ଆୟୁଷ
ଆନ୍ତର୍ଜାତିକ ଯୋଗ ଦିବସ ୨୦୨୧ ପାଇଁ
‘ନମସ୍ତେ ଯୋଗ’ ଆପ୍ ଉନ୍ମୋଚିତ
Posted On:
12 JUN 2021 10:17AM by PIB Bhubaneshwar
ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଅନଲାଇନ ଅନାବରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି, ଯେଉଁଥିରେ ବିଖ୍ୟାତ ଯୋଗଗୁରୁ ଏବଂ ଅଭିଜ୍ଞସମ୍ପନ୍ନ ଯୋଗ ପ୍ରତିନିଧି ମଣ୍ଡଳୀ ଓ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଭର୍ଚୁଆଲ ପ୍ଲାଟଫର୍ମରେ ଉଭୟ ବ୍ୟକ୍ତିଗତ ଏବଂ ମାନବଜାତିର ହିତ ପାଇଁ ଯୋଗକୁ ଦୈନନ୍ଦିନ ଜୀବନରେ ସାମିଲ ନିମନ୍ତେ ବିଶ୍ୱ ସମୁଦାୟକୁ ଅପିଲ କରିଥିଲେ । ଏହି ଅବସରରେ ଯୋଗ ପାଇଁ ଏକ ମୋବାଇଲ ଆପ୍ଲିକେସନ ‘ନମସ୍ତେ ଯୋଗ’ ଉନ୍ମୋଚନ କରାଯାଇଥିଲା ।
ମୋରାରଜି ଦେଶାଇ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ (ଏମ୍ଡିଏନ୍ଆଇୱାଇ)ର ସହଯୋଗରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ଏକ ଘଣ୍ଟାବ୍ୟାପୀ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର ଓ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଶ୍ରୀ କିରେନ ରିଜିଜୁ ଆଇଡିୱାଇ ୨୦୨୧ର କେନ୍ଦ୍ରୀୟ ବିଷୟବସ୍ତୁ ‘ଯୋଗ ସହିତ ରୁହ, ଘରେ ରୁହ’ର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ, ଯେବେ କି ଆଧ୍ୟାତ୍ମିକ ନେତା ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଯୋଗଗୁରୁ ଶ୍ରୀ ଶ୍ରୀ ରବିଶଙ୍କର, ସଦଗୁରୁ ଜାଗି ବାସୁଦେବ, ସିଷ୍ଟର ଶିବାନୀ ଏବଂ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଦୈନନ୍ଦିନ ଜୀବନ ଏବଂ କୋଭିଡ ସଂକ୍ରାନ୍ତ ଆବଶ୍ୟକତା ଓ ଆଧ୍ୟାତ୍ମିକ ପରିମାପ ଭଳି ଯୋଗର ବିଭିନ୍ନ ଅନନ୍ୟ ତଥା ବ୍ୟାପକ ବୈଶିଷ୍ଟ୍ୟ ବାବଦରେ ଗୁରୁତ୍ୱାରୋପ କରିଥିଲେ । ଆହୁରି ଅନେକ ପ୍ରଖ୍ୟାତ ବ୍ୟକ୍ତିତ୍ୱ ନିଜର ଅନ୍ତର୍ଦୁଷ୍ଟିପୂର୍ଣ୍ଣ ବାର୍ତ୍ତା ଦ୍ୱାରା ଏହି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ ।
ଏହି ଅବସରରେ ଶ୍ରୀ ପ୍ରକାଶ ଜାଭଡ଼େକର କହିଥିଲେ, ଯୋଗ ହେଉଛି ସୁସ୍ଥ ଓ ସୁଖୀ ଜୀବନର ଏକ ମାର୍ଗ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସକ୍ରିୟ ନେତୃତ୍ୱାଧୀନ ସରକାର ସମାଜର ସବୁ ବର୍ଗଙ୍କ ମଧ୍ୟରେ ଯୋଗକୁ ପ୍ରୋତ୍ସାହିତ କରିବା ଲାଗି ପ୍ରୟାସ ଚଳାଇଛନ୍ତି ।
ଆୟୁଷ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଆଇଡିୱାଇ ୨୦୨୧ ପ୍ରସଙ୍ଗରେ ଦୂରଦର୍ଶନରେ ୧୦ ଦିନିଆ ସିରିଜ ସଂକ୍ରାନ୍ତରେ ସୂଚନା ଦେଇ କହିଥିଲେ ଯେ ଏହି ସିରିଜର ପ୍ରମୁଖ ବାର୍ତ୍ତା ହେଉଛି: ‘ଯୋଗ ସହିତ ରୁହ ଘରେ ରୁହ’, ଯାହା କି ବର୍ତ୍ତମାନର ଜରୁରି ସ୍ୱାସ୍ଥ୍ୟ ପରିସ୍ଥିତିରେ ବେଶ୍ ପ୍ରାସଙ୍ଗିକ । ସ୍ୱାସ୍ଥ୍ୟ ସମ୍ବର୍ଦ୍ଧନ ଓ ରୋଗର ପରିଚାଳନା ତଥା ପ୍ରତିକାରରେ ଯୋଗର ପ୍ରଭାବ ଭଲ ବୋଲି ସ୍ପଷ୍ଟ ହୋଇସାରିଛି । ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ଏବଂ ଚାପରୁ ମୁକ୍ତି ଆଦି କ୍ଷେତ୍ରରେ ଯୋଗର ଫାଇଦା କ’ଣ ତାହା ପ୍ରମାଣ ଜରିଆରେ ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀ କହିଛନ୍ତି, ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଆଇଡିୱାଇ କାର୍ଯ୍ୟକ୍ରମ ପରିସରକୁ ଅଧିକରୁ ଅଧିକ ନାଗରିକଙ୍କୁ ଆଣିବା ମନ୍ତ୍ରଣାଳୟର ଲକ୍ଷ୍ୟ, ଯାହାଦ୍ୱାରା ଆମ ସମାଜର ସବୁ ବର୍ଗ ମଧ୍ୟରେ ଯୋଗ ଦ୍ୱାରା ହୋଇପାରିଥିବା ଶାରୀରିକ ତଥା ଆବେଗାତ୍ମକ କଲ୍ୟାଣର ପ୍ରସାର ହୋଇପାରିବ । ଯୋଗ ପାଇଁ ସମର୍ପିତ ମୋବାଇଲ ଆପ୍ଲିକେସନ ‘ନମସ୍ତେ ଯୋଗ’ର ଆନୁଷ୍ଠାନିକ ଉନ୍ମୋଚନ କରି ମନ୍ତ୍ରୀ କହିଥିଲେ, ଜନସାଧାରଣଙ୍କ ପାଇଁ ଏହାକୁ ଏକ ସୂଚନା ଭିତ୍ତିକ ପ୍ଲାଟଫର୍ମ ଭାବେ ଡିଜାଇନ କରାଯାଇଛି । ଯୋଗ ବାବଦରେ ସଚେତନତା ବୃଦ୍ଧି କରିବା ଏବଂ ଏହାକୁ ବୃହତ୍ତର ସମୁଦାୟଙ୍କ ଦ୍ୱାରା ସୁଲଭ ବନାଇବା ପାଇଁ ଏଥିରେ ଲକ୍ଷ୍ୟ ରହିଛି ।
ଯୋଗ ଗୁରୁମାନେ ଜୋର ଦେଇ କହିଥିଲେ ଯେ ଯୋଗ କେବଳ ଶାରୀରିକ ସୁସ୍ଥତା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ସାମଗ୍ରିକ କଲ୍ୟାଣ ସହିତ ମଧ୍ୟ ଏହା ସଂଶ୍ଳିଷ୍ଟ, ଯାହା ଏହି ମହାମାରୀ ବେଳେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଯୋଗ ଗୁରୁମାନେ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ ଯୋଗ ହେଉଛି ଜୀବନ ସମ୍ପର୍କରେ ଏବଂ ଯୋଗ ଅଭ୍ୟାସ ଦ୍ୱାରା ଆମେ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରିବା ।
କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ଶ୍ରୀ ଶ୍ରୀ ରବିଶଙ୍କର କହିଥିଲେ, ଆଜିର ବିଶ୍ୱ ସଂକଟ ମଧ୍ୟରେ ରହିଛି ଏବଂ ମହାମାରୀ ମଧ୍ୟରେ ଯୋଗ ପଥ ପ୍ରଦର୍ଶନ କରୁଛି । ସଦଗୁରୁ ଜାଗି ବାସୁଦେବ ଯୋଗର ବ୍ୟାବହାରିକ ଦିଗ ବାବଦରେ ଗୁରୁତ୍ୱ ଦେଇଥିଲେ ଏବଂ ଯୋଗାଭ୍ୟାସ ଦ୍ୱାରା ଆନନ୍ଦମୟ ଜୀବନଯାପନ କରିହେବ ବୋଲି ଦୋହରାଇଥିଲେ । ସ୍ୱାମୀ ଚିଦାନନ୍ଦ ସରସ୍ୱତୀ କହିଥିଲେ, ଯୋଗ କେବଳ ଏକ ଥେରାପି ନୁହେଁ ଯାହାକୁ ଅନାଦି କାଳରୁ ଅଭ୍ୟାସ କରାଯାଉଛି, ବରଂ ଜୀବନ ଜିଇଁବା ପାଇଁ ଏହା ଏକ ମାର୍ଗ ମଧ୍ୟ । ଏସ୍ ବ୍ୟାସ ବିଶ୍ୱବିଦ୍ୟାଳୟ କୁଳାଧିପତି ଡ. ଏଚ୍ ଆର ନାଗେନ୍ଦ୍ର କହିଥିଲେ ଯୋଗ ହେଉଛି ସାମଗ୍ରିକ ଜୀବନର ବିଜ୍ଞାନ । ମା ହଂସାଜି ଜୟଦେବା, ସିଷ୍ଟର ଶିବାନୀ, ସ୍ୱାମୀ ଭରତ ଭୂଷଣ, ପ୍ରଫେସର ତନୁଜା ନେସାରି, ଡ. ବି ଏନ ଗଙ୍ଗାଧର, ଶ୍ରୀ କମଲେଶ ଡି. ପଟେଲ, ଶ୍ରୀ ଓ ପି ତିୱାରୀ, ଯୋଗାଚାର୍ଯ୍ୟ ଓ ଶ୍ରୀ ଏସ୍. ଶ୍ରୀଧରନ ମଧ୍ୟ ସେମାନଙ୍କ ମତ ଉପସ୍ଥାପନ କରିଥିଲେ ।
ଆୟୁଷ ସଚିବ ଭିଡି. ରାଜେଶ କୋଟେଚା ଏବଂ ଯୁଗ୍ମ ସଚିବ ପି ଏନ ରଞ୍ଜିତ କୁମାର ଯୋଗର ପ୍ରସାର ପାଇଁ ଆୟୁଷ ମନ୍ତ୍ରଣାଳୟର ଭୂମିକା ଏବଂ ପ୍ରତିବଦ୍ଧତା ବାବଦରେ ବିସ୍ତାର ଭାବେ ବର୍ଣ୍ଣନା କରିଥିଲେ ।
ଏହି ଅନାବରଣ କାର୍ଯ୍ୟକ୍ରମ ସହିତ ୨୦୨୧ ଜୁନ ୧୨ରୁ ୨୧ ପର୍ଯ୍ୟନ୍ତ ସନ୍ଧ୍ୟା ୭ଟା (ଭାରତୀୟ ସମୟ)ରେ ଡିଡି ଇଣ୍ଡିଆରେ ‘କମନ ୟୋଗା ପ୍ରୋଟୋକଲ୍’ର ବିଭିନ୍ନ ଦିଗ ଉପରେ ଏକ ୧୦-ଅଧ୍ୟାୟ ସିରିଜ ଆରମ୍ଭ ହେଉଛି । ମୋରାରଜି ଦେଶାଇ ରାଷ୍ଟ୍ରୀୟ ଯୋଗ ସଂସ୍ଥାନ (ଏମ୍ଡିଏନ୍ଆଇୱାଇ) ଦ୍ୱାରା ଏହି ସିରିଜ ନିର୍ମାଣ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଏକ ଅନ୍ତରୀଣ ପ୍ୟାନେଲ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏମ୍ଡିଏନ୍ଆଇୱାଇ ନିଦେ୍ର୍ଦଶକ ଡ. ଆଇଭି ବାସବରଦ୍ଦି ଏବଂ ଆୟୁଷ ମନ୍ତ୍ରଣାଳୟର ଗଣମାଧ୍ୟମ ଉପଦେଷ୍ଟା ସଞ୍ଜୟ ଦେବ ଅଂଶଗ୍ରହଣ କରିଥିଲେ ।
(Release ID: 1726641)
Visitor Counter : 216