ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତୀୟ ନୌସେନା ଦ୍ୱାରା କୋଭିଡ଼ ସମ୍ପର୍କିତ ପ୍ରୟାସ ପ୍ରସଙ୍ଗରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବିଭିନ୍ନ ସହରରେ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ହସପିଟାଲ ଖୋଲୁଛି ନୌସେନା

ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଅକ୍ସିଜେନ ଉପଲବ୍ଧ କରାଇବ ନୌସେନା

ବିଦେଶରୁ ଭାରତକୁ ଅକ୍ସିଜେନ କଣ୍ଟେନର ତଥା ଅନ୍ୟାନ୍ୟ ସାମଗ୍ରୀ ପରିବହନ କରି ଆଣୁଛି ନୌସେନାର ଜାହାଜ

କୋଭିଡ଼ ଡ୍ୟୁଟି ପରିଚାଳନା ସକାଶେ ଦେଶର ବିଭିନ୍ନ ସ୍ଥାନରେ ନୌସେନାର ମେଡ଼ିକାଲ କର୍ମଚାରୀମାନଙ୍କୁ ପୁନଃନିଯୁକ୍ତ କରାଗଲା

Posted On: 03 MAY 2021 7:23PM by PIB Bhubaneshwar

 

ନୌସେନାଧ୍ୟକ୍ଷ ଆଡମିରାଲ କରମବୀର ସିଂହ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ନୌସେନା ପକ୍ଷରୁ କୋଭିଡ଼ ପରିଚାଳନା ପରିପ୍ରେକ୍ଷୀରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଇଛନ୍ତି ।

ଏହି ଅବସରରେ ଆଡମିରାଲ ଶ୍ରୀ ସିଂହ କରୋନା ମହାମାରୀର ମୁକାବିଲା ସକାଶେ ଭାରତୀୟ ନୌସେନା ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସେ ଏହି ପରିପ୍ରେକ୍ଷୀରେ ଅବଗତ କରାଇଥିଲେ ଯେ ଭାରତୀୟ ନୌସେନା ଇତି ମଧ୍ୟରେ ରାଜ୍ୟ ପ୍ରଶାସନଙ୍କ ନିକଟରେ ପହଞ୍ଚିଛି ଏବଂ ହସପିଟାଲ ବେଡ଼୍‍, ପରିବହନ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସହାୟତାର ହାତ ବଢ଼ାଇଛି । ଆଡମିରାଲ ଶ୍ରୀ ସିଂହ ସୂଚାଇଥିଲେ ଯେ ଏବେ ଦେଶର ବିଭିନ୍ନ ସହରମାନଙ୍କରେ ନୌସେନା ପକ୍ଷରୁ ହସପିଟାଲମାନ ଖୋଲାଯାଉଛି ଯାହାକି ସାଧାରଣ ନାଗରିକମାନଙ୍କ ଚିକିତ୍ସା ନିମନ୍ତେ ବ୍ୟବହୃତ ହୋଇପାରିବ ।

ଆଡମିରାଲ ଶ୍ରୀ ସିଂହ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ନୌସନାର ମେଡ଼ିକାଲ କର୍ମଚାରୀମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ କୋଭିଡ଼ ଡ୍ୟୁଟିରେ ପୁନଃ ଅବସ୍ଥାପିତ କରାଯାଇଛି । ସେହିଭଳି ଅନ୍ୟାନ୍ୟ ନୌସେନା କର୍ମଚାରୀମାନଙ୍କୁ ଯୁଦ୍ଧକ୍ଷେତ୍ରୀୟ ନର୍ସିଂ ସହାୟତା ଯୋଗାଣ ତାଲିମ ପ୍ରଦାନ କରାଯାଉଛି ଯଦ୍ୱାରାକି ସେମାନଙ୍କୁ କୋଭିଡ଼ ପରିଚାଳନା କାର୍ଯ୍ୟରେ ନିଯୁକ୍ତ କରାଯାଇପାରିବ ।

ନୌସେନାଧ୍ୟକ୍ଷ ଆଡମିରାଲ କରମବୀର ସିଂହ ପ୍ରଧାନମନ୍ତ୍ରୀଙ୍କୁ ଆହୁରି ଅବଗତ କରାଇଥିଲେ ଯେ ଲାକ୍ଷାଦ୍ୱୀପ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଏବେ ନୌସେନା ପକ୍ଷରୁ ଅକ୍ସିଜେନ୍‍ ଉପଲବ୍ଧ କରାଯାଉଛି । ସେହିଭଳି ଭାରତୀୟ ନୌସେନା ବିଦେଶରୁ ଅକ୍ସିଜେନ୍‍ କଣ୍ଟେନର ତଥା ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ପରିବହନ କରି ଦେଶକୁ ଆଣିବା କାର୍ଯ୍ୟରେ ନିୟୋଜିତ ରହିଛି ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚାଇଥିଲେ । 

 

*****

 

SS

 

 

  



(Release ID: 1715784) Visitor Counter : 236