ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

“ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ଫୋନ ତଥ୍ୟ ଚୋରି ଲାଗି ସ୍ପାଏୱେର୍ ପେଗାସସର କଥିତ ଉପଯୋଗ” ନେଇ ଗଣମାଧ୍ୟମରେ 18 ଜୁଲାଇ 2021ରେ ପ୍ରକାଶ ପାଇଥିବା ଖବର ସଂକ୍ରାନ୍ତରେ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାରେ ଦେଇଥିବା ବିବୃତି

Posted On: 22 JUL 2021 4:47PM by PIB Bhubaneshwar

 

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ “ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ଫୋନ ତଥ୍ୟ ଚୋରି ଲାଗି ସ୍ପାଏୱେର୍ ପେଗାସସର କଥିତ ଉପଯୋଗ ନେଇ ଗଣମାଧ୍ୟମରେ 18 ଜୁଲାଇ 2021ରେ ପ୍ରକାଶ ପାଇଥିବା ଖବର ସଂକ୍ରାନ୍ତରେ ଆଜି ରାଜ୍ୟସଭାରେ ନିମ୍ନ ବିବୃତି ପ୍ରଦାନ କରିଥିଲେ:

 

“ମାନନୀୟ ଅଧ୍ୟକ୍ଷ ମହୋଦୟ,

ମୁଁ କିଛି ଲୋକମାନଙ୍କର ଫୋନ ତଥ୍ୟ ଚୋରି ଲାଗି ସ୍ପାଏୱେର୍ ପେଗାସସର ଦୁରୂପଯୋଗ ସହ ଜଡ଼ିତ ଖବର ସଂକ୍ରାନ୍ତର ବିବୃତି ଦେବା ଲାଗି ଛିଡ଼ା ହୋଇଛି।

18 ଜୁଲାଇ, 2021ରେ ଏକ ୱେବ ପୋର୍ଟାଲରେ ଅତ୍ୟନ୍ତ ଚାଞ୍ଚଲ୍ୟକର ଖବର ପ୍ରକାଶ ପାଇଥିଲା। ଏହି ଖବର ମାଧ୍ୟମରେ ଅନେକଗୁଡ଼ିଏ ଗମ୍ଭୀର ଅଭିଯୋଗ ଅଣାଯାଇଛି।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଗଣମାଧ୍ୟମରେ ଏହି ଖବର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆସିଛି। ଏହାକୁ କେବଳ ମାତ୍ର ଏକ ସଂଯୋଗ ବୋଲି କୁହାଯାଇପାରିବ ନାହିଁ।

ପୂର୍ବରୁ ମଧ୍ୟ ଏପରି ଭାବେ ପେଗାସସ ସ୍ପାଏୱେରର ହ୍ବାଟ୍ସଆପରେ ଦୂରୁପଯୋଗ ସଂକ୍ରାନ୍ତରେ ଦାବି କରାଯାଇଥିଲା। ଏହି ଦାବିର କୌଣସି ତଥ୍ୟାତ୍ମକ ଆଧାର ନଥିଲା ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମେତ ସମସ୍ତ ସ୍ଥାନରେ ସମ୍ପୃକ୍ତ ପକ୍ଷ ଏହାକୁ ଖାରଜ କରି ଦେଇଥିଲେ। 18ଜୁଲାଇ 2021ରେ ଏ ସଂକ୍ରାନ୍ତରେ ପ୍ରକାଶ ପାଇଥିବା ଖବର ଭାରତର ଗଣତନ୍ତ୍ର ଏବଂ ଏହାର ସୁଦୃଢ଼ ସଂସ୍ଥାଗୁଡ଼ିକର ଗରିମାକୁ କ୍ଷତିଗ୍ରସ୍ତ କରିବା ଉଦ୍ଦେଶ୍ୟରେ ପ୍ରକାଶିତ କରାଯାଇଛି।

ଏହି ଖବରକୁ ବିସ୍ତୃତ ଭାବେ ପଢ଼ିନଥିବା ଲୋକମାନଙ୍କୁ ଆମେ ଦୋଷ ଦେଇପାରିବା ନାହିଁ। ମୁଁ ସଦନର ସମସ୍ତ ସମ୍ମାନିତ ସଦସ୍ୟମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ଏହି ପ୍ରସଙ୍ଗରେ ସମସ୍ତ ତଥ୍ୟ ଓ ତର୍କକୁ ସେମାନେ ଗଭୀର ଭାବେ ଯାଞ୍ଚ କରନ୍ତୁ।

ଏହି ଖବରର ଆଧାରରେ ଏକ ଡାଟାବେସ ରହିଛି ଯାହା ପାଖରେ କଥିତ ଭାବେ 50 ହଜାର ଫୋନ ନମ୍ବରରୁ ଲିକ୍ ହୋଇଥିବା ଡାଟା ରହିଛି। ଅଭିଯୋଗ କରାଯାଉଛି ଯେ ଏହି ଫୋନ ନମ୍ବରଗୁଡ଼ିକ ଯେଉଁ ବ୍ୟକ୍ତିମାନଙ୍କର, ସେମାନଙ୍କ ଉପରେ ନଜର ରଖାଯାଉଛି। କିନ୍ତୁ ରିପୋର୍ଟରେ ଏହା କୁହାଯାଇଛି ଯେ :

ଡାଟାବେସ୍‌ରେ ଫୋନ ନମ୍ବର ମିଳିବା ଫଳରେ ଫୋନ ପେଗାସସ ସ୍ପାଇୱେର ଦ୍ବାରା ପ୍ରଭାବିତ ହୋଇଛି କିମ୍ବା ଏହା ଉପରେ କୌଣସି ସାଇବର ଆକ୍ରମଣ ହୋଇଛି ବୋଲି ପ୍ରମାଣିତ ହେଉ ନାହିଁ।

କୌଣସି ଫୋନର ବୈଷୟିକ ବିଶ୍ଳେଷଣ କରାନଯାଇ ସେଥିରେ ସାଇବର ଆକ୍ରମଣର ପ୍ରୟାସ ସଫଳ ହୋଇଛି କି ନାହିଁ କହିବା ଠିକ୍ ହେବ ନାହିଁ।

ସେଥିପାଇଁ ଏହି ରିପୋର୍ଟ ସ୍ବତଃ ଏହା ପ୍ରମାଣିତ କରୁଛି ଯେ ଡାଟା ବେସ୍‌ରେ ଫୋନ ନମ୍ବର ମିଳିବାର ଅର୍ଥ ସେମାନଙ୍କ ଉପରେ କୌଣସି ପ୍ରକାରର ଗୁପ୍ତ ନଜର ଯେ ରଖାଯାଇଛି ତାହା ପ୍ରମାଣିତ କରୁନାହିଁ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଏ ସଂକ୍ରାନ୍ତରେ ଏହି ଜ୍ଞାନକୌଶଳର ମାଲିକାନା ଥିବା ଏନଏସଓର ବୟାନ ଉପରେ ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ। ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ :

ଏନଏସଓ ଗ୍ରୁପ୍ ଏହା ବିଶ୍ବାସ କରିଥାଏ ଯେ ଆପଣମାନେ କରିଥିବା ଦାବି-ଏଚଏଲଆର ଲୁକଅପ୍ ସର୍ଭିସେସ ଭଳି ମୌଳିକ ସୂଚନାରୁ ତଥ୍ୟ ଲିକ୍ ହେବା-ଏକ ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା ଉପରେ ଆଧାରିତ। ସୂଚୀଭୁକ୍ତ ଉପଭୋକ୍ତାମାନେ ପେଗାସସ୍ କିମ୍ବା ଏନଏସଓର ଅନ୍ୟ କୌଣସି ଉତ୍ପାଦର ଶିକାର ହେବା ସହିତ ଏହାର କୌଣସି ସମ୍ପର୍କ ନାହିଁ।

ଏହି ସେବା ଯେକୌଣସି ବ୍ୟକ୍ତିଙ୍କୁ ଯେକୌଣସି ସମୟରେ ଉପଲବ୍ଧ, ଯାହାର ସାଧାରଣ ପ୍ରୟୋଗ ସରକାରୀ ସଂସ୍ଥା ଏବଂ ଘରୋଇ କମ୍ପାନୀଗୁଡ଼ିକ ସାରା ବିଶ୍ବରେ କରୁଛନ୍ତି। ଗୋପନୀୟ ଭାବେ ନଜର ରଖାଯିବା କିମ୍ବା ଏନଏସଓ ସହିତ ନିଶ୍ଚିତ ଭାବେ ଏହି ତଥ୍ୟର କୌଣସି ସମ୍ପର୍କ ନାହିଁ। ତେଣୁ ଗୁପ୍ତ ଭାବେ ନଜର ରଖାଯିବା ଲାଗି ଏହି ତଥ୍ୟ ଉପଯୋଗ କରାଯିବା ଦାବି ସମ୍ପୂର୍ଣ୍ଣ ଭାବେ ଆଧାରହୀନ ଅଟେ।

ଏନଏସଓ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ଦେଶଗୁଡ଼ିକର ନାମ ପେଗାସସର ଉପଭୋକ୍ତା ସୂଚୀରେ ଦର୍ଶାଯାଇଛି, ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଭୁଲ ଏବଂ ଏଗୁଡ଼ିକ ମଧ୍ୟରୁ ଅନେକ ଦେଶ ସେମାନଙ୍କର ଉପଭୋକ୍ତା ନୁହନ୍ତି। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ଏହାର ଅଧିକାଂଶ ଉପଭୋକ୍ତା ହେଉଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର।

ତେଣୁ ଏହା ସ୍ପଷ୍ଟ ଯେ ଏନଏସଓ ପକ୍ଷରୁ ପ୍ରକାଶିତ ଖବରରେ କରାଯାଇଥିବା ଦାବିଗୁଡ଼ିକୁ ଖଣ୍ଡନ କରାଯାଇଛି।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଭାରତରେ ଗୁପ୍ତ ନଜର ରଖାଯିବା ସଂକ୍ରାନ୍ତରେ ଏକ ନିର୍ଦ୍ଧାରିତ ପ୍ରୋଟୋକଲ ରହିଛି। ବିରୋଧୀ ଦଳରେ ଥିବା ମୋର ସହଯୋଗୀ ଏବଂ ଯେଉଁମାନେ ଅନେକ ବର୍ଷ ଧରି ସରକାରରେ ଥିଲେ, ସେମାନେ ନିଶ୍ଚିତ ଭାବେ ଏହି ପ୍ରୋଟୋକଲ ସମ୍ପର୍କରେ ସୂଚନା ପାଇଥିବେ। ସେମାନେ ଅନେକ ବର୍ଷ ଧରି ସରକାରରେ ଥିଲେ, ସେଥିପାଇଁ ସେମାନେ ଏହା ଜାଣିଥିବେ ଯେ କୌଣସି ପ୍ରକାରରେ କାହା ଉପରେ ନଜର ରଖାଯିବା, ଆଇନଗତ ନିୟନ୍ତ୍ରଣ ବିନା ସମ୍ଭବ ନୁହେଁ।

ଭାରତରେ ଏକ ନିର୍ଦ୍ଧାରିତ ପ୍ରକ୍ରିୟା ରହିଛି, ଯାହା ମାଧ୍ୟମରେ ଇଲେକ୍ଟ୍ରୋନିକ୍ସ ବାର୍ତ୍ତାଗୁଡ଼ିକୁ ଆଇନଗତ ଭାବେ ପ୍ରତିରୋଧ (ଇଣ୍ଟରସେପ୍ସନ) କରାଯାଇଥାଏ ଏବଂ ଏହା କେବଳ ଜାତୀୟ ସୁରକ୍ଷା ଭଳି କାରଣ, ବିଶେଷ କରି କୌଣସି ସାର୍ବଜନୀନ ବିପତ୍ତି କିମ୍ବା ଜନ ସୁରକ୍ଷା ବିଷୟରେ, ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ସଂସ୍ଥା ଦ୍ବାରା କରାଯାଇଥାଏ। ଇଲେକ୍ଟ୍ରୋନିକ୍ସ ବାର୍ତ୍ତାଗୁଡ଼ିକର ଆଇନଗତ ପ୍ରତିରୋଧ ଅନୁରୋଧ ଭାରତୀୟ ଟେଲିଗ୍ରାଫ ଆଇନ, 1885ର ଧାରା 5(2) ଏବଂ ସୂଚନା ପ୍ରଯୁକ୍ତି ଆଇନ, 2000ର ଧାରା 69 ଅନ୍ତର୍ଗତ କରାଯାଇଥାଏ। ନଜର ରଖାଯିବା କିମ୍ବା ପ୍ରତିରୋଧର ସମସ୍ତ ମାମଲା କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ଅନୁମୋଦିତ କରାଯାଇଥାଏ। ଆଇଟି (ପ୍ରୋସିଜ୍ୟୋର ଆଣ୍ଡ ସେଫ୍‌ଗାର୍ଡସ ଫର ଇଣ୍ଟରସେପ୍ସନ, ମନିଟରିଂ ଆଣ୍ଡ ଡିକ୍ରିପ୍ସନ ଅଫ ଇନଫରମେସନ) ନିୟମାବଳୀ, 2009 ବଳରେ ଏହି କ୍ଷମତା ରାଜ୍ୟ ସରକାରଙ୍କ କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ସମିତି ରୂପରେ ଏଠାରେ ନିରୀକ୍ଷଣର ଏକ ନିର୍ଦ୍ଧାରିତ ବ୍ୟବସ୍ଥା ରହିଛି। ରାଜ୍ୟ ସରକାରଙ୍କ ସ୍ତରରେ ଏପରି ବିଷୟର ନିରୀକ୍ଷଣ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ସମିତି କରିଥାଏ। ଯେଉଁ ଲୋକମାନେ ଏପରି ଘଟଣାରେ ପୀଡ଼ିତ, ସେମାନଙ୍କୁ ନ୍ୟାୟ ଦେବା ଲାଗି ଆଇନଗତ ବ୍ୟବସ୍ଥା ରହିଛି।

ସେହିପରି କୌଣସି ପ୍ରକାରରେ କାହା ଉପରେ ନଜର ରଖାଯିବା କିମ୍ବା ପ୍ରତିରୋଧ କରାଯିବା କାର୍ଯ୍ୟ ଆଇନଗତ ପ୍ରକ୍ରିୟା ମାଧ୍ୟମରେ କରାଇବା ଲାଗି ଏହି ପ୍ରକ୍ରିୟାରେ ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଏବଂ ସଂସ୍ଥାଗୁଡ଼ିକ ସମୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ମାନନୀୟ ଅଧ୍ୟକ୍ଷ ମହୋଦୟ, ଶେଷରେ, ମୁଁ କହିବାକୁ ଚାହୁଁଛି ଯେ :

ଏହି ରିପୋର୍ଟର ପ୍ରକାଶକ କହିଛନ୍ତି ଯେ, ରିପୋର୍ଟରେ ଦିଆଯାଇଥିବା ଫୋନ ନମ୍ବର ଉପରେ ନଜର ରଖାଯାଉଥିଲା ବୋଲି କୁହାଯାଇପାରିବ ନାହିଁ।

ଯେଉଁ କମ୍ପାନୀର ଜ୍ଞାନକୌଶଳକୁ କଥିତ ଭାବେ ଦୁରୂପଯୋଗ କରାଯାଉଥିବା କୁହାଯାଉଛି, ସେହି କମ୍ପାନୀ ମଧ୍ୟ ଏହି ଦାବିକୁ ସ୍ପଷ୍ଟ ଭାବେ ଖାରଜ କରିଛି।

ଦୀର୍ଘ ସମୟ ଧରି ଦେଶରେ ପ୍ରତିଷ୍ଠିତ ଆଇନଗତ ପ୍ରକ୍ରିୟା ଏହା ସୁନିଶ୍ଚିତ କରୁଛି ଯେ କୌଣସି ପ୍ରକାରର ବେଆଇନ ନଜର ରଖାଯିବା ସମ୍ଭବ ନୁହେଁ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଏହି ବିଷୟକୁ ତର୍କସଙ୍ଗତ ଦୃଷ୍ଟିକୋଣରୁ ଦେଖିଲେ ଏହା ଜଣାପଡ଼ୁଛି ଯେ ଏପରି ଚାଞ୍ଚଲ୍ୟକର ବିଷୟର କୌଣସି ସତ୍ୟତା ନାହିଁ।

ଧନ୍ୟବାଦ, ମାନନୀୟ ଅଧ୍ୟକ୍ଷ ମହୋଦୟ।”

 

*********

P.S



(Release ID: 1737925) Visitor Counter : 34