ଆୟୁଷ

ଆରମ୍ଭ ହେଲା ‘ଆୟୁଷ କୋଭିଡ-୧୯’ ପରାମର୍ଶ ହେଲ୍ପଲାଇନ

Posted On: 21 MAY 2021 11:18AM by PIB Bhubaneshwar

କୋଭିଡ-୧୯କୁ ନେଇ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ନିମନ୍ତେ ସମର୍ପିତ ଏକ ପରାମର୍ଶ ହେଲ୍ପଲାଇନ ‘ଆୟୁଷ କୋଭିଡ-୧୯’ ନାମରେ କାର୍ଯ୍ୟକ୍ଷମ ହୋଇଛି । ‘ଆୟୁଷ’ ମନ୍ତ୍ରଣାଳୟ ପକ୍ଷରୁ ଆୟୁଷ ଚିକିତ୍ସାଭିତ୍ତିରେ କରୋନା ସମ୍ପର୍କୀତ ସମସ୍ୟାର ସମାଧାନ ପାଇଁ ନିଶୁଳ୍କ  ୧୪୪୪୩ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଏହା ସପ୍ତାହର ସାତଦିନ ଯାକ ସକାଳ ୬ଟା ଠାରୁ ରାତି ୧୨ଟା ପର୍ଯ୍ୟନ୍ତ କାମ କରିବ । ଏହି ନମ୍ବରରେ ଆୟୁର୍ବେଦ,ହୋମିଓପାଥି, ଯୋଗ, ପ୍ରାକୃତିକ ଚିକିତ୍ସା, ୟୁନାନୀ ଏବଂ ସିଦ୍ଧ ପଦ୍ଧତିର ଚିକିତ୍ସା ବିଶାରଦମାନେ ଲୋକମାନଙ୍କର ପ୍ରଶ୍ନର ଉତ୍ତର ଦେବା ସହ ପରାମର୍ଶ ଦେବେ । ଏଥି ସହିତ ରୋଗର ଉପଚାର ଏବଂ ରୋଗୀର ନିକଟତମ ଆୟୁଷ ଚିକିତ୍ସାଳୟ ସମ୍ପର୍କରେ ମଧ୍ୟ ସୂଚନା ଦେବେ । ରୋଗୀମାନେ କରୋନା ରୋଗରୁ ଆରୋଗ୍ୟଲାଭ କରିବା ପରେ ସେମାନଙ୍କ ନିମନ୍ତେ ଆବଶ୍ୟକୀୟ ପରାମର୍ଶ ଓ ଥଇଥାନ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସୂଚନା ଦେବେ । ବର୍ତ୍ତମାନ କଥୋପକଥନ ମାଧ୍ୟମରେ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଏହି ସେବା ଯୋଗାଇ ଦିଆଯିବ । ପରବର୍ତ୍ତୀ ସମୟରେ ଅନ୍ୟ ଭାଷାରେ ଏହି ସେବା ଉପଲବ୍ଧ ହେବ । ବର୍ତ୍ତମାନ ଏକକାଳୀନ ୧୦୦ଜଣଙ୍କ ସହିତ କଥାବାର୍ତ୍ତା ହୋଇପାରିବାର ବ୍ୟବସ୍ଥା ହୋଇଛି । ଭବିଷ୍ୟତରେ ଏହି କ୍ଷମତାକୁ ବୃଦ୍ଧି କରାଯିବ । ଆୟୁଷ ମନ୍ତ୍ରଣାଳୟ କରୋନାର ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଏହି ବ୍ୟବସ୍ଥା କରିଥିଲେ ମଧ୍ୟ ପ୍ରୋଜେକ୍ଟ ଷ୍ଟେପ୍ ୱାନ ନାମକ ଏକ ବେସରକାରୀ ସଂଗଠନର ସହାୟତାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଆୟୁଷ ଚିକିତ୍ସା ପଦ୍ଧତିରେ ଥିବା ଚିକିତ୍ସା ପ୍ରଣାଳୀଗୁଡିକ ସମଗ୍ର ଦେଶରେ ଆଦୃତ ଏବଂ ରୋଗୀର ଚିକିତ୍ସା ଓ ସୁସ୍ଥ ରହିବାର ବ୍ୟବସ୍ଥାର ସର୍ବ ପୁରାତନ ପ୍ରଚଳିତ ପଦ୍ଧତି ।

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କ୍ଷେତ୍ରରେ ଏହି ଚିକିତ୍ସା ପଦ୍ଧତିଗୁଡିକର ସ୍ୱତନ୍ତ୍ର‌୍ୟ ରହିଛି । ତେଣୁ ଏହି ମହାମାରୀ ସମୟରେ ଏଗୁଡିକ ବେଶ୍ ଲୋକପ୍ରିୟ ହୋଇଛି । କରୋନା ଚିକିତ୍ସା କ୍ଷେତ୍ରରେ ଏହି ପଦ୍ଧତିଗୁଡିକ ଉପାଦେୟ, ପ୍ରଭାବଶାଳୀ, ନିରାପଦ, ସୁବିଧାଜନକ, ସହଜଲବ୍ଧ ଏବଂ ଅଳ୍ପ ଖର୍ଚ୍ଚରେ ପ୍ରୟୋଗ କରିହେବ । ସାମାନ୍ୟରୁ ମଧ୍ୟମ ଧରଣର କରୋନା ସଂକ୍ରମଣ କ୍ଷେତ୍ରରେ ବନୌଷଧିରୁ ପ୍ରସ୍ତୁତ ଆୟୁଷ-୬୪ ନାମକ ଆୟୁର୍ବେଦ ଔଷଧ ଏବଂ କବାସୁରକୁଦିନୀର୍ ନାମକ ସିଦ୍ଧ ପଦ୍ଧତିର ଔଷଦ ଅତ୍ୟନ୍ତ ଉପାଦେୟ ଓ ପ୍ରଭାବଶାଳୀ ଥିବା ଦେଖାଯାଇଛି । ସାଧାରଣଲୋକଙ୍କ ଉପକାର ଉଦ୍ଦେଶ୍ୟରେ ଆୟୁଷ ମନ୍ତ୍ରଣାଳୟ ଏହି ଔଷଧ ଦୁଇଟିର ବ୍ୟାପକ ପ୍ରଚାର କରୁଛି ।

 

*****

 

SSD / SLP



(Release ID: 1720633) Visitor Counter : 251