ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଜରୁରୀକାଳୀନ ବ୍ୟବହାର କ୍ଷେତ୍ରରେ ଟିକା ଉପଲବ୍ଧତା ବଢାଇବା ପାଇଁ ସରକାର ବିଦେଶୀ ଟିକାକୁ ଅନୁମୋଦନ ଦେଇଛନ୍ତି

ଅନ୍ୟାନ୍ୟ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ପାଇଥିବା ଏହି ଟିକା ଭାରତରେ ଟିକାଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବ୍ୟବହୃତ ହେବ

Posted On: 13 APR 2021 1:11PM by PIB Bhubaneshwar

କୋଭିଡ ମହାମାରୀର ସଫଳ ମୁକାବିଲା ପାଇଁ ଭାରତ ଏକ ପୂର୍ଣ୍ଣାଙ୍ଗ ଦୃଷ୍ଟିକୋଣ ନେଇ କାର୍ଯ୍ୟ କରୁଛି । ଏଥିରେ ଟିକାଦାନକୁ ଅଗ୍ରାଧିକାର ଦିଆଯାଇଛି ଏବଂ ସରକାର ସକ୍ରିୟତାର ସହିତ କାର୍ଯ୍ୟ କରୁଛନ୍ତି । ୨୦୨୦ ମେ’ ମାସରେ ସରକାର ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଏକ ଟାକ୍ସଫୋର୍ସ ଗଠନ କରି ଦେଶରେ ଟିକା ଦିଆରି କରିବା କ୍ଷେତ୍ରରେ ଗବେଷଣା ଓ ଉନ୍ନୟନ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଦାୟିତ୍ୱ ପ୍ରଦାନ କରିଥିଲେ । ୨୦୨୦ ଅଗଷ୍ଟରେ ନୀତି ଆୟୋଗର ସଦସ୍ୟଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇ କୋଭିଡ ଟିକା ଉତ୍ପାଦନ କାର୍ଯ୍ୟରେ ସହାୟତା ଯୋଗାଇ ଦେବାକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହି ରଣନୀତି ଫଳରେ ଭାରତ ପ୍ରଥମ ଦେଶଭାବେ ଘରୋଇ ଟିକାଦାନ କାର୍ଯ୍ୟକ୍ରମ ପାଇଁ ଦୁଇଟି ଭାରତ ତିଆରି ଟିକା ପ୍ରସ୍ତୁତ କରିବାରେ ସଫଳ ହୋଇଥିଲା ।

ଟିକାଦାନ ଭାରତ ସରକାରଙ୍କ କୋଭିଡ ପରିଚାଳନା ଓ  ନିୟନ୍ତ୍ରଣ ରଣନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏବେ ଭାରତରେ ଜରୁରୀକାଳିନୀ ଆବଶ୍ୟକତା ଭାବେ ଲୋକଙ୍କୁ କୋଭାକ୍ସିନ ଓ କୋଭିସିଲ୍‌ଡ ଟିକା ପ୍ରଦାନ କରାଯାଉଛି । ଭାରତ ବାୟୋଟେକ ଏଣ୍ଟର ନ୍ୟାସନାଲ ଲିମିଟେଡ (ବିବିଆଇଏଲ) ଦ୍ୱାରା କୋଭାକ୍ସିନ ଏବଂ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଦ୍ୱାରା କୋଭିସିଲ୍ଡ ଟିକା ଉତ୍ପାଦିତ ହେଉଛି । ଭାରତର ଜାତୀୟ ଭେଷଜ ନିୟନ୍ତ୍ରକ (ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ) ଏହି ଦୁଇ ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ପ୍ରଦାନ ପରେ ଏହା ଲୋକଙ୍କୁ ଦିଆଯାଉଛି ।

            ଭାରତରେ ଟିକା ପରିଚାଳନା ପାଇଁ ଏକ ଶୀର୍ଷ ଗୋଷ୍ଠୀ ଗଠନ କରାଯାଇଛି । ଏହା ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ ଭାକ୍ସିନ ଆଡମିନିଷ୍ଟ୍ରେସନ ଫର କୋଭିଡ ବା ‘ନେଗ୍‌ଭ୍ୟାକ’ ନାମରେ ପରିଚିତ । ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ ପାଲ ଏହାର ମୁଖ୍ୟ । ନେଗଭ୍ୟାକ୍‌ର ୨୩ତମ ବୈଠକ ୨୦୨୧ ଏପ୍ରିଲ ୧୧ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ  ଦ୍ରୁତଗତିରେ ସଂକ୍ରମିତ କରୋନା ମହାମାରୀର ନିୟନ୍ତ୍ରଣ ଓ ଟିକାଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅଧିକରୁ ଅଧିକ ଟିକାର ଜରୁରୀକାଳୀନ ବ୍ୟବହାର ସମ୍ପର୍କରେ ଆଲୋଚନା କରାଯାଇଥିଲା ।

            ‘ନେଗଭ୍ୟାକ’ରେ ଏ ସମ୍ପର୍କରେ ସବିଶେଷ ବିଚାର ଆଲୋଚନା ପରେ ବିଦେଶରେ ଉତ୍ପାଦିତ ଏବଂ ସୀମିତ ଜରୁରୀକାଳୀନ ବ୍ୟବହାର ପାଇଁ ୟୁଏସ୍‌ଏଫଡିଏ, ଇଏମ୍‌ଏ, ୟୁକେ, ଏମ୍‌ଏଚଆରଏ, ପିଏମ୍‌ଡିଏ ଜାପାନ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦିତ ସଂସ୍ଥାନ ଦ୍ୱାରା ଅନୁମତିପ୍ରାପ୍ତ ବିଦେଶୀ ଟିକାକୁ ଭାରତରେ ବ୍ୟବହାର ପାଇଁ ନିଷ୍ପତି ନିଆଯାଇଥିଲା । ତେବେ ଏହି ଅନୁମତି ପ୍ରଦାନ ଭାରତ ପାଇଁ ସର୍ତଭିତିକ ହୋଇଚି । ଟିକାର ଅନୁମୋଦନ ପରବର୍ତୀ କ୍ଲିନିକାଲ ପରୀକ୍ଷାନିରୀକ୍ଷା ଭାରତରେ ଜାରି ରହିବ ।

            ୨୦୧୯ର ନୂଆ ଔଷଧ ଏବଂ ପରୀକ୍ଷା ନିରୀକ୍ଷା ଆଇନ ଅନୁସାରେ ଏହି ବିଦେଶୀ ତିଆରି ଟିକାକୁ ବ୍ୟବହାର କରାଯିବ ।

            ଆହୁରି ମଧ୍ୟ ଏହି ବିଦେଶୀ ଟିକା ପ୍ରଥମେ ଯେଉଁ ୧୦୦ ବ୍ୟକ୍ତିଙ୍କୁ ଦିଆଯିବ ଟିକାନେବା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସାତଦିନ ପାଇଁ ଅନୁଧ୍ୟାନ କରାଯିବ । ଟିକାର ପାଶ୍ୱର୍ପ୍ରତିକ୍ରିୟା ଜାଣିବା ପାଇଁ ନିରାପଦ ବ୍ୟବସ୍ଥା ସ୍ୱରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ୧୦୦ଲୋକଙ୍କ ଉପରେ ଟିକାର ପ୍ରଭାବ ପରୀକ୍ଷାନିରୀକ୍ଷା କରାଯିବା ପରେ ତାହା ଅନ୍ୟମାନଙ୍କୁ ଭାରତରେ ଦିଆଯିବ ।

            କେନ୍ଦ୍ର ସରକାର ଉପଯୁକ୍ତ ବିଚାର ଆଲୋଚନା ଓ ସମୀକ୍ଷ। କରିବା ପରେ ‘ନେଗଭ୍ୟାକ’ର ସୁପାରିସକୁ ଗ୍ରହଣ କରିଛନ୍ତି ।

            ଏହି ନିଷ୍ପତ୍ତି ଫଳରେ ଭାରତରେ ବିଦେଶୀ ଟିକାର ପ୍ରବେଶ ଓ ବ୍ୟବହାର ପ୍ରକିୟା ତ୍ୱରାନ୍ୱିତ ହେବ । ଏହା ମଧ୍ୟ ବିଦେଶରୁ ବିପୁଳ ପରିମାଣର ଟିକା, ଟିକା ଉପାଦାନ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଆମଦାନୀ ପାଇଁ ସୁଯୋଗ ଦୃଷ୍ଟି କରିବ । ଏହାଦ୍ୱାରା ଭାରତରେ ଟିକା ଉତ୍ପାଦନ କ୍ଷମତା ବଢିବ ଏବଂ ଘରୋଇ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଟିକା ଉପଲବ୍ଧ ହେବ ।

****

TKM



(Release ID: 1711616) Visitor Counter : 298