ଜାହାଜ ଚଳାଚଳ ମନ୍ତ୍ରଣାଳୟ

ଜାହାଜରେ ଅକ୍ସିଜେନ ଓ ଅକ୍ସିଜେନ ସଂପର୍କୀତ ମାଲ ପରିବହନ ସକାଶେ ଦେଶର ସମସ୍ତ ପ୍ରମୁଖ ବନ୍ଦର ଦେୟ ଛାଡ଼ କରିବାକୁ ନିଷ୍ପତ୍ତି

ଅକ୍ସିଜେନ ସମ୍ପର୍କିତ ବର୍ଥିଂ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ଵ ପ୍ରଦାନ କରାଯିବ

Posted On: 25 APR 2021 12:53PM by PIB Bhubaneshwar

ଦେଶରେ ଅକ୍ସିଜେନ୍ ଓ ତତ୍ ସମ୍ପର୍କିତ ଉପକରଣର ମାତ୍ରାଧିକ ଆବଶ୍ୟକତା ଦୃଷ୍ଟିରୁ କାମରାଜର ପୋର୍ଟ ଲିମିଟେଡ଼ ସମେତ ଦେଶର ପ୍ରମୁଖ ବନ୍ଦରଗୁଡ଼ିକୁ ସମସ୍ତ ଭଡ଼ା (ଜାହାଜ ସମ୍ପର୍କିତ ଭଡ଼ା, ଭଣ୍ଡାରଣ ଭଡ଼ା ଇତ୍ୟାଦି) ଛାଡ଼ କରିବା ନିମନ୍ତେ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଅକ୍ସିଜେନ୍ ଓ ତତ୍ ସମ୍ପର୍କିତ ଉପକରଣ ପରିବହନ କରି ନେଉଥିବା ଜାହାଜଗୁଡ଼ିକୁ ସର୍ବାଧିକ ଅଗ୍ରାଧିକାର ପ୍ରଦାନ କରିବା ନିମନ୍ତେ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିସବୁ ଉପକରଣ ମଧ୍ୟରେ ନିମ୍ନଲିଖିତ ସାମଗ୍ରୀ ସାମିଲ:

  • ମେଡ଼ିକାଲ ଗ୍ରେଡ୍ ଅକ୍ସିଜେନ୍‌
  • ଅକ୍ସିଜେନ୍ ଟ୍ୟାଙ୍କ
  • ଅକ୍ସିଜେନ୍ ବଟଲ୍‌
  • ଅକ୍ସିଜେନ୍ ଜେନେରେଟର
  • ଅକ୍ସିଜେନ୍ କନସେନଟ୍ରେଟର
  • ଅକ୍ସିଜେନ୍ ସିଲିଣ୍ଡର ଉତ୍ପାଦନ ନିମନ୍ତେ ବ୍ୟବହୃତ ପାଇବ ଏବଂ ତତ୍ ସମ୍ପର୍କିତ ଉପକରଣ 

ଏହି ନିର୍ଦ୍ଦେଶନାମା ଆଗାମୀ ତିନି ମାସ ପର୍ଯ୍ୟନ୍ତ କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଦେଶର ସମସ୍ତ ବନ୍ଦରର ଅଧ୍ୟକ୍ଷମାନଙ୍କୁ ବ୍ୟକ୍ତିଗତ ଭାବେ ଏଭଳି ମାଲ କାରବାର ପରିଚାଳନା କରିବା ସକାଶେ ନିର୍ଦ୍ଦେଶ ଦିଆଯାଇଛି ଯଦ୍ୱାରା ଅକ୍ସିଜେନ୍ ବହନ କରି ନେଉଥିବା ଜାହାଜଗୁଡିକ ବନ୍ଦରରେ ଅଗ୍ରାଧିକାର ଭିତ୍ତିରେ ଚଳାଚଳ, ବୋଝେଇ, ଖଲାସ କରିବା ସୁନିଶ୍ଚିତ ହୋଇପାରିବ ଏବଂ ଏହି କାର୍ଯ୍ୟ ବହିଃଶୁଳ୍କ ବିଭାଗ ଓ ଅନ୍ୟାନ୍ୟ ପ୍ରାଧିକରଣ ସଂସ୍ଥାମାନଙ୍କ ସହ ସମନ୍ୱିତ ହୋଇପାରିବ । ଏହା ଫଳରେ କ୍ଲିଅରାନ୍ସ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ଏବଂ ଅକ୍ସିଜେନ୍ ସମ୍ପର୍କିତ ସମସ୍ତ ମାଲ ବନ୍ଦରରୁ ତୁରନ୍ତ ପ୍ରେରଣ କରାଯାଇପାରିବ । 

ଯଦି ସେହିସବୁ ଜାହାଜଗୁଡ଼ିକ ଅକ୍ସିଜେନ୍ ସମ୍ପର୍କିତ ମାଲ ସାମଗ୍ରୀ ସହିତ ଅନ୍ୟାନ୍ୟ ମାଲ/ କଣ୍ଟେନର ବହନ କରୁଥିବେ, ସେମାନଙ୍କୁ ପ୍ରୋ- ରାଟା ଆଧାରରେ ଚାର୍ଜ ମୁକ୍ତ କରାଯିବ, ଯାହାକି ବନ୍ଦରର ସାମଗ୍ରିକ ମାଲ ଅବା କଣ୍ଟେନର ଆଧାରରେ କରାଯିବ । ଏଭଳି ଜାହାଜମାନଙ୍କୁ ଅକ୍ସିଜେନ୍ ସମ୍ପର୍କିତ ମାଲ ବହନ ନିମନ୍ତେ ସେଭଳି ସୁବିଧା ଯୋଗାଇ ଦିଆଯିବ ।

ସେହିସବୁ ଜାହାଜ, ମାଲ ଏବଂ ବନ୍ଦରରେ ପ୍ରବେଶ ଠାରୁ ବନ୍ଦର ଗେଟ୍ ସୀମା ଛାଡ଼ିବା ପର୍ଯ୍ୟନ୍ତ ଜାହାଜମାନେ ବିତାଉଥିବା ସମୟର ବିସ୍ତୃତ କାର୍ଯ୍ୟ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ମନିଟର କରିବେ ।

ଦେଶରେ ଦେଖା ଦେଇଥିବା କୋଭିଡ଼ ୧୯ର ଦ୍ୱିତୀୟ ଲହର ଜନିତ ସଂକଟକୁ ପରିଚାଳନା ନିମନ୍ତେ ଭାରତ ସରକାର ଏବେ ଗୁରୁତ୍ୱର ସହିତ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ଉପଯୁକ୍ତ ତଥା ଅଭିନବ ବ୍ୟବସ୍ଥା ଗ୍ରହଣ ମାଧ୍ୟମରେ ପରିସ୍ଥିତିର ମୁକାବିଲା ପାଇଁ ସକଳ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

 

*****

SS



(Release ID: 1713972) Visitor Counter : 264