କ୍ୟାବିନେଟ

ସାଂଘାଇ ସହଯୋଗ ସଂଗଠନର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସହ “ଗଣ ମାଧ୍ୟମ କ୍ଷେତ୍ରରେ ସହଯୋଗ” ସ୍ଥାପନ ନିମନ୍ତେ ସ୍ୱାକ୍ଷରିତ ରାଜିନାମାକୁ କେନ୍ଦ୍ର କ୍ୟାବିନେଟ୍‍ର ସ୍ୱୀକୃତି ପ୍ରଦାନ

Posted On: 02 JUN 2021 12:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ସାଂଘାଇ ସହଯୋଗ ସଂଗଠନର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସହ “ଗଣମାଧ୍ୟମ କ୍ଷେତ୍ରରେ ସହଯୋଗ” ସ୍ଥାପନ ନିମନ୍ତେ ସ୍ୱାକ୍ଷରିତ ରାଜିନାମାକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏହି ରାଜିନାମା ୨୦୧୯ ମସିହା ଜୁନ୍‍ ମାସରେ ସ୍ୱାକ୍ଷରିତ ହୋଇଥିଲା । ଏହି ରାଜିନାମା ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଗଣମାଧ୍ୟମ କ୍ଷେତ୍ରରେ ସମାନତା ଓ ପାରସ୍ପରିକ ହିତକର ସହଯୋଗକୁ ପ୍ରୋତ୍ସାହିତ କରିବ । ଏଥିପାଇଁ ପ୍ରତ୍ୟେକ ପକ୍ଷ ପାରସ୍ପରିକ ଆଗ୍ରହ  ଆଧାରରେ ସମାନତାକୁ ସୁନିଶ୍ଚିତ କରିବା ଦିଗରେ ସକଳ ପ୍ରକାର ପଦକ୍ଷେପ ଗ୍ରହଣ କରିବେ । ଏହା ଫଳରେ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଏଭଳି ସୁଯୋଗ ମିଳିବ ଯଦ୍ୱାରା ସେମାନେ ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବା ସହ ଗଣମାଧ୍ୟମ କ୍ଷେତ୍ରରେ ଅଭିନବତ୍ୱ ପ୍ରଦର୍ଶନ କରିପାରିବେ ।

ବୈଶିଷ୍ଟ୍ୟ:

 ଏହି ରାଜିନାମା ଯୋଗୁଁ ଯେଉଁସବୁ ପ୍ରମୁଖ କ୍ଷେତ୍ରରେ ସହଯୋଗ ବୃଦ୍ଧି ହେବ ସେଗୁଡ଼ିକ ହେଲା:

  1. ଏଭଳି ସହାୟତାମୂଳକ ପରିବେଶ ସୃଷ୍ଟି ହେବ ଯାହା ଫଳରେ ଗଣମାଧ୍ୟମ କ୍ଷେତ୍ରରେ ବ୍ୟାପକ ତଥା ପାରସ୍ପରିକ ସୂଚନା ଆଦାନ ପ୍ରଦାନ ସହଜସାଧ୍ୟ ହୋଇପାରିବ ଯାହାକି ସେହିସବୁ ରାଷ୍ଟ୍ରର ଜନସାଧାରଣଙ୍କ ଜୀବନରେ ଜ୍ଞାନ ଓ ଧାରଣାକୁ ଅଧିକ ନିବିଡ଼ କରିପାରିବ;
  2.  ସଦସ୍ୟ ରାଷ୍ଟ୍ରମାନଙ୍କ ଗଣମାଧ୍ୟମ ସଂସ୍ଥାର ସଂପାଦକୀୟ କାର୍ଯ୍ୟାଳୟମାନଙ୍କ ମଧ୍ୟରେ ସହଯୋଗ ସ୍ଥାପନ ତଥା ସଂପୃକ୍ତ ମନ୍ତ୍ରଣାଳୟ, ଏଜେନ୍ସି ଓ ସଂଗଠନ ଯେଉଁମାନେ କି ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ତଥା ଢାଞ୍ଚା ଗଠନ କରିବ । ଏହାକୁ ସହଭାଗୀ ସଦସ୍ୟରାଷ୍ଟ୍ରମାନେ ହିଁ ନିର୍ଦ୍ଧାରଣ କରିବେ ଓ ସେଥିପାଇଁ ପୃଥକ୍‍ ସମାବେଶୀ ରାଜିନାମାମାନ ସ୍ୱାକ୍ଷରିତ ହେବ;
  3. ଏହା ସଦସ୍ୟ ରାଷ୍ଟ୍ରମାନଙ୍କ ପେଶାଦାରୀ ସାମ୍ବାଦିକ ସଂଘମାନଙ୍କ ମଧ୍ୟରେ ସମାନ ତଥା ପାରସ୍ପରିକ ସ୍ୱାର୍ଥଜଡ଼ିତ ସହଯୋଗକୁ ପ୍ରୋତ୍ସାହନ ଯୋଗାଇବ ଏବଂ ତଦ୍ୱାରା ସେମାନେ ପରସ୍ପର ମଧ୍ୟରେ ଉପଲବ୍ଧ ପେଶାଦାରୀ ଅଭିଜ୍ଞତା ଅଧ୍ୟୟନ ନିମନ୍ତେ ସହଯୋଗର ହାତ ବଢ଼ାଇବେ ଓ ଏଥି ନିମନ୍ତେ ଗଣମାଧ୍ୟମ କ୍ଷେତ୍ରରେ ବୈଠକ, ଆଲୋଚନା, ସଂପାନ ଓ ସମ୍ମିଳନୀମାନ ଆୟୋଜନ କରିବେ;
  4.  ଟେଲିଭିଜନ୍‍ ଓ ରେଡ଼ିଓ କାର୍ଯ୍ୟକ୍ରମ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରସାରଣ ଦିଗରେ ସହାୟତା ଯୋଗାଇବା ସହ ଅପର ପକ୍ଷ ରାଷ୍ଟ୍ରଙ୍କ କ୍ଷେତ୍ରସୀମା ମଧ୍ୟରେ ଆଇନସମ୍ମତ ଭାବେ ସେହିସବୁ କାର୍ଯ୍ୟକ୍ରମର ବିତରଣ କରିବ । ସେହିଭଳି ସଂପାଦକୀୟ କାର୍ଯ୍ୟାଳୟମାନଙ୍କ ଦ୍ୱାରା ବିଭିନ୍ନ ଉପକରଣ ଓ ସୂଚନା ଯାହାକି ଆଇନଗତ ପ୍ରସାରଣ ନିମନ୍ତେ ଉଦ୍ଦିଷ୍ଟ, ଯଦି ସେଗୁଡ଼ିକର ବିତରଣ ଅପର ପକ୍ଷ ରାଷ୍ଟ୍ରଙ୍କ ଆଇନଗତ ବ୍ୟବସ୍ଥା ଅନୁସାରେ ହୋଇଥିବ ତାହା ସଂପାଦନ କରାଯିବ;
  5.  ଗଣମାଧ୍ୟମ କ୍ଷେତ୍ରରେ ନିଜ ନିଜ ଅନୁଭୂତି ଏବଂ ବିଶେଷଜ୍ଞମାନଙ୍କ ପାରସ୍ପରିକ ବିନିମୟକୁ ପ୍ରୋତ୍ସାହନ ଯୋଗାଣ, ପେଶାଦାରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ତାଲିମ ପ୍ରଦାନ କରିବା ନିମନ୍ତେ ପାରସ୍ପରିକ ସହାୟତା ପ୍ରଦାନ ଏବଂ ଏହି କ୍ଷେତ୍ରରେ କାର୍ଯ୍ୟରତ ଶୈକ୍ଷିକ ଓ ବୈଜ୍ଞାନିକ-ଗବେଷଣା ଅନୁଷ୍ଠାନ ଓ ସଂଗଠନମାନଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ଯୋଗାଣ ।

 

*****

SS



(Release ID: 1723887) Visitor Counter : 184