ନୀତି ଆୟୋଗ

ଭାରତର ଟିକାକରଣ ପ୍ରକ୍ରିୟାକୁ ନେଇ ରହିଥିବା ଭ୍ରାନ୍ତ ଧାରଣା ଓ ସତ୍ୟତା

Posted On: 27 MAY 2021 12:01PM by PIB Bhubaneshwar

ଭାରତର କୋଭିଡ-19 ଟିକାକରଣ କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ ମିଥ୍ୟା ଓ ଭ୍ରମାତ୍ମକ ଚର୍ଚ୍ଚା ହେଉଛି। ଭ୍ରମାତ୍ମକ ବିବୃତି, ଅର୍ଦ୍ଧସତ୍ୟ ଓ ତୁଚ୍ଛା ମିଛ ପ୍ରଚାର କରାଯିବା କାରଣରୁ ଏଭଳି ଭ୍ରମ ସୃଷ୍ଟି ହେଉଛି।

ନୀତି ଆୟୋଗ (ସ୍ୱାସ୍ଥ୍ୟ) ସଦସ୍ୟ ଏବଂ କୋଭିଡ-19 ପାଇଁ ଟିକାକରଣ ଉପରେ ଗଠିତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ଅଧ୍ୟକ୍ଷ ଡ. ବିନୋଦ ପଲ ଏହି ମିଥ୍ୟାର ଖଣ୍ଡନ କରିବା ସହିତ ଏହିସବୁ ପ୍ରସଙ୍ଗରେ ପ୍ରକୃତ ତଥ୍ୟ ପ୍ରଦାନ କରିଛନ୍ତି।

ଏଠାରେ ଗୁଜବ ଓ ସଠିକ ସୂଚନାର ବିବରଣୀ ଦିଆଗଲା:

 

ଭ୍ରାନ୍ତ ଧାରଣା 1 : ବିଦେଶରୁ ଟିକା କ୍ରୟ ନିମନ୍ତେ କେନ୍ଦ୍ର ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁନାହାନ୍ତି।

ସତ୍ୟତା : 2020 ମଧ୍ୟଭାଗରୁ ବୃହତ ଅନ୍ତର୍ଜାତୀୟ ଟିକା ନିର୍ମାତାମାନଙ୍କ ସହିତ କେନ୍ଦ୍ର ସରକାର ନିୟମିତ ଭାବେ ଯୋଗାଯୋଗ ରକ୍ଷା କରି ଆସୁଛନ୍ତି। ଫାଇଜର, ଜନସନ ଆଣ୍ଡ ଜନସନ ଓ ମଡର୍ଣ୍ଣା ସହିତ ଏକାଧିକ ବାର ଆଲୋଚନା ହୋଇଛି। ଟିକା ଯୋଗାଣ ଓ/କିମ୍ବା ଭାରତରେ ଟିକା ଉତ୍ପାଦନ ନିମନ୍ତେ ସରକାର ସେମାନଙ୍କୁ ସବୁପ୍ରକାର ସହାୟତା ପାଇଁ ପ୍ରସ୍ତାବ ଦେଇଛନ୍ତି। ତେବେ, ସେମାନଙ୍କର ଟିକା ମୁକ୍ତ ଭାବେ ଉପଲବ୍ଧ ହେବ ବୋଲି କହିହେବ ନାହିଁ। ଆମକୁ ଏହା ବୁଝିବାକୁ ହେବ ଯେ ଅନ୍ତର୍ଜାତୀୟ ସ୍ତରରେ ଟିକା କିଣିବା ‘ଅଫ୍ ଦ ସେଲ୍ଫ’ (ଥାକରେ ଥୁଆ ହୋଇଥିବା) ସାମଗ୍ରୀ କିଣିବା ଭଳି ସମାନ ନୁହେଁ। ବିଶ୍ୱସ୍ତରରେ ଟିକା ଯୋଗାଣ ପରିମାଣ ସୀମିତ ଏବଂ ସୀମିତ ଷ୍ଟକ ଆବଣ୍ଟନ ପାଇଁ ବିଦେଶୀ କମ୍ପାନୀଗୁଡ଼ିକର ନିଜସ୍ୱ ପ୍ରାଥମିକତା, ଯୋଜନା ଓ ବାଧ୍ୟବାଧକତା ରହିଛି। ଆମର ନିଜସ୍ୱ ଟିକା ନିର୍ମାତାମାନେ ନିର୍ଦ୍ବନ୍ଦ୍ଵରେ ଆମ ପାଇଁ ଯାହା କରିଛନ୍ତି, ସେହିପରି ସେମାନେ ମଧ୍ୟ ସେମାନଙ୍କର ନିଜର ଦେଶକୁ ଅଧିକ ପ୍ରାଥମିକତା ଦେଇଥାନ୍ତି। ଟିକା ଉପଲବ୍ଧତା ସଂକ୍ରାନ୍ତରେ ଯେତେଶୀଘ୍ର ଫାଇଜର ପକ୍ଷରୁ ସୂଚୀତ କରାଯିବ, ଟିକା ଆମଦାନୀ ପାଇଁ କେନ୍ଦ୍ର ସରକାର ଏବଂ କମ୍ପାନୀ ପକ୍ଷରୁ ମିଳିତ ଭାବେ ପଦକ୍ଷେପ ଗ୍ରହଣ କରାଯିବ। ଭାରତ ସରକାରଙ୍କ ପ୍ରୟାସ ଫଳରେ, ସ୍ପୁଟନିକ ଟିକା ପରୀକ୍ଷଣ ଓ ତୁରନ୍ତ ମଞ୍ଜୁରି ତ୍ୱରାନ୍ୱିତ ହୋଇପାରିଛି। ରୁଷ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଟିକା ପଠାଯାଇସାରିଛି ଏବଂ ଆମ କମ୍ପାନୀମାନଙ୍କୁ ପ୍ରଯୁକ୍ତି ହସ୍ତାନ୍ତର ପାଇଁ ସହମତି ହୋଇଛି ଯାହାଫଳରେ ଯଥାଶୀଘ୍ର ଏଠାରେ ଟିକା ଉତ୍ପାଦନ ଆରମ୍ଭ କରାଯାଇପାରିବ। ଆମେ ସମସ୍ତ ଅନ୍ତର୍ଜାତୀୟ ଟିକା ନିର୍ମାତାମାନଙ୍କୁ ଭାରତକୁ ଆସିବା, ଭାରତରେ-ଭାରତ ପାଇଁ ଓ ବିଶ୍ୱ ପାଇଁ ଟିକା ପ୍ରସ୍ତୁତ କରିବା ଲାଗି ଆମର ଆହ୍ୱାନକୁ ପୁଣିଥରେ ଦୋହରାଉଛୁ।

ଭ୍ରାନ୍ତ ଧାରଣା 2 : ବିଶ୍ୱସ୍ତରରେ ଉପଲବ୍ଧ ଟିକାକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇନାହାନ୍ତି।

ସତ୍ୟତା : ୟୁଏସ ଏଫଡିଏ, ଇଏମଏ, ବ୍ରିଟେନର ଏମଏଚଆରଏ ଓ ଜାପାନର ପିଏମଡିଏ ଏବଂ ଡବ୍ଲୁଏଚଓର ଜରୁରିକାଳୀନ ବ୍ୟବହାର ତାଲିକାରେ ମଞ୍ଜୁରିପ୍ରାପ୍ତ ଟିକାକୁ ଭାରତରେ ପ୍ରବେଶ ପାଇଁ ଏପ୍ରିଲରେ କେନ୍ଦ୍ର ସକରାର ସକ୍ରିୟ ଭାବେ ଅନୁମତି ଦେଇଥିଲେ। ଏହି ଟିକାଗୁଡ଼ିକୁ ପ୍ରାଥମିକ ଅନ୍ତର ପରୀକ୍ଷା ଦେଇ ଗତି କରିବାକୁ ପଡ଼ିବ ନାହିଁ। ଅନ୍ୟ ଦେଶରେ ଉତ୍ପାଦିତ ହୋଇଥିବା ଓ ଭଲଭାବେ ପ୍ରମାଣସିଦ୍ଧ ଟିକା ପାଇଁ ସମସ୍ତ ପରୀକ୍ଷଣ ଆବଶ୍ୟକତାକୁ ଉଚ୍ଛେଦ କରିବା ଲାଗି ଏବେ ପୂର୍ବରୁ ଥିବା ବ୍ୟବସ୍ଥାରେ ସଂଶୋଧନ କରାଯାଇଛି। ଏବେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିକଟରେ କୌଣସି ବିଦେଶୀ ଉତ୍ପାଦନକାରୀଙ୍କ ମଞ୍ଜୁରି ଆବେଦନ ପଡ଼ିରହିନାହିଁ।

ଭ୍ରାନ୍ତ ଧାରଣା 3 : ଘରୋଇ ଟିକା ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଯଥେଷ୍ଟ ପଦକ୍ଷେପ ନେଉନାହାନ୍ତି।

ସତ୍ୟତା : 2020 ଆରମ୍ଭରୁ ଅଧିକରୁ ଅଧିକ କମ୍ପାନୀଙ୍କୁ ଟିକା ଉତ୍ପାଦନ ନିମନ୍ତେ ସୁବିଧା ଯୋଗାଇ ଦେବା ସକାଶେ କେନ୍ଦ୍ର ସରକାର ଏକ ପ୍ରଭାବୀ ସୁବିଧାଯୋଗାଣକାରୀ ଭୂମିକା ନିର୍ବାହ କରି ଆସୁଛନ୍ତି। କେବଳ ଗୋଟିଏ ଭାରତୀୟ କମ୍ପାନୀ (ଭାରତ ବାୟୋଟେକ୍) ନିକଟରେ ଆଇପି ରହିଛି। ଭାରତ ସରକାରଙ୍କ ନିଜସ୍ୱ ପ୍ଲାଣ୍ଟ ସଂଖ୍ୟା 1ରୁ 4କୁ ବୃଦ୍ଧି କରିବା ବ୍ୟତୀତ ଅନ୍ୟ ତିନୋଟି କମ୍ପାନୀ/ପ୍ଲାଣ୍ଟ କୋଭାକ୍ସିନ ଉତ୍ପାଦନ କରିବା ନିମନ୍ତେ ଭାରତ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଅକ୍ଟୋବର ସୁଦ୍ଧା କୋଭାକ୍ସିନ ଉତ୍ପାଦନ ପରିମାଣ ମାସିକ 1 କୋଟିରୁ 10 କୋଟିକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହାବ୍ୟତୀତ ଅନ୍ୟ ତିନୋଟି ପିଏସୟୁ ମିଳିତ ଭାବେ ଡିସେମ୍ବର ସୁଦ୍ଧା 4.0 କୋଟି ଡୋଜ ପର୍ଯ୍ୟନ୍ତ ଉତ୍ପାଦନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ସରକାରଙ୍କ ଠାରୁ ନିୟମିତ ପ୍ରୋତ୍ସାହନ ପାଇ, ସିରମ ଇନଷ୍ଟିଚ୍ୟୁଟ କୋଭିଶିଲ୍ଡ ଉତ୍ପାଦନକୁ ମାସିକ 6.5 କୋଟି ଡୋଜରୁ 11.0 କୋଟି ଡୋଜକୁ ବଢ଼ାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରୁଛି। ଡ. ରେଡ୍ଡୀ ସମେତ ଅନ୍ୟ 6ଟି କମ୍ପାନୀ ଭାରତରେ ସ୍ପୁଟନିକ ଟିକା ଉତ୍ପାଦନ କରିବା ନିମନ୍ତେ ସରକାର ରୁଷ ସହିତ ସହଭାଗିତା କରି ସୁନିଶ୍ଚିତ କରିଛନ୍ତି। ଜାତୀୟ ପରୀକ୍ଷାଗାରଗୁଡ଼ିକର ବୈଷୟିକ ସହାୟତା ସହିତ କୋଭିଡ ସୁରକ୍ଷା ଯୋଜନା ଅନ୍ତର୍ଗତ ଉଦାର ପାଣ୍ଠି ଯୋଗାଣ ବ୍ୟବସ୍ଥା ଜରିଆରେ ସ୍ୱଦେଶୀ ଟିକା ବିକାଶ ପାଇଁ ଜାଇଡସ କ୍ୟାଡିଲା, ବାୟୋଇ ଓ ଜେନୋଭା ଆଦି କମ୍ପାନୀକୁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେଉଛନ୍ତି। ଭାରତ ସରକାରଙ୍କ ପାଣ୍ଠି ଯୋଗାଣ ଜରିଆରେ ଭାରତ ବାୟୋଟେକର ସିଙ୍ଗଲ ଡୋଜ୍ ଇଣ୍ଟ୍ରାନାସାଲ (ଆନ୍ତଃନାସା) ଟିକାର ବିକାଶ ପ୍ରକ୍ରିୟା ଜାରି ରହିଛି ଏବଂ ଏହା ବିଶ୍ୱ ପାଇଁ ଯୁଗାନ୍ତକାରୀ ଆବିଷ୍କାର ହୋଇପାରିବ। ଏଭଳି ପ୍ରୟାସ ଏବଂ ନିରନ୍ତର ସମର୍ଥନ ଓ ସହଭାଗିତାର ଫଳସ୍ୱରୂପ 2021 ଶେଷ ସୁଦ୍ଧା ଆମର ଟିକା ଉଦ୍ୟୋଗଗୁଡ଼ିକ ଦ୍ୱାରା 200 କୋଟି ଟିକା ଡୋଜ୍ ଉତ୍ପାଦନ ପାଇଁ ଆକଳନ କରାଯାଇଛି। ଏପରି ବିଶାଳ ସାମର୍ଥ୍ୟ, ଏବଂ ତାହାପୁଣି ପାରମ୍ପରିକ ତଥା ଆଧୁନିକ ଡିଏନଏ ଓ ଏମଆରଏନଏ ପ୍ଲାଟଫର୍ମ ନିର୍ବିଶେଷରେ କୌଣସି ଦେଶ କଳ୍ପନା କରିପାରିବ କି? ଦୈନିକ ନିରବିଚ୍ଛିନ୍ନ ପ୍ରୟାସ ସହିତ ଭାରତ ସରକାର ଓ ଟିକା ଉତ୍ପାଦନକାରୀମାନେ ମିଳିତ ଭାବେ ଟିମ ଇଣ୍ଡିଆ ମନୋଭାବ ନେଇ କାର୍ଯ୍ୟ କରୁଛନ୍ତି।

ଭ୍ରାନ୍ତ ଧାରଣା 4 : କେନ୍ଦ୍ର ସରକାର ବାଧ୍ୟତାମୂଳକ ଲାଇସେନ୍ସ ପ୍ରଦାନ କରିବା ଉଚିତ୍।

ସତ୍ୟତା : ବାଧ୍ୟତାମୂଳକ ଲାଇସେନ୍ସ ପ୍ରଦାନ ଏକ ଆକର୍ଷଣୀୟ ବିକଳ୍ପ ନୁହେଁ କାରଣ ଏହା ଏକ ପ୍ରାସଙ୍ଗିକ ‘ଫର୍ମୁଲା’ ନୁହେଁ, ବରଂ ସକ୍ରିୟ ସହଭାଗିତା, ମାନବ ସମ୍ବଳର ପ୍ରଶିକ୍ଷଣ, କଞ୍ଚାମାଲର ଉତ୍ସ ଯୋଗାଣ ଏବଂ ଉଚ୍ଚସ୍ତରର ବାୟୋ-ସେଫଟୀ ପରୀକ୍ଷାଗାରର ଆବଶ୍ୟକତା ରହିଛି।  ପ୍ରଯୁକ୍ତି ହସ୍ତାନ୍ତର ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଗବେଷଣା ଓ ବିକାଶ କରୁଥିବା କମ୍ପାନୀ ନିକଟରେ ରହିଛି। ବାସ୍ତବରେ, ଆମେ ବାଧ୍ୟତାମୂଳକ ଲାଇସେନ୍ସ ପ୍ରଦାନ ଦିଗରେ ଗୋଟିଏ ପାଦ ଆଗେଇଛୁ ଏବଂ କୋଭାକ୍ସିନ ଉତ୍ପାଦନ ବୃଦ୍ଧି କରିବା ଲାଗି ଭାରତ ବାୟୋଟେକ ଏବଂ ତିନୋଟି ଅନ୍ୟ କମ୍ପାନୀ ମଧ୍ୟରେ ସହଭାଗିତା ସ୍ଥାପନ କରିଛୁ। ସ୍ପୁଟନିକ ପାଇଁ ମଧ୍ୟ ଏହିପରି ଏକ ବ୍ୟବସ୍ଥାର ଅନୁସରଣ କରାଯାଉଛି। ଏ ସମ୍ପର୍କରେ ଚିନ୍ତା କରନ୍ତୁ : ଅକ୍ଟୋବର 2020ରେ ମଡର୍ଣ୍ଣା ପକ୍ଷରୁ କୁହାଯାଇଥିଲା ଯେ ଏହାର ଟିକା ନିର୍ମାଣ କରୁଥିବା କୌଣସି କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ତଥାପି ଗୋଟିଏ ହେଲେ କମ୍ପାନୀ ଏହା କରିନାହାନ୍ତି, ଯାହା ଦର୍ଶାଉଛି ଯେ ଲାଇସେନ୍ସ ପ୍ରଦାନ ସେପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ। ଯଦି ଟିକା ପ୍ରସ୍ତୁତି ଏତେ ସହଜ ହୋଇଥାନ୍ତା, ତା’ହେଲେ ବିକଶିତ ବିଶ୍ୱରେ ଟିକାର ଏତେ ଅଭାବ କାହିଁକି ଦେଖାଦେଇଥାନ୍ତା?

ଭ୍ରାନ୍ତ ଧାରଣା 5 : କେନ୍ଦ୍ର ନିଜ ଦାୟିତ୍ୱ ରାଜ୍ୟଗୁଡ଼ିକ ଉପରେ ଛାଡ଼ି ଦେଇଛି।

ସତ୍ୟତା : ଟିକା ଉତ୍ପାଦନକାରୀଙ୍କୁ ପାଣ୍ଠି ଯୋଗାଣ ଠାରୁ ଆରମ୍ଭ କରି ତୁରନ୍ତ ମଞ୍ଜୁରି ଦେବା ପର୍ଯ୍ୟନ୍ତ, ଏବଂ ଉତ୍ପାଦନ ବୃଦ୍ଧି ଠାରୁ ଆରମ୍ଭ କରି ଭାରତକୁ ବିଦେଶୀ ଟିକା ଆଣିବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ସମସ୍ତ ଗୁରୁଦାୟିତ୍ୱ ନିର୍ବାହ କରୁଛନ୍ତି।  କେନ୍ଦ୍ର ସରକାର କିଣୁଥିବା ଟିକା ସମ୍ପୂର୍ଣ୍ଣ ଭାବେ ମାଗଣାରେ ଲୋକମାନଙ୍କୁ ଯୋଗାଇ ଦେବା ଲାଗି ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଉଛି। ରାଜ୍ୟଗୁଡ଼ିକର ସମ୍ପୂର୍ଣ୍ଣ ଜ୍ଞାତସାରରେ ଏହା କରାଯାଉଛି। ରାଜ୍ୟଗୁଡ଼ିକ ପକ୍ଷରୁ ବାରମ୍ବାର ଅନୁରୋଧ ପରେ କେନ୍ଦ୍ର ସରକାର ସେମାନଙ୍କୁ ନିଜସ୍ୱ ଉତ୍ସରୁ ଟିକା କିଣିବା ନିମନ୍ତେ ଅନୁମତି ଦେଇଛନ୍ତି। ଦେଶରେ ଟିକା ଉତ୍ପାଦନ କ୍ଷମତା ଏବଂ ବିଦେଶରୁ ସିଧାସଳଖ ଟିକା କ୍ରୟ କ୍ଷେତ୍ରରେ ରହିଥିବା ସମସ୍ୟା ସମ୍ପର୍କରେ ରାଜ୍ୟଗୁଡ଼ିକ ଭଲ ଭାବେ ଅବଗତ ଅଛନ୍ତି। ବାସ୍ତବରେ, ଭାରତ ସରକାର ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଟିକାକରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ମେ’ ମାସରେ ଦେଖାଦେଇଥିବା ପରିସ୍ଥିତି ତୁଳନାରେ ଯଥେଷ୍ଟ ସଫଳତା ହାସଲ କରିଥିଲେ। ହେଲେ, ତିନି ମାସ ମଧ୍ୟରେ ଏପରିକି ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ କରିବାରେ ସେତେଟା ସଫଳତା ହାସଲ କରିପାରିନଥିବା ରାଜ୍ୟଗୁଡ଼ିକ ଏବେ ଟିକାକରଣ ପ୍ରକ୍ରିୟାକୁ ହଠାତ୍ ଉନ୍ମୁକ୍ତ ଓ ବିକେନ୍ଦ୍ରିକୃତ କରିବା ଲାଗି ଚାହୁଁଛନ୍ତି। ସ୍ୱାସ୍ଥ୍ୟ ସେବା ରାଜ୍ୟଗୁଡ଼ିକର ଦାୟିତ୍ୱ ହୋଇଥିବା ବେଳେ ରାଜ୍ୟକୁ ଅଧିକ କ୍ଷମତା ଦେବା ଲାଗି ରାଜ୍ୟଗୁଡ଼ିକ ପକ୍ଷରୁ ବାରମ୍ବାର ଅନୁରୋଧ କରାଯିବା ଫଳରେ ଟିକାକରଣ ନୀତିକୁ ଉଦାରୀକରଣ କରାଯାଇଛି। ଆମେ ପ୍ରଥମ ଦିନରୁ ରାଜ୍ୟଗୁଡ଼ିକୁ ଯାହା କହିଆସୁଥିଲୁ ତାହା ଏବେ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାର କୌଣସି ପରିଣାମ ନମିଳିବା ପ୍ରସଙ୍ଗରୁ ପ୍ରମାଣିତ ହୋଇଛି: ବିଶ୍ୱରେ ଟିକା ଯୋଗାଣରେ ଅଭାବ ରହିଛି ଏବଂ ଅଳ୍ପ ସମୟ ମଧ୍ୟରେ ସୂଚନା ଦେଇ ଏହାକୁ କ୍ରୟ କରିବା ସହଜ ନୁହେଁ।

ଭ୍ରାନ୍ତ ଧାରଣା 6 : କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଯଥେଷ୍ଟ ପରିମାଣରେ ଟିକା ଯୋଗାଇ ଦେଉନାହାନ୍ତି।

ସତ୍ୟତା : ଆପୋସ ସହମତି ଥିବା ମାର୍ଗଦର୍ଶିକା ଅନୁଯାୟୀ ଏକ ସ୍ୱଚ୍ଛ ପ୍ରକ୍ରିୟାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଟିକା ଯୋଗାଇ ଦେଉଛନ୍ତି। ପ୍ରକୃତରେ, ଟିକା ଉପଲବ୍ଧତା ସଂକ୍ରାନ୍ତରେ ରାଜ୍ୟଗୁଡ଼ିକୁ ଆଗୁଆ ସୂଚନା ଦିଆଯାଉଛି। ଭବିଷ୍ୟତରେ ଅଧିକ ପରିମାଣରେ ଟିକା ଉପଲବ୍ଧ ହେବ ଏବଂ ଅଧିକ ଯୋଗାଣ ସମ୍ଭବ ହୋଇପାରିବ। ଅଣ-ସରକାରୀ ମାଧ୍ୟମରେ ରାଜ୍ୟଗୁଡ଼ିକୁ 25% ଏବଂ ଘରୋଇ ଡାକ୍ତରଖାନାଗୁଡ଼ିକୁ 25% ଟିକା ଯୋଗାଇ ଦିଆଯାଉଛି। ତେବେ, ରାଜ୍ୟଗୁଡ଼ିକ ଦ୍ୱାରା ଏହି 25% ଟିକାକରଣରେ ଦେଖାଦେଉଥିବା ବାଧା ଓ ସମସ୍ୟାଗୁଡ଼ିକୁ ଅତିରଞ୍ଜିତ କରି ଦର୍ଶାଯାଉଛି। ହେଲେ ଟିକା ଯୋଗାଣର ତଥ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥାଇ ସୁଦ୍ଧା ସବୁଦିନ ଟେଲିଭିଜନରେ ମୁହଁ ଦେଖାଉଥିବା ଆମର କିଛି ନେତାମାନଙ୍କର ବ୍ୟବହାର ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ। ଆମ ସମସ୍ତଙ୍କୁ ଏହି ଲଢ଼େଇରେ ଏକଜୁଟ ହେବାର ଆବଶ୍ୟକତା ରହିଛି।

ଭ୍ରାନ୍ତ ଧାରଣା 7 : ଶିଶୁଙ୍କ ଟିକାକରଣ ପାଇଁ କେନ୍ଦ୍ର ପକ୍ଷରୁ କୌଣସି ପଦେକ୍ଷପ ନିଆଯାଉନାହିଁ।

ସତ୍ୟତା : ବର୍ତ୍ତମାନ ବିଶ୍ୱର କୌଣସି ଦେଶ ପିଲାମାନଙ୍କୁ ଟିକା ଦେଉନାହିଁ।* ଏଥିସହିତ ଡବ୍ଲୁଏଚଓ ପିଲାମାନଙ୍କୁ ଟିକାକରଣ ପାଇଁ କୌଣସି ସୁପାରିସ କରିନାହିଁ। ପିଲାମାନଙ୍କ ଠାରେ ଟିକାର ସୁରକ୍ଷା ବିଷୟରେ ଗବେଷଣା କରାଯାଇଛି ଏବଂ ଏହା ଉତ୍ସାହଜନକ ରହିଛି। ଭାରତରେ ଖୁବଶୀଘ୍ର ପିଲାମାନଙ୍କ ଉପରେ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି। ତେବେ, ପିଲାମାନଙ୍କ ଟିକାକରଣ ହ୍ଵାଟ୍ସଆପ୍ ଗ୍ରୁପରେ ପ୍ରସାରିତ ହୋଇଥିବା ଆତଙ୍କକୁ ଆଧାର କରି ନିର୍ଦ୍ଧାରଣ କରାଯିବା ଉଚିତ୍ ନୁହେଁ। କାରଣ କିଛି ରାଜନେତା ଏହାକୁ ନେଇ ରାଜନୀତି କରିବାକୁ ଚାହୁଁଛନ୍ତି। ପରୀକ୍ଷଣ ଆଧାରରେ ପର୍ଯ୍ୟାପ୍ତ ତଥ୍ୟ ଉପଲବ୍ଧ ହେବା ପରେ ଆମର ବୈଜ୍ଞାନିକମାନଙ୍କ ଦ୍ୱାରା ଏହି ନିର୍ଣ୍ଣୟ ନିଆଯିବ।

* ଏହି ରିଲିଜରେ ଦର୍ଶାଯାଇଛି ଯେ ‘ବିଶ୍ବର କୌଣସି ରାଷ୍ଟ୍ର ପିଲାମାନଙ୍କୁ ଟିକା ଦେଉନାହାନ୍ତି’।  ଏହାକୁ ‘ବିଶ୍ବର କୌଣସି ରାଷ୍ଟ୍ର 12 ବର୍ଷରୁ କମ ବୟସ୍କ ପିଲାମାନଙ୍କୁ ଟିକା ଦେଉନାହାନ୍ତି’ ବୋଲି ପଢ଼ାଯିବା ଉଚିତ୍। ଏହି ଭାଗରେ ଉଲ୍ଲେଖ କରାଯାଇଥିବା ଅନ୍ୟ ବିନ୍ଦୁଗୁଡ଼ିକ ବୈଧ ଅଟେ। ମୂଦ୍ରଣଜନିତ ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ ଦୁଃଖିତ।

 

*******

P.S

 



(Release ID: 1722153) Visitor Counter : 76