ଇସ୍ପାତ ମନ୍ତ୍ରଣାଳୟ

ସାମୁଦ୍ରିକ ଝଡ ୟାସ୍ ଯୋଗୁଁ ଇସ୍ପାତ କିମ୍ବା ଅମ୍ଳଜାନ ଉତ୍ପାଦନ ବାଧାପ୍ରାପ୍ତ ହୋଇନାହିଁ

Posted On: 27 MAY 2021 11:54AM by PIB Bhubaneshwar

ସାମୁଦ୍ରିକ ଝଡ ୟାସର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଗତ ୨୩ ତାରିଖ ଦିନ  ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ଉନ୍ନୟନ ବିଭାଗ ଓ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଇସ୍ପାତ ଉତ୍ପାଦନକାରୀ ପ୍ରତିଷ୍ଠାନଗୁଡିକ ସହିତ ମନ୍ତ୍ରଣାଳୟର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଇସ୍ପାତ ଏବଂ ଅମ୍ଳଜାନ ଉତ୍ପାଦନ  ୟାସ୍ ପ୍ରଭାବରେ ଯେପରି ବନ୍ଦ ନ ହେବ  ସେ ସମ୍ପର୍କୀତ ଆଲୋଚନା ହୋଇଥିଲା ।  ଏଥିରେ ଶକ୍ତି ମନ୍ତ୍ରଣାଳୟର ପ୍ରତିନିଧି ଏବଂ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ରାଜ୍ୟମାନଙ୍କର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ କେବଳ ଓଡିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟ ପ୍ରଭାବିତ ହେବା ସମ୍ଭାବନା ସ୍ପଷ୍ଟ ହୋଇଯାଇଥିଲା । ତେଣୁ ଏହି ରାଜ୍ୟରେ ଶକ୍ତି ସଞ୍ଚାରଣ କୌଣସି ପ୍ରକାରରେ ମଧ୍ୟ ବ୍ୟାହତ ନ ହେବା ନିମନ୍ତେ ପଦକ୍ଷେପ ନେବାକୁ ସ୍ଥିର କରାଯାଇଥିଲା । ଏଥିରେ ଆହୁରି ମଧ୍ୟ ସ୍ଥିର ହୋଇଥିଲା ଯେ କଳିଙ୍ଗ ନଗର ଏବଂ ଅନୁଗୋଳ ଉପରେ ନିର୍ଭର କରୁଥିବା ଓଡିଶାକୁ ଜାମସେଦପୁର ସ୍ଥିତ ଟାଟା ଶକ୍ତି ଉତ୍ପାଦନ କେନ୍ଦ୍ରରୁ ସାମୟିକଭାବେ ଦୁଇରୁ ଚାରିଦିନ ପର୍ଯ୍ୟନ୍ତ ଶକ୍ତି ଯୋଗାଇ ଦିଆଯିବ । ବାତ୍ୟା ପରେ ଓଡିଶାର ଅନୁଗୋଳ, କଳିଙ୍ଗ ନଗର ଓ ରାଉରକେଲା ଇସ୍ପାତ କାରଖାନାଗୁଡିକର ଉତ୍ପାଦନରେ ବାତ୍ୟାର କୌଣସି ପ୍ରଭାବ ପଡି ନ ଥିବା ଦେଖାଯାଇଥିଲା । ଓଡିଶାରେ ଥିବା ଟାଟା କମ୍ପାନୀର ଇସ୍ପାତ କାରଖାନାଗୁଡିକ ଉପରେ ୟାସର କୌଣସି ପ୍ରଭାବ ପଡି ନ ଥିବା ଏବଂ ତରଳ ମେଡିକାଲ ଅକ୍ସିଜେନ ଉତ୍ପାଦନ ଉପରେ କୌଣସି ପ୍ରଭାବ ପଡି ନ ଥିବା କମ୍ପାନୀ ପ୍ରତିନିଧି ଜଣାଇଛନ୍ତି ।

କଳିଙ୍ଗନଗର, ଜାସସେଦପୁର ଏବଂ ଅନୁଗୋଳସ୍ଥିତ ଇସ୍ପାତ କାରାଖାନାଗୁଡିକ ସହିତ ସଂଯୁକ୍ତ ତରଳ ମେଡିକାଲ ଅକ୍ସିଜେନ ଉତ୍ପାଦନ ବିନା ପ୍ରତିବନ୍ଧକରେ ହୋଇଥିଲା । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କଳିଙ୍ଗ ନଗରରେ ପରିବହନ ନିମନ୍ତେ ଥିବା କେତେକ ଟ୍ୟାଙ୍କରକୁ ଜାମସେଦପୁର ପଠାଇଦିଆଯାଇଥିବାରୁ ଏଠାରେ ଟ୍ୟାଙ୍କର ସଂଖ୍ୟା କମ୍ ଥିଲା । ସେଲ୍ ଅଧୀନରେ ଥିବା ଦୁର୍ଗାପୁର, ବର୍ଣ୍ଣପୁର ଏବଂ ରାଉରକେଲା ଇସ୍ପାତ କାରଖାନାଗୁଡିକ ମଧ୍ୟ ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ଥିଲେ । ଏହା ସହିତ ସମ୍ପର୍କୀତ ସମସ୍ତ କର୍ତ୍ତୃପପକ୍ଷଙ୍କୁ ଆବଶ୍ୟକସ୍ଥଳେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବାତ୍ୟା ସମୟରେ ଇସ୍ପାତ କିମ୍ବା ଅମ୍ଳଜାନ ଉତ୍ପାଦନ ବ୍ୟାହତ ହୋଇନାହିଁ । ଆହୁରି ମଧ୍ୟ ଜିନ୍ଦଲ ଷ୍ଟିଲ ପାୱାର ଲିମିଟେଡ ଏବଂ ଜେଏସ୍ ଡବ୍ଲ୍ୟୁ କମ୍ପାନୀର ଓଡିଶାର ଅନୁଗୋଳ ଏବଂ ଝାରସୁଗୁଡାରେ ଥିବା କାରଖାନାଗୁଡିକ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଥିଲେ । ତେବେ ବାତ୍ୟା ୟାସ୍ ଯୋଗୁଁ ଏଗୁଡିକରେ ଉତ୍ପାଦନ ବନ୍ଦ ହେବା ଭଳି ସମସ୍ୟା ସୃଷ୍ଟି ହୋଇ ନ ଥିଲା ।

*****

SSD / SLP



(Release ID: 1722155) Visitor Counter : 228