ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାମ୍ମୁ କାଶ୍ମୀରର ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା ପରେ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହଙ୍କ ବିବୃତି

Posted On: 24 JUN 2021 9:56PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଜାମ୍ମୁ କାଶ୍ମୀରର ରାଜନୈତିକ ଦଳର ନେତୃବର୍ଗଙ୍କ ଆଲୋଚନା ଏଇମାତ୍ର ଶେଷ ହୋଇଛି । ଜାମ୍ମୁ କାଶ୍ମୀରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ଏହା ଏକ ଅତ୍ୟସ୍ତ ସକାରାତ୍ମକ ପ୍ରୟାସ ବୋଲି ବିବେଚନା କରାଯାଏ । ବେଶ୍‍ ଭାବପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା । ସମସ୍ତ ଅଂଶଗ୍ରହଣକାରୀ ଭାରତର ଗଣତନ୍ତ୍ର ଏବଂ ଭାରତର ସମ୍ବିଧାନ ଉପରେ ସେମାନଙ୍କର ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଜନୈତିକ ଦଳର ନେତାଙ୍କ ଯୁକ୍ତି ଧୈର୍ଯ୍ୟ ସହକାରେ ଶୁଣିବା ସହ ସେମାନେ ଦେଇଥିବା ପରାମର୍ଶକୁ ଗୁରୁତ୍ୱର ସହ ଅବଗତ ହୋଇଥିଲେ । ପ୍ରତ୍ୟେକ ରାଜନୈତିକ ଦଳର ପ୍ରତିନିଧିମାନେ ଖୋଲା ମନରେ ନିଜ ନିଜର ମତ ବ୍ୟକ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଏହି ବୈଠକ କାଳରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ । ସେ କହିଲେଯେ ଜାମ୍ମୁ କାଶ୍ମୀରରେ ଗଣତନ୍ତ୍ରକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ଦିଗରେ ଆମେ ସଭିଏଁ ମିଳିମିଶି କାର୍ଯ୍ୟ କରିବା ଉଚିତ । ଦ୍ୱିତୀୟରେ, ଜାମ୍ମୁ କାଶ୍ମୀରର ସାମଗ୍ରିକ ବିକାଶ ହେବା ଆବଶ୍ୟକ ଏବଂ ଏହି ପ୍ରଗତି ଜାମ୍ମୁ କାଶ୍ମୀରର ପ୍ରତ୍ୟେକ କ୍ଷେତ୍ରରେ ସମାନ ଭାବେ ପହଞ୍ଚିବାବା ବାଂଛନୀୟ । ଏଥିପାଇଁ ସହଯୋଗର ବାତାବରଣ ଏବଂ ଜନ ସହଭାଗୀତା ମନୋଭାବ ସୃଷ୍ଟି ହେବା ଜରୁରି ବୋଲି ସେ ମତ ପୋଷଣ କରିଥିଲେ ।

