ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୨୦୨୧ ସଂସଦର ମୌସୁମୀ ଅଧିବେଶନ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ବର୍ତ୍ତମାନ ପର୍ଯ୍ୟନ୍ତ ୪୦ କୋଟି ଭାରତୀୟ ସେମାନଙ୍କ ବାହୁରେ ଟିକା ନେଇ ‘ବାହୁବଳୀ’ ପାଲଟି ଯାଇଛନ୍ତି: ପ୍ରଧାନମନ୍ତ୍ରୀ

ସଂସଦରେ ଆମେ ମହାମାରୀ ପ୍ରସଙ୍ଗରେ ମହତ୍ତ୍ୱପୂର୍ଣ୍ଣ ତଥା ସକାରାତ୍ମକ ବିତର୍କ ଚାହୁଁଛୁ: ପ୍ରଧାନମନ୍ତ୍ରୀ

ମହାମାରୀ ସଂକାନ୍ତରେ ଆଲୋଚନା ପାଇଁ ମୁଁ ଫ୍ଲୋର ଲିଡରମାନଙ୍କୁ ଆସନ୍ତାକାଲି ସନ୍ଧ୍ୟାକୁ ସମୟ ମାଗିଛି: ପ୍ରଧାନମନ୍ତ୍ରୀ

ବିରୋଧୀ ପକ୍ଷ କଠୋର ତଥା ଆକ୍ରାମକ ପ୍ରଶ୍ନ ପଚାରିବା ଦରକାର କିନ୍ତୁ ଏକ ଶାନ୍ତ ବାତାବରଣ ମଧ୍ୟରେ ଏହାର ଜବାବ ଦେବା ପାଇଁ ସୁଯୋଗ ମଧ୍ୟ ଦେବା ଉଚିତ: ପ୍ରଧାନମନ୍ତ୍ରୀ

Posted On: 19 JUL 2021 11:13AM by PIB Bhubaneshwar

ସ୍ୱାଗତ ବନ୍ଧୁଗଣ । ଆଶା କରୁଛି ଆପଣମାନେ ସମସ୍ତେ ଅନ୍ତତଃ କୋଭିଡ ଟିକାର ଗୋଟିଏ ଡୋଜ ନେଇସାରିଥିବେ । କିନ୍ତୁ ତାହା ସତ୍ତ୍ୱେ କରୋନା ପ୍ରୋଟୋକଲ ପାଳନ ପାଇଁ ସହଯୋଗ କରିବାକୁ ମୁଁ ସମସ୍ତଙ୍କୁ ଏବଂ ଗୃହରେ ମୋର ସହଯୋଗୀମାନଙ୍କୁ ପ୍ରାର୍ଥନା କରୁଛି । ଟିକା ବାହୁରେ ଦିଆଯାଉଛି ଏବଂ ଯେଉଁମାନେ ଏହାକୁ ନେଇଛନ୍ତି ସେମାନେ ବାହୁବଳୀହୋଇଯାଇଛନ୍ତି । କରୋନା ବିରୋଧରେ ଲଢ଼ିବାକୁ ବାହୁବଳୀ ହେବାର ଏକମାତ୍ର ଉପାୟ ହେଉଛି ଟିକାକରଣ କରାଇବା ।

କରୋନା ବିରୋଧୀ ଲଢ଼େଇରେ ୪୦ କୋଟିରୁ ଅଧିକ ଲୋକ ବାହୁବଳୀହୋଇଯାଇଛନ୍ତି । ଆଗକୁ ମଧ୍ୟ ଏହାକୁ ଦ୍ରୁତ ଗତିରେ ଆଗେଇ ନିଆଯାଉଛି । ଏହି ମହାମାରୀ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି, ସମଗ୍ର ମାନବଜାତିକୁ ପ୍ରଭାବିତ କରିଛି । ତେଣୁ ସଂସଦରେ ଆମେ ମହାମାରୀ ପ୍ରସଙ୍ଗରେ ମହତ୍ତ୍ୱପୂର୍ଣ୍ଣ ବିତର୍କ ଚାହୁଁଛୁ । ଏହାକୁ ସବୁଠୁ ଅଧିକ ପ୍ରାଥମିକତା ଦିଆଯିବା ଆବଶ୍ୟକ, ଯଦ୍ଦ୍ୱାରା ସମସ୍ତ ମାନନୀୟ ସାଂସଦଙ୍କଠାରୁ ପ୍ରୟୋଗାତ୍ମକ ପରାମର୍ଶ ହାସଲ କରାଯିବ । ଫଳରେ ମହାମାରୀ ବିରୋଧରେ ଅନେକ କିଛି ନୂଆ ସାଧନ ଆପଣେଇବାକୁ ସୁଯୋଗ ମିଳିପାରିବ । ମହାମାରୀ ବିରୋଧୀ ଲଢ଼େଇ ପାଇଁ ଯଦି କିଛି କୌଣସି ଅଭାବବୋଧ ରହିଯାଇଥାଏ, ତେବେ ତାହାକୁ ସଂଶୋଧନ କରାଯିବ ଏବଂ ମିଳିମିଶି ସମସ୍ତେ ଆଗକୁ ବଢ଼ିପାରିବେ ।

ମୁଁ ସମସ୍ତ ଫ୍ଲୋର ଲିଡରଙ୍କୁ ଆସନ୍ତାକାଲି ସନ୍ଧ୍ୟାରେ ସମୟ ବାହାର କରିବା ପାଇଁ ଅନୁରୋଧ କରିଛି । କାରଣ ମହାମାରୀ ସ୍ଥିତି ପ୍ରସଙ୍ଗରେ ମୁଁ ସେମାନଙ୍କ ସମ୍ମୁଖରେ ଏକ ବିସ୍ତୃତ ବିବରଣୀ ଉପସ୍ଥାପନ କରିବାକୁ ଚାହୁଁଛି । ଫ୍ଲୋର ଲିଡରମାନଙ୍କ ସହ ଉଭୟ ଗୃହ ଏବଂ ବାହାରେ ଆଲୋଚନା କରିବାକୁ ଆମେ ଚାହୁଁଛୁ, କାରଣ ମୁଁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଲଗାତର ଭାବେ ବୈଠକ କରି ଆଲୋଚନା କରିଛି । ବିଭିନ୍ନ ମଞ୍ଚରେ ନାନା ପ୍ରକାର ଆଲୋଚନା କରାଯାଉଛି । ଗୃହରେ ବିତର୍କ ସମେତ ଫ୍ଲୋର ଲିଡରମାନଙ୍କ ସହ ଏକ ଆଲୋଚନା ଯଦି ହୋଇପାରେ, ତେବେ ଏହା ବହୁତ ଭଲ ହୁଅନ୍ତା ।

ବନ୍ଧୁଗଣ, ଚାଲନ୍ତୁ ଏହି ଅଧିବେଶନକୁ ପ୍ରଭାବୀ ତର୍କ ସହିତ ପରିଣାମ-କୈନ୍ଦ୍ରିକ କରିବା, ଯଦ୍ଦ୍ୱାରା ଜନତାଙ୍କ ପ୍ରଶ୍ନର ଉତ୍ତର ସରକାର ଦେଇପାରିବେ । ଏହି ପରିପ୍ରେକ୍ଷୀରେ ମୁଁ ଗୃହରେ ଅତ୍ୟନ୍ତ କଠୋର ତଥା ତୀକ୍ଷଣ ପ୍ରଶ୍ନ ପଚାରିବା ଲାଗି ସମସ୍ତ ମାନନୀୟ ସାଂସଦ ଓ ସବୁ ଦଳଗୁଡ଼ିକୁ ଆହ୍ୱାନ କରୁଛି, କିନ୍ତୁ ଏକ ଶାନ୍ତିପୂର୍ଣ୍ଣ ବାତାବରଣରେ ସରକାରଙ୍କୁ ତାହାର ପ୍ରତିକି୍ରୟା ରଖିବା ଲାଗି ସୁଯୋଗ ଦିଆଯିବା ଉଚିତ । ସତ୍ୟ ଯେତେବେଳେ ଲୋକଙ୍କ ପାଖରେ ପହଞ୍ଚେ, ଗଣତନ୍ତ୍ର ସୁଦୃଢ଼ ହୋଇଥାଏ । ଏହା ମଧ୍ୟ ଲୋକଙ୍କ ବିଶ୍ୱାସକୁ ମଜଭୁତ କରିଥାଏ ଏବଂ ବିକାଶ ଧାରାରେ ସୁଧାର ଆଣିଥାଏ ।

ବନ୍ଧୁଗଣ, ଏହି ଅଧିବେଶନ ସମୟରେ ଆଭ୍ୟନ୍ତରୀଣ ବ୍ୟବସ୍ଥା ଗତଥର ଭଳି ହୋଇନାହିଁ । ଏଥର ସମସ୍ତେ ବସିବେ ଏବଂ ମିଳିମିଶ କାର୍ଯ୍ୟ କରିବେ କାରଣ ପ୍ରାୟତଃ ସମସ୍ତେ ଟିକା ନେଇସାରିଛନ୍ତି । ମୁଁ ପୁଣିଥରେ ସମସ୍ତଙ୍କୁ ବହୁତ ଧନ୍ୟବାଦ ଜଣାଉଛି ଏବଂ ଆପଣମାନଙ୍କୁ ନିଜର ଯତ୍ନ ନେବାକୁ ଅନୁରୋଧ କରୁଛି । ଚାଲନ୍ତୁ ଦେଶର ଆଶା ଓ ଆକାଂକ୍ଷାଗୁଡ଼ିକୁ ପୂରା କରିବା ଲାଗି ମିଳିମିଶି କାର୍ଯ୍ୟ କରିବା ।

ବହୁତ ଧନ୍ୟବାଦ, ବନ୍ଧୁଗଣ!



(Release ID: 1736837) Visitor Counter : 268