ଅର୍ଥ ମନ୍ତ୍ରଣାଳୟ

କୋଭିଡ ଟିକା ପାଇଁ କେନ୍ଦ୍ର ସରକାର ବ୍ୟୟବରାଦ କରିନାହାନ୍ତି କହିବା ତଥ୍ୟ ଦୃଷ୍ଟିରୁ ଭୁଲ: ଅର୍ଥ ମନ୍ତ୍ରଣାଳୟ

ଲେଖାନୁଦାନର ୪୦ନମ୍ବର ବିଷୟରେ ଏହା ଉଲ୍ଲେଖ କରାଯାଇଛି
ଏହାର ଶୀର୍ଷକ ରହିଛି “ରାଜ୍ୟ ସମୂହଙ୍କୁ ହସ୍ତାନ୍ତର”; ଏହି ଲେଖାନୁଦାନର ବ୍ୟବହାର ବିଭିନ୍ନ ପ୍ରକାରର ପ୍ରଶାସନିକ ସୁବିଧା ଯୋଗାଇବ

‘ରାଜ୍ୟମାନଙ୍କୁ ହସ୍ତାନ୍ତର’ ଶୀର୍ଷକ ବ୍ୟବହାରର ଅର୍ଥ ଏହା ନୁହେଁ ଯେ କେନ୍ଦ୍ରଦ୍ୱାରା ଟଙ୍କା ଖର୍ଚ୍ଚ କରାଯାଇ ପାରିନାହିଁ

Posted On: 10 MAY 2021 1:51PM by PIB Bhubaneshwar

‘ଦି ପ୍ରିଣ୍ଟ’ରେ ପ୍ରକାଶିତ ଏକ ଖବର ଶୀର୍ଷକରେ ଲେଖାଯାଇଛି, “ମୋଦୀ ସରକାରଙ୍କ ଟିକା ପାଇଁ ପାଣ୍ଠି ଯୋଗାଣ: ରାଜ୍ୟ ସମୂହଙ୍କ ପାଇଁ ୩୫,୦୦୦କୋଟି, କେନ୍ଦ୍ର ପାଇଁ ଶୂନ ।” ସେହି ଖବର ସଂକ୍ରାନ୍ତ ଏହି ସ୍ପଷ୍ଟୀକରଣ ।

 କେନ୍ଦ୍ର ସରକାର କୋଭିଡ ଟିକା ପାଇଁ ବ୍ୟୟବରାଦ କରିନାହାନ୍ତି କହିବା ତଥ୍ୟ ଦୃଷ୍ଟିରୁ ଭୁଲ । ଲେଖାନୁଦାନରେ ୪୦ନମ୍ବର ବିଷୟରେ “ରାଜ୍ୟମାନଙ୍କୁ ହସ୍ତାନ୍ତର ଶୀର୍ଷକରେ ୩୫ହଜାର କୋଟି ଟଙ୍କାର ଉଲ୍ଲେଖ କରାଯାଇଛି ।”

 ଏହି ‘ଆକାଉଣ୍ଟ ହେଡ୍‌’ରେ ଟିକା ବାସ୍ତବରେ କେନ୍ଦ୍ର ସରକାରଙ୍କ ଦ୍ୱାର ସଂଗୃହୀତ ହୋଇ ସେ ବାବଦରେ ଅର୍ଥ ପୈଠ କରାଯାଉଛି । ଏହି ଲେଖାନୁଦାନ ବା ଖର୍ଚ୍ଚଦାବିର ବିଭିନ୍ନ ପ୍ରଶାସନିକ ସୁବିଧା ରହିଛି । ପ୍ରଥମତଃ ଟିକା ବାବଦ ବ୍ୟୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାଧାରଣ କେନ୍ଦ୍ରୀୟ ପ୍ରାୟୋଜିତ ସ୍କିମ୍ ବାହାରେ ମାତ୍ର ଗୋଟିଏ ଥରର ଖର୍ଚ୍ଚ । ଏହି ପାଣ୍ଠିର ସହଜ ତଦାରଖ ଓ ପରିଚାଳନାକୁ ସୁନିଶ୍ଚିତ କରିବା ନିମନ୍ତେ ଅଲଗା ଅର୍ଥ ଯୋଗାଣର ବ୍ୟବସ୍ଥା କରାଯାଇଛି । ଆହୁରି ମଧ୍ୟ ଏହି ଅନୁଦାନ ଅନ୍ୟାନ୍ୟ ଅନୁଦାନ ଭଳି ତ୍ରୈମାସିକ ବ୍ୟୟ ନିୟନ୍ତ୍ରଣ କଟକଣାରୁ ମୁକ୍ତ । ଟିକାକରଣ କାର୍ଯ୍ୟକ୍ରମରେ ଯେପରି କୌଣସି ପ୍ରତିବନ୍ଧକ ନ ରହେ, ତାହାକୁ ସୁନିଶ୍ଚିତ କରିବାକୁ ଏହା କରାଯାଇଛି । ଏହି ‘ହେଡ୍‌’ରେ ଟିକାକରଣ ପାଇଁ ଯେଉଁ ଅର୍ଥ ଯୋଗାଇ ଦିଆଯାଇଛି ତାହାର ପରିଚାଳନା ବାସ୍ତବରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୁଛି । ରାଜ୍ୟମାନଙ୍କୁ ଯେଉଁ ଟିକା ଦିଆଯାଉଛି ତାହା ସବୁ ଅନୁଦାନ ସାମଗ୍ରୀ ଆକାରରେ ପ୍ରଦାନ କରାଯାଉଛି । ରାଜ୍ୟମାନେ ହିଁ ଟିକାଦାନର ବାସ୍ତବ ପରିଚାଳନା କରୁଛନ୍ତି। ଆହୁରି ମଧ୍ୟ ସାମଗ୍ରୀ ଜନିତ ଅନୁଦାନ ଅନ୍ୟ ପ୍ରକାର ଅନୁଦାନ କ୍ଷେତ୍ରରେ ଯୋଜନା ବା ସ୍କିମର ସ୍ୱରୂପ ବଦଳାଇବା ପାଇଁ ଅନେକ ପ୍ରଶାସନିକ ନମନୀୟତା ଓ କୋହଳତା ରହିଛି । 

 ତେଣୁ ସମ୍ପୃକ୍ତ ରିପୋର୍ଟରେ ଯାହା ପ୍ରକାଶ ପାଇଛି, ତାହା ତଥ୍ୟ ଦୃଷ୍ଟିରୁ ଠିକ୍ ନୁହେଁ । ଟିକାକରଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଣକୁ ସୁନିଶ୍ଚିତ କରିବା ନିମନ୍ତେ ବଜେଟ୍‌ରେ କୌଣସି ବର୍ଗୀକରଣର ଆବଶ୍ୟକତା ନାହିଁ । ଖର୍ଚ୍ଚ ଦାବି ବା ଲେଖାନୁଦାନରେ “ରାଜ୍ୟମାନଙ୍କୁ ହସ୍ତାନ୍ତର” (ଟ୍ରାନ୍ସଫର) ଶୀର୍ଷକ ବ୍ୟବହାରର ଅର୍ଥ ନୁହେଁ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଟଙ୍କା ଖର୍ଚ୍ଚ କରାଯାଇପାରିବ ନାହିଁ ।

*****

TKM



(Release ID: 1717552) Visitor Counter : 199