ମାନ୍ୟବର ପ୍ରଧାନମନ୍ତ୍ରୀ ଏକଥା ସୂଚାଇଥିଲେ ଯେ ଜାମ୍ମୁ ଓ କାଶ୍ମୀରରେ ପଞ୍ଚାୟତି ରାଜ ଏବଂ ଅନ୍ୟାନ୍ୟ ସ୍ଥାନୀୟ ସଂସ୍ଥା ନିମନ୍ତେ ସେଠାରେ ସଫଳତାର ସହିତ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ସେଠାରେ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି । ନିର୍ବାଚନ ଅନୁଷ୍ଠିତ ହେବା ପରେ ସେଠାକାର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କ ନିକଟରେ ପ୍ରାୟ ୧୨,୦୦୦ କୋଟି ଟଙ୍କା ପହଞ୍ଚାଯାଇଛି । ଏହା ଜାମ୍ମୁ କାଶ୍ମୀରର ଗ୍ରାମାଞ୍ଚଳରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ବୋଲି ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେଯେ ଜାମ୍ମୁ କାଶ୍ମୀରରେ ପରବର୍ତ୍ତୀ ଗଣତାନ୍ତ୍ରିକ ପ୍ରକ୍ରିୟା, ଅର୍ଥାତ୍‍ ବିଧାନସଭା ନିର୍ବାଚନର ଆମେମାନେ ନିକଟତର ହେଉଛୁ । ତେଣୁ ତୁରନ୍ତ ସେଠାରେ ନିର୍ବାଚନ କ୍ଷେତ୍ର ପୁନର୍ଗଠନ ପ୍ରକ୍ରିୟା ଶେଷ ହେବା ଉଚିତ ଯାହା ଫଳରେ ପ୍ରତ୍ୟେକ କ୍ଷେତ୍ର ଏବଂ ପ୍ରତେକ ଗୋଷ୍ଠୀ ବିଧାନସଭାରେ ଉପଯୁକ୍ତ ପ୍ରତିନିଧିତ୍ୱ ପାଇପାରିବେ । ଦଳିତ, ପଛୁଆ ବର୍ଗ ଏବଂ ଆଦିବାସୀ କ୍ଷେତ୍ରରେ ବସବାସ କରୁଥିବା ଲେକମାନଙ୍କୁ ବିଧାନସଭାରେ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବା ଉପରେ ସେ ପ୍ରାଧାନ୍ୟ ଆରୋପ କରିଥିଲେ ।

ଏହି ବୈଠକରେ ନିର୍ବାଚନ କ୍ଷେତ୍ର ପୁନର୍ଗଠନ ପ୍ରକ୍ରିୟାରେ ସମସ୍ତେ ଅଂଶ ଗ୍ରହଣ କରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ ଉପସ୍ଥିତି ସମସ୍ତ ଦଳ ଏହି ପ୍ରକୟିାରେ ସାମିଲ ହେବାକୁ ସହମତ ପ୍ରକଟ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଯେ ସମସ୍ତ ହିତଧାରକଙ୍କ ସହଯୋଗ ଦ୍ୱାରା ହିଁ ଜାମ୍ମୁ କାଶ୍ମୀରକୁ ଶାନ୍ତି ଏବଂ ସମୃଦ୍ଧି ପଥରେ ଆଗକୁ ଆଗେଇ ନିଆଯିବା ସମ୍ଭବପର ହୋଇପାରିବ । ସେ କହିଲେ ଯେ କାଶ୍ମୀର ଏବେ ହିଂସାର ବିଷ ବଳୟ ଭିତରୁ ମୁକୁଳି ସ୍ଥିରତା ଦିଗରେ ଅଗ୍ରସର ହେଉଛି । ନୂତନ ଆଶା ଓ ନୂତନ ବିଶ୍ୱାସ ଜାମ୍ମୁ କାଶ୍ମୀରବାସୀଙ୍କ ମନରେ ସୃଷ୍ଟି ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଆସ୍ଥାକୁ ମଜଭୁତ କରିବା ଦିଗରେ ଅହୋରାତ୍ର କାର୍ଯ୍ୟ କରିବାକୁ ପଡ଼ିବ ଏବଂ ଲୋକମାନଙ୍କ ମନରେ ବିଶ୍ୱାସକୁ ସୁଦୃଢ଼ କରିବାକୁ ହେବ । ଜାମ୍ମୁ କାଶ୍ମୀରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ବିକାଶ ଓ ସମୃଦ୍ଧିକୁ ମଜଭୁତ କରିବା ନିମନ୍ତେ ଆଜିର ବୈଠକ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ବୈଠକରେ ସାମିଲ ହୋଇଥିବାର ସମସ୍ତ ରାଜନୈତିକ ଦଳଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

ଧନ୍ୟବାଦ ।

 

*****

SS

 



(Release ID: 1730489) Visitor Counter : 168