୍ୟୋଗକୁ ଦୀର୍ଘମିଆଦି ଭିତ୍ତିରେ କୋକିଂ କୋଇଲା ଯୋଗାଣ ଅନ୍ତର୍ଭୁକ୍ତ । କୃଷିଶିଳ୍ପ ଓ ସେରାମିକ୍ସ, ଖଣିଜ, ହୀରା, ବିରଳ ମୃତ୍ତିକା ଓ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ବ୍ୟବସାୟ ସହଯୋଗ କିପରି ଅଧିକ ବଢିବ ସେ ଦିଗରେ ମଧ୍ୟ ଉଦ୍ୟମ ଜାରି ରହିଛି । ଏହି ଫୋରମ୍‌ରେ ହୀରା ଉପରେ ଆଲୋଚନା କରିବାକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି । ସେଥିରେ ଗୁଜରାଟ ଓ ସାଖା-ୟାକୁଟିଆ ପ୍ରତିନିଧିମାନେ ଯୋଗ ଦେଉଥିବା ଜାଣି ଖୁସି ହେଲି । ଏକ ବିଲିୟନ ଡଲାର ମୂଲ୍ୟର କୋହଳ ହାର ସୁଧରେ ଯେଉଁ ଋଣ ୨୦୧୯ରେ ଘୋଷଣା କରାଯାଇଥିଲା ତାହା ଦ୍ୱିପାକ୍ଷିକ ବାଣିଜ୍ୟ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ ବୋଲି ମୋର ବିଶ୍ୱାସ ।

ଭାରତର ବିଭିନ୍ନ ରାଜ୍ୟ ଏବଂ ରୁଷ ଦୂରପ୍ରାଚ୍ୟର ବିଭିନ୍ନ ସମ୍ପୃକ୍ତପକ୍ଷଙ୍କୁ ଏହି ଫୋରମ୍ ଏକାଠି କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହା ମିଳିତଭାବେ ଆଗକୁ ବଢିବାକୁ ଉଭୟ ଦେଶକୁ ସାହାଯ୍ୟ କରିବ । ୨୦୧୯ରେ ମୋ ସହିତ ଭ୍ଲାଡିଭସ୍‌ଟକ୍ ଯାଇଥିବା ଭାରତର କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ ଯେଉଁସବୁ ପ୍ରସଙ୍ଗରେ ଆଲୋଚନା କରିଥିଲେ ସେଥିରେ ପ୍ରଗତି ଘଟିଛି ବୋଲି ମୋର ଆଶା ଓ ବିଶ୍ୱାସ । ଏହି ଅବସରରେ ମୁଁ ରୁଷର ଦୂରପ୍ରାଚ୍ୟ (ଫାର୍‌ଇଷ୍ଟ)ର ୧୧ଟି ଅଞ୍ଚଳର ଗଭର୍ଣ୍ଣରମାନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଜଣାଉଛି ।

ବନ୍ଧୁଗଣ !

            ୨୦୧୯ରେ ମୁଁ ଏହି ମଞ୍ଚରେ କହିଥିଲି ଯେ ଭାରତୀୟ ପ୍ରତିଭାଧାରମାନେ ବିଶ୍ୱର ଅନେକ ସମୂଳ ସମୃଦ୍ଧି ଅଞ୍ଚଳର ବିକାଶରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି । ଭାରତରେ ଏକ ପ୍ରତିଭା ସମ୍ପନ୍ନ ଓ ଉତ୍ସର୍ଗୀକୃତ ଶ୍ରମଶକ୍ତି ରହିଛି । ରୁଷର ଦୂର-ପ୍ରାଚ୍ୟ ସମ୍ବଳ ସମୃଦ୍ଧ ହୋଇଥିବାରୁ ଭାରତୀୟ ପ୍ରତିଭାବାନ ଯୁବକଙ୍କର ଏହାର ବିକାଶରେ ବିଶେଷ ଭୂମିକା ରହିଛି । ଏହି ଫୋରମ୍‌ର ବୈଠକ ଆୟୋଜିତ  ହେଉଥିବା ଫାର ଇଷ୍ଟର୍ଣ୍ଣ ଫେଡେରାଲ ୟୁନିଭରସିଟିରୁ ଅନେକ ଭାରତୀୟ ଶିକ୍ଷାଲାକ କରିଛନ୍ତି ।

ମହାମହିମ୍ ରାଷ୍ଟ୍ରପତି ପୁଟିନ, ମୋତେ  ଏହି ମଞ୍ଚରେ ଉଦ୍‌ବୋଧନ ଦେବାକୁ ସୁଯୋଗ ଦେଇଥିବାରୁ ମୁଁ ପୁନର୍ବାର ଆପଣଙ୍କୁ ଧନ୍ୟବାଦ ଜଣାଉଛି ।  ଆପଣ ସବୁବେଳେ ଭାରତରେ ଜଣେ ମହାନ୍ ବନ୍ଧୁ ହୋଇ ରହିଆସିଛନ୍ତି । ଆପଣଙ୍କ ଦିଗ୍‌ଦର୍ଶନରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ନିବିଡ ଓ ବ୍ୟାପକ ହୋଇ ଆଗକୁ ଚାଲିଛି । ମୁଁ ଏହି ଫୋରମରେ ଭାଗ ନେଇଥିବା ସମସ୍ତଙ୍କର ସଫଳତା କାମନା କରୁଛି ।

ସ୍ପାସିବା !

 ଧନ୍ୟବାଦ ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

 

****

 

TM / SLP



(Release ID: 1751891) Visitor Counter : 232