ରାଷ୍ଟ୍ରପତିଙ୍କ ସଚିବାଳୟ

୭୫ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ବାର୍ତ୍ତା

Posted On: 14 AUG 2021 7:44PM by PIB Bhubaneshwar

 

ମୋର ପ୍ରିୟ ଦେଶବାସୀ,

ନମସ୍କାର !

୧. ଦେଶବିଦେଶରେ ରହୁଥିବା ସବୁ ଭାରତୀୟଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଅଭିନନ୍ଦନ । ଚଳିତବର୍ଷ ଆମେ ୭୫ତମ ସ୍ୱାଧୀତନା ଦିବସ ପାଳନ କରୁଥିବାରୁ ଏହି ଦିନଟିର ଗୁରୁତ୍ୱ ଆମ ପାଇଁ ସ୍ୱତନ୍ତ୍ର । ଏଥିପାଇଁ ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହେଉଛି । ଏହି ମହତ୍ୱପୂର୍ଣ୍ଣ ଅବସରରେ ମୁଁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ।

୨. ସ୍ୱାଧୀନତା ଦିବସ ଆମ ସମସ୍ତଙ୍କ ପାଇଁ ଏକ ମୁକ୍ତିର ଉତ୍ସବ । ପିଢି ପିଢିର ମୁକ୍ତି ସଂଗ୍ରାମୀଙ୍କ ଅଦମ୍ୟ ତ୍ୟାଗ ଓ ବଳିଦାନ ଦ୍ୱାରା ଏହା ସମ୍ଭବ ହୋଇଛି । ସେମାନଙ୍କ ମଧ୍ୟରୁ କେତେକ ଜ୍ଞାତ ଓ ଅନେକ ଅଜ୍ଞାତ । ସେମାନଙ୍କ ତ୍ୟାଗର ପଟ୍ଟାନ୍ତର ନାହିଁ । ସେମାନଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆଜି ଆମେ ସମସ୍ତେ ମୁକ୍ତ ଆକାଶତଳେ ନିଃଶ୍ୱାସ ମାରୁଛୁ । ସେହି ବୀର ସହିଦମାନଙ୍କ ପବିତ୍ର ସ୍ମୃତିପ୍ରତି ସମ୍ମାନ ଜଣାଇ ମୁଁ ମୋର ମଥାନତ କରୁଛି ।

୩. ଆମ ଦେଶ ଅନ୍ୟାନ୍ୟ ବିଭିନ୍ନ ରାଷ୍ଟ୍ରଭଳି ଉପନିବେଶବାଦୀ ଶାସନ କାଳରେ ଅନେକ ଅନ୍ୟାୟ ଓ ଅତ୍ୟାଚାର ସହିଛି । ତେବେ ଭାରତ କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେଲା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ପରିଚାଳିତ ଆମର ଜାତୀୟ ସଂଗ୍ରାମର ଚରିତ୍ର ଭିନ୍ନ ଥିଲା । ଏହି ସଂଗ୍ରାମର ନୀତି ଥିଲା ସତ୍ୟ ଓ ଅହିଂସା । ବାପୁଜୀ ଏବଂ ଅନ୍ୟ ସମସ୍ତ ଜାତୀୟ ନାୟକମାନେ ବିଦେଶୀ ଶାସନରୁ ଦେଶକୁ ମୁକ୍ତ କରିବା ସହ ସ୍ୱାଧୀନ ଭାରତ ଗଢିବା ପାଇଁ ଏକ ଅମୂଲ୍ୟ ନକ୍ସା ପ୍ରଦାନ କରିଯାଇଥିଲେ । ଗାନ୍ଧିଜୀଙ୍କ ସଂଗ୍ରାମ ଭାରତୀୟ ମୂଲ୍ୟବୋଧ ଓ ମାନବୀୟ ମର୍ଯ୍ୟାଦାର ପୁନଃପ୍ରବର୍ତ୍ତନ ପାଇଁ ଉଦ୍ଦିଷ୍ଟ ଥିଲା ।

୪. ଆମ ସାଧାରଣତନ୍ତ୍ରର ୭୫ ବର୍ଷର ଯାତ୍ରା ପରେ ଏବେ ଆମେ ପଛକୁ ଚାହିଁଲେ ଆମର ଉପଲବ୍ଧି ଓ ସଫଳତା ପାଇଁ ଗର୍ବ ଅନୁଭବ କରିବାର ଯଥେଷ୍ଟ କାରଣ ରହିଛି । ଆମେ ଏ କ୍ଷେତ୍ରରେ ଉଲ୍ଲେଖନୀୟ ପଥ ଅତିକ୍ରମ କରିଛୁ । ଗାନ୍ଧିଜୀ ଆମକୁ ଶିକ୍ଷା ଦେଇଥିଲେ ଯେ ଭୁଲ ରାସ୍ତାରେ ତରତରରେ ଯିବା ଅପେକ୍ଷା ଧୀରମନ୍ଥର ବେଗରେ ଉଚିତ ମାର୍ଗରେ ଗତି କରିବା ଭଲ । ଏବେ ସମଗ୍ର ବିଶ୍ୱ ଭାରତର ଅଲୌକିକତାକୁ ଦେଖୁଛି । ଏଠାରେ ବହୁ ମତ ପନ୍ଥ, ଆଦର୍ଶ ଓ ପରମ୍ପରା ମଧ୍ୟରେ ବିଶ୍ୱର ସର୍ବବୃହତ୍‌ ଓ ସମର୍ଥ ଗଣତନ୍ତ୍ର କାର୍ଯ୍ୟ କରୁଛି । 

ପ୍ରିୟ ଦେଶବାସୀ,

୫. ନିକଟରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଆମର କ୍ରୀଡାବିତ୍‌ମାନେ ଉତ୍ତମ କ୍ରୀଡ଼ା ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ଏହି କ୍ରୀଡାର ୧୨୧ ବର୍ଷର ଇତିହାସରେ ଭାରତ ଏଥର ସର୍ବାଧିକ ପଦକ ଅର୍ଜନ କରିଛି । ଆମ ଝିଅମାନେ କ୍ରୀଡାଙ୍ଗନରେ ଅନେକ ବାଧା ଓ ପ୍ରତିକୂଳ ସ୍ଥିତିକୁ ଅତିକ୍ରମ କରି ବିଶ୍ୱସ୍ତରୀୟ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି । ଖେଳକୁଦ ସହିତ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଅଂଶଗ୍ରହଣ କରି ସଫଳତାର ନୂଆ ନୂଆ କାହାଣୀ ରଚନା କରୁଛନ୍ତି । ଉଚ୍ଚଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ପ୍ରତିରକ୍ଷାବାହିନୀ, ପରୀକ୍ଷାଗାରଠାରୁ ଖେଳପଡିଆ- ଆମ ଝିଅମାନେ ସବୁ କ୍ଷେତ୍ରରେ ତାଙ୍କର ଉପସ୍ଥିତି ଜାହିର କରି ସଫଳ ହେଉଛନ୍ତି । ଆମ କନ୍ୟାମାନଙ୍କର ଏହି ସଫଳତାରେ ମୁଁ ଭବିଷ୍ୟତର ବିକଶିତ ଭାରତର ଝଲକ ଦେଖିପାରୁଛି । ସବୁ ପିତାମାତା ଏଭଳି ସଫଳ ଝିଅମାନଙ୍କର ପରିବାରଠାରୁ ଶିକ୍ଷାଲାଭ କରି ସେମାନଙ୍କ କନ୍ୟାମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ସେମାନଙ୍କର ଅଭିବୃଦ୍ଧିର ମାର୍ଗ ନିର୍ଦ୍ଧାରଣ କରିବାକୁ ମୁଁ ଆହ୍ୱାନ ଜଣାଉଛି ।

୬. ଗତବର୍ଷ ଭଳି ଏବର୍ଷ ମଧ୍ୟ ମହାମାରୀ ଯୋଗୁଁ ସ୍ୱାଧୀନତା ଦିବସ ପାଳନର ପରିସର ସୀମିତ ହୋଇଛି । ତଥାପି ଆମର ହୃଦୟ ଏହି ପବିତ୍ର ଦିବସ ପାଇଁ ସଦାସର୍ବଦା ଉତ୍ସାହରେ ଭରି ରହିଛି । ଏବେ ଦେଶରେ ମହାମାରୀର ପ୍ରକୋପ ହ୍ରାସ ପାଇଛି; ହେଲେ କରୋନା ଭୂତାଣୁ ଏଯାଏଁ ଯାଇନାହିଁ । ଏହାର ମହାମାରୀ ପ୍ରଭାବରୁ ଆମେ ଏଯାଏଁ ମୁକ୍ତି ପାଇନାହୁଁ । ଗତବର୍ଷ ସମସ୍ତଙ୍କ ସହଯୋଗ ଫଳରେ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ସଫଳ ହୋଇଥିଲୁ । ଆମ ବୈଜ୍ଞାନିକମାନେ ଖୁବ୍‌ କମ୍‌ ସମୟରେ ଟିକା ତିଆରି କରିବାରେ ସଫଳ ହୋଇଥିଲେ । ତେଣୁ ଚଳିତବର୍ଷର ପ୍ରାରମ୍ଭରେ ଆମେ ବିଶେଷ ଆଶାବାଦୀ ହୋଇ ବିଶ୍ୱର ସର୍ବବୃହତ୍‌ ଟିକାକରଣ ଅଭିଯାନ ଆରମ୍ଭ କରିଥିଲୁ । ତଥାପି ନୂଆ ପ୍ରକାରର ଭୂତାଣୁଙ୍କ ଆବିର୍ଭାବ ଏବଂ ଅନ୍ୟ କେତେକ ଅନିଚ୍ଛାକୃତ କାରଣ ଯୋଗୁଁ ଭାରତ ଏକ ଭୟାନକ ଦ୍ୱିତୀୟ ସଂକ୍ରମଣର ସମ୍ମୁଖୀନ ହୋଇଥିଲା । ଏଥିରେ ସକଳ ଚେଷ୍ଟା ସତ୍ତ୍ୱେ ଅନେକ ଜୀବନକୁ ବଞ୍ଚାଇବା ସମ୍ଭବ ହୋଇ ନ ଥିଲା । ଅନେକ ଲୋକ ମଧ୍ୟ ଏହି ଅଭୂତପୂର୍ବ ଦ୍ୱିତୀୟ ସଂକ୍ରମଣ କାଳରେ ବହୁ ଦୁଃଖକଷ୍ଟ ଭୋଗିଥିଲେ । ଏଥିପାଇଁ ମୁଁ ବିଶେଷ ଦୁଃଖିତ । ସଂପୃକ୍ତ ପ୍ରଭାବିତ ପରିବାରଙ୍କ ପାଇଁ ମୁଁ ଦୁଃଖପ୍ରକାଶ କରିବାବେଳେ ସମଗ୍ର ରାଷ୍ଟ୍ରର ସମବେଦନା ସେମାନଙ୍କୁ ଜଣାଉଛି ।

୭. ଏହି ଅଦୃଶ୍ୟ ମହାମାରୀରୂପୀ ଭୟଙ୍କର ଶତ୍ରୁର ଦୃଢ ମୁକାବିଲା କରିବା ନିମନ୍ତେ ବିଜ୍ଞାନ ଅଭୂତପୂର୍ବ ବେଗରେ କାର୍ଯ୍ୟ କରୁଛି । ଆଶ୍ୱସନାର ବିଷୟ ଯେ ଏହି ଲଢେଇରେ ଆମେ ଯେତେ ଜୀବନ ହରାଇଛୁ ତାହାଠାରୁ ବହୁ ଅଧିକ ଜୀବନ ରକ୍ଷା କରିବାରେ ସଫଳ ହୋଇଛୁ । ଦ୍ୱିତୀୟ ଲହରକୁ ପ୍ରତିହତ କରିବାରେ ଆମର ମିଳିତ ଉଦ୍ୟମ ଓ ଦୃଢ ବିଚାର ବିଶେଷ ସହାୟକ ହୋଇଛି । ପୁଣି ଥରେ ଆମର କରୋନା ଯୋଦ୍ଧା, ଚିକିତ୍ସକ, ସେବିକା, ସ୍ୱାସ୍ଥ୍ୟକର୍ମୀ, ପ୍ରଶାସକ ଓ ଅନ୍ୟମାନେ ଅପୂର୍ବ ନିଷ୍ଠା ଓ ସାହସ ପ୍ରଦର୍ଶନ କରି ନିଜ ଜୀବନକୁ ବିପନ୍ନ କରିବା ସହିତ ଦ୍ୱିତୀୟ ଲହରର ପ୍ରଭାବକୁ ନିୟନ୍ତ୍ରିତ କରିବାରେ ସଫଳ ହୋଇଛନ୍ତି ।

୮. କରୋନାର ଦ୍ୱିତୀୟ ଲହର ଫଳରେ ଆମ ଦେଶର ସରକାରୀ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ବିଶେଷ ଚାପଗ୍ରସ୍ତ ହୋଇଥିଲା । ସତକଥା ହେଲା କରୋନା ମହାମାରୀର ଯେଉଁ ଭୟଙ୍କର ଓ ଅପ୍ରତ୍ୟାଶିତ ପ୍ରଭାବ ଆମେ ଦେଖିବାକୁ ପାଉଛୁ, ତାହାର ମୁକାବିଲା କରିବା ପାଇଁ କୌଣସି ସ୍ୱାସ୍ଥ୍ୟ ଭିତ୍ତିଭୂମି ଏପରିକି ବିଶ୍ୱର ଅତ୍ୟନ୍ତ ଧନିକ ରାଷ୍ଟ୍ରମାନେ ସମର୍ଥ ନୁହନ୍ତି । ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଯେଉଁ ଅଭାବ ଥିଲା ତାହାକୁ ଆମେ ଯୁଦ୍ଧକାଳୀନଭିତ୍ତିରେ ପୂରଣ କରିବାରେ ସଫଳ ହୋଇଛୁ । ପରିସ୍ଥିତିର ମୁକାବିଲା ପାଇଁ ଆମ ନେତୃତ୍ୱ ଆଶାଜନକ ପଦକ୍ଷେପ ଗ୍ରହଣ କରିଛି । ସରକାରଙ୍କ ଉଦ୍ୟମ ଓ ଉପକ୍ରମକୁ ସବୁ ରାଜ୍ୟ, ଘରୋଇ ସ୍ୱାସ୍ଥ୍ୟ ବ୍ୟବସ୍ଥା, ନାଗରିକ ସମାଜ ଓ ଅନ୍ୟମାନେ ଆବଶ୍ୟକ ସାହାଯ୍ୟ ସହଯୋଗ କରିଛନ୍ତି । ଏହି ଅସାଧାରଣ ଅଭିଯାନରେ ବିଦେଶୀ ରାଷ୍ଟ୍ରମାନେ ମଧ୍ୟ ଆମ ସହିତ ଠିଆ ହୋଇଛନ୍ତି । ଭାରତ ବିଦେଶୀ ରାଷ୍ଟ୍ର ସମୂହକୁ ମହାମାରୀ ସମୟରେ ଔଷଧପତ୍ର, ଟିକା ଓ ଡାକ୍ତରୀ ଉପକରଣ ପ୍ରଦାନ କରି ବିଶ୍ୱରେ ଯେଉଁ ସଦ୍‌ଭାବନା ସୃଷ୍ଟି କରିଥିଲା କୃତଜ୍ଞ ରାଷ୍ଟ୍ରମାନେ ଆମ ଆବଶ୍ୟକତା ସମୟରେ ଆମ ସହିତ ଛିଡା ହୋଇଛନ୍ତି । ଏ କ୍ଷେତ୍ରରେ ଯେଉଁ ବିଶ୍ୱ ଭ୍ରାତ୍ରୁତ୍ୱ ପ୍ରକାଶ ପାଇଛି ଏବଂ ଯେଉଁମାନେ ଆମକୁ ସାହାଯ୍ୟ କରିଛନ୍ତି ସେମାନଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି ।

୯. ଏହି ଉଦ୍ୟମ ଫଳରେ ମହାମାରୀ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲା ଏବଂ ଆମେ ଏକପ୍ରକାର ଆଶ୍ୱସ୍ତ ହୋଇଥିଲୁ । ଆମେ ଏଥିରୁ ଯେଉଁ ଶିକ୍ଷା ପାଇଲୁ ତାହାହେଲା ମହାମାରୀକାଳୀନ ଅତିରିକ୍ତ ଯତ୍ନ ଓ ସତର୍କତା ରକ୍ଷା । ଅତଏବ ଏ କ୍ଷେତ୍ରରେ ଆମପାଇଁ କୌଣସି ଅବହେଳା କରିବାର ଅବକାଶ ନାହିଁ । କରୋନା ମହାମାରୀରୁ ସୁରକ୍ଷିତ ରହିବା ପାଇଁ ବିଜ୍ଞାନ ଆମକୁ ସମ୍ଭାବ୍ୟ ସର୍ବଶ୍ରେଷ୍ଠ ଉପାୟ ଟିକା ଆକାରରେ ଯୋଗାଇଛି । ବିଶ୍ୱର ସର୍ବବୃହତ୍‌ ଟିକାକରଣ ଅଭିଯାନ ଏବେ ସାରା ଭାରତରେ ଚାଲିଛି । ଏ ପର୍ଯ୍ୟନ୍ତ ୫୦ କୋଟିରୁ ଅଧିକ ଭାରତୀୟ ଟିକା ନେଇସାରିଲେଣି । ଯେଉଁମାନେ ଟିକା ନ ନେଇଛନ୍ତି ସେମାନେ ଯଥାଶୀଘ୍ର ସମ୍ଭବ ଏହା ନେଇ ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ମୁଁ ଆହ୍ୱାନ ଜଣାଉଛି । 

ପ୍ରିୟ ଦେଶବାସୀ,

୧୦. ମହାମାରୀର ଅର୍ଥନୈତିକ ପ୍ରଭାବ ସ୍ୱାସ୍ଥ୍ୟଗତ ପ୍ରଭାବ ଭଳି ଅତ୍ୟନ୍ତ ଭୟଙ୍କର । ଏହାକୁ ଦୃଷ୍ଟିରେ ରଖି ସରକାର ନିମ୍ନମଧ୍ୟବିତ୍ତ, ଗରିବବର୍ଗର ଲୋକ ତଥା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ସେହିଭଳି ଲକ୍‌ଡାଉନ ଓ କଟକଣା ଯୋଗୁଁ ଯେଉଁ ଶ୍ରମିକ, କର୍ମଚାରୀ ଓ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେମାନଙ୍କ ପ୍ରତି ମଧ୍ୟ ସରକାର ସମ୍ବେଦନଶୀଳ ହୋଇ ସେମାନଙ୍କ ଆବଶ୍ୟକତା ପୂରଣ କରିଛନ୍ତି । ଗତବର୍ଷ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ରିଲିଫ ଓ ସହାୟତା ଯୋଗାଣ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଏ ବର୍ଷ ମଧ୍ୟ ସରକାର ପ୍ରାୟ ୮୦ କୋଟି ଲୋକଙ୍କୁ ଗତ ମେ ଓ ଜୁନ୍‌ ମାସରେ ଖାଦ୍ୟଶସ୍ୟ ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଆସନ୍ତା ଦୀପାବଳି ପର୍ଯ୍ୟନ୍ତ ଚାଲିବ । ଆହୁରି ମଧ୍ୟ କୋଭିଡ୍‌ ପ୍ରଭାବିତ କେତେକ ବଛା ବଛା ଉଦ୍ୟୋଗ ପାଇଁ ସରକାର ୬ ଲକ୍ଷ ୨୮ ହଜାର କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି । ଏହା ସେହି ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ । ସବୁଠୁ ଉଲ୍ଲେଖନୀୟ ଏବଂ ଆନନ୍ଦର ବିଷୟ ହେଲା, ଗତ ଏକବର୍ଷ ମଧ୍ୟରେ ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସଂପ୍ରସାରଣ ଓ ବିକାଶ ପାଇଁ ୨୩ ହଜାର ୨୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

୧୧. ଗ୍ରାମୀଣ ଭାରତ ବିଶେଷକରି କୃଷିକ୍ଷେତ୍ର ସବୁ ପ୍ରତିବନ୍ଧକ ସତ୍ତ୍ୱେ ଆଗକୁ ବଢୁଛି । ଏହା ଅତ୍ୟନ୍ତ ଆନନ୍ଦର କଥା । ନିକଟରେ ମୁଁ ମୋର ପୈତୃକ ଗ୍ରାମ ଉତ୍ତର ପ୍ରଦେଶର କାନପୁର ଦେହାତ୍‌ ଜିଲା ଅନ୍ତର୍ଗତ ପାରାଉଙ୍ଖ୍‌ ଯାଇଥିଲି । ଗ୍ରାମାଞ୍ଚଳର ଲୋକମାନଙ୍କ ଜୀବନକୁ ସହଜ ଓ ଉନ୍ନତ କରିବା ପାଇଁ ଯେଉଁସବୁ ଉତ୍ତମ ଭିତ୍ତିଭୂମି ଯୋଗାଇ ଦିଆଯାଉଛି ତାହାର ନମୁନା ସେଠାରେ ଦେଖିବାକୁ ପାଇଲି । ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ଥିବା ମନସ୍ତାତ୍ତ୍ୱିକ ଦୂରତ୍ୱ ପୂର୍ବାପେକ୍ଷା ଯଥେଷ୍ଟ ହ୍ରାସ ପାଇଛି । ସର୍ବୋପରି ଗ୍ରାମାଞ୍ଚଳ, ଭାରତର ଆତ୍ମା ବୋଲି ଯାହା କୁହାଯାଏ ସେ ଦୃଷ୍ଟିରୁ ଏହି ଗ୍ରାମୀଣ ଭାରତକୁ ବିକାଶ ପ୍ରକ୍ରିୟାରେ ପଛରେ ପକାଇବା ସହଜ ନୁହେଁ । ସେଥିପାଇଁ ସ୍ୱତନ୍ତ୍ର ଅଭିଯାନ ଏବଂ ପ୍ରଧାନମନ୍ତ୍ରୀ କିଷାନ ନିଧି ଭଳି ବିଭିନ୍ନ କାର୍ଯ୍ୟକ୍ରମ କୃଷକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଛି ।

୧୨. ଆତ୍ମନିର୍ଭର ଭାରତର ଯେଉଁ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି ତାହାକୁ ଦୃଷ୍ଟିରେ ରଖି ଏସବୁ ଉଦ୍ୟମ ଚାଲିଛି । ଆମ ଅର୍ଥନୀତିର ସାମର୍ଥ୍ୟ ଉପରେ ଭରସା ରଖି ଆବଶ୍ୟକ ନୀତିନିୟମ ମଧ୍ୟରେ ସରକାର ଆମର ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ବେସାମରିକ ଉଡାଣ, ଉର୍ଜ୍ଜା ଓ ଅନ୍ୟାନ୍ୟ କ୍ଷେତ୍ରକୁ ଅଧିକ ମୁକ୍ତ କରିଛନ୍ତି । ସରକାର ନୂଆ ନୀତିରେ ପରିବେଶ ଅନୁକୂଳ ଏବଂ ଅକ୍ଷୟ ଉର୍ଜ୍ଜାକୁ ଗୁରୁତ୍ୱ ଦେଇ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି । ସୌରଶକ୍ତି ଉତ୍ପାଦନ ପାଇଁ ଆମ ଉଦ୍ୟମ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି । ବ୍ୟାବସାୟିକ ସୁଗମତା ଓ ସେବା ଯୋଗାଣରେ ଉନ୍ନତି ଘଟିଲେ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଘଟିବ । ସେ ଦୃଷ୍ଟିରୁ ସରକାର ଲୋକଙ୍କୁ ନାନାପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା କରୁଛନ୍ତି । ଏଥିସହିତ ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ସରକାର ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି । ଉଦାହରଣ ସ୍ୱରୂପ ବାସହୀନଙ୍କୁ ନିଜର ଖଣ୍ଡିଏ ଖଣ୍ଡିଏ ଘର ଯୋଗାଇ ଦେବାର ସ୍ୱପ୍ନ ଚରିତାର୍ଥ ହେଉଛି । ଏଥିପାଇଁ ୭୦ ହଜାର କୋଟି ଟଙ୍କାର କ୍ରେଡିଟ ଲିଙ୍କ୍‌ ସବ୍‌ସିଡି ସ୍କିମ୍‌ର ଅବଦାନ ପ୍ରଶଂସନୀୟ । ସେହିଭଳି ଆମର ଅନ୍ନଦାତାମାନଙ୍କୁ ସଶକ୍ତ କରିବା ପାଇଁ ସରକାର ନାନାବିଧ କୃଷି ବିପଣନ ଯୋଜନା ଓ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି । ଏହା ଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପାଇଁ ଉତ୍ତମ ମୂଲ୍ୟ ଓ ବଜାର ପାଇବେ । ପ୍ରତ୍ୟେକ ଭାରତୀୟଙ୍କର ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡିକ ମଧ୍ୟରୁ ଏହା କେତୋଟି ।

ପ୍ରିୟ ଦେଶବାସୀ,

୧୩. ଜମ୍ମୁ କଶ୍ମୀରରେ ଏକ ନୂଆ ସୂର୍ଯେ୍ୟାଦୟ ଆସିଛି । ସେଠାରେ ଯେଉଁମାନଙ୍କର ଗଣତନ୍ତ୍ର ଓ ଆଇନର ଶାସନ ଉପରେ ବିଶ୍ୱାସ ରହିଛି ସେମାନଙ୍କ ସହ ପରାମର୍ଶ ପ୍ରକ୍ରିୟା ସରକାର ଆରମ୍ଭ କରିଛନ୍ତି । ଗଣତାନ୍ତ୍ରିକ ସଂସ୍ଥା ଓ ଅନୁଷ୍ଠାନ ମାଧ୍ୟମରେ ନିଜ ନିଜର ଆଶା ଆକାଂକ୍ଷା ପୂରଣ କରିବା ପାଇଁ କାଶ୍ମୀରବାସୀ, ବିଶେଷକରି ସେଠାକାର ଯୁବ ସମୁଦାୟ ଏହି ସୁଯୋଗକୁ ଉପଯୋଗ କରିବା ପାଇଁ ମୁଁ ଆହ୍ୱାନ ଜଣାଉଛି ।

୧୪. ସର୍ବାଙ୍ଗୀନ ବିକାଶ ସହିତ ଭାରତର ମର୍ଯ୍ୟାଦା ଆନ୍ତର୍ଜାତିକ କ୍ଷେତ୍ରରେ କ୍ରମଶଃ ବୃଦ୍ଧି ପାଉଛି । ବିଶ୍ୱର ବିଭିନ୍ନ ବହୁପାକ୍ଷିକ ମଞ୍ଚ ଏବଂ ଅନେକ ଦେଶ ସହିତ ବିବିଧ ଦ୍ୱିପାକ୍ଷିକ ସଂପର୍କ କ୍ଷେତ୍ରରେ ଏହା ଦୃଶ୍ୟମାନ ହେଉଛି । 

ପ୍ରିୟ ଦେଶବାସୀ,

୧୫. ୭୫ବର୍ଷ ତଳେ ଭାରତ ଯେତେବେଳେ ସ୍ୱାଧୀନତା ଲାଭ କଲା, ସେତେବେଳେ ଅନେକ ସଂଶୟବାଦୀ ଭାରତରେ ଗଣତନ୍ତ୍ର ବଞ୍ଚିବ ନାହିଁ ବୋଲି ଭାବିଥିଲେ । ସେମାନେ ଜାଣି ନ ଥିଲେ ଯେ ଭାରତର ଏହି ମାଟିରେ ପ୍ରାଚୀନ କାଳରେ ଗଣତନ୍ତ୍ର ହିଁ ଚେର ଧରିଥିଲା । ଆଧୁନିକ କାଳରେ ମଧ୍ୟ ଭାରତ ସାର୍ବଜନୀନ ସାବାଳକ ଭୋଟ ବ୍ୟବସ୍ଥା ପ୍ରବର୍ତ୍ତନ କରି ଅନେକ ପାଶ୍ଚାତ୍ୟ ରାଷ୍ଟ୍ରଙ୍କଠାରୁ ଆଗରେ ରହିଥିଲା । ଏହି ବ୍ୟବସ୍ଥାରେ ନାରୀପୁରୁଷ, ଧନୀ ନିର୍ଦ୍ଧନ ନିର୍ବିଶେଷରେ ସବୁ ସାବାଳକଙ୍କୁ ଭୋଟ ଦେବାର ଅଧିକାର ମିଳିଥିଲା । ଆମର ପ୍ରତିଷ୍ଠାତା ପିତୃଗଣ ଜନତାଙ୍କ ବୁଦ୍ଧି ଓ ପାଣ୍ଡିତ୍ୟ ଉପରେ ଭରସା ରଖିଥିଲେ । ତଦନୁସାରେ ଆମେ ଭାରତୀୟ ନାଗରିକ ଏହି ପ୍ରକ୍ରିୟାରେ ଦେଶର ଗଣତନ୍ତ୍ରକୁ ସୁଦୃଢ କରିପାରିଛୁ ।

୧୬. ଆମେ ଭାରତରେ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ଗ୍ରହଣ କରିଛୁ । ତେଣୁ ଆମ ସଂସଦ ଗଣତନ୍ତ୍ରର ମନ୍ଦିର । ଏହା ଆଲୋଚନା ଓ ବିତର୍କ ମାଧ୍ୟମରେ ଲୋକଙ୍କ ଭଲମନ୍ଦ ପ୍ରସଙ୍ଗରେ ନିଷ୍ପତ୍ତି ନେବାର ସର୍ବୋଚ୍ଚ ମଞ୍ଚ । ସବୁ ଭାରତୀୟଙ୍କ ପାଇଁ ଏହା ଏକ ବଡ଼ ଗର୍ବ ଓ ଗୌରବର ବିଷୟ ଯେ ଖୁବ୍‌ଶୀଘ୍ର ଆମେ ଏକ ନୂଆ ପାର୍ଲାମେଣ୍ଟ ଭବନ ପାଇବା ଏବଂ ସେଠାରେ ଆମ ସଂସଦ କାର୍ଯ୍ୟ କରିବ । ଏହା ଆମ ଗଣତାନ୍ତ୍ରିକ ଦୃଷ୍ଟିକୋଣ ପ୍ରତି ଏକ ଯଥାର୍ଥ ଅଭିବ୍ୟକ୍ତି ହେବ । ସମସାମୟିକ ବିଶ୍ୱ ସହିତ ପାଦ ମିଳାଇ ଗତିକରି ଆମର ଉତ୍ତରାଧିକାର (ଲିଗାସି) ଓ ପରମ୍ପରାକୁ ଏହା ସମ୍ମାନ ଦେବ । ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ଭବନର ଉଦ୍‌ଘାଟନ କେବଳ ପ୍ରତୀକାତ୍ମ ନୁହେଁ, ଆହୁରି ଅନେକ କିଛି କଥା କହୁଛି ।

୧୭. ଏହି ସ୍ୱତନ୍ତ୍ର ବର୍ଷଟିକୁ ସ୍ମରଣୀୟ କରିବା ପାଇଁ ସରକାର ଅନେକ ଯୋଜନା ଓ ଉପକ୍ରମ ଆରମ୍ଭ କରିଛନ୍ତି । ସେଥିମଧ୍ୟରୁ ଅନ୍ୟତମ ଉତ୍ସାହଜନକ ବିଷୟଟି ହେଲା ଗଗନଯାନ ମିସନ । ଭାରତୀୟ ବାୟୁସେନାର ପାଇଲଟମାନେ ଏଥିପାଇଁ ବିଦେଶରେ ତାଲିମ ନେଉଛନ୍ତି । ସେମାନେ ଯେତେବେଳେ ମହାକାଶକୁ ଉଡାଣ ଆରମ୍ଭ କରିବେ ତାହା ସହିତ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ୍ରଭାବେ ମାନବବାହୀ ମହାକାଶ ଅଭିଯାନକାରୀ ରାଷ୍ଟ୍ରର ମର୍ଯ୍ୟାଦା ପାଇବ । ଆମେ ଯେତେବେଳେ ଏ କ୍ଷେତ୍ରରେ ଆମ ଉଚ୍ଚାଭିଳାଷକୁ ଡେଣା ଲଗାଉଛୁ ଠିକ୍‌ ସେତେବେଳେ ଆମେ କୌଣସି ସୀମିତତା ଓ ଅଭାବ ଭିତରେ ନିଜକୁ ସଂକୁଚିତ କରିବାକୁ ଚାହୁଁନାହୁଁ ।

୧୮. ଏସବୁ ସତ୍ତ୍ୱେ ଆମେ ଆମର ମୌଳିକ ବାସ୍ତବତା ପ୍ରତି ସଚେତନ ଅଛୁ । ଆମେ ସ୍ୱୀକାର କରୁଛୁ ଯେ ଯେଉଁମାନେ ଆମକୁ ସ୍ୱାଧୀନତା ଆଣିଦେଇଥିଲେ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଆମକୁ ଆହୁରି ଅନେକ ପଥ ଅତିକ୍ରମ କରିବାକୁ ପଡିବ । ଆମ ସମ୍ବିଧାନ ଏହିସବୁ ସ୍ୱପ୍ନକୁ ସଂକ୍ଷେପରେ ସ୍ପଷ୍ଟଭାବେ ଚାରୋଟି ଶବ୍ଦରେ ଉଲ୍ଲେଖ କରିଛି । ସେସବୁ ହେଲା- ନ୍ୟାୟ, ମୁକ୍ତି, ସମାନତା ଓ ଭ୍ରାତ୍ରୁତ୍ୱ । ଏକ ଅସମ ବିଶ୍ୱରେ ସମାନତା ଆଣିବା ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ପଡିବ । ନ୍ୟାୟର ଅଭାବ ଥିବା ଏକ ପରିବେଶରେ ଅଧିକରୁ ଅଧିକ ନ୍ୟାୟ ଆଣିବାକୁ ହେବ । ଏହି ନ୍ୟାୟର ପରିସର ଭିନ୍ନ ଓ ବିବିଧ । ଏଥିରେ ଆର୍ଥିକ ଓ ପରିବେଶଗତ ନ୍ୟାୟ ମଧ୍ୟ ଅନ୍ତର୍ଭୁକ୍ତ । ଏଥିପାଇଁ ଆମ ଆଗରେ ଥିବା ରାସ୍ତା ଏତେ ସହଜ ନୁହେଁ । ଆମକୁ ବହୁ ବାଙ୍କ, ବୁଲାଣି ଅତିକ୍ରମ କରି ଆଗକୁ ଯିବାକୁ ପଡିବ ଏବଂ ସମସ୍ତଙ୍କୁ ନ୍ୟାୟ ଦେବାକୁ ହେବ । ଏଥିପାଇଁ ଆମକୁ ବିଭିନ୍ନ ସୂତ୍ରରୁ ପ୍ରେରଣା ମିଳିବ । ନିୟୁତ ନିୟୁତ ବର୍ଷ ପୂର୍ବର ଆମ ପ୍ରସିଦ୍ଧ ପୂଜ୍ୟ ମୁନୀ ଋଷିଗଣ, ପରବର୍ତ୍ତୀ ସମୟର ସାଧୁସନ୍ଥ ଓ ସନ୍ନ୍ୟାସୀ ଏବଂ ବର୍ତ୍ତମାନ ସମୟର ନେତୃଗଣ ଆମକୁ ଏ ଦିଗରେ ଅନୁପ୍ରାଣିତ କରିବେ । ବିବିଧତାରେ ଏକତା ଏହି ଚେତନାରେ ଏକ ରାଷ୍ଟ୍ର ହିସାବରେ ଆମେ ଉଚିତ ପଥର ଯାତ୍ରୀଭାବେ ଗତିକରୁଛୁ ବୋଲି ମୋର ଆଶା । 

୧୯. ଅନୁପମ ଭାରତୀୟ ଐତିହ୍ୟରୁ ସୃଷ୍ଟ ଏହି ଲକ୍ଷ୍ୟ କେବଳ ଭାରତ ପାଇଁ ନୁହେଁ; ଏହା ସମଗ୍ର ବିଶ୍ୱ ପାଇଁ ଚଳିତ ଶତାବ୍ଦୀରେ ସହାୟକ ହେବ । ଆଧୁନିକ ଶିଳ୍ପ ସଭ୍ୟତା ବିଶ୍ୱ ସମୁଦାୟ ଆଗରେ ଗୁରୁତର ଆହ୍ୱାନ ସୃଷ୍ଟି କରିଛି । ଜଳବାୟୁ ପରିବର୍ତ୍ତନ ଏବେ ଜୀବନର ଏକ ନିଚ୍ଛକ ବାସ୍ତବାତାରେ ପରିଣତ ହୋଇଛି । ସମୁଦ୍ରର ଜଳପତ୍ତନ ବଢୁଛି, ତୁଷାର ସ୍ରୋତ ତରଳୁଛି ଏବଂ ତାପମାତ୍ରା ବୃଦ୍ଧି ପାଉଛି । ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ପ୍ୟାରିସ୍‌ ଚୁକ୍ତି ପାଇଁ ଭାରତ ଗର୍ବିତ । ଏହା କେବଳ ଏହି ରାଜିନାମାର ଏକ ପ୍ରମୁଖ ଅଂଶୀଦାର ନୁହେଁ; ଏହାର ସର୍ତ୍ତକୁ କାର୍ଯ୍ୟକାରୀ କରିବାରେ ମଧ୍ୟ ଏକ ଅଗ୍ରଣୀ ରାଷ୍ଟ୍ର । ପରିବେଶର ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ସ୍ଥିତିକୁ ବଦଳାଇବା ପାଇଁ ଭାରତ ଚୁକ୍ତିର ନୀତିନିୟମଠାରୁ ଅଧିକ କାମ କରୁଛି । ଏ କ୍ଷେତ୍ରରେ କିନ୍ତୁ ସମଗ୍ର ବିଶ୍ୱର ଆଭିମୁଖ୍ୟରେ ପରିବର୍ତ୍ତନ ଲୋଡା । ଯେଉଁ ଢଙ୍ଗରେ ଏହି କାମ ଚାଲିଛି ସେଥିରେ ପରିବର୍ତ୍ତନ ଓ ସଂସ୍କାରର ଆବଶ୍ୟକତା ରହିଛି । ସେଥିପାଇଁ ସମଗ୍ର ବିଶ୍ୱ ଭାରତଠାରୁ ଏ କ୍ଷେତ୍ରରେ ଅଧିକରୁ ଅଧିକ ପରାମର୍ଶ ଓ ମାର୍ଗଦର୍ଶନ ଲୋଡୁଛି । ପରିବେଶର ସୁରକ୍ଷା ଓ ସଂବର୍ଦ୍ଧନ ଆଦି କଥା ବେଦ, ଉପନିଷଦ, ରାମାୟଣ, ମହାଭାରତରେ ବର୍ଣ୍ଣିତ । ମହାବୀର, ବୁଦ୍ଧ, ଗୁରୁ ନାନକ ଏବଂ ମହାତ୍ମା ଗାନ୍ଧିଙ୍କ ଭଳି ମହାମାନବଙ୍କ ଜୀବନୀ, ବାଣୀ, କର୍ମ ଓ ଆଦର୍ଶରେ ଏହି ପରିବେଶ ସଚେତନତାର ବାର୍ତ୍ତା ମିଳେ । 

୨୦. ପ୍ରକୃତି ସହିତ ସମନ୍ୱୟ ରଖି ବଞ୍ଚିବାର କଳା ଶିଖିବା ନିମନ୍ତେ ଉଦ୍ୟମର ଆବଶ୍ୟକତା ରହିଛି । ତେବେ ଥରେ ନଦୀ, ପର୍ବତ, ପଶୁ ଓ ପକ୍ଷୀ ଆଦିଙ୍କ ସହ ସଂପର୍କ ସ୍ଥାପିତ ହେଲେ ପ୍ରକୃତି ତାହାର ରହସ୍ୟ ଗାଥା ମଣିଷକୁ ଜଣାଏ ବୋଲି ଗାନ୍ଧିଜୀ କହିଥିଲେ । ଆସନ୍ତୁ ଗାନ୍ଧିଜୀଙ୍କର ଏହି ବାର୍ତ୍ତାକୁ ଶୁଣିବାର ସଂକଳ୍ପ ନେବା ଏବଂ ଆମ ବସୁଧାର ସୁରକ୍ଷା ପାଇଁ ତ୍ୟାଗ ସ୍ୱୀକାର କରିବା ।

୨୧. ଆମ ମୁକ୍ତି ସଂଗ୍ରାମୀମାନେ ଦେଶପ୍ରେମ ଓ ତ୍ୟାଗକୁ ଅଗ୍ରାଧିକାର ଦେଉଥିଲେ । ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସେମାନେ ସବୁପ୍ରକାର ଆହ୍ୱାନର ମୁକାବିଲା କରୁଥିଲେ । କରୋନା ମହାମାରୀ ସମୟରେ ମୁଁ ସେଭଳି ସ୍ଥିତି ଅନୁଭବ କରିଛି । ଅନ୍ୟମାନଙ୍କୁ ରକ୍ଷା କରିବା ପାଇଁ ଲକ୍ଷ ଲକ୍ଷ ଲୋକ ଜୀବନକୁ ବାଜି ଲଗାଇ କାମ କରୁଥିବା ଦେଖିଛି । ସେଥିରେ ମାନବ ସମାଜ ପାଇଁ ନିଃସ୍ୱାର୍ଥପର ସେବାର ଚେତନା ସ୍ପଷ୍ଟ ଥିଲା । ଏହି ତ୍ୟାଗ ପାଇଁ କୋଭିଡ୍‌ ଯୋଦ୍ଧାମାନଙ୍କୁ ମୁଁ ମୋର ଶ୍ରଦ୍ଧା ସୁମନ ଜ୍ଞାପନ କରୁଛି ଓ ସେମାନଙ୍କ ପ୍ରଶଂସା କରୁଛି । ଏହି ଯୋଦ୍ଧାମାନଙ୍କ ମଧ୍ୟରୁ ଅନେକ କୋଭିଡ୍‌ରେ ଆକ୍ରାନ୍ତ ହୋଇ ମଧ୍ୟ ପ୍ରାଣ ହରାଇଛନ୍ତି । ସେମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

୨୨. ନିକଟରେ କାରଗିଲ ବିଜୟ ଦିବସ ପାଳନ ଅବସରରେ ଲଦାଖର ଦ୍ରାସ ସ୍ଥିତ କାରଗିଲ ଯୁଦ୍ଧ ସ୍ମାରକ ଦର୍ଶନ କରିବା ସହ ବୀର ଯବାନମାନଙ୍କ ସ୍ମୃତିପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ମୋର ଇଚ୍ଛା ଥିଲା । ତେବେ ପ୍ରତିକୂଳ ପାଗ ଯୋଗୁଁ ସେଠାରେ ପହଞ୍ଚିବା ମୋ ପକ୍ଷରେ ସମ୍ଭବ ହୋଇପାରି ନ ଥିଲା । ସେ ଦିନ ବାରାମୂଲାସ୍ଥିତ ‘ଡ୍ୟାଗ’ର ଯୁଦ୍ଧ ସ୍ମାରକ ଦର୍ଶନ କରି ମୁଁ ଆମର ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି । ନିୟନ୍ତ୍ରଣ ରେଖା ନିକଟରେ ଅପୂର୍ବ ସାହସ ପ୍ରଦର୍ଶନ କରି ଆମର ଯେଉଁ ଯୋଦ୍ଧାମାନେ ପ୍ରାଣ ଉତ୍ସର୍ଗ କରିଛନ୍ତି ସେମାନଙ୍କ ସ୍ମୃତିରେ ଏହି ସ୍ମାରକ ନିର୍ମିତ ହୋଇଛି । ସେହି ବୀର ସୈନିକମାନଙ୍କର ସାହସ ଓ ବଳିଦାନକୁ ଯେତେ ପ୍ରଶଂସା କଲେ କମ୍‌ ହେବ । ସେହି ଯୁଦ୍ଧ ସ୍ମାରକରେ ଲେଖାଯାଇଥିବା ଗୋଟିଏ ଧାଡ଼ି ମୋର ଦୃଷ୍ଟି ଆକର୍ଷଣ କଲା । ସେଠି ଲେଖାଯାଇଛି ‘ମେରା ହର୍‌ କାମ ଦେଶ କେ ନାମ’ । ଏହାର ଅର୍ଥ ମୋର ସବୁ କାମ ଦେଶ ପାଇଁ । 

ଆସନ୍ତୁ ଆମେ ସମସ୍ତେ ଏହି ବାଣୀକୁ ନିଜର ମନ୍ତ୍ରଭାବେ ଗ୍ରହଣ କରିବା ଏବଂ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ନେଇ ଦେଶର ବିକାଶ ଦିଗରେ କାମ କରିବା । ଦେଶ ଓ ସମାଜର ସ୍ୱାର୍ଥକୁ ଆଗରେ ରଖି ଭାରତକୁ ପ୍ରଗତି ପଥରେ ଆଗେଇ ନେବାକୁ ସମସ୍ତେ ମିଳିମିଶି କାମ କରିବାକୁ ମୁଁ ଆହ୍ୱାନ ଜଣାଉଛି ।

ପ୍ରିୟ ଦେଶବାସୀ,

ଆଜିର ଏହି ଅବସରରେ ଆମ ସ୍ୱୀଧୀନତାର ଅତନ୍ଦ୍ର ପ୍ରହରୀ, ଦେଶପାଇଁ ବୀରତ୍ୱର ସହ ଲଢେଇ କରି ସର୍ବୋଚ୍ଚ ତ୍ୟାଗ ସ୍ୱୀକାର କରୁଥିବା ପ୍ରତିରକ୍ଷା ବାହିନୀର ସଦସ୍ୟଗଣଙ୍କୁ ସ୍ୱତନ୍ତ୍ରଭାବେ ଅଭିନନ୍ଦନ ଜଣାଉଛି । ନିଜ ମାତୃଭୂମିକୁ ପ୍ରତିନିଧିତ୍ୱ କରୁଥିବା ଏବଂ ବିଦେଶକୁ ନିଜର ଘରରେ ପରିଣତ କରିଥିବା ଭାରତୀୟ ଓ ଭାରତୀୟ ବଂଶୋଦ୍ଭବମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । 

୨୪. ମୁଁ ୭୫ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପୁନର୍ବାର ଆପଣଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି । ଏହି ଉତ୍ସବ ପାଳନ ଅବସରରେ ମୁଁ କଳ୍ପନା ନେତ୍ରରେ ୨୦୪୭ ସ୍ୱାଧୀନତା ଦିବସ ଉତ୍ସବ ପାଳନକୁ ଦେଖିପାରୁଛି; ଯେତେବେଳେ ଆମେ ଆମ ସ୍ୱାଧୀନତାର ଶତବାର୍ଷିକ ପାଳନ କରିବା ।

୨୫. ଆମ ଦେଶବାସୀ କୋଭିଡ୍‌ ମହାମାରୀ ଅସୁବିଧା ଭିତରୁ ବାହାରି ଖୁସି ଓ ସମୃଦ୍ଧିର ପଥରେ ଶୀଘ୍ର ଆଗେଇ ଯାଆନ୍ତୁ; ମୁଁ ଏହା କାମନା କରିବା ସହ ପୁନର୍ବାର ଆପଣମାନଙ୍କୁ ମୋର ଅଭିନନ୍ଦନ ଜ୍ଞାପନ କରୁଛି ।

ପୁଣି ଥରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ।

ଧନ୍ୟବାଦ ।

ଜୟହିନ୍ଦ୍‌ ।

 

**************************

TM



(Release ID: 1745906) Visitor Counter : 167