ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଚିକିତ୍ସା ପାଇଁ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
02 MAY 2021 3:24PM by PIB Bhubaneswar
ଦେଶରେ ଅକ୍ସିଜେନ ଯୋଗାଣ ଓ ଉପଲବ୍ଧତା ବୃଦ୍ଧି କରିବା ଲାଗି ଅଭିନବ ମାର୍ଗ ସନ୍ଧାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଇସ୍ପାତ କାରଖାନା, ବିଶୋଧନ ସୁବିଧା ଥିବା ପେଟ୍ରୋକେମିକାଲ ୟୁନିଟ୍, ରିଚ୍ କମ୍ବସନ ପ୍ରକ୍ରିୟା ଉପଯୋଗ କରୁଥିବା ଉଦ୍ୟୋଗ, ବିଦ୍ୟୁତ ଶକ୍ତି ପ୍ଲାଣ୍ଟ ଆଦି ବହୁ ଉଦ୍ୟୋଗରେ ଥିବା ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକରେ ବାଷ୍ପୀୟ ଅକ୍ସିଜେନ ଉତ୍ପାଦନ କରାଯାଇଥାଏ ଯାହାକି ଏହି ପ୍ରକ୍ରିୟାରେ ଉପଯୋଗ କରାଯାଇଥାଏ। ଏହି ଅକ୍ସିଜେନକୁ ଚିକିତ୍ସା ଉଦ୍ଦେଶ୍ୟରେ ଉପଯୋଗ କରାଯାଇପାରିବ।
ଆବଶ୍ୟକ ଶୁଦ୍ଧତା ଥିବା ବାଷ୍ପୀୟ ଅକ୍ସିଜେନ ଉତ୍ପାଦନ କରୁଥିବା ଔଦ୍ୟୋଗିକ ୟୁନିଟଗୁଡ଼ିକୁ ଚିହ୍ନଟ କରିବା ନିମନ୍ତେ ରଣନୀତିର ଉପଯୋଗ କରାଯାଉଛି। ସହର/ଜନବହୁଳ ଅଞ୍ଚଳ/ଚାହିଦା ଥିବା କେନ୍ଦ୍ର ଓ ଅକ୍ସିଜେନ ଶଯ୍ୟା ଥିବା ଅସ୍ଥାୟୀ କୋଭିଡ ଚିକିତ୍ସା କେନ୍ଦ୍ର ନିକଟରେ ଥିବା ଏପରି ୟୁନିଟଗୁଡ଼ିକୁ ତାଲିକାଭୁକ୍ତ କରିବାର ପ୍ରକ୍ରିୟା ଜାରି ରହିଛି। ଏପରି ସୁବିଧା ଥିବା 5ଟି କ୍ଷେତ୍ରକୁ ପାଇଲଟ୍ ଆଧାରରେ ଚୟନ କରାଯାଇଛି ଏବଂ ଏହି କ୍ଷେତ୍ରରେ ଯଥେଷ୍ଟ ଭଲ ପ୍ରଗତି ହାସଲ କରାଯାଇପାରିଛି। ପ୍ଲାଣ୍ଟ ପରିଚାଳନା କରୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ କିମ୍ବା ଘରୋଇ ଉଦ୍ୟୋଗ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ମାଧ୍ୟମରେ ଏହି ଉପଲବ୍ଧି ହାସଲ କରାଯାଇପାରିଛି।
ଏପରି ପ୍ଲାଣ୍ଟ ନିକଟରେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରିବା ଜରିଆରେ ଅଳ୍ପ ସମୟ ମଧ୍ୟରେ ପାଖାପାଖି 10,000 ଅକ୍ସିଜେନ ଶଯ୍ୟା ପ୍ରସ୍ତୁତ କରାଯାଇପାରିବ।
ମହାମାରୀର ମୁକାବିଲା ନିମନ୍ତେ ଅକ୍ସିଜେନ ଶଯ୍ୟା ସୁବିଧା ଥିବା ଏପରି ଅଧିକ ସୁବିଧା ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରୋତ୍ସାହିତ କରାଯାଉଛି।
ପ୍ରଧାନମନ୍ତ୍ରୀ ମଧ୍ୟ ପିଏସଏ ପ୍ଲାଣ୍ଟ ପ୍ରତିଷ୍ଠା କରିବାର ଅଗ୍ରଗତି ସମୀକ୍ଷା କରିଛନ୍ତି। ତାଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା ଯେ ପିଏମ କେୟାର୍ସ, ପିଏସୟୁ ଓ ଅନ୍ୟମାନଙ୍କୁ ଯୋଗଦାନ ଜରିଆରେ ପାଖାପାଖି 1500 ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ପ୍ରକ୍ରିୟା ଜାରି ରହିଛି। ଏହିସବୁ ପ୍ଲାଣ୍ଟଗୁଡ଼ିକର କାର୍ଯ୍ୟ ଦ୍ରୁତଗତିରେ ସମ୍ପୂର୍ଣ୍ଣ କରିବା ଲାଗି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ସଡ଼କ ପରିବହନ ଓ ରାଜପଥ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।
*******
P.S
(ରିଲିଜ ଆଡି: 1715552)
ପରିଦର୍ଶକ କାଉଣ୍ଟର : 334
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam