ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ମତବିନିମୟ

● ପୂର୍ବରୁ ଶସ୍ତା ରାସନ ଯୋଜନାର ପରିସର ଓ ବଜେଟ ବଢି ବଢି ଚାଲି ଥିବାବେଳେ ତୁଳନାତ୍ମକ ଭାବେ କ୍ଷୁଧା ଓ ଅପପୁଷ୍ଟି ହାର ହ୍ରାସ ପାଉ ନଥିଲା : ପ୍ରଧାନମନ୍ତ୍ରୀ
● ପ୍ରଧାନମନ୍ତ୍ରୀ ଗରିବକଲ୍ୟାଣ ଅନ୍ନ ଯୋଜନାରେ ଏବେ ହିତାଧିକାରୀମାନେ ପୂର୍ବାପେକ୍ଷା ପ୍ରାୟ ଦୁଇଗୁଣ ରାସନ ପାଉଛନ୍ତି: ଶ୍ରୀ ମୋଦୀ
● ମହାମାରୀ ସମୟରେ ଦେଶର ୮୦କୋଟିରୁ ଅଧିକ ଲୋକ ମାଗଣାରେ ରାସନ (ଖାଦ୍ୟ) ସାମ୍ରଗୀ ପାଉଛନ୍ତି ଏବଂ ସରକାରଙ୍କୁ ଏଥିପାଇଁ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି: ପ୍ରଧାନମନ୍ତ୍ରୀ
● ଦେଶରେ ଶତାବ୍ଦୀର ସର୍ବବୃହତ ମହାମାରୀ ସତ୍ତ୍ୱେ କୌଣସି ଲୋକ ଭୋକିଲା ନାହାନ୍ତି: ପ୍ରଧାନମନ୍ତ୍ରୀ
● ଗରିବଙ୍କ ସଶକ୍ତୀକରଣକୁ ସର୍ବୋଚ୍ଚ ଅଗ୍ରାଧିକାର ଦିଆଯାଉଛି: ଶ୍ରୀ ମୋଦୀ
● ଆମ ଖେଳାଳିମାନଙ୍କର ନୂଆ ବିଶ୍ୱାସ ନୂଆ ଭାରତର ନମୁନା ହୋଇଛି : ପ୍ରଧାନମନ୍ତ୍ରୀ
● ୫୦କୋଟି ଡୋଜ ଟିକା ଦେଇ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ ଦିଗରେ ଦେଶ ଆଗେଇ ଚାଲିଛି : ଶ୍ରୀ ମୋଦୀ
● ଆଜାଦିର ଅମୃତ ମହୋତ୍ସବ ପାଳନ ଅବସରରେ ରାଷ୍ଟ୍ର ନିର୍ମାଣପାଇଁ ଆସନ୍ତୁ ସମସ୍ତେ ପବିତ୍ର ଶପଥ ନେବା: ପ୍ରଧାନମନ୍ତ୍ରୀ

Posted On: 03 AUG 2021 2:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ଗୁଜରାଟର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ଅବସରରେ ରାଜ୍ୟରେ ଏକ ଜନ ଅଂଶଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଏହି ଯୋଜନା ସମ୍ପର୍କରେ ଅଧିକ ଜନସଚେତନା ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନାରେ ଗୁଜରାଟର ଲକ୍ଷ ଲକ୍ଷ ପରିବାର ମାଗଣାରେ ରାସନ ପାଉଛନ୍ତି । ଏହି ମାଗଣା ଖାଦ୍ୟ(ରାସନ) ଦ୍ୱାରା ଗରିବଙ୍କ ଚାପ ହ୍ରାସ ପାଇଛି ଏବଂ ସେମାନଙ୍କ ଆତ୍ମବିଶ୍ୱାସ ବଢିଛି । ଏହି ଗରିବ ଲୋକମାନେ ଏବେ ବୁଝିବା ଦରକାର ଯେ ବିପତ୍ତି ଓ ବିପର୍ଯ୍ୟୟ ଯେତେ ବଡ ହେଉନା କାହିଁକି, ସେମାନଙ୍କ ସହିତ ଦେଶ ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରେ ସବୁ ସରକାର ଗରିବଙ୍କୁ ଶସ୍ତାରେ ଖାଦ୍ୟ ଯୋଗାଣ ତଥା କହି ଆସୁଥିଲେ । ପ୍ରତିବର୍ଷ ଏହି ଯୋଜନାର ପରିସର ଓ ଏ ବାବଦ ବଜେଟ ବଢି ବଢି ଚାଲିଥିଲା । ତେବେ ଏହି ଯୋଜନାର ପ୍ରଭାବ ଯାହା ହେବାକଥା ତାହା ନ ହୋଇ ଅତ୍ୟନ୍ତ ସୀମିତ ରହିଥିଲା । ଦେଶର ଖାଦ୍ୟ ମହଜୁଦ ପରିମାଣ ବଢି ବଢି ଚାଲିଥିବାବେଳେ କ୍ଷୁଧା ଓ ଅପୁଷ୍ଟି ହାର ଆନୁପାତିକ ଭାବେ କମୁ ନ ଥିଲା । ଏହାର ଏକ ପ୍ରମୁଖ କାରଣ ହେଲା ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦେବାର ସଫଳ ବ୍ୟବସ୍ଥାର ଅଭାବ । ଏହି ସ୍ଥିତିରେ ପରିବର୍ତ୍ତିତ ଆଣିବାକୁ ୨୦୧୪ରେ କାମ ଆରମ୍ଭ ହୋଇଥିଲା । ନୂଆ ଟେକ୍ନୋଲୋଜି ବ୍ୟବହାର କରି ଏହି ବ୍ୟବସ୍ଥାରୁ କୋଟି କୋଟି ନକଲି ହିତାଧିକାରୀଙ୍କୁ ବାଦ ଦିଆଯାଇଥିଲା । ନୂଆ ବ୍ୟବସ୍ଥାରେ ରାସନ କାର୍ଡସବୁକୁ ଆଧାରକାର୍ଡ ସହିତ ସଂଯୁକ୍ତ କରାଯାଇଥିଲା । ଏହା ଫଳରେ ଯୋଗ୍ୟ ହିତାଧିକାରୀଙ୍କୁ ଭୋକିଲା ନ ରହିବାର ବ୍ୟବସ୍ଥା ସୁନିଶ୍ଚିତ ହୋଇଥିଲା । ଶତାବ୍ଦୀର ସବୁଠୁ ବଡ ବିପତ୍ତି, କରୋନା ମହାମାରୀ କାଳରେ ଯେତେବେଳେ ଜୀବିକା ବିପନ୍ନ ହେଲା ଏବଂ ଲକଡାଉନ ଫଳରେ ବ୍ୟବସାୟ କ୍ଷତିଗ୍ରସ୍ତ ହେଲା ସେତେବେଳେ କେହି ଭୋକରେ ରହିଲେ ନାହିଁ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନାର ସଫଳତାକୁ ସମଗ୍ର ବିଶ୍ୱ ସ୍ୱୀକାର କରିଛି । ମହାମାରୀ ସମୟରେ ଦେଶର ୮୦କୋଟିରୁ ଅଧିକ ଲୋକଙ୍କୁ ଦୁଇଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚରେ ମାଗଣାରେ ରାସନ ଯୋଗାଇ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ କେଜି ପ୍ରତି ୨ଟଙ୍କାର ଚାଉଳ ଓ ଗହମ ଯୋଗାଣ କୋଟା ସହିତ ଅତିରିକ୍ତ ଭାବେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାସକୁ ପାଞ୍ଚ କିଲୋଗ୍ରାମ ଚାଉଳ ଓ ଗହମ ବିନାମୂଲ୍ୟରେ ସରକାର ଯୋଗାଇ ଦେଉଛନ୍ତି । ଏହା ଫଳରେ ଏହି ଯୋଜନାରେ ହିତାଧିକାରୀଙ୍କୁ କାର୍ଡ ପିଛା ଯେତିକି ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି ତାହା ପୂର୍ବ ସ୍କିମଠାରୁ  ଦୁଇଗୁଣ ଅଧିକ । ଏହା ଯୋଜନା ଆଗାମୀ ଦୀପାବଳୀ ପର୍ଯ୍ୟନ୍ତ ଚାଲିବ । କୌଣସି ଗରିବ ଲୋକ ଭୋକିଲା ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏକ ରାଷ୍ଟ୍ର ଏକ ରାସନକାର୍ଡ ନୀତିରେ ପ୍ରବାସୀ ଶ୍ରମିକଙ୍କୁ ରାସନ ଯୋଗାଇ ସେମାନଙ୍କର ଯତ୍ନ ନେଉଥିବାରୁ ପ୍ରଧାନମନ୍ତ୍ରୀ ଗୁଜରାଟ ସରକାରଙ୍କୁ ପ୍ରଶଂସା କରିଥିଲେ । ଏହା ଦ୍ୱାରା ଏକ ଦେଶ ଏକ ରାସନକାର୍ଡ ନୀତିର ଉଦ୍ଦେଶ୍ୟ ସାଧିତ ହୋଇଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଏବେ ଭିତ୍ତିଭୂମି ନିର୍ମାଣ ଓ ବିକାଶ ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛି। ଏହା ସହିତ ସାଧାରଣ ଲୋକଙ୍କର ଜୀବନ ଧାରଣର ମାନବୁଦ୍ଧି ପାଇଁ ନୂଆ ମାନଦଣ୍ଡ ପ୍ରସ୍ତୁତି କରିଚି । ଏହି ଆଧାରରେ ଲୋକେ ସୁଖ ସୁବିଧାରେ ରହିପାରିବେ । ଗରିବଙ୍କ ସଶକ୍ତୀକରଣ ଉପରେ ସରକାର ଏବେ ସର୍ବୋଚ୍ଚ ଅଗ୍ରାଧିକାର ଦେଇ କାମ କରୁଛନ୍ତି । ଦୁଇକୋଟିରୁ ଅଧିକ ଗରିବ ଲୋକ ଘର ପାଇଛନ୍ତି । ଦଶକୋଟି ପରିବାରଙ୍କୁ ଶୌଚାଳୟ ମିଳିଛି । ସେହିଭଳି ସେହି ଗରିବ ଲୋକମାନେ ଜନଧନ ଆକାଉଣ୍ଟ ମାଧ୍ୟମରେ ବ୍ୟାଙ୍କ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହୋଇଛନ୍ତି ।

 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ସଶକ୍ତୀକରଣ ପାଇଁ ନିରନ୍ତର କଠୋର ପରିଶ୍ରମ ଲୋଡା । ଏଥିପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ସୁବିଧାସୁଯୋଗ ଓ ମର୍ଯ୍ୟାଦା ପ୍ରଦାନର ପରିବେଶ ସୃଷ୍ଟି ଏକାନ୍ତ ଜରୁରୀ । ଆୟୁଷ୍ମାନ ଯୋଜନା, ଆର୍ôଥକ ଅନଗ୍ରସରଙ୍କ ପାଇଁ ସଂରକ୍ଷଣ, ସଡକ, ମାଗଣା ଗ୍ୟାସ ଓ ବିଜୁଳି ସଂଯୋଗ, ମୁଦ୍ରା ଯୋଜନା ତଥା ସୁନିଧି ଯୋଜନା ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଗରିବଙ୍କୁ ସଶକ୍ତ କରାଯାଉଛି । ସେମାନଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଯାପନର ସୁବିଧା ଦିଆଯାଉଛି । ଏସବୁ ଯୋଜନା ଗରିବଙ୍କ ସଶକ୍ତୀକରଣ ଦିଗରେ ବଳିଷ୍ଠ ପଦକ୍ଷେପ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜରାଟ ସମେତ ସମଗ୍ର ଦେଶରେ ଏସବୁ ଯୋଜନା କାର୍ଯ୍ୟକାରୀ ହେଉଛି । ଏହା ଫଳରେ ସବୁ ଅଞ୍ଚଳର ଗରିବ ଲୋକେ ଉପକୃତ ହେଉଛନ୍ତି ଏବଂ ସେମାନଙ୍କର ଆତ୍ମବିଶ୍ୱାସ ବଢୁଛି । ଏହି ଆତ୍ମ ବିଶ୍ୱାସ ହିଁ ସବୁ ଆହ୍ୱାନର ମୁକାବିଲା କରି ସମସ୍ତଙ୍କ ସ୍ୱପ୍ନ ପୂରଣ  କରିବାର ସୂତ୍ର ।

ଭାରତ ଅଲିମ୍ପିକ୍ସ କ୍ରୀଡାବିତ୍ ଦଳ  ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶତାବ୍ଦୀର ଏକ ବୃହତ ମହାମାରୀ ସତ୍ୱେ ଦେଶର ସର୍ବାଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତା ପାଇଁ ମନୋନୀତ ହୋଇ ସେଥିରେ ଭାଗ ନେଇଛନ୍ତି । ଏଥିପାଇଁ ସେମାନେ କେବଳ ଯୋଗ୍ୟତା ଅର୍ଜନ କରିନାହାନ୍ତି; ନିଜଠାରୁ ଅଧିକ ସାମର୍ଥ୍ୟଥିବା ପ୍ରତିଦ୍ୱନ୍ଦୀଙ୍କୁ କଡା ମୁକାବିଲା କରିଛନ୍ତି ।

ସେ କହିଛନ୍ତି ଯେ ଆଜି ଭାରତୀୟ କ୍ରୀଡାବିତ୍‌ମାନଙ୍କର ଉତ୍ସାହ, ଆଗ୍ରହ ଓ ମନୋଭାବ ସର୍ବୋଚ୍ଚ ସ୍ତରରେ ରହିଛି। ଯେତେବେଳେ ଉପଯୁକ୍ତ ପ୍ରତିଭାକୁ ଚିହ୍ନଟ କରାଯାଇ ସେମାନଙ୍କୁ ପ୍ରୋତ୍ସାହିତ କରାଯାଏ, ସେତେବେଳେ ଏଭଳି  ଆତ୍ମବିଶ୍ୱାସ ସୃଷ୍ଟି ହୁଏ । ବ୍ୟବସ୍ଥା ବଦଳିଲେ ଓ ଏହା ସ୍ୱଚ୍ଛ ହେଲେ ଏଭଳି ଆତ୍ମବିଶ୍ୱାସ ଆସିଥାଏ । କ୍ରୀଡାବିତ୍‌ମାନଙ୍କ ଏହି ନୂଆ ବିଶ୍ୱାସ, ନୂଆ ଭାରତର ନମୁନା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏହିଭଳି ଆତ୍ମବିଶ୍ୱାସର ସହିତ ଦେଶବାସୀ କରୋନା ସହିତ ଲଢିବା ଏବଂ ଟିକାଦାନ ଅଭିଯାନକୁ ସଫଳ କରିବାକୁ ଆଗେଇ ଆସିବା ଉଚିତ । ବୈଶ୍ୱିକ ମହାମାରୀ ସମୟରେ ସବୁ ଦେଶବାସୀ ସତର୍କ ରହିବାକୁ ସେ ଆହ୍ୱାନ ଜଣାଇଛନ୍ତି ।

ସେ କହିଛନ୍ତି ଯେ ଦେଶରେ ୫୦କୋଟି ଡୋଜ ଟିକାଦାନ କରିବାରେ ମାଇଲଖୁଂଟ ସ୍ଥାପନ କରିବା ଦିଗରେ ଭାରତ  ଦ୍ରୁତ ଅଗ୍ରସର । ଗୁଜରାଟ ମଧ୍ୟ ୩.୫ କୋଟି ଡୋଜ୍ ଟିକା ଦେଇ ନୂଆ ସଫଳତା ହାସଲ କରିବାକୁ ଯାଉଛି । ଟିକାକରଣ, ମାସ୍କ ପରିଧାନ ସହିତ ଭିଡଠାରୁ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।

ରାଷ୍ଟ୍ର ନିର୍ମାଣର ସଂକଳ୍ପ ନେଇ ନବ ପ୍ରେରଣାର ସହିତ କାମ କରିବାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ସ୍ୱାଧୀନତାର ୭୫ବର୍ଷ ପାଳନ ଅବସରରେ ଯେଉଁ ଅମୃତ ମହୋତ୍ସବର ଆୟୋଜନ କରାଯାଇଛି ସେଥିରେ ସାମିଲ ହୋଇ ରାଷ୍ଟ୍ରଗଠନର ପବିତ୍ର ଶପଥ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଶପଥରେ ଗରିବ, ଧନୀ, ନାରୀ, ପୁରୁଷ, ଅବହେଳିତ ଅନଗ୍ରସର ସମସ୍ତଙ୍କର ସମାନ ଭାଗ ରହିଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରି ତାଙ୍କ ଅଭିଭାଷଣ ଶେଷ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ୯୪୮ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଗରିବଙ୍କୁ ରାସନ ବାବଦରେ ଯୋଗାଇ ଦିଆଯାଇଥିଲା । ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତିବର୍ଷ ଯେତେ ଖାଦ୍ୟଶସ୍ୟ ସରକାର ଦେଇଥାନ୍ତି, ଏହା ତାହାଠାରୁ  ପ୍ରାୟ ୫୦% ଅଧିକ । କରୋନା ପାଇଁ ଏହି କୋଟା ବୃଦ୍ଧି କରାଯାଇଥିଲା  । ୨୦୨୦-୨୧ ଆର୍ଥିକ ବର୍ଷରେ ସରକାରଙ୍କୁ ଏ ବାବଦରେ ୨.୮୪ ଲକ୍ଷ କୋଟି ଟଙ୍କାର ସବ୍‌ସିଡି ବୋଝ ବହନ କରିବାକୁ ପଡିଥିଲା ।

ଗୁଜରାଟରେ ୩.୩ କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ୨୫.୫ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଏହି ସମୟରେ ପ୍ରଦାନ କରାଯାଇଥିଲା ।  ଏ ବାବଦରେ ମୋଟ୍ ସବ୍‌ସିଡି ପରିମାଣ ୫୦୦୦କୋଟି ଟଙ୍କାରୁ ଅଧିକ।

ପ୍ରବାସୀ ହିତାଧିକାରୀଙ୍କ ପାଇଁ ଖାଦ୍ୟ ସୁରକ୍ଷା  ଯୋଜନାରେ କେନ୍ଦ୍ର ସରକାର ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକ ଦେଶ ଏକ ରାସନ କାର୍ଡ ବ୍ୟବସ୍ଥାକୁ ସୁଦୃଢ କରୁଛନ୍ତି ।

 

*****

TM/ SLP



(Release ID: 1742127) Visitor Counter : 